ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାକ୍ଷସ ନୀତି

ଥରେ ଦଳେ ଭକ୍ତ କାଶୀ ଅଭିମୁଖେ ବୁଲିବାକୁ ଯାଉଥିଲେ । ବାଟରେ ଜଙ୍ଗଲ ପଡିଲା । ଜଙ୍ଗଲ ମଧ୍ୟରେ ଯାଉ ଯାଉ କ୍ଳାନ୍ତ ହୋଇ ଗୋଟିଏ ବୃହତ୍ ବୃକ୍ଷ ଛାୟାରେ ସେମାନେ ବିଶ୍ରାମ କରୁଥା’ନ୍ତି । ଏଇ ସମୟରେ ଦୂରରୁ ଗୋଟିଏ ରାକ୍ଷସ ସେମାନଙ୍କୁ ଦେଖି ତାଙ୍କ ସହିତ କିଛି ମଜା କରିବା ପାଇଁ ମନରେ ପାଂଚିଲା ।

                ରାକ୍ଷସ ଭୟଙ୍କର ମୂର୍ତ୍ତି ନେଇ ସେମାନଙ୍କ ଆଗକୁ ଡେଇଁ ପଡିଲା । ଫଳରେ ସମସ୍ତେ ଛାନିଆ ହୋଇଗଲେ । ରାକ୍ଷସ କହିଲା, “ମୁଁ ସମସ୍ତିଙ୍କୁ ଖାଇବି । କିନ୍ତୁ ଯଦି ଜଣେ କେହି ସ୍ୱଇଚ୍ଛାରେ ନିଜର ଜୀବନ ମୋତେ ଦେବାକୁ ପ୍ରସ୍ତୁତ ହେବ ତେବେ ମୁଁ ତାକୁ ଖାଇ ଅନ୍ୟମାନଙ୍କୁ ଛାଡିଦେବି ।”

                ରାକ୍ଷସ କଥା ଶୁଣି ପ୍ରତ୍ୟେକ ବ୍ୟକ୍ତି ଆଶା କରୁଛି ଯେ ହୁଏତ ତା’ ପାଖରେ ଥିବା ବ୍ୟକ୍ତିଟି ଅନ୍ୟମାନଙ୍କୁ ବଂଚାଇବାକୁ ନିଜକୁ ରାକ୍ଷସ ହାତରେ ସମର୍ପଣ କରିବ । ଶେଷରେ କେହି ମଧ୍ୟ ସେ ରାକ୍ଷସ ପାଖକୁ ଗଲେ ନାହିଁ । ତେଣୁ ରାକ୍ଷସ ସମସ୍ତଙ୍କୁ ମାରିବାକୁ ପ୍ରସ୍ତୁତ ହେଲା । ଏଇ ସମୟରେ ଗଦାଧର ନାମକ ଜଣେ ବ୍ୟକ୍ତି ଉଠି ଆସି ରାକ୍ଷସକୁ କହିଲା, “ମୋତେ ଖାଇ ଅନ୍ୟମାନଙ୍କୁ ଛାଡିଦିଅ ।”

                ରାକ୍ଷସ ଅଟ୍ଟହାସ କରି ତାକୁ ହାତରେ ଉଠାଇ ନେଲା ଓ କହିଲା, “ତୁ ତ ଭାରି ସାହସୀ! ଏ ସମଗ୍ର ଭକ୍ତ ବୋଲାଉଥିବା ଦଳଙ୍କ ମଧ୍ୟରେ ତୁ ହିଁ ଏକମାତ୍ର ଭକ୍ତ । ଯାଃ, ତୋରି ପାଇଁ ମୁଁ ଆଜି ସମସ୍ତିଙ୍କୁ ଛାଡି ଦେଲି ।” ଏତିକି କହି ସେ ଆଉ ଥରେ ଅଟ୍ଟହାସ କରି ଜଙ୍ଗଲ ମଧ୍ୟରେ କୁଆଡେ ଉଭେଇ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ