ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକୁମାରୀ ବିଚିତ୍ରା

କୁମାର କହିଲା – ମୋ’ଠାରେ ଏପରି କେଉଁ ଗୁଣର ସୂଚନା ପାଇ ତୁମେ ଦେବତାର ମାନ୍ୟ ଦେଉଛ ମୋତେ?

କୁମାରୀ ଦୁହେଁ ରାଜକୁମାରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏକ ସମୟରେ କହି ଉଠିଲେ – ଆପଣ ଯାହା କହନ୍ତୁ ପଛେ, ଆମ ପକ୍ଷେ ଦେବତା ହୋଇ ଆଜି ଆପଣ ହିଁ ଠିଆ ହୋଇଛନ୍ତି – ଏବଂ ଆମମାନଙ୍କର ନାରୀତ୍ୱକୁ ବି ବଂଚାଇ ରଖିଛନ୍ତି । ବିଜାତୀୟ ମାନଙ୍କ ଦ୍ୱାରା ଆଜି ଆମେ ପଦଦଳିତା, ଲାଂଛିତା ଏବଂ ବାରବନିତା ହେବାକୁ ଯାଉ ଥିଲୁ । ଅସମୟରେ ଆପଣ ଦେଖାଦେଇ ଆମର ଯାହାକି ଉପକାର କରିଛନ୍ତି, ତାହା ଆମେ ଜନ୍ମଜନ୍ମାନ୍ତରରେ ମଧ୍ୟ କେବେବି ସୁଝି ପାରିବୁନି । ତେଣୁ ଆଜିଠାରୁ ଆମେମାନେ ଆପଣଙ୍କ ପାଖରେ ଚିରଋଣୀ ହୋଇ ରହିଲୁ ।

ଏତକ ଶୁଣି ସେ ରାଜ କୁମାର ଟିକିଏ ରହସ୍ୟ କରି ପଚାରିଲା – “ପରିଶୋଧର ବାଟ କ’ଣ?”

ସଙ୍ଗେ ସଙ୍ଗେ ନିଜ ଗଳାରୁ ମୋତି ମାଳଟିଏ ସିପ୍ରା ବାହାର କରିବା ଦେଖି ବିଚିତ୍ରା ବି ନିଜ ଗଳାରୁ ମଣିକାଂଚନ ମାଳାଟିଏ ବାହାର କଲା । ଦିହେଁ ରାଜ କୁମାରୀ ଅତି ଭକ୍ତି ଏବଂ କୃତଜ୍ଞତାର ଚିହ୍ନ ସ୍ୱରୂପ ନିଜ ନିଜ ମାଳାକୁ ଲମ୍ବାଇ ଦେଲେ ସେହି ରାଜ କୁମାରଙ୍କ ଗଳାରେ । ଏ ସବୁ ଦେଖି ସେ ରାଜ କୁମାର ହଠାତ୍ କହିଲା – “ଏ କ’ଣ କଲେ ଆପଣ ମାନେ? ଚିର ଜୀବନ ପାଇଁ ମୋତେବି କ’ଣ ଋଣୀ କରାଇଲେ?”

ବିଚିତ୍ରା ସେହିକ୍ଷଣି କହିଲା – “ତା ନୁହେଁ ଯେ, ଆପଣଙ୍କ ଋଣ ପରିଶୋଧ କରି ନପାରି ଆମେ ଏତିକିରେ ଆପଣଙ୍କଠାରୁ ଉଦ୍ଧାର ପାଇବାକୁ ଚେଷ୍ଟା କରୁଛୁ ।

ମାଳ ଯୋଡିକ ନିଜ ଗଳାରୁ ବାହାର କରୁ କରୁ ସେ ରାଜ କୁମାର କହିଲା – ‘ମୋ ଋଣ ମୁଁ ଫେରି ପାଇଲି । ମାତ୍ର ଏହି ମାଳ ଯୋଡିକ ଅଭାବରୁ ଆପଣମାନଙ୍କ କମ୍ଭୁ କଣ୍ଠରେ ସୌନ୍ଦର୍ଯ୍ୟ ଆଦୌ ଆସୁନି । ତେଣୁ ଆପଣମାନେ ମୋ ଅନୁରୋଧ ରକ୍ଷା କରି ଏହି ମାଳା ଗୁଡିକୁ ନିଜ ନିଜ ଗଳାରେ ଧାରଣ କରନ୍ତୁ । ଏହା କହି ସେ ରାଜ କୁମାର ମାଳ ଯୋଡିକ ଦୁଇ ରାଜ କୁମାରୀଙ୍କ ଗଳାରେ ଲମ୍ବାଇ ଦେଲା ବେଳେ ହେମ ଓ କୁମ ସେମାନଙ୍କୁ ଅର୍ଥାତ୍ ଦୁଇ ରାଜ କୁମାରୀ ଓ ରାଜକୁମାରଙ୍କୁ ପରିହାସ କରି ସେହିଠାରେ ହିଁ ହୁଳହୁଳି ପକାଇଲେ ।

ସିପ୍ରା କପଟ ରାଗ ଦେଖାଇ ସଖୀ ମାନଙ୍କୁ କହିଲା – “ତୁମକୁ ମାରିବି ଯେ ।”

ଏପରି କଥା ଶୁଣି ହସି ହସି ଗଡି ଗଲେ ସଖୀ ଦୁହେଁ । ତାପରେ ସଖୀମାନେ କହିଲେ – ଆଗୋ! ଏଭଳି ମହାଜନ ଯେତେବେଳେ ତୁମର ଭରସା ଅଛନ୍ତି, ସେତେବେଳେ ଆମକୁ କ’ଣ ମ? ଆମ ପରି ତ କେତେ ଲୋକଙ୍କୁ ମାରିବ ।

କିଛି କ୍ଷଣ ପାଇଁ ଦୁଇ ରାଜକୁମାରୀଙ୍କ ମନରେ ଟିକିଏ ହସର ତରଙ୍ଗ ଉଠିଲା । ତେଣୁ କୁମାରୀ ଦୁହେଁ ସେହି କ୍ଷଣି କଣେଇ କଣେଇ ଚାହିଁବା ଛାଡି ପରିଷ୍କାର ଭାବେ ସେ ରାଜ କୁମାରଙ୍କ ମୁହଁଙ୍କୁ ଅନାଇ କହୁଥାନ୍ତି ।

କୁମାର କହିଲା – ଆପଣମାନେ ତ ବହୁତ ବେଳୁ ଆସିବେଣି । ତେଣେ ତୁମ ମାନଙ୍କ ଘରେ ବୋଧହୁଏ ତୁମ ମାନଙ୍କୁ ହିଁ ଖୋଜା ପଡିଥିବ । ଆଉ ବିଳମ୍ଭ ନକରି ତୁରନ୍ତ ଏଠାରୁ ଫେରି ଯିବାକୁ ଚେଷ୍ଟା କରନ୍ତୁ । କିନ୍ତୁ ତା ପୂର୍ବରୁ ଆପଣମାନଙ୍କ ପୂର୍ଣ୍ଣ ପରିଚୟ ମୋର ନିହାତି ଲେଡା ।

ରାଜ କୁମାରଙ୍କ ଅଭିଳାଷ ବିଷୟରେ ଜାଣି ସିପ୍ରା ସଙ୍ଗେ ସଙ୍ଗେ ନିଜ ହାତରୁ ଗୋଟିଏ ନାମାଙ୍କିତ ମୁଦି ଓ ବିଚିତ୍ରା ବି ନିଜର ଗୋଟିଏ ନାମାଙ୍କିତ ମୁଦି ଦେଇ କହିଲେ ଏଥିରେ ଆମର ପୂର୍ଣ୍ଣ ପରିଚୟ ଅଛି । ଆପଣ ଯଦି ଆମକୁ ମନେ ରଖିବାକୁ ଚାହାନ୍ତି, ତେବେ ଆପଣଙ୍କୁ ଆମର ଅନୁରୋଧ ଏହିକି ଯେ, ଆପଣ ନିଜ ଅଙ୍ଗୁଳିରେ ଏହି ଦୁଇ ମୁଦିକୁ ଧାରଣ କରିବେ । ଏ କଥା ଶୁଣି କୁମାର ମଧ୍ୟ ନିଜ ଦକ୍ଷିଣ ହସ୍ତ ଅଙ୍ଗୁଳିରୁ ଯୋଡିଏ ମୁଦ୍ରିକା ବାହାର କରି ହାତ ବଢାଇ ଦେଲା । କୁମାରୀ ଦୁହେଁ ନିଜ ନିଜ ନାମାଙ୍କିତ ମୁଦି ଯୋଡିକ ରାଜକୁମାରର ସେହି ସବଳ ହସ୍ତର ଅଙ୍ଗୁଳିରେ ପିନ୍ଧାଇ ଦେଲେ । ତା ପରେ ଦୁଇ ରାଜ କନ୍ୟା କହିଲେ ଏଥର ଆମକୁ ବିଦାୟ ଦିଅନ୍ତୁ ।

କୁମାର କହିଲା – ମୋର ମନ ତ ମୋଟେ କହୁନି ଆପଣମାନଙ୍କୁ ବିଦାୟ ଦେବା ପାଇଁ । ତା’ପରେ ବି ତୁମର ଅଙ୍ଗୁଳି ଗୁଡିକ ମୁଦ୍ରିକା ଅଭାବରୁ ପୁଣି ଅସୁନ୍ଦର ଦେଖାଗଲା କୁମାରୀ! ଅନୁମତି ଦେଲେ ମୋ ନାମାଙ୍କିତ ମୁଦ୍ରିକା ଦ୍ୱୟ ସେହି ଶୂନ୍ୟ ସ୍ଥାନ ପୂରଣ କରନ୍ତା ।

ଏ କଥାରେ କୌଣସି ଉତ୍ତର ନ ଦେଇ ରାଜ କୁମାରୀ ମାନେ କେବଳ ନିଜ ନିଜର ନୀରବ ସମ୍ମତି ଜଣାଇଲେ ସେହି ରାଜ କୁମାରଙ୍କୁ । ତେଣୁ ରାଜକୁମାର ଦୁଇ ରାଜ କନ୍ୟାଙ୍କ ଇଙ୍ଗିତକୁ ବୁଝିପାରି ମୁହୂର୍ତ୍ତକେ ନିଜର ମୁଦ୍ରିକା ଯୋଡିକ ଦୁଇ ରାଜକନ୍ୟାଙ୍କ ହସ୍ତରେ ପିନ୍ଧାଇ ଦେଲା । ତାପରେ ସେ ରାଜ କୁମାର ଜଣକ ଏ ଦୁଇ କନ୍ୟାଙ୍କୁ କହିଲା – ଆଉ ବିଳମ୍ବ କରନ୍ତୁନି । ଚାଲନ୍ତୁ ମୁଁ ଆପଣମାନଙ୍କୁ ନେଇ ଆପଣମାନଙ୍କ ରାଜବାଟୀରେ ଛାଡିଦେଇ ଆସିବି ।

କୁମାରୀ ମାନେ କହିଲେ – ଏଣିକି ଆମେ ଖୁସିରେ ଖୁସିରେ ନିଜ ନିଜ ବାସସ୍ଥାନକୁ ଚାଲି ଯାଇ ପାରିବୁ । ଆପଣ ପୁଣି ଆମ ଲାଗି ଏତେ ବାଟ କଷ୍ଟ କରି ଯିବେ କାହିଁକି?

କୁମାର କହିଲା – ଏହାକୁ କଷ୍ଟ କୁହାଯାଏନି ଭଦ୍ରେ! ତୁମ ପରି କୁମାରୀ ମାନଙ୍କୁ କାୟ ମନ ବଚନରେ ସାହାଯ୍ୟ କରିବା ତ ସମସ୍ତ ରାଜକୁମାର ମାନଙ୍କର ଧର୍ମ, ତା’ପରେ ଆପଣ ମାନଙ୍କୁ ସେବା କରିବାକୁ ମୋ ମନରେ ବହୁତ ଆନନ୍ଦ ଆସୁଛି ।

ସିପ୍ରା କହିଲା – ଆମ ଜୀବନରେ ଆପଣ ଚଳଚିତ୍ରପରି ଆଜି ଯେଉଁ ପ୍ରତିମା ଆଙ୍କି ଦେଇଛନ୍ତି, ତାହା ଲିଭାଇ ଦେବାକୁ ଆପଣ କେବେବି ଚେଷ୍ଟା କରିବେନି କୁମାର । ଆଜଠୁ ଆପଣଙ୍କ ପ୍ରଦତ୍ତ ଏହି ନାମାଙ୍କିତ ମୁଦ୍ରିକାଦ୍ୱୟ ହେଉଛି ଆମ ମାନଙ୍କର ଜପାମାଳା ।

ଏହିପରି ଭାବେ କଥାବାର୍ତ୍ତା ଚାଲିଥିବା ସମୟରେ ସେହି କୁମାରୀମାନଙ୍କର ଫେରିବାରେ ବିଳମ୍ଭ ହେବା ଦେଖି ଦଳେ ପାଇକ ସେହିବାଟେ ଆସୁଥିଲେ ଏହି ଦୁଇ ରାଜ କନ୍ୟାଙ୍କୁ ଖୋଜିବାକୁ । ସେହି ପାଇକ ମାନଙ୍କ ସାଙ୍ଗରେ ଥିଲେ ସେମାନଙ୍କ ମନ୍ତ୍ରୀ । ରାସ୍ତାରେ ଯୁଦ୍ଧର ଆଭାସ ଓ ଦରପୋଡା ରାକ୍ଷସ ମାନଙ୍କ ଶବ ଦେଖି ମନ୍ତ୍ରୀଙ୍କ ମନରେ ଟିକେ ଆସଙ୍କା ଆସିଲା । ମନ୍ତ୍ରୀ ମହୋଦୟ ହଠାତ୍ ଭାବିବାକୁ ଲାଗିଲେ ରାଜ କୁମାରୀ ମାନେ ବୋଧହୁଏ ବିପଦର ବେଗଗାମୀ ତଟିନୀରେ ପଡି ଭାସି ଯାଇଥିବେ ଅନେକ ଦୂରକୁ । ଏବେ ସେମାନଙ୍କ ଦେଖା ପାଇବାକୁ ହେଲେ ମୋତେ ତ କଠିନ ପରିଶ୍ରମ କରିବାକୁ ପଡିବ । ଏହିପରି ଭାବୁ ଭାବୁ ହଠାତ୍ ସେ ମନ୍ତ୍ରୀ ଜଣଙ୍କ ତାଙ୍କ ସମ୍ମୁଖରେ ତାଳଚେର ରାଜ କୁମାରଙ୍କ ସଙ୍ଗେ କଥୋପକଥନରତା ଏ ଦୁଇ ରାଜ କୁମାରୀମାନଙ୍କୁ ଦେଖି ସଙ୍ଗେ ସଙ୍ଗେ ତାଙ୍କ ମନରେ ଟିକେ ପ୍ରତିହିଂସାବହ୍ନି ଜଳି ଉଠିଲା । କାହିଁକିନା ମନ୍ତ୍ରୀ ଭାବିଲେ – ଏହି ରାଜ କୁମାର ଜଣକ ବୋଧହୁଏ ରୂପ ଲାଳସାରେ ଏହି ରାଜକନ୍ୟା ମାନଙ୍କୁ ଆକ୍ରମଣ କରିଛି ।

ପୁଣି ପରମୁହୂର୍ତରେ ମନ୍ତ୍ରୀ ଭାବିଲେ – ତା ହୋଇଥିଲେ ଏ ରାଜ କୁମାରୀ ମାନେ ମଧୁପୂର ରାଜପୁରେ ଯୋଗ ଦେଇଥାନ୍ତେ ବା କିପରି? ହଠାତ୍ କିଛି ଗୋଟାଏ କଳିଗୋଳ କରିବା ଅପେକ୍ଷା ପ୍ରଥମେ ଧୀରସ୍ଥିର ଭାବରେ ଯାଇ ସେହି ରାଜକନ୍ୟାମାନଙ୍କ ଠାରୁ ବୁଝିନେବା ପ୍ରକୃତରେ ଘଟଣାଟା କ’ଣ? ଏଥିପାଇଁ ମନ୍ତ୍ରୀବର ତାଙ୍କ ହାତୀ ଉପରୁ ଓହ୍ଲାଇ ସେହି ରାଜ କନ୍ୟାମାନଙ୍କ ନିକଟକୁ ଗଲେ ଏବଂ ରାଜକୁମାରୀ ମାନଙ୍କର କାହିଁକି ବିଳମ୍ବ ହେଲା ବୋଲି ସେ ବିଷୟରେ ସଂକ୍ଷିପ୍ତ ରୂପେ ପଚାରି ବୁଝିଲେ ।

ଘଟଣାରୁ ସମସ୍ତ କଥା ଜଣାଗଲା । ସେହି ରାଜକୁମାରଙ୍କ ପ୍ରତି ମନ୍ତ୍ରୀ ମହୋଦୟ ଜଣକ ବହୁତ ଖୁସି ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଲେ ଏବଂ ତାଙ୍କୁ ଅନୁରୋଧ କଲେ ଥରେ ଆଠମଲ୍ଲିକ ରାଜବାଟୀରେ ପଦାର୍ପଣ କରିବାକୁ ।

ଏହା ଶୁଣି କୁମାର କହିଲା – କ୍ଷମା କରିବେ ମନ୍ତ୍ରୀ ମହାଶୟ! ଆଜି ମୁଁ କଦାପି ଆପଣଙ୍କ ଅନୁରୋଧ ରକ୍ଷା କରି ପାରିବିନି । ହୁଏତ ମୁଁ ଅନ୍ୟ ଏକ ଦିନେ ଯାଇ ନିଶ୍ଚୟ ଆପଣଙ୍କର ଆତିଥ୍ୟ ଗ୍ରହଣ କରିବି । ଆପଣ ବର୍ତ୍ତମାନ ଏହି ରାଜକୁମାରୀ ମାନଙ୍କୁ ନେଇ ଅତି ସାବଧାନତାରେ ଏହି ଅରଣ୍ୟ ପରିତ୍ୟାଗ କରନ୍ତୁ । ମନେ ରଖିବେ ଅନ୍ୟ କେଉଁ ସମୟରେ ବି ସେମାନଙ୍କୁ ଏକାକିନୀ ଭାବେ ଆଉ ଅରଣ୍ୟକୁ ପଠାଇବେ ନାହିଁ ।

ଏପରି ନାନାପ୍ରକାର କଥାବାର୍ତ୍ତା ପରେ ରାଜକୁମାରୀମାନଙ୍କୁ ମନ୍ତ୍ରୀ ମହାଶୟ ନିଜ ସଙ୍ଗରେ ନେଇ ସେହିଠାରୁ ସେହିକ୍ଷଣି ହିଁ ପ୍ରସ୍ଥାନ କଲେ । ରାଜ କୁମାର ବି ଫେରିଲା ତାଳଚେରକୁ ।

ଠିକ୍ ସେହିଦିନ ଠାରୁ ରାଜ କୁମାରୀ ଦୁହେଁ ଖୁବ୍ ଆକୃଷ୍ଠ ହୋଇ ପଡିଲେ ସେହି ତାଳଚେର ରାଜକୁମାରଙ୍କ ପ୍ରତି । ସେପଟେ ସେ ରାଜକୁମାର ବି ନିଜ ଶୟନ ସ୍ୱପନରେ ଖାଲି ଏହି ରାଜ କୁମାରୀ ମାନଙ୍କୁ ସ୍ୱପ୍ନ ଦେଖିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ