ଏହାପରେ ସେ ବଣୁଆ କୁକୁରମାନଙ୍କୁ କାମୁଡିବା ପାଇଁ ପଠାଇଲେ । ମାତ୍ର ରାଜକନ୍ୟା ତ ଆଗରୁ ବିଷ ମିଶା ଛେଳି ମେଣ୍ଢାଙ୍କ ମାଂସ ହାଡ ଯୋଗାଡ କରି ରଖିଥିଲେ । ଯେମିତି ସେ ବଣୁଆ କୁକୁର ମାନେ ଆସିଛନ୍ତି ସେହିକ୍ଷଣି ରାଜକନ୍ୟା ଆଦେଶ ଦେଲେ ଯେ, ସବୁ କୁକୁରଙ୍କୁ ସେ ବିଷ ମିଶା ଛେଳିମେଣ୍ଡାଙ୍କ ମାଂସହାଡ ଦେଇ ଦିଅ । କୁକୁରମାନେ ସେ ମାଂସହାଡ ପାଇ ଚୋବାଇବାକୁ ଲାଗିଲେ । ତେଣେ ବଣୁଆ କୁକୁର ଖାଉଥିବାର ଦେଖି ବଣୁଆ ରାଜା ଖୁବ୍ ଛାନିଆ ହୋଇଗଲେ । ଦେଖୁ ଦେଖୁ ଆସ୍ତେ ଆସ୍ତେ ବିଷ ଜ୍ୱାଳାରେ ସବୁ ବଣୁଆ କୁକୁର ମରିଗଲେ ।
ଏଥର ବଣୁଆ ରାଜା ନିଜର ବଣୁଆ ଧନଶର ବାହିନୀକୁ ପଠାଇଲେ । ଧନୁଶର ବାହିନୀ ମଧ୍ୟ ଆଖିବୁଜା ତୀର ମାରିଚାଲିଲେ । ତୀର ମରା ଆରମ୍ଭ ହେବାକ୍ଷଣି ସେ ରାଜକନ୍ୟା ତାଙ୍କ ସମସ୍ତ ସୈନ୍ୟଙ୍କୁ କହିଲେ – ‘ତୁମ୍ଭେମାନେ ଖାଲି ଚିତ୍କାର କରିବ ।’ ତା’ପରେ ସେନାପତି ଆଦେଶ ଦେଲେ – ସମସ୍ତେ ଏ ଲୁହାଜାଲି ତଳକୁ ଚାଲିଆସ । ଏଣେ ବଣୁଆ ରାଜାଙ୍କର ବଣୁଆ ଧନୁଶର ବାହିନୀ ତୀର ବର୍ଷା କରିଗଲେ । ଏହିଭଳି ଭାବେ ଆସ୍ତେ ଆସ୍ତେ ସେମାନଙ୍କର ତୀର ବି ସରିବାକୁ ଲାଗିଲା । ଏପଟେ ରାଜକନ୍ୟାଙ୍କ କଥାରେ ପଡୋଶୀ ସୈନ୍ୟମାନେ କେବଳ ଚିତ୍କାର କରି କହୁଥାଆନ୍ତି – “ମାରନା, ଆଉ ମାରନା, ମରିଗଲୁ, ରକ୍ଷା କର, ରକ୍ଷା କର ।” ଏସବୁ ଶୁଣି ସେ ବଣୁଆ ରାଜା ଅତ୍ୟଧିକ ଖୁସି ହେଉଥିଲେ ଓ ତୀର ବର୍ଷା ବି କରୁଥିଲେ ।
ଆସ୍ତେ ଆସ୍ତେ ସବୁ ତୀର ସରିଗଲା । ଏମିତିକି ସେ ବଣୁଆ ସୈନ୍ୟମାନଙ୍କର ସବୁ ଅସ୍ତ୍ରଶସ୍ତ୍ର ବି ସରିଗଲା । ଏହି ସୁଯୋଗ ଦେଖି ରାଜକନ୍ୟା ଏଥର କହିଲେ – “ମହାରାଜ ! ଏବେ ଆଉ ପୁଣି ଡେରି କାହିଁକି? ସେ ବଣୁଆ ରାଜାଙ୍କ ଉପରେ ଆକ୍ରମଣ କରନ୍ତୁ ।” ତାପରେ ସେ ରାଜକନ୍ୟାଙ୍କ ବୁଦ୍ଧିକୁ ସମସ୍ତେ ଭୁରିଭୁରି ପ୍ରଶଂସା କଲେ । ଏମିତିକି ସାରା ରାଜ୍ୟବାସୀ କେବଳ ନିଜ ରାଜକନ୍ୟାଙ୍କର ପ୍ରଶଂସା କରିବାରେ ହିଁ ଲାଗିଗଲେ ଓ ବିଜୟ ଉତ୍ସବ ପାଳନ କଲେ । ଏହିଭଳି ଭାବେ ସେ ବଣୁଆ ରାଜା ପରାସ୍ତ ହେଲେ ।