ଶତ୍ରୁ ପୁତ୍ର ବୋଲି ତୁମ ମନରେ ତାଳଚେର ଯୁବରାଜଙ୍କ ପ୍ରତି ଘୃଣା ଅଛି ପୀଉସା । କଥାଟାକୁ ଥରେ ଚଳେଇ କରି ବିଚାର କଲେ ତୁମେ ଠିକ୍ ବୁଝି ପାରିବ ଶତ୍ରୁ ଓ ମିତ୍ର କୌଣସି ଗଛର ଫଳ ନୁହେଁ । ମଣିଷ ମାତ୍ରେ ତ ସେ ପରିବର୍ତ୍ତନଶୀଳ । ଆଜିର ଶତ୍ରୁ କାଲିର ମିତ୍ର ହେଉଛି, କାଲିର ମିତ୍ର ତା ପରଦିନ ପୁଣି ନିଜର ପରମ ଶତ୍ରୁ ହେଉଛି । ଶତ୍ରୁ ମିତ୍ର ଭାବ କେବେବି ଚିରନ୍ତନ ରହେନି କି ରହବନି ମଧ୍ୟ । ଆଜି କଥାର ମୋଡ ଘୂରାଇ ଦେଲେ କାଲିକି ଶତ୍ରୁ ପୁଣି ମିତ୍ର ଭାବରେ ଠିଆ ହେବ ପୀଉସା! ମୁଁ ତୁମକୁ ଅନୁରୋଧ କରୁଛି ତୁମେ ମୋ ଦେଶର ସର୍ବନାଶ ଆଦୌ କରନା । ତାଳଚେର ବିରୁଦ୍ଧରେ ଦେଇଥିବା ଯୁଦ୍ଧ ଆଦେଶକୁ ଶୀଘ୍ର ପ୍ରତ୍ୟାହାର କରିନିଅ ।
ସିପ୍ରାର ଓଜସ୍ୱିନୀ କଥାଗୁଡିକ ମଧୁପୂର ରାଜା ଚିତ୍ରପୁତଳି ପରି ଠିଆ ହୋଇ ଶୁଣି ଯାଉଥିଲେ । ହଠାତ୍ ରାଜାଙ୍କ କଠିନ ପ୍ରାଣରେ ଗଭୀର ଆଲୋଡନ ଦେଖାଗଲା । ତାଙ୍କର ମନରୁଜୁ ହୋଇ ଆସିଲା । ରାଣୀ ଏବଂ କୁମାରୀ ମାନଙ୍କ ଆଖି ଲୁହ ରାଜାଙ୍କ ହୃଦୟରେ କାଟି ଦେଲା ଗୋଟିଏ ବିଚାର ଅଲିଭା ଗାର । ସେ ଆଉ କ୍ଷଣିକ ବି ନିଜକୁ ସମ୍ଭାଳି ପାରିଲେନି । ସୁକୋମଳମତି ଶିଶୁ ପରି ମଧୁପୂର ମହାରାଜ ଖାଲି କାନ୍ଦି ଉଠିଲେ । ସେହିକ୍ଷଣି ରାଜାଙ୍କ ଆଖିରୁ ଦୁଇଟି ଧାର ତତଲା ଲୁହ ଗଡି ଆସି ତାଙ୍କ ଛାତିରେ ହିଁ ସୁଖି ଗଲା । ସେ ମହାରାଜ କେବଳ ବଜ୍ର ଆଂଟ ବଚନରେ କହିଲେ – “ମୋର ସମସ୍ତ ମୋହ, ସମସ୍ତ ଅହମିକାକୁ ତୁ ଆଜି ଭାଙ୍ଗି ଦେଇଛୁ ସିପ୍ରା । ବିଚିତ୍ରାର ଯେଉଁଥିରେ ସୁଖ ହେବ, ସେଇଥିରେ ହିଁ ମୋର ଆସିବ ସ୍ୱର୍ଗୀୟ ଆନନ୍ଦ ।”
ଠିକ୍ ସେତିକିବେଳେ ଝାଳ ସର ସର ହୋଇ ମଧୁପୂର ରାଜାଙ୍କ ଦୁର୍ଗ ଭିତରକୁ ପଶି ଆସିଲେ ଆଠମଲ୍ଲିକ ମହାରାଜା । ସେ କହିଲେ ମଧୁପୂର ରାଜାଙ୍କୁ – “ଏ ଯୁଦ୍ଧ ବନ୍ଦ କରିବାକୁ ହେବ ଭାଇ! ବିଚିତ୍ରା ଲାଗି, ତା’ର ସୁଖ ସମୃଦ୍ଧି ଲାଗି, ତୁମକୁ ମତ ପରିବର୍ତ୍ତନ କରିବାକୁ ପଡିବ ଏହା ହିଁ ମୋର ତୁମ ପ୍ରତି ଚରମ ଅନୁରୋଧ । ସିପ୍ରା ଓ ବିଚିତ୍ରା ଗୋଟିଏ ପଥର ଯାତ୍ରୀ । ତାଳଚେର ଯୁବରାଜକୁ ସେମାନେ ବାକ୍ୟ ଦେଇଛନ୍ତି, ମାଳା ବିନିମୟ ବି କରିଛନ୍ତି । ସେଥିରେ ଆମର ଆଉ କିଛି ବି କହିବାର ଅଧିକାର ନାହିଁ । ଶାସ୍ତ୍ର କହେ –
କନ୍ୟା ମନୟତେ ବରଂ ମାତା ପିତା ଚିତଂ ସ୍ତୁତଂ
ବାନ୍ଧବା କୁଳମିଚ୍ଛନ୍ତି ଭୋଜନଂ ଇତରେ ଜନାଃ ।
ସେମାନେ ତାଙ୍କ ନିଜ ଇଚ୍ଛାରେ ଯାହାକୁ ବରଣ କରନ୍ତି ତାକୁ ନ ପାଇଲେ ସେମାନେ କେବେବି ସୁଖିନୀ ହୋଇ ପାରିବେନି । ତୁମେ ସେମାନଙ୍କର ମଙ୍ଗଳ ଚିନ୍ତକ ହିସାବରେ ମୁଣ୍ଡ ତଳକୁ କରିଦିଅ, ମତ ପରିବର୍ତ୍ତନ ହେଉ । ଲିଭିଯାଉ ଏ ରାକ୍ଷସୀ ଯୁଦ୍ଧନିଆଁ । ପୁରାତନ ଶତ୍ରୁତାର ଅବସାନ ନିୟତିର ଇଚ୍ଛା । ତୁମେ ଆଉ ତାକୁ ବାଧା ଦେଇ ପାରିବନି, ତେଣୁ ଲେଖ ଭାଇ! ଯୁଦ୍ଧ ବିରତି ନିମନ୍ତେ ଆଜ୍ଞାପତ୍ର ।
ଏହି ସବୁ କଥା ଶୁଣି ନୀରବ ରହିଲେ ମଧୁପୂର ରାଜା । ଦଣ୍ଡକ ପାଇଁ ମୁଣ୍ଡ ଭିତରେ ତାଙ୍କର ଖେଳିଗଲା ଅଶେଷ ଭାବନାର ଘୂର୍ଣ୍ଣିବାୟୁ । ତା’ପରେ ସେ ପ୍ରକୃତିସ୍ଥ ହୋଇ ଆଦେଶ ଦେଲେ ଯୁଦ୍ଧ ବନ୍ଦ କରିବାକୁ । ସନ୍ଧିପତ୍ର ଲେଖାହୋଇ ତାହା ତାଳଚେର ରାଜାଙ୍କ ପାଖକୁ ଗଲା, ଏସବୁଥିରେ ମଧ୍ୟସ୍ଥ ହେଲେ ଆଠମଲ୍ଲିକ ରାଜା ।
ଅଶେଷ କାଳର ଶତ୍ରୁତାର ଅବସାନ ହୋଇ ସେମାନଙ୍କ ମଧ୍ୟରେ ଗଢି ଉଠିଲା ଏକ ନୂତନ ବନ୍ଧୁତା । ଯୁଦ୍ଧନିଆଁ ଲିଭି ଗଲା । ସମସ୍ତେ ଶାନ୍ତି ନିଃଶ୍ୱାସ ଗ୍ରହଣ କଲେ । ନିଜେ ମଧୁପୂର ରାଜା ଗହଣରେ ଯାଇ ତାଳଚେର ରାଜା, ରାଣୀ ଓ ଯୁବରାଜଙ୍କୁ ସମାଦର କରି ତାଙ୍କ ରାଜବାଟୀକୁ ଆଣିଲେ । ସୈନ୍ୟସାମନ୍ତମାନଙ୍କୁ ବସା ସଂଚା ଦିଆଗଲା । ସମସ୍ତେ ପୂର୍ବକଥା ଭୁଲି ମଧୁର ସମ୍ପର୍କ ପ୍ରତିଷ୍ଠା କରିବାକୁ ଲାଗିଲେ । ମଧୁପୂର ରାଣୀ ନିଜର ପୁଅ ପରି ତାଳଚେର ରାଜ କୁମାରକୁ କାଖେଇ ତାଙ୍କ ଉଆସକୁ ନେଲେ, ତାକୁ ବହୁ କଲ୍ୟାଣ ବି କଲେ । ମଧୁପୂର ରାଣୀ ତାଳରେ ରାଜ କୁମାରକୁ ନିଜ ହାତରେ ଅମୃତମୟ ଖାଦ୍ୟ ଖୁଆଇ କହିଲେ – ବାପରେ! ବିଚିତ୍ରା ଯୋଗେ ମୁଁ ତୋ’ ପରି ପୁଅଟିଏ ପାଇ ଆଜି ଧନ୍ୟ ହେଲି ।”
ତେଣେ ତାଳଚେର, ମଧୁପୂର ଓ ଆଠମଲ୍ଲିକ ରାଜାଙ୍କ ମଧ୍ୟରେ ଖୁସି ଗପର ସୁଅ ଛୁଟି ଥାଏ । କାହାରି ମନରେ ଆଉ ଶତ୍ରୁତା ନାହିଁ କି ପୂର୍ବ ଆକ୍ରୋଶ ବି ନାହିଁ । ସମସ୍ତଙ୍କ ମନରେ ମନ ଓ ପ୍ରାଣରେ ପ୍ରାଣ ମିଶି ଯାଇଛି । ସମସ୍ତେ ଖାଲି ପରମେଶ୍ୱରଙ୍କୁ ଧନ୍ୟବାଦ ଦେବାରେ ଲାଗିଛନ୍ତି । ମନ୍ତ୍ରୀ ଆସି କହିଲେ –
ମାନବ ଇଚ୍ଛଇ ରଖିବାକୁ ଆଂଟେ
ଆପଣା କଥାର ଟେକ
କିନ୍ତୁ ନ ବୁଝନ୍ତି ନିୟତି ଫାନ୍ଦରେ
ବନ୍ଧା ଅଛି ବୋଲି ବେକ ।
ଯେଣେ ଟାଣେ ସେହି ହଟିଆ ନିୟତି
ତେଣେ ଚଳଇ ମାନବ
ହେଉ ବୀର ଶୂର କିବା ଧନୁର୍ଦ୍ଧର
ନପାଏ ତାକୁ ଆହବ ।
ସର୍ବ ଶକ୍ତିମାନ ଅଟଇ ନିୟତି
ଅବିନଶ୍ୱର ଶୟଳେ
ଯାହା ପାଂଚେ ତାହା କରେ ସମାଧାନ
ନିଜ ଐଶୀ ଶକ୍ତିବଳେ ।
ମନ୍ତ୍ରୀଙ୍କର ଏହି ଉକ୍ତିକୁ ସମସ୍ତେ ପୂର୍ଣ୍ଣ ପ୍ରାଣରେ ସମର୍ଥନ କଲେ । ମୋଟେ ଯୋଡିଏ ଦିନ ପରେ ଥିଲା ଗୋଟିଏ ଶୁଭ ଦିନ ଓ ବିବାହ ତିଥି । ତିନି ରାଜାଙ୍କ ମଧ୍ୟରେ ଆଲୋଚନା ହୋଇ ସେହିଦିନ ବିଭାଘର ହୋଇଗଲା । ବିଚିତ୍ରା ଓ ସିପ୍ରା ତାଳଚେର ଯୁବରାଜଙ୍କୁ ପାଖରେ ପାଇ ଅତ୍ୟନ୍ତ ଆନନ୍ଦ ହେଲେ । ମଧୁପୂର ଓ ଆଠମଲ୍ଲିକର ରାଣୀ ଓ ରାଜାମାନେ ଜୋଇଁ ପାଇ ଖୁବ୍ ଖୁସି । ତାଳଚେର ଓ ମଧୁପୂର ପ୍ରଜାମାନେ ଦୁଇ ରାଜ୍ୟର ମିଳାମିଶାରେ ବହୁତ ଖୁସି, ସୈନ୍ୟସାମନ୍ତ ମାନେ ମଧ୍ୟ ଯୁଦ୍ଧ ବନ୍ଦ ହେବାରୁ ପ୍ରବଳ ଖୁସି । ତାଳଚେର ଯୁବରାଜ ଲକ୍ଷ୍ମୀ ଓ ସରସ୍ୱତୀ ପରି ପତ୍ନୀ ଯୋଡିଏ ପାଇ ସେ ମଧ୍ୟ ଖୁସି । ସାଧାରଣ ଲୋକେ ଭୋଜି ଖାଇ ଖୁସି । ନାହାକ ବ୍ରାହ୍ମଣ ଆଦି ନାଜୀମନ୍ତ ଲୋକମାନେ ବିଭାଘର ପାଉଣା ପାଇ ଖୁସି । ପ୍ରଭୁଙ୍କର ଖୁସି, ତାଙ୍କ ଇଚ୍ଛାପୂର୍ଣ୍ଣ ହେତୁ ।
ଚଉଠ ସାତମଙ୍ଗଳା ସାରି ବରକନ୍ୟା ବାହୁଡିଲେ ଆଠମଲ୍ଲିକ ବାଟେ ତାଳଚେରକୁ । ମଧୁପୂର ଓ ଆଠମଲ୍ଲିକରୁ ଦାନ ଯୌତୁକ ସବୁ ହାତୀ ଘୋଡା ଓ ଓଟମାନଙ୍କ ପିଠିରେ ବୁହା ହୋଇ ତାଳଚେର ଗଲା । ବରକନ୍ୟା ରାଜଗଡରେ ପହଁଚିଲା ମାତ୍ରେ ଲାଗିଲା ରୋଷଣୀ, ଫୁଟିଲା ବାଣ । ହୁଳହୁଳି ହରିବୋଲର ଜୁଆର ଛୁଟିଲା । ନାଟ, ତାମସା, ପାଲା, ଦାସକାଠିଆ, ଛଉନାଚ, ଧାଙ୍ଗଡିନାଚ, କରମା ନାଚର ସୀମା ରହିଲାନି । ସତୀଲକ୍ଷ୍ମୀ ବୋହୂ ଯୋଡିକ ନକ୍ଷତ୍ର ପରି ଅନ୍ତଃପୁର ମଣ୍ଡନ କଲେ । ଯୁବରାଜଙ୍କ ମନ ନାଚି ଉଠିଲା ଖଞ୍ଜନ ଚଢେଇ ପରି । ମୋ କଥାଟି ଏଇଠି ଶେଷ ।
ମୋ କଥାଟି ହେଲା ଏଇଠି ଶେଷ
ଜଗବନ୍ଧୁ ହେଲେ ନୃପତି ବେଶ ।
ରଥେ ଉଡୁଥିବ ନେତ ପତାକା
ଯାହା ଦେଖି ମନୁ ତୁଟାଇ ଦକା ସେ ।
ସେହି ରଥ ତଳେ ଥାଇ
ଜୟ ଜଗବନ୍ଧୁ ଦୀନବନ୍ଧୁ ବୋଲି
ଡାକିବା ଆସ ମୋ ଭାଇ ।
ସିପ୍ରା ବିଚିତ୍ରାଙ୍କ ପଣ ଅଟଳ
ରାଜ୍ୟ କରି ଦେଲା ଟଳମଟଳ ।
ଆସିଲା ବିପଦର ସାଗର ପରି
କୋଟି ପ୍ରାଣ ଦୁଃଖେ ଉଠିଲା ଥରି ସେ ।
ମରଣ ଠାରିଲା ଆଖି
ତଥାପି ଟଳିଲେ ନାହିଁ ସେହି ତିଳେ
ସତୀତ୍ୱ ସିନ୍ଦୂର ମାଖି ।
ଦେଖି ତାଙ୍କ ଟାଣ ରଥାଙ୍ଗ ଧର
ଦଣ୍ଡକେ ହୋଇଲେ ରଥାଙ୍ଗ କର
ଆସିଲା ଯେତେ ବିପଦ ଖଣ୍ଡା
ଚକ୍ର ଧରି ସବୁ କଲେ ତ ଲଣ୍ଡା ସେ ।
ପଣ୍ଡାଙ୍କ ଜୀବନ ଧନ
ମଣ୍ଡାଇଲେ ଯୁବା ଯୁବତୀଙ୍କ ପ୍ରାଣେ
ତରୁଣ ସୁଖ ତପନ ।
ଓଡିଆଣୀ ଝିଅ ସିପ୍ରା ବିଚିତ୍ରା
ଆଦର୍ଶ କୁମାରୀ ମଧ୍ୟେ ବିଚିତ୍ରା
ମରଣକୁ ପଣ କରି ଜୀବନେ
କଥା ରଖିଗଲେ ଭବ ଭବନେ ସେ ।
ଭେଦୀ ଗଗନ ତପନ
ଯୁଗ ଯୁଗ ପାଇଁ ଉଡିଲା ତାଙ୍କରି
ନାମରେ ଯଶ କେତନ ।
ଦିନ ଯାଏ କଥା ରହେ ଅଟଳ
ମନ୍ଦ ହୁଏ ମନ୍ଦ ଭଲଟି ଭଲ
ସୁକର୍ମାର ଯଶ ଘୋଷନ୍ତି ଜନେ
କୁକର୍ମାକୁ ଘୃଣା କରନ୍ତି ମନେ ସେ ।
କର ସର୍ବେ ଭଲ କାମ
ରଖିବାକୁ ଯଦି ଚାହଁ ସ୍ୱର୍ଣ୍ଣାକ୍ଷରେ
ଯୁଗେ ଯୁଗେ ନିଜ କାମ ।
ଆଠ କୁମାରୀଙ୍କ କାହାଣୀ ଗଲା
ଚାରୋଟି ପାଇଁ ନକର ହଲା
ଧୀରେ ଧୀରେ ମନ ଦେଇଣ ଶୁଣ
କହୁଛି ବିଚାରି ସବୁରି ଗୁଣ ମୁଁ ।
ଖରାରେ ଯାଉଛି ଭ୍ରମି
ଏହାପରେ ଶୁଣ କହୁଛି ପୁଣି ମୁଁ
ପ୍ରଭୁଙ୍କ ପଦେ ପ୍ରଣମି ।
ମେଘମାଳା କୁମାରୀ ଓ ଚାରୁ କୁମାରୀ କାହାଣୀ
ଚନ୍ଦ୍ର ମଣ୍ଡଳତୁ ଛୁଟିଛି ବିମାନ ଘର ଘର ସର ସର
ତାକୁ ଦେଖି ତଳେ ଉଡୁଛି ଚିଡିଆ ତର ତର ଫର ଫର ।
ହସୁଛି ଗୁମାନୀ ପାଣିରେ ପହଁରି କର କର କର କର
ଡାକୁଛି ରାଉଳ ଦେବ ମନ୍ଦିରରେ ହର ହର ହର ହର ।
ଠାକୁର ମାଙ୍କଡ କୁକୁରକୁ ଦେଖି ରାଗେ ହୋଇ ଜର ଜର
ଦାନ୍ତକୁ ରଗଡି ଗଛଡାଳେ ଚଢି ଡେଇଁଯାଏ ତର ତର ।
ଦିନ ସାରା ଗଲା ଖରା ଗରମରେ ସଞ୍ଜକୁ ଦେଲା ପବନ
କଥା ଶୁଣିବାକୁ ଧାଇଁଲେ ପିଲାଏ ସକ ସକ କରି ମନ ।
କାହାଣୀକାରର ଘରେ ଲାଗିଗଲା ଗହଳି ଚହଳି ଧନ୍ଦା
କହିଲ ପିଲାଏ ଶୁଣ ମନ ଦେଇ ମନ୍ଦା ବାନ୍ଧିଲେଣି ଜନ୍ଦା ।
କଥାଟି କହିବି ଶୁଣିବ ସକଳେ ଧୀରେ ଧୀରେ ମାରି ହୁଁ
ଧଇଁୟା ବୁଢାଟା ଖାସୁଛି ବାରିରେ ଖୁଁ ଖୁଁ ।
ଭୂତ କହେ ଶୁଣ ସଇତାନ ଭାଇ କାଳ ହେଲା ବିପରୀତ
ଦରଦାମ ଶୁଣି ମୋ କଲିଜା ପାଣି ଥୟ ହେଉ ନାହିଁ ଚିତ ।
ଦିନ ଥିଲା ଆମେ ହେଣ୍ଡି ମାରୁଥିଲେ ଶସ୍ତା ଥିଲା ଏ ସଂସାର ।
ଖାଇବା ଖାଦ୍ୟରେ ପୂରି ରହିଥିଲା ଶରୀର ନିମନ୍ତେ ସାର ।
ଭେଜାଲ କାଳକୁ ସବୁ ତ ଭେଜାଲ ଘିଅ ସେରକୁ କୋଡିଏ
ଆଉ କିଛି ଦିନେ ବିକି୍ର ହେବ ଧାନ ଗଉଣୀ ଟଙ୍କା କୋଡିଏ ।
ପାନ ଖିଆଳିଙ୍କ ଭେକ ବୁଡିଲାଣି ବେକ ପଡିଲାଣି ଭାଙ୍ଗି
ଭିକାରୀଙ୍କ ଘରେ ଦେଢୀ ମହାଜନୀ ଚାଉଳ ନେଇଣ ମାଗି ।
ମୁଲିଆଙ୍କ ମୂଲ ବଢି ଯାଉଅଛି ପଡିଆ ରହିବ ବିଲ
ପୋଖରୀକ ମାଛ ଦିନକ ମଧ୍ୟରେ ଝାମ୍ପି ନେଇଯିବ ଚିଲ ।
ସବୁ କଥା ଯାଉ ଚୂଲିକି ଯୋଜନା ପ୍ରସାରି ଯାଉ ଏ ଦେଶେ
ଭଲ କିବା ମନ୍ଦ ସକଳ ସମସ୍ୟା ଜଣା ପଡିଯିବ ଶେଷେ ।
ପଂଚାୟତ ରାଜ ଗଢି ଉଠୁଅଛି ବଢି ଯାଉଅଛି ଧନ୍ଦା
ଗାଆଁ ମାନଙ୍କରେ ବଢି ଦଳା ଦଳି ଯୁଟାଇ ଦେଉଛି ଫନ୍ଦା ।
ଟୁଆଁ କରୁଥିଲା ମୁଗରେ ଚକୁଳି ଟୁଇଁ କରୁଥିଲା ପାଟି
ଟୁଇଁ ମୂଷା ଆସି ଅରୁଆ ଚାଉଳ ଖାଇଲା ଖୁଂଟି ଖାଂଟି ।
ଆରମ୍ଭ କରିବି କାହାଣୀ ପିଲାଏ ମନଦେଇ କରି ଶୁଣ
ଅଖା ଧୋଉଥିବ ଖୁସିରେ ଗାଇବ ହସି ହସି ମୋର ଗୁଣ ।
ଫୁଲ ଶେଯ ପରେ, ବସିଣ ସଧୀରେ କାଉଁରୀ ଦେଶର ରାଣୀ ।
କହେ ମନଦେଇ ଶୁଣ ମେଘମାଳା ଚାରୁ କୁମାରୀ କାହାଣୀ ।