କଥାରେ ଅଛି – ଷଡକାନ ହେଲେ ମନ୍ତ୍ର ବି ଭେଦ ହୋଇଯାଏ । ସେଦିନ ସେ ଅରଣ୍ୟ ମଧ୍ୟରେ କୁମାର ଓ ଦୁଇ କୁମାରୀମାନେ ଯାହା ବି କଥାବାର୍ତ୍ତା ହେଲେ ଓ ସେମାନଙ୍କ ମଧ୍ୟରେ ଯେପରି ମାଳ ଦିଆନିଆ, ମୁଦ୍ରିକା ବିନିମୟ ହେଲା, ତାହା ଆଉ ଲୁଚି ରହୁଛି କେଉଁଠି?
ହେମ ଓ କୁମ କହୁ କହୁ ସମସ୍ତଙ୍କ ଆଗରେ ସେଦିନର ସେହି ସବୁ ଘଟଣାଯାକ କହି ପକାଇଲେ । ରାଣୀଙ୍କ କାନକୁ ଏହି ସବୁ କଥା ଯିବାରୁ ରାଣୀ ମଧ୍ୟ ସେହି ସବୁ କଥାକୁ ତୁରନ୍ତ ରାଜାଙ୍କୁ ଜଣାଇଲେ । ତାପରେ ରାଜା ପଚାରିଲେ ତାଙ୍କ ମନ୍ତ୍ରୀଙ୍କୁ । ମନ୍ତ୍ରୀ ମହାଶୟ କହିଲେ – ମହାରାଜ! ସେଦିନର ସେ କଥାଟାକୁ ମୁଁ ବି ଠିକ୍ ସେହିପରି ଅନୁମାନ କରିଛି । ସେହି ରାଜକୁମାର ଜଣକ ଆମ ରାଜ କୁମାରୀ ମାନଙ୍କୁ ଉଦ୍ଧାର କରିବା ପାଇଁ ନିଜର ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି । ତେଣୁ ଆମ ରାଜ କୁମାରୀ ଦୁହେଁ ତାଙ୍କ ପ୍ରତି ଆକୃଷ୍ଟ ହେବା କିଛି ବି ଅସମ୍ଭବ ନୁହେଁ ।”
ରାଜା ପଚାରିଲେ – ତେବେ ଆମେ ଏବେ କ’ଣ କରିବା?
ମନ୍ତ୍ରୀ କହିଲେ – ତାଳଚେର ଯୁବରାଜଙ୍କ ପରି ଜୋଇଁ ଭାଗ୍ୟରେ ଥିଲେ ମିଳେ । ସେଭଳି ଜଣେ ସାହସୀ ଓ ଯୋଦ୍ଧା ଅନ୍ୟତ୍ର ମିଳିବା ଖୁବ୍ କଷ୍ଟ । ସୁଶ୍ରୀ ଓ ସଦାନନ୍ଦମୟ ଯୁବକ ସେ । ଆପଣ ନିର୍ବିବାଦରେ ତାଙ୍କୁ ହିଁ ଜାମାତାରୂପେ ପାଇବାକୁ ଚେଷ୍ଟା କରନ୍ତୁ ।
ଶେଷରେ ମନ୍ତ୍ରୀଙ୍କ କଥାରେ ରାଜାଙ୍କ ମନ ମାନିଲା । ହେଲେ ସିପ୍ରା ପାଇଁ ସିନା ସେ ଜବାବ୍ ଦେବେ । କିନ୍ତୁ ବିଚିତ୍ରା ପାଇଁ?
କ’ଣ କରାଯାଇପାରିବ, ନ ପାରିବ, ମନ୍ତ୍ରୀଙ୍କ ସଙ୍ଗେ ଏ ବିଷୟରେ ପରାମର୍ଶ କରିବାରୁ ମନ୍ତ୍ରୀ ରାଜାଙ୍କୁ କହିଲେ – ଆପଣ ତୁରନ୍ତ ମଧୁପୂର ରାଜାଙ୍କ ନିକଟକୁ ପତ୍ର ଦ୍ୱାରା ଏ ସମସ୍ତ କଥା ଜଣାଇ ଦିଅନ୍ତୁ । ରାଜା କହିଲେ ଆମେ ଆଗେ ବିଚିତ୍ରାର ମତ ନେବା ।
ତାହା ବି କରାଗଲା । ହେମ ଓ କୁମ ସବୁ କଥା ଠିକ୍ ଠିକ୍ ଭାବେ ବୁଝି ମହାରାଜାଙ୍କୁ ଯାଇ କହିଲେ । ବିଚିତ୍ରାର ଇଚ୍ଛା ଯେ ସେ ତାଳଚେର ଯୁବରାଜଙ୍କ ଛଡା ଅନ୍ୟ କାହାରିକିବି ବିଭା ହେବନି । ସବୁ କଥା ପକ୍କା କରି ଜାଣିବା ପରେ ଆଠମଲ୍ଲିକ ରାଜା ନିଜ ଦୂତ ହସ୍ତରେ ବିବାହ ପ୍ରସ୍ତାବ ନିମନ୍ତେ ପତ୍ରଖଣ୍ଡେ ଲେଖି ତାକୁ ତୁରନ୍ତ ମଧୁପୂରକୁ ପଠାଇଲେ ।
ବହୁ ବର୍ଷ ହେଲା ତାଳଚେର ରାଜା ଓ ମଧୁପୂର ରାଜାଙ୍କ ମଧ୍ୟରେ ନାନା କାରଣକୁ ନେଇ ବିବାଦ ଥାଏ । ତେଣୁ ତାଙ୍କ କଥା କହିଲେ ୟାଙ୍କୁ ଭଲ ଲାଗେନା । କି ୟାଙ୍କ କଥା କହିଲେ ତାଙ୍କୁ ବି ଭଲ ଲାଗେନି । ଚେଙ୍ଗ ରାଶିକି ବେଙ୍ଗ ରାଶି ପଡିଲା ଭଳି ଦିହେଁ ଖାଲି ରହିଥାନ୍ତି ଆଡି ପତାପତି ହୋଇ ।
ଦୂତ ପତ୍ର ନେଇ ମଧୁପୂର ରାଜାଙ୍କୁ ଯଥା ସମୟରେ ଦେଲା । ପତ୍ର ଖଣ୍ଡିଏ ପଢି ସେ ମଧୁପୂର ରାଜା ଏଭଳି ରାଗି ଉଠିଲେ ଯେ, ତାଙ୍କୁ ବୁଝାଇ ସୁଝାଇ ଶାନ୍ତି କରିବା ପାଇଁ ତାଙ୍କ ପିଛା ଲାଗିଗଲା ଗୋଟିଏ ପ୍ରହର । ତା’ପରେ ସେ ରାଜା ଆଦେଶ ଦେଲେ ବିଚିତ୍ରାକୁ ଅତିଶୀଘ୍ର ଆଠମଲ୍ଲିକରୁ ନେଇ ଆସିବାକୁ । ତାଳଚେର ଯୁବରାଜ ସଙ୍ଗେ ତାଙ୍କ ଝିଅର କୌଣସିମତେ ବିଭାଘର ହୋଇ ପାରିବନି ବୋଲି ସେ ରାଜା ତାଙ୍କ ମନ୍ତ୍ରୀଙ୍କୁ କହିଲେ – ତୁମେ ନିଜେ ଯାଇ ଅନ୍ୟ କୌଣସି ରାଜ୍ୟର ଯୋଗ୍ୟ ରାଜପୁତ୍ରର ସନ୍ଧାନ ନିଅ ଏବଂ ବିବାହ ପାଇଁ ତାଙ୍କୁ ପ୍ରସ୍ତାବ ଦେଇ ଆସ । ତୁମ ମନ ଯେଉଁଠାରେ ମାନିବ, ମୁଁ ନିଶ୍ଚୟ ସେହିଠାରେ ହିଁ ମୋ କନ୍ୟା ବିଚିତ୍ରାକୁ ବିବାହ ଦେବି ।
କଥାରେ ଅଛି –
ରାଜା ଆଦେଶଟି ଜଳନ୍ତା ନିଆଁ
ନ ମାନିଲେ ଗାଲେ ଲାଗଇ ଚିଆଁ ।
ଖୋସାମତିଆର ପାଖରେ ସ୍ଥାନ
ଅମାନିଆଁ ହେଲେ କାଟନ୍ତି କାନ ।
ଯେ ଆଜ୍ଞାବାଲାକୁ ମିଳଇ ମାଟ
ତର୍କ କଲେ ହୁଏ ମସ୍ତକ କାଟ ।
ରାଜା ଅଗ୍ନି, ସର୍ପ ନାରୀଙ୍କ ପାଶେ
ଜଗି ନ ଚଳିଲେ ପଡିବ ଫାଶେ ।
ମନ୍ତ୍ରୀ ତ ଭାରି ହୁସିଆର ଲୋକ । ମଧୁପୂର ରାଜାଙ୍କ ପାଖରେ କାମ କରି କରି ଆସି ସେ ବୁଢା ହେବାକୁ ବସିଲେଣି । ରାଜାଙ୍କ ଚାଲିଚଳନ, ରୀତି ନୀତି କ’ଣ ଆଉ ସେ ମନ୍ତ୍ରୀ ବରଙ୍କୁ କିଛି ଅଜଣା କି ଅଚ୍ଛପା ଅଛି? ତେଣୁ ରାଜା ଯାହା ବି କହିଲେ ସେ କଥା ମାନିନେବାଟା ସର୍ବ ପ୍ରଥମେ ଆବଶ୍ୟକ ବୋଲି ଜାଣି ମନ୍ତ୍ରୀ ତୁରନ୍ତ ତାଙ୍କ କାମରେ ବାହାରି ପଡିଲେ । ତାଙ୍କ ସଙ୍ଗରେ ଥାଆନ୍ତି ଦୁଇ ଜଣ ଭୃତ୍ୟ, ଆବଶ୍ୟକୀୟ ଖର୍ଚ୍ଚପତ୍ର ହାତୀ ଓ ଘୋଡା ଘେନି ।
ରାଜ୍ୟ ପରେ ରାଜ୍ୟ ବୁଲାବୁଲି ଦେଖାଶୁଣା କରୁ କରୁ ମନ୍ତ୍ରୀଙ୍କର ହଠାତ୍ ମନ ଯାଇ ମାନିଲା ସୁକିନ୍ଦାରେ । ଯାଇ ଯବାବ ହେଲା । ଏ ପକ୍ଷ ଏବଂ ସେ ପକ୍ଷରୁ ବର କନ୍ୟା ଦେଖା ଦେଖି ପାଇଁ କଥା ବି ହେଲା । ତା ପରେ ମନ୍ତ୍ରୀ ବି ତାଙ୍କ ବାଟରେ ସୁକିନ୍ଦାରୁ ଫେରିଗଲେ । ମନ୍ତ୍ରୀ ଫେରିଆସି ମଧୁପୂର ରାଜାଙ୍କୁ ଏ ସମସ୍ତ କଥା କହିଲେ ।
ବିଚିତ୍ରା କୁମାରୀକି ଆଣିବା ପାଇଁ ଲୋକ ଯାଇ ପହଁଚିଲେ ଆଠମଲ୍ଲିକ ରାଜବାଟୀରେ । ସେହି ଲୋକମାନେ ମଧୁପୂର ରାଜାଙ୍କ ଚିଠି ଆଠମଲ୍ଲିକ ରାଜାଙ୍କୁ ଦେଲେ । କଥା କ’ଣ କାହିଁକି ତୁମେ ଏତେ ଶୀଘ୍ର କୁମାରୀକି ନେଇଯିବା ପାଇଁ ଆସିଲ ବୋଲି ପଚାରିବାରୁ, ପତ୍ରବାହକ ବି ସେହିକ୍ଷଣି ଭିତର କଥାତକ ସବୁ ପ୍ରକାଶ କରିଦେଲା । ସେ ସବୁ କଥା କାନକୁ କାନ ଯାଇ ଯାଇ ନିର୍ବିଶେଷରେ ଯାଇ ପହଁଚିଲା ବିଚିତ୍ରା ପାଖରେ । ତେଣୁ ମନରେ ଖୁବ୍ ଆଘାତ ଲାଗିଲା ବିଚିତ୍ରାର । ଏପରି କଥା ଶୁଣି ବିଚିତ୍ରାକୁ ତିନିପୁର ଖାଲି ଘୋର ଅନ୍ଧାର ଦେଖାଗଲା । ସେ ଏବେ କ’ଣ କରିବ, କୁଆଡେ ଯିବ, ମରିବ କି ବଂଚିବ ଏ ବିଷୟରେ ବିଚିତ୍ରା କିଛି ବି ସ୍ଥିର କରି ପାରିଲାନି । ତେଣୁ ବିଚିତ୍ରା କେବଳ ତା ସାଙ୍ଗ ସିପ୍ରା ପାଖରେ କାନ୍ଦିକରି କହିଲା, ତାଳଚେର ରାଜକୁମାରଙ୍କୁ ନପାଇଲେ ମୁଁ ଆଉ ବଂଚି ପାରିବନି ।