ଏସବୁ ଦେଖି ସେ ଜମିଦାର ଖୁବ୍ ଆଶ୍ଚର୍ଯ୍ୟ ହେଲେ, ରାକ୍ଷସକୁ ତେବେ କିଏ ମାଇଲା? ବହୁତ ଭାବି ଭାବି ସେ ଜମିଦାର ଶେଷରେ ପଚାରିଲେ, କାଲି ରାତିରେ ଆମ ଗାଁକୁ କ’ଣ କେହି ନୂଆ ଲୋକ ଆସିଛି କି?
ଶେଷରେ ଜଣାପଡିଲା ସେ ବୁଢୀ ଘରକୁ ଦି’ଜଣ ପିଲାଙ୍କ ବ୍ୟତୀତ ଆଉ କେହି ବି ଗାଁକୁ ଆସି ନାହାଁନ୍ତି । ଜମିଦାରଙ୍କ ଲୋକ ଯାଇ ସେ ଦି’ପିଲାଙ୍କୁ ସାଙ୍ଗେ ସାଙ୍ଗେ ନେଇ ଆସିଲା । ଆଦାମା ପାଦକୁ ସେ ଚଟିଟି ଟିକିଏ ଛୋଟ ହେଲା । ମାତ୍ର ଅୟୁତା ପାଦକୁ ଠିକ୍ ଖାପି ଗଲା । ଆର ପାଦର ଚଟିଟି କାଢି ଅୟୁତା ଯେତେବେଳେ ପିନ୍ଧିଲା, ସମସ୍ତଙ୍କ ବିସ୍ମୟର ଆଉ ସୀମା ରହିଲା ନାହିଁ ।
ଏସବୁ ଦେଖିସାରିବାପରେ ଜମିଦାର ସେ ଅୟୁତାକୁ ଚାହିଁ କହିଲେ, ତୋ’ପରି ଛୋଟ ପିଲା କଦାପି ଏ ଅସୁରକୁ ମାରି ନାହିଁ ।” ତହୁଁ ସେ ଅୟୁତା ଉତ୍ତର ଦେଲା “ମୁଁ ମାରିଛି” । ଏକଥା ଶୁଣି ଜମିଦାର ହଠାତ୍ ପଚାରିଲେ ତାହେଲେ ସେ ରାକ୍ଷସର ମୁଣ୍ଡ କାହିଁ? “ମୋ ସାଙ୍ଗରେ ଆସନ୍ତୁ” ବୋଲି କହି ଅୟୁତା ଆଗେ ଆଗେ ଚାଲିଲା । ଜମିଦାର ଆଉ ସବୁ ଲୋକ ବି ତା ପଛରେ ଚାଲିଲେ । ବୁଢୀ କୁଡିଆ ପଛରେ ଗହଳିଆ ବୁଦା ଭିତରୁ ସେ ରାକ୍ଷସର ମୁଣ୍ଡ ବାହାରିଲା ।
ଅୟୁତାର ସାହସ ପାଇଁ ସମସ୍ତେ ତାକୁ ଧନ୍ୟ ଧନ୍ୟ କଲେ । ରାକ୍ଷସ ମରିଥିବାରୁ ସେମାନେ ଏଣିକି ନିର୍ଭୟରେ ବଂଚିବେ ।
“ମୁଁ ତୁମକୁ ପୁରସ୍କାର ଦେବି”, ଜମିଦାର କହିଲେ । “ତମେ ଭାଇଭଉଣୀ ଆସି ମୋ ଘରେ ରୁହ । ବଡହେଲେ ତମେ ହିଁ ମୋ ଝିଅକୁ ବିବାହ କରି ମୋ ସମ୍ପତ୍ତିର ମାଲିକ ହେବ । ତୁମ ଭଉଣୀ ବଡ ହୋଇଗଲେ ମୁଁ ତାକୁ ବାହାଘର କରିଦେବି ।” ଏଣିକି ସେ ଅୟୁତା ଓ ଆଦାମାର ଦୁଃଖର ଦିନ ସରିଲା । ଦୁହେଁ ଖାଇପିଇ ବେଶ୍ ମଜାରେ ରହିଲେ ।