ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକୁମାରୀ ବିଚିତ୍ରା

ରାତ୍ରୀଚର ଏ ସମସ୍ତ ଘଟଣା ଦେଖି ସିଧା ଦଉଡିଲା ରାଜବାଟୀକି । ହେଲେ ଫାଟକ ତ ବନ୍ଦ ହୋଇଛି । ଏଣେ ସମସ୍ତେ ତ ଶୋଇପଡିଛନ୍ତି ନିଘୋଡ ନିଦରେ । ସେ ରାତ୍ରୀଚର ଏବେ ସମସ୍ତ ଘଟଣା କହିବ ବା କାହାକୁ? କିଏ ଯାଇ ରାଜାଙ୍କୁ ଏ ସମ୍ବାଦ ଦେବ? ବିଚାରା କିଛି ବି ଠିକ୍ କରି ନପାରି ତୋରଣରେ ଟଙ୍ଗା ଯାଇଥିବା ଲୁହା କଂଟାକୁ ଖାଲି ପିଟିଲା ଅଖାଡୁଆ କରି । ଅନ୍ୟ ପ୍ରହରୀ ମାନେ ତାକୁ ଯେତେ ବାରଣ କଲେ ବି ସେ କାହାରି କଥା ଶୁଣିଲାନି କି ମାନିଲାନି । ବେଳକୁ ବେଳ ସେ ପ୍ରହରୀ ଜଣକ ପାଗଳଙ୍କ ପରି ଗୁଡାଏ ଅଗଡଧଡିଆ କରି ବାଡିଆବାଡି କରିବାରୁ ହଠାତ୍ ରାଜାଙ୍କ ନିଦ ଭାଙ୍ଗିଗଲା । ସେ ରାଜା ଧଡପଡ ହୋଇ ତାଙ୍କ ଶେଯରୁ ଉଠି ଆସି ପଚାରିଲେ – “ଘଟଣା କ’ଣ?”

କେହି କିଛି କହି ନ ପାରିବାରୁ ନିଦ ମଳ ମଳ ହୋଇ ରାଜା ଅତି ବିରକ୍ତରେ ଆସି ପହଁଚିଲେ ତୋରଣରେ । ପ୍ରହରୀକୁ ପଚାରିଲେ – “ଘଟଣା କ’ଣ?”

ରାତ୍ରିଚର ସମସ୍ତ କଥା ଜଣାଇ ଦେବାରୁ ରାଜା ଖାଲି ରାଗରେ ଅଗ୍ନି ଶର୍ମା ହୋଇ ଉଠିଲେ । ସେହିକ୍ଷଣି ଜେମାଦେଈଙ୍କ ଉଆସ ତନ୍ନ ତନ୍ନ ହୋଇ ଖୋଜାଗଲା । ଜେମାଦେଈଙ୍କ ସଖୀମାନଙ୍କୁ ବି ଏ ବିଷୟରେ ପଚରାଗଲା । କେହି ବି ଜେମାଦେଈଙ୍କର ସଠିକ୍ ଖବର ଦେଇ ନ ପାରିବାରୁ ରାଜା ତୁରନ୍ତ ଲୋକ ପଠାଇ ଧରାଇ ଆଣିଲେ ସେହି ମାଲ୍ୟାଣୀକି ।

ବହୁତ ଦଣ୍ଡମଣ୍ଡ ହେବାରୁ ଶେଷରେ ସେ ମାଲ୍ୟାଣୀ ଜଣକ ସବୁ ସତ ସତ କଥା ମାନିଗଲା । ସେତେବେଳକୁ ତ ରାତି ଆସି ପାହା ପାହା ହୋଇ ଆସିଲାଣି । ରାଜାଙ୍କ ଆଦେଶ ପାଇ ସୈନ୍ୟ ସାମନ୍ତମାନେ ପାଗ ବାନ୍ଧ ବାନ୍ଧ କଚେରୀ ବରଖାସ୍ତ ।

ରାତି ପୁରାପୁରି ପାହିଗଲା । ତେଣେ ସୈନ୍ୟ ସାମନ୍ତମାନେ ତର୍ଜନ ଗର୍ଜନ କରି ଛୁଟି ଚାଲିଲେ ଆଗକୁ ଆଗକୁ । ତୁଣ୍ଡ ଗୋଳମାଳ ଖଣ୍ଡ ମଣ୍ଡଳ ଗହ ଗହ ହୋଇ ସେଠାରେ ଖାଲି କମ୍ପି ଉଠୁଥାଏ । କିଏ କହୁଥାଏ ମାର, କିଏ କହୁଥାଏ ଧର, କିଏ କହୁଥାଏ ବାନ୍ଧିପକାଅ । ପୁଣି କେହି କେହି ନିଜ ନିଜ ନିଶ ଦାଢୀ ସାଉଁଳି ସାଉଁଳି ତାକୁ ଖାଡା କରୁଥାନ୍ତି । ଜଣେ ଅଧେ ବାଟ ଚାଲୁ ଚାଲୁ ଖାଲି ନିଜ ଖଣ୍ଡାଟା ବାହାର କରି ଟିକିଏ ବୁଲାଇ ଦେଇ ପୁଣି ତାକୁ ତା ଖୋଳରେ ପୂରାଇ ଦେଉଥାନ୍ତି । ଚାଲିବାରେ କିନ୍ତୁ ବିଶ୍ରାମ କାହାର ବି ନଥାଏ ।

ତେଣେ ତାଳଚେର ଯୁବରାଜ ଓ ବିଚିତ୍ରା କୁମାରୀ ଯାଇ ଗୋଟିଏ ଆମ୍ବ ତୋଟାରେ ଖରାବର୍ଷାରେ ପାରୁଥାନ୍ତି । ଧନବନ୍ତ ତ ଯାଇଥାଏ ଫଳ ଆଣିବାକୁ । ତେଣୁ ତାଙ୍କ ଘୋଡା ଯୋଡିକ ବନ୍ଧା ହୋଇଥାନ୍ତି  ଗଛ ଗଣ୍ଡିରେ । ଠିକ୍ ଏତିକିବେଳେ ମଧୁପୁରର ସୈନ୍ୟମାନେ ଆସି ସେଠାରେ ପହଁଚି ଗଲେ । ଖରାତାପରେ ସୈନ୍ୟମାନଙ୍କ ଦିହରୁ ଖାଲି ଗମ୍ ଗମ୍ ହୋଇ ଝାଳ ବୋହୁଥାଏ । ସୈନ୍ୟମାନେ ରୋଷେଇ କରି କିଛି ବି ଖାଇ ନ ଥାନ୍ତି । ଯାହା କିଛି ଚୁଡା ମୁଢି ଜଳଖିଆ ମୁଠେ ଖାଇ ସେମାନେ ଖାଲି ପାଣି ତେଣ୍ଡି ଥାନ୍ତି ଢୋଲେ ଢୋଲେ । ରାଗରେ ସେମାନଙ୍କ ମନ ଖାଲି ଜଳୁଥାଏ । ତେଣୁ ସେଠାରେ ପହଁଚିଲା ମାତ୍ରେ ସେମାନେ ତୁରନ୍ତ ତାଳଚେର ଯୁବରାଜ ଓ ବିଚିତ୍ରାକୁ ଧରିବାକୁ ସେମାନଙ୍କ ଉପରେ ଆକ୍ରମଣ କଲେ ।

ତାଳଚେର ଯୁବରାଜ ଥିଲା ଏକ ଲଢୁଆ ଯୁବକ । ଏହି ସୈନ୍ୟମାନଙ୍କ ଅଷ୍ଫାଳନା ଦେଖି ସେ ମୋଟେ ବି ଭୀତତ୍ରସ୍ତ ହେଲାନି । ଧନୁଶର ଧରି ତୁରନ୍ତ ବାହାରି ପଡିଲା ସେ ପ୍ରତି ଆକ୍ରମଣ କରିବା ପାଇଁ । ଧନବନ୍ତ ତ ଫେରି ନଥାଏ । ଯୁଦ୍ଧ ଲାଗିଗଲା । ମଧୁପୂର ସୈନ୍ୟ ମାନଙ୍କ ମଧ୍ୟରୁ ଅନେକ ଲୋକ ଖଣ୍ଡିଆ ଖାବରା ହେଲେ । ଏମିତିକି ଜଣେ ଦି’ ଜଣ ନିଜ ଜୀବନ ବି ଦେଲେ । ରାଗ ରୋଷ ବେଳକୁ ବେଳ ବଢିଗଲା । ତେଣୁ ସମସ୍ତେ ମାତି ଉଠିଲେ ପ୍ରବଳ ବିକ୍ରମରେ ।

କଥାରେ ତ ଅଛି – ଯୋଡାକୁ ଘୋଡା ସରି ନୁହେଁ ବୋଲି । ଯୁବରାଜ ଯେତେବଡ ଲଢୁଆ ହେଲେ ସୁଦ୍ଧା ଏବେ ସେ କରିବେ ବା କ’ଣ? ଶେଷ ବେଳକୁ ସେ ପରାସ୍ତ ହେବାରୁ, ମଧୁପୂର ସୈନ୍ୟମାନେ ସେ ଦୁହିଁଙ୍କୁ ଓ ତାଙ୍କ ସଙ୍ଗେ ଥିବା ଘୋଡା ମାନଙ୍କୁ ବାନ୍ଧିନେଇ ଫେରିଗଲେ ମଧୁପୂର ।

ଧନବନ୍ତ ବି ଠିକ୍ ସେତିକିବେଳେ ଫେରୁଥିଲା । ଏ ସବୁ ଦେଖିକି ଘଟଣାଟା କ’ଣ ବୋଲି ବୁଝିବାରେ ଆଉ କିଛି ବାକି ରହିଲାନି ତା ପକ୍ଷେ । ଧନବନ୍ତ ଭାବିଲା ତୀର ମାରି ଶତ୍ରୁ ପକ୍ଷର ସୈନ୍ୟମାନଙ୍କୁ ଇତସ୍ତତଃ କରି ପକାଇଲେ ତାଳଚେର ଯୁବରାଜ ସେ କୁମାରୀକୁ ଘେନି ପଳାଇ ଆସିବେ । ପୁଣି ଏଭଳି ଏକ ଦୁଃସାହସ କାର୍ଯ୍ୟ କରିବାକୁ ସେ ଆଉ ତାର ଛାତି ପତାଇଲାନି । କାରଣ, ସେ ଶତ୍ରୁପକ୍ଷର ଥିଲେ ବହୁତ ଲୋକ । ଏତେ ଲୋକଙ୍କର ଏ ଜଣେ ମାତ୍ର ଲୋକ ଧନବନ୍ତ କ’ଣ ବା କରି ପାରିବ? ଏହା ଅପେକ୍ଷା ବରଂ ଏଠାରୁ ପଳାଇ ଯାଇ ତାଳଚେର ମହାରାଜାଙ୍କୁ ତୁରନ୍ତ ଏହି ଖବର ଦେବା ଉଚିତ୍ । ସାମାନ୍ୟ ଦିନ କେତେଟା ମାତ୍ର ଯୁବରାଜ ଯାହା କଷ୍ଟ ଭୋଗିବାର କଥା ଭୋଗନ୍ତୁ । ଏହି କଥା ଭାବି ବିଚରା ନିଜ ପାଦ ସାହାଯ୍ୟରେ ଚାଲି ଚାଲି ଯାଇ ଦୀର୍ଘ ଆଠ ଦିନ ପରେ ତାଳଚେରରେ ପହଁଚିଲା ।

ତାଳଚେର ରାଜା ଧନବନ୍ତଠୁ ସବୁ କଥା ଶୁଣି ଅଗ୍ନି ଶର୍ମା ହୋଇ ଉଠିଲେ । ତାଙ୍କ ଅନ୍ତଃପୂର ମହଲରେ ଯେପରି ଶୋକର ଛାୟା ଘୋଟିଗଲା । ରାଣୀ ଖାଲି ନିଜ ମୁଣ୍ଡକୁ ବାଡେଇ କାନ୍ଦିବାକୁ ଲାଗିଲେ । ଦାସୀପରିବାରୀଙ୍କ କଥା ଅବା ପଚାରେ କିଏ?

ଠିକ୍ ସଂନ୍ଧ୍ୟାବେଳକୁ ଚାଲିଲା ସୈନ୍ୟ ସଜ୍ଜା । ଧନବନ୍ତର ବାପ ଓ ଭାଇମାନେ ନିଜର ଶବର ସୈନ୍ୟ ନେଇ ତାଳଚେର ରାଜାଙ୍କ ସହ ବାହାରି ପଡିଲେ । ତୁଣ୍ଡଗୋଳ ଶୁଭିଲା ବଢିଲା ନଦୀର କଳଧ୍ୱନି ପରି । ମଶାଲ, ହୁଳା ଇତ୍ୟାଦି ଜଳାଇ ମଣିଷ, ହାତୀ ଘୋଡା, ଓଟ, ଶଗଡ, ରଥ ଇତ୍ୟାଦି ଚଳାଇ ନେଲେ ଗହ ଗହ ନାଦରେ । ବାଜା ବାଜୁଥାଏ । ଶିଙ୍ଘା, କାହାଳୀ, ତୁରୀ ରଡିରେ ଘଡଘଡି ବି ହାର ମାନୁଥାଏ । ବନଲତା ମାଡି ଦଳି ଚକଟି ଦୀର୍ଘ ପନ୍ଦର ଦିନ ପରେ ଥାଟ ଯାଇ ପହଁଚିଲା ମଧୁପୂର ଗଡରେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ