ବିଚିତ୍ରା ତା’ରି ସାଙ୍ଗରେ ହିଁ ପଢେ । ବିଚିତ୍ରା ବି ସିପ୍ରା ପରି ସମସ୍ତଙ୍କ ସଙ୍ଗରେ ମିଶେ । ଲେଖା ପଢାରେ ମନ ଦିଏ, ସବୁ ପାଠ କରେ; ମାତ୍ର ସେ ବିଚିତ୍ରା ଆଦୌ ହସକୁଡୀ ନୁହେଁ । ବିଚିତ୍ରା ସବୁବେଳେ ଚେଷ୍ଟା କରେ ଗମ୍ଭୀର ରହିବାକୁ । ସିପ୍ରା କିନ୍ତୁ ବିଚିତ୍ରାର ଏପରି କଥାକୁ ଆଦୌ ବି ପସନ୍ଦ କରେନି । ସିପ୍ରା ବିଚିତ୍ରାକୁ କହେ, ଆଲୋ ଦେଈ! ମୁନିଙ୍କ ଭଳିଆ ତୁନୀ ହୋଇ ବସିବା ଆମ ଝିଅମାନଙ୍କ ପକ୍ଷେ ମୋଟେ ଭଲ କଥା ନୁହେଁ । ତୁମେ ଟିକିଏ ମେଳାପି ଢଙ୍ଗ ଧର, ହସ ଖୁସିରେ ନିଜ ଜୀବନଟାକୁ ଲହରେଇ ଦିଅ । ଏମିତି କଲେ ସମସ୍ତେ ସିନା ତୁମ ଉପରେ ଖୁବ୍ ଖୁସି ହେବେ । ଏପରି ମଉନ ହୋଇ ବସି ରହିଲେ ତୁମେ ଆଉ କୌଣସି ଲୋକଙ୍କ ସଙ୍ଗେ କେବେବି ମିଶି ପାରିବନି ।
ଏ କଥାଯାକ ଶୁଣି ବିଚିତ୍ରା ଖାଲି ହସେ, ସୁଚିତ୍ରାର ଗାଲଟିକୁ ତୋଡି ଦିଏ । ଏମିତି ଦିହେଁ ଯାକ ମିଶି ଖୁବ୍ ଖୁସିରେ ନିଜ ନିଜ ଜୀବନ କଟାଉ ଥାଆନ୍ତି । ସେମାନଙ୍କର ବାଳିକା ବୟସ ଯାଇ ଯୁବତୀ ବୟସ ଆସିଲା । ସେମାନେ ତାଙ୍କ ମୁଣ୍ଡରେ ଓଢଣା ଦେଲେ । ଲୋକ ମାନଙ୍କ ଆଗକୁ ଯିବାପାଇଁ ସେମାନଙ୍କୁ ଆକଟ ହେଲା । ସବୁବେଳେ ସେମାନେ କେବଳ ଅନ୍ତଃପୁର ଭିତରେ ପଡି ରହିଲେ ବନ୍ଦିନୀ ହେବାକୁ ।
ଏସବୁ ସିପ୍ରାକୁ ମୋଟେ ଭଲ ଲାଗିଲାନି । ବିଚିତ୍ରା ବି ଏସବୁ ଦେଖି ଖାଲି ଚିଡିଲା । ତା ପରେ ସେମାନେ ଏଭଳି ଅନ୍ଧ ବୁଝାମଣା ତଥା ପୁରୁଣାକାଳିଆ କାରବାରକୁ ଘୃଣା କଲେ । ସିପ୍ରା ବିଚିତ୍ରାକୁ କହିଲା – ଚାଲ, ଆମେ ଦିହେଁ ସମାଜର ଏ ଲୁହା ଶିକୁଳି ଛିଣ୍ଡାଇ ଦେବା ।
ବିଚିତ୍ରା କହିଲା – “ଆଲୋ ସିପ୍ରା! କଥାରେ ପରା ଅଛି –
ମନଟି ନିର୍ମଳ ଅଟଇ ଯାହାର
ଥାଉ ସେହି ଯହିଁ ତହିଁ
ସମାଜର ଶତ ଆବର୍ଜନା ତାକୁ
ତିଳେ ଛୁଇଁ ନ ପାରଇ
ଆବିଳ ଯା ମନ ତାକୁ ସାତ ତାଲା
ଚାବି ପକାଇ ରଖିଲେ
ଆବର୍ଜନା ବିନା ମାନସ ତାହାର
ଶାନ୍ତି ନ ଲଭଇ ତିଳେ ।
ବୃଥା ଏ ମାନବେ କରି କଟକଣା
ରଖିଛନ୍ତି ଯେତେ ବାଡ
ମୂଲ୍ୟ ହୀନ ବୋଲି ଆସେ ମୋ ବିଚାରେ ।
ଆନ କଥାମାନ ଛାଡ ।
ଏ କଥା ଶୁଣି ସିପ୍ରା କହିଲା – ହଁ ଲୋ ଦେଈ! ତୁ ଯାହା କହୁଛୁ, ସେ କଥା ମୋଟେ ମିଛ ନୁହେଁ । କଥାରେ ଅଛି ପରା ମନ-ତତ୍ୱ କଲେ ଗାଡିଆ ଗଙ୍ଗୀ? ଏ ଲୋକମାନେ ସିନା ଖାଲି ମିଛରେ ମିଛରେ ଆମକୁ ଗୁଡାଏ ଆକଟ ମାକଟ କରି ନିଜେ ବାହାଦୁରି ନେଉଛନ୍ତି, ହେଲେ ଏପରି କରିବା ଦ୍ୱାରା ଫଳ ବୁଝିଲାବେଳକୁ କିଛି ନୁହେଁ ।
ତହୁଁ ବିଚିତ୍ରା ସିପ୍ରାକୁ କହିଲା – “ଯାହା କିଛି ହେଉ ପଛେ, ସମାଜର ଏପରି ଧାରା ଭାଙ୍ଗିବା ପାଇଁ ବିରାଟ ଏକ ଜାଗରଣ ଦର୍କାର । ସେ କଥା ବିଷୟରେ ଆମେ ଦି’ ଜଣ ବସି ଚିନ୍ତା କଲେ ବି କ’ଣ ବା କରି ପାରିବା?
ସିପ୍ରା କହିଲା – “ସେ କଥା ଛାଡ – ଏଣିକି ଆମେ ଦୁହେଁ ନିଜ ନିଜ ଘୋଡାରେ ବସି ଯିବା ଶିକାର କରିବାକୁ । କଥାଟାକୁ ଯଦି ବାପା ପସନ୍ଦ ନ କରନ୍ତି କି ଆମକୁ ଗାଳି ଗୁଲଜ କରନ୍ତି ତେବେ ଆମେ ତାଙ୍କୁ ବୁଝାଇ ଦେବା ।”
ବିଚିତ୍ରା କହିଲା – “ଶିକାର କରିବାକୁ ଗଲେ ମାମୁଁ ମୋତେ କିଛି ବି କହିବେନି । ତେବେ କାଲିକି ଆମର ଯିବା ପାଇଁ ବରାଦ କର । ଦିହେଁ ଏମିତି କଥାବାର୍ତ୍ତା ହୋଇ ତା ପରଦିନ ବାହାରିଲେ ଶିକାରକୁ । ସେମାନଙ୍କ ସାଙ୍ଗରେ ଗଲେ ଯୋଡିଏ ସଖୀ । ଅସ୍ତବଳରୁ ଚାରୋଟି ଭଲ ଘୋଡା ଆଣିଲେ । ସମସ୍ତ ଘୋଡାଙ୍କ ବର୍ଣ୍ଣ ଧଳା । ସମସ୍ତ ଘୋଡାମାନେ ଥିଲେ ଖୁବ୍ ବେଗଗାମୀ ଓ ଚତୁର ମଧ୍ୟ । ଅତି ଦରକାର ପଡିଲେ ସେହି ଘୋଡାମାନେ ଯୁଦ୍ଧକୁ ଯାଆନ୍ତି । ସିପ୍ରା ତା ପସନ୍ଦ ଅନୁସାରେ ଘୋଡା ମାନଙ୍କୁ ଆଣି ବିଚିତ୍ରା ଓ ଅନ୍ୟାନ୍ୟ ସଖୀ ମାନଙ୍କ ଗହଣରେ ଚାଲିଲା ଜଙ୍ଗଲକୁ ।
ସକାଳ ବେଳା । ଖରାତେଜ ବି ଆଦୌ ପ୍ରଖର ହୋଇ ନଥାଏ । ଏପଟେ ଏହି ଚାରୋଟିଯାକ ଯୁବତୀ ନିଜ ନିଜ ଘୋଡାରେ ବସି ଯାଉ ଯାଉ ଚାଲି ଗଲେ ନିବିଡ ଜଙ୍ଗଲ ଭିତରକୁ । ହେଲେ ସେମାନେ କୌଣସି ସ୍ଥାନରେ ହରିଣ, ସମ୍ବର, ବାର୍ହା କି କିଛି ଗୋଟାଏ ବି ସୁଧା ଜୀବ ଦେଖିବାକୁ ପାଇଲେନି । ତେଣୁ ସେମାନଙ୍କୁ ଭାରି ଅଡୁଆ ଲାଗିଲା । ଏଣେ ସେମାନଙ୍କ ମନଟା ତ ଖାଲି ଚଙ୍ଗ ଚଙ୍ଗ ହେଉଥାଏ । ଠିକ୍ ସେତେବେଳକୁ ଖରା ବି ଲାଗି ଆସିଲାଣି । ଏମାନେ ସମସ୍ତେ ତ ରାଜ ଅନ୍ତଃପୁରରେ ବଢିବା ପିଲା । ସେମାନେ ସମସ୍ତେ ତ ତାଙ୍କ ଜୀବନରେ କେବେହେଲେ ବି ଏପରି ଖରା କାକର ଭୋଗି ନ ଥାନ୍ତି । ସେମାନେ ସମସ୍ତେ ତ ହେଲା ଗେଲାରେ ବଢିଛନ୍ତି ଖୁବ୍ ଅଲ୍ୟଳି ହୋଇ । ଏପରି ନିରାଟ ଖରାରେ ଘୋଡା ଚଢି ବୁଲିବା କ’ଣ ଆଉ ପାଖରେ ଅଛି? ସୁତୁରାଂ ସେମାନେ ସମସ୍ତେ ବେଳକୁ ବେଳ ଥକି ପଡିଲେ । ଠିକ୍ ଏହି ସମୟରେ ସମସ୍ତଙ୍କୁ ଘନ ଘନ ଶୋଷ ବି ଉଠିଲା । ହେଲେ ପାଣି କାହିଁ? ପାଣି ନ ପିଇଲେ କେହି ବି ଆଉ ଦଣ୍ଡେ ମାତ୍ର ଥୟ ଧରି ରହି ପାରୁ ନାହାଁନ୍ତି । ସେମାନଙ୍କ ମଧ୍ୟରେ ଭାଳେଣି ପଡିଗଲା ଯେ, ସେମାନେ ଏବେ କ’ଣ କରିବେ? ଡହଳ ବିକଳ ହୋଇ ହୋଇକା ଯାଉ ଯାଉ ହଠାତ୍ ସେମାନଙ୍କୁ ମିଳିଗଲା ଖଣ୍ଡିଏ ଠାକୁର ମନ୍ଦିର । ସେହି ମନ୍ଦିର ପାଖକୁ ଲାଗି ଥିଲା ଖଣ୍ଡିଏ ଜଳାଶୟ ।
ଯୁବତୀମାନେ ପ୍ରଥମେ ନିଜ ନିଜ ଘୋଡାରୁ ଓହ୍ଲାଇ ଆଗେ ଯାଇ ସେହି ଜଳାଶୟରୁ କିଛି ପାଣି ପିଇଲେ । ତା’ପରେ ସେମାନେ ଯାଇ ସେହି ମନ୍ଦିର ବହନ୍ତାରେ ବସି ଝାଳ ମାରିଲେ । କାରଣ ସେହିଠାରେ ତ ସେତେବେଳେ ସୁଲୁସୁଲିଆ ପବନ ହେଉଥାଏ । ସେହି ସ୍ଥାନଟା ଗହଳିଆ ଆମ୍ବ ତୋଟାରେ ପୂର୍ଣ୍ଣ ହୋଇ ଥିବାରୁ ସେହି ଯୁବତୀ ମାନଙ୍କ ଦେହକୁ ବଢିଆ ଥଣ୍ଡା ଲାଗୁଥାଏ, ତେଣୁ ସେହିଠାରେ ସେମାନଙ୍କୁ ଟିକେ ନିଦ ବି ଝାଙ୍କିଲା । ଏହି କାରଣରୁ ନିଜ ନିଜ ଘୋଡା ଗୁଡାକୁ ଗଛ ଗଣ୍ଡିରେ ବାନ୍ଧିଦେଇ ସମସ୍ତ ଯୁବତୀମାନେ ବରାଦ କଲେ ସେହିଠାରେ ହିଁ ଶୋଇ ପଡିବାକୁ… । ଦେଖୁ ଦେଖୁ ସେହି ଚୁନମଖା ଚଟାଣରେ କଅଁ ଳିଆ ପତ୍ର ବିଛାଇ ସଙ୍ଗେ ସଙ୍ଗେ ଶୋଇ ପଡିଲେ ସମସ୍ତେ । ଏଣେ ସେମାନଙ୍କୁ ନିଦ ବି ଘମାଘୋଟ ଲାଗିଗଲା ।