ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକନ୍ୟା ଓ ବଣୁଆ ରାଜା

ଏମିତି କିଛି ଦିନ ବିତିଗଲା । ତେଣେ ସେ ବଣୁଆ ରାଜା ଯୁଦ୍ଧ କରିବା ପାଇଁ ନିଜ ସେନାକୁ ଆଦେଶ ଦେଲେ । ଏପଟେ ପଡୋଶୀ ରାଜା ନିଜ ସେନାର ଦୁର୍ଦ୍ଦଶା ଦେଖି ପଳାୟନର ବାଟ ଖୋଜୁଥିଲେ । ଯୁଦ୍ଧ ଆରମ୍ଭ ହେଲା ।

ପ୍ରଥମେ ସେ ବଣୁଆ ରାଜା ହଜାରେ ହଜାରେ ବିଷାକ୍ତ ସାପ ପଡୋଶୀ ସେନାଙ୍କ ଉପରକୁ ଛାଡିଲେ । ଏତେ ବିଶାକ୍ତ ସାପ ଦେଖି ପଡୋଶୀ ସେନା ଛତ୍ର ଭଙ୍ଗ ଦେଲେ ମାତ୍ର ରାଜକନ୍ୟା ଟିକେ ହେଲେ ବି ବିଚଳିତ ହେଲେ ନାହିଁ । ଓଲଟି ସେ ତାଙ୍କ ସେନାପତିଙ୍କୁ କହିଲେ – “ଆମ ପାଖରେ ଯେଉଁ ଲକ୍ଷ ଲକ୍ଷ ବେଙ୍ଗ ଅଛନ୍ତି ତାହା ଏ ବିଷାକ୍ତ ସାପମାନଙ୍କ ବାଟରେ ଛାଡିଦିଅ ।” ସେ ବିଷାକ୍ତ ସାପଗୁଡିକ ଏକାବେଳକେ ଏତେ ବେଙ୍ଗ ଦେଖି ଗୋଟିଏ ପରେ ଗୋଟିଏ ଖାଇବାକୁ ଲାଗିଲେ । ଏମିତିକି ଗୋଟିଏ ଗୋଟିଏ ସାପ ବହୁତ ଗୁଡିଏ ବେଙ୍ଗ ଗିଳି ଦେଲେ । ଏତେ ସବୁ ବେଙ୍ଗ ଗିଳିବା ପରେ ସେ ସାପମାନେ ଆଉ ଆଗକୁ ଯାଇପାରିଲେ ନାହିଁ । ଏହି ସୁଯୋଗରେ ରାଜକନ୍ୟା ସେନାପତିଙ୍କୁ କହିଲେ – ‘ଏବେ ଏ ସାପଗୁଡାକୁ ବାଡେଇ ବାଡେଇ ମାରିଦିଅ ।’ ଏଭଳି ଆଦେଶ ପାଇ ସତକୁ ସତ ସୈନିକମାନେ ଅଳ୍ପ ସମୟ ମଧ୍ୟରେ ସମସ୍ତ ବିଷାକ୍ତ ସାପକୁ ମାରି ଦେଲେ ।

ଏହା ଦେଖି ସେ ବଣୁଆ ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ସେ ବଣୁଆ ହାତୀଙ୍କୁ ପଠାଇଲେ ପଡୋଶୀ ରାଜାର ସେନାକୁ ଦଳିଚକଟି ମାରିବା ପାଇଁ । ଶହ ଶହ ହାତୀଙ୍କୁ ଦେଖି ପଡୋଶୀ ସୈନ୍ୟ ପୁଣି ଛତ୍ର ଭଙ୍ଗ ଦେଲେ । ମାତ୍ର ରାଜକନ୍ୟା ପୂର୍ବପରି ଅବଚଳିତ ଭାବରେ ଅପେକ୍ଷା କରି ରହିଲେ । ବଣୁଆ ହାତୀମାନେ ଯେମିତି ପାଖକୁ ଆସିଛନ୍ତି ସେ ତୁରନ୍ତ ସେନାପତିଙ୍କୁ କହିଲେ – ‘ଏ ବଣୁଆ ହାତୀମାନଙ୍କ ମୁଣ୍ଡକୁ ଲକ୍ଷ୍ୟ କରି କାମୁଡା ପିମ୍ପୁଡିମାନଙ୍କର ଥଳି ପକାଇ ଦିଅ ।’ ତାପରେ ସୈନିକମାନେ ତାହାହିଁ କଲେ । ହାତୀମାନଙ୍କ କାନ ଓ ଶୁଣ୍ଢରେ କାମୁଡା ପିମ୍ପୁଡି ପଶି କାମୁଡିବା ଆରମ୍ଭ କଲେ । ଏଥର ସେ ବଣୁଆ ହାତୀମାନେ ଆଉ ଯିବେ କୁଆଡେ । ତାପରେ ସେମାନେ ସମସ୍ତେ ଧାଇଁଲେ ନଦୀ ମୁହାଁ ହୋଇ । ବଣୁଆ ରାଜା ଏଭଳି ଅବସ୍ଥା ଦେଖି ଅତ୍ୟନ୍ତ ଡରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ