ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଗୀ ସୁରେଶ

                ଦିନେ ସୁରେଶ ରାଗରେ ତମତମ ହୋଇ ଘରକୁ ଫେରିଲା । ଶାନ୍ତି ତାଙ୍କୁ ଦେଖି ପଚାରିଲା, “ଭାତ ବାଢିବି?”

                ସ୍ତ୍ରୀକଥା ଶୁଣି ସୁରେଶ ରାଗିକରି କହିଲା, “ବାଢିବ କାହିଁକି, ମୋ ମୁଣ୍ଡ ଉପରେ ଆଣି ଫିଙ୍ଗିଦିଅ ।”

                ତା’ପରେ ଶାନ୍ତି ଅତି ଶାନ୍ତଭାବରେ କିଛି ଭାତ ଆଣି ସୁରେଶର ମୁଣ୍ଡ ଉପରେ ଅଜାଡିଲା ଓ ତା’ପରେ ତା’ର କ’ଣ ପ୍ରତିକ୍ରିୟା ହେଲା ଏପରି ଅଜବ ବ୍ୟବହାରରେ ସେସବୁ ନ ଦେଖି କିଛି କାମ ବାହାନାରେ ଅନ୍ୟ ଆଡେ ଶାନ୍ତି ଚାଲିଗଲା ।

                ଏହି ଘଟଣାରୁ ସୁରେଶ ଭାବିଲା, “ଏକଥା କିପରି ସମ୍ଭବ? ସେ ନିଶ୍ଚୟ ଇଚ୍ଛା କରି ଏପରି କରିଛି ।” ଏଣେ ଶାନ୍ତି ଆଖିରେ ନିରୀହ ଭାବ । ପୁଣି ସୁରେଶ ଭାବିଲା, “ବୋଧହୁଏ ଏଇଟା ତା’ର ବୋକାମି, ଅନ୍ୟମନସ୍କ ତ ଥିଲା ପୁଣି ବୋକା ମଧ୍ୟ । ନୂତନ ବିବାହିତା ପତ୍ନୀ ଆଉ ତା’ର ବୋକାମୀ ଚାରିଆଡେ ସେ କହିବ ବା କିମିତି?” ଏହିକଥା ଭାବି ଶେଷରେ ସେ ଚୁପ୍ ରହିଗଲା ।

                ତିନି ଚାରିଥର ଏହିପରି ଘଟଣା ଘଟିଲା । ଦିନେ ସୁରେଶ ବହୁତ ରାଗିଥାଏ । ସେତେବେଳେ ଶାନ୍ତି ରନ୍ଧାଘରେ କାମ କରୁଥାଏ । ସୁରେଶ ଗର୍ଜନ କରି କହିଲା, “କେଉଁଠି ମରିଗଲ ନା କ’ଣ? ପରିବା ଥଳୀ କାହିଁ? ଆଣିକରି ମୋ ମୁହଁ ଉପରକୁ ଫିଙ୍ଗିଦିଅ, ମୁଁ ପରିବା ପାଇଁ ମରିବାକୁ ଯାଏ?”

                ସ୍ୱାମୀଙ୍କର ପ୍ରତ୍ୟେକ କଥା ଶାନ୍ତି ଅକ୍ଷରେ ଅକ୍ଷରେ ପାଳନ କଲା । ପରିବା ଥଳୀଟି ଆଣି ସ୍ୱାମୀଙ୍କ ମୁହଁ ଉପରକୁ ଫିଙ୍ଗିଦେଇ ଚାଲିଗଲା । ସୁରେଶ ଆଶ୍ଚର୍ଯ୍ୟ ହୋଇ ଶାନ୍ତିର ଏପରି ବ୍ୟବହାରର କାରଣ ପଚାରିଲା । ତହୁଁ ସେ ଶାନ୍ତି କହିଲା, “ମୋର ଦୋଷ କ’ଣ? ତମେ ତ ମତେ ଯାହା ବି କହିଲ ମୁଁ ତାହା ହିଁ କଲି । ମୁଁ ଭାବୁଛି ଏହା ହୁଏତ ତୁମ ଘରର ଚଳଣି । ସେପରି ନ କରିବା ହୁଏତ ଅଶୁଭ ଆମ ଘରୁ ମୁଁ ତ ଏତିକି ଶିଖି ଆସିଛି ଯେ ତୁମକଥା ଅକ୍ଷରେ ଅକ୍ଷରେ ପାଳନ କରିବା ମୋର ଧର୍ମ ତଥା କର୍ତ୍ତବ୍ୟ । ତାହାହିଁ ମୁଁ ତ କରୁଛି ।”

                ଏଥର ସେ ସୁରେଶ ଆଉ କିଛି ବି ଉତ୍ତର ଦେଇପାରିଲା ନାହିଁ । ଆଉଥରେ ତାଙ୍କ ଘରର ସମସ୍ତେ ବାହାଘର ଦେଖିବାକୁ କୌଣସି ବନ୍ଧୁ ଘରକୁ ଯାଇଥିଲେ । ତେଣୁ ଘରେ କେବଳ ସୁରେଶ ଓ ଶାନ୍ତି ଥିଲେ ।

                ଶାନ୍ତି ଭାତ ରାନ୍ଧିବାକୁ ଚୂଲିରେ ପାଣି ବସାଇଲା । ଚାଉଳ ଧୋଇବାକୁ ଯାଇ ସେ ଦେଖେ ଚାଉଳ ଧୂଆ ପାଣି କୁଣ୍ଡ ପୁରି ରହିଛି, ତାକୁ ଗାଈ ଖାଏ । ପୂର୍ବଦିନ ଗାଈ ଖାଇନାହିଁ । ତେଣୁ ବଡ ନିରୀହ ଭାବରେ ସ୍ୱାମୀଙ୍କୁ ଶାନ୍ତି ପଚାରିଲା, “ତୋରାଣୀ କୁଣ୍ଡ ତ ପୁରି ରହିଛି । ଚାଉଳ ଧୋଇ ପାଣି କେଉଁଠି ଢାଳିବି? ସୁରେଶ ତ ସେତେବେଳେ ଯୋଗାସନ କରୁଥିଲା; ତେଣୁ ସେ ରାଗିଯାଇ କହିଲା, “ମୋ ମୁଣ୍ଡ ଉପରେ ଢାଳ ।”

                ସୁରେଶ ମୁହଁରୁ ଏକଥା ବାହାରିବା ମାତ୍ରେ ଶାନ୍ତି ଯାଇ ସୁରେଶର ମୁଣ୍ଡ ଉପରେ ଚାଉଳ ଧୂଆ ପାଣି ଢାଳିଲା । ଫଳରେ ସୁରେଶର ନାକ କାନରେ ପାଣି ପଶିଗଲା । ତା’ପରେ ସେ ରାଗିଯାଇ ଶାନ୍ତିକୁ ଖୁବ୍ ଜୋର୍ରେ ଚଟକଣୀଟିଏ କଷି ଦେଲା । ଆଉ କହିଲା, “କ’ଣ ତୁମକୁ ଏସବୁ ବ୍ୟବହାର ଶିଖାଇବାକୁ ପଡିବ? ଯେମିତି ଆରମ୍ଭରୁ ବୋକା ଓ ଗାଉଁଲି ଥିଲ ଏତେଦିନ ପରେ ମଧ୍ୟ ସେଇଆ?”

                ସ୍ୱାମୀ କଥା ଶୁଣି ଶାନ୍ତି ଟିକିଏ ନାକ ସୁଁ ସୁଁ କରି କହିଲା, “ତମେ ତ ନିଜେ କହିଲ । ମୁଁ ଭାବିଲି, ହୁଏତ ଚାଉଳ ଧୂଆ ପାଣି ସ୍ୱାସ୍ଥ୍ୟ ପକ୍ଷରେ ଭଲ ।”

                ଏକଥା ଶୁଣି ସେ ସୁରେଶ ମୁଣ୍ଡରେ ହାତ ଦେଇ ବସିଲା । ଶାନ୍ତି ଗାମୁଛାଟିଏ ଆଣି ତା’ ମୁହଁ ପୋଛିଦେଇ କହିଲା, “ଯଦି ମୋର ଭୁଲ ହୋଇଥାଏ ତେବେ ମୋତେ କ୍ଷମା କର । କିନ୍ତୁ ମୋତେ କଥା ଠିକ୍ ଭାବରେ ନ କହିଲେ ମୁଁ ବୁଝିବି କିମିତି ଯେ? ତମେ କହୁଛ ଗୋଟାଏ କଥା, ସେ କଥା କଲେ ପୁଣି ଭୁଲ୍ ହୋଇଗଲା । ତମେ ସିଧା କଥା କହିଲେ ତ ଗଲା, ଏତେ ସମସ୍ୟା ହୁଅନ୍ତା ନହେଲେ କାହିଁକି?”

                କ୍ରମେ ସୁରେଶ ବୁଝିଲା ଏ ସବୁ ଦୋଷ ତା’ ରାଗର, କ୍ରୋଧର । ତା’ପରେ ସେ ମନେ ମନେ ଶପଥ ନେଲା, “ରାଗିକରି ଏପରି କଥା ଆଉ ସେ କେବେବି କହିବ ନାହିଁ ।” ପୁଣି ସେ ଶାନ୍ତିକୁ କହିଲା, “ଠିକ୍ ଅଛି, ଏଣିକି ମୁଁ ତୁମକୁ ସବୁକଥା ସିଧା ସହଜ ଭାବରେ କହିବି ରାଗିକରି ନୁହେଁ । ଏବେ ହେଲା ତ?”

                ସୁରେଶର ରାଗି ବ୍ୟବହାର ଏବେ ପ୍ରାୟ ଚାଲିଗଲାଣି । ଅନ୍ୟ କିଏ ରାଗିବାର ଦେଖିଲେ ସେ ତାକୁ ଶାନ୍ତ କରାଇ ଦିଏ । ମନେହୁଏ ତା’ ସ୍ତ୍ରୀ ପ୍ରତି ମଧ୍ୟ ତା’ର ସମ୍ମାନ ବଢିଛି । ଏବେ ସେ ଦୁହେଁ ଅତ୍ୟନ୍ତ ଆନନ୍ଦରେ ଘର କରି ରହିଲେ । ଶାନ୍ତି ପାଇଁ ସୁରେଶ ମନ ଭିତରେ ଶାନ୍ତି ବିରାଜମାନ କଲା ବୋଲି ଲୋକେ କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ