ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକୁମାରୀ ବିଚିତ୍ରା

ସିପ୍ରା ତ ଜଣେ ନାରୀ । ଆଉ ଏକ ନାରୀର ମନକଥା ତାକୁ ବି କିଛି ଅଜଣା ନୁହେଁ । ସିପ୍ରା ତା ନିଜ ଅବସ୍ଥା ଓ ନିଜର ମନ ସଙ୍ଗେ ବିଚିତ୍ରାକୁ ମିଳାଇ ଦେଖିଲା । ଏବେ ସିପ୍ରା ପ୍ରକୃତରେ ବିଚିତ୍ରାର ଅବସ୍ଥା କ’ଣ ଯେ ହେବାକୁ ଯାଉଛି ବୋଲି ଠିକ୍ ଠିକ୍ ଜାଣି ପାରିଲା । ଆସ୍ତେ ଆସ୍ତେ ବିଚିତ୍ରା ପାଇଁ ସିପ୍ରାର ଆଖିରେ ବି ଜମି ଆସିଲା ଅଶ୍ରୁ । ତେଣୁ ସିପ୍ରା ଦଣ୍ଡେ ଗୁମ୍ ଖାଇ କ’ଣ ସବୁ ଭାବିଲା । ତା’ପରେ ସିପ୍ରା ବିଚିତ୍ରାକୁ କହିଲା – ତୁ ଯମା ବି ବ୍ୟସ୍ତ ହ ନା ଦେଈ! ଏହି କଥାଟାକୁ ଆମେ ଆଜି ରାତି ଭିତରେ ତାଳଚେର କୁମାରଙ୍କ କାନକୁ ପଠାଇ ଦେବା ।

ଠିକ୍ ତାହାହିଁ କରାଗଲା । କୁମାର ସେହି ସମ୍ବାଦ ପାଇଲେ । ଏଣେ ବିଚିତ୍ରା ବି ଚାଲିଗଲା ଯଥା ସମୟରେ ମଧୁପୂରକୁ । ତହୁଁ ଶୀଘ୍ର ଶୀଘ୍ର ବିଚିତ୍ରାର ବିଭାଘର ପାଇଁ ଆୟୋଜନ ସବୁ ବଢି ଚାଲିଲା । ହେଲେ ତିଳେହେଁ ସୁଖ ନଥାଏ ବିଚିତ୍ରା ମନରେ । ଦିନରାତି ଖାଲି କାନ୍ଦକଟା କରିବା ଓ ନିକାଂଚନରେ ବସି କ’ଣ ସବୁ ଭାବିବା ବିଚିତ୍ରାର ହେଲା ପେଶା ।

ଏଭଳି ଘଟଣା ଦେଖି ଦାସୀ ପରିବାରୀ ଯାଇ ତୁରନ୍ତ ରାଣୀଙ୍କୁ ଏସବୁ କଥା ଜଣାଇଲେ । ରାଣୀ ବି ଆସି ବିଚିତ୍ରାକୁ ବହୁତ ବୁଝାଇ ସୁଝାଇ କହିଲେ – ଆଲୋ ମା! ହଜିଥିଲେ ଖୋଜିଦେବି, ଭାଙ୍ଗିଥିଲେ ଗଢିଦେବି, ସରଗର ଚାନ୍ଦ ମାଗିଲେ ବି ମୁଁ ତାକୁ ତୋ ହାତ ପାଖରେ ଆଣିଦେବି, ତୁ ଆଉ କନ୍ଦାକଟା ନକରି ସତ କଥା କହ, ତୋର କ’ଣ ହୋଇଛି?

ବିଚିତ୍ରା ପ୍ରକୃତ କଥାକୁ ଲୁଚାଇ ଲୁଚାଇ ଶେଷକୁ ଆଉ ଲୁଚାଇ ପାରିଲାନି । ତେଣୁ ସେ ବିଚିତ୍ରା ବାଧ୍ୟ ହୋଇ ସକଳ କଥା ରାଣୀଙ୍କ ଆଗରେ ଗୋଟି ଗୋଟି କରି ପ୍ରକାଶ କରି ଦେଲା ।

ରାଣୀ ତାଙ୍କ ଅନ୍ତଃପୁରକୁ ଯାଇ ତୁରନ୍ତ ରାଜାଙ୍କୁ ଡକାଇ ପଠାଇଲେ । ଜରୁରୀ ଡାକରା ପାଇ ରାଜା ବି ରାଣୀ ଅନ୍ତଃପୁରରେ ଆସି ପହଁଚିବାରୁ ରାଣୀ ତାଙ୍କ ସ୍ୱାମୀଙ୍କ ଆଗରେ ଝିଅ ବିଚିତ୍ରାର ସମସ୍ତ କଥା ପ୍ରକାଶ କଲେ । ସେ ତାଳଚେର ଯୁବରାଜ ରାକ୍ଷସ କବଳରୁ ଆମ ଝିଅ ବିଚିତ୍ରାକୁ ଯେପରି ବଂଚାଇଛି, ତା’ପରେ ସେମାନେ ଯେପରି ପରସ୍ପର ପରସ୍ପରର ମୁଦି ବଦଳ କରିଛନ୍ତି ଓ ମାଳ ଦିଆଦେଇ ହୋଇଛନ୍ତି, ସେ ସବୁ କଥାଯାକ ଟିକି ନିଖି କରି ରାଣୀ ତାଙ୍କ ସ୍ୱାମୀଙ୍କୁ ବୁଝାଇଲେ । ତା’ପରେ ରାଣୀ ନିଜର ମତାମତ ଦବାକୁ ଯାଇ କହିଲେ – ଝିଅକୁ ଯଦି ତାଳଚେରରେ ବିଭା ନ ଦେଇ ଅନ୍ୟ କୋଉ ସ୍ଥାନରେ ବିଭା ଦେବେ ତା’ହେଲେ ଝିଅ କହୁଛି ସେ ଆତ୍ମହତ୍ୟା କରିଦେବ ।

ରାଜା କହିଲେ – ମୋର ସେଥିରେ ବରଂ ସମ୍ମତ ଅଛି, ସେ ଆତ୍ମହତ୍ୟା କରି ଯମ ଘରକୁ ଗଲେ ମୁଁ ଯେତେ ଖୁସୀ ହେବି, ମୋ ଶତ୍ରୁ ସନ୍ତାନକୁ ବରଣ କରି ଶତ୍ରୁ ଘରର କୁଳଲକ୍ଷ୍ମୀ ହେଲେ ମୁଁ ସେତେ ମାତ୍ରାରେ ସନ୍ତୋଷ ହେବିନି । ଝିଅକୁ ଯାଇ କହିଦିଅ, ପିତା ଦତ କନ୍ୟା । ମୋ ଇଚ୍ଛାରେ ମୁଁ ଯେଉଁଠି ସୁବିଧା ମନେ କରିବି, ଝିଅକୁ ମୋର ସେହିଠାରେ ହିଁ ପ୍ରଦାନ କରିବି । ଏଥିରେ ବିଚିତ୍ରାର ଅସମ୍ମତ ହେବା ଆଦୌ ଉଚିତ୍ ନୁହେଁ ।

ଏ କଥାକୁ ରାଣୀ କାନଡେରି ଶୁଣିଲେ, ମାତ୍ର ତାଙ୍କ ମନ ଭିତରକୁ କିଛିବି ଗଲାନି । ବନ ପୋଡି ହେଲାପରି ରାଣୀ ମାଙ୍କ ଛାତି ଭିତରଟା ଖାଲି ଥନ ଥନ ହୋଇ ଉଠିଲା । ପ୍ରାଣରେ ବି ତାଙ୍କର ଟିକିଏ ଛନ୍ନକା ପଶିଲା । ତେଣୁ ସେ ରାଣୀ ଏବେ ତାଙ୍କ ଝିଅକୁ କ’ଣ କହି ସାନ୍ତ୍ୱନା ଦେବେ କିଛି ବି ଠିକ୍ କରି ପାରିଲେନି । “ଏଭଳି ଏକ ଅବୁଝା ରାଜାଙ୍କୁ ବୁଝାଇବା ଯାହା ପଥରକୁ କଥା କୁହାଇବା ବି ସେଇୟା” ଏହି କଥା ଭାବି ଭାବି ରାଣୀ କେବଳ ନିରବ ଅଶ୍ରୁ ତ୍ୟାଗ କରୁଥାନ୍ତି । ଦାସୀ ପରିବାରୀମାନେ ଯେତେ ଯାହା ବୁଝାଇଲେ ବି ରାଣୀ କିନ୍ତୁ ମୋଟେ କାହା କଥା କିଛି ବୁଝୁ ନଥାନ୍ତି । ଏହିପରି ଭାବେ ଅନ୍ତଃପୁର ମହଲରେ ରାଜତ୍ୱ କରୁଥାଏ କେବଳ ଶୋକ ଓ ଦୁଃଖର ଗଭୀର ରାତ୍ର ।

ତାଳଚେର ଯୁବରାଜଙ୍କ ନିକଟକୁ ସିପ୍ରା ଗୋଟିଏ ଦୂତ ପଠାଇଲା । ଦୂତ ଯାଇ ତାଳଚେର ଯୁବରାଜଙ୍କୁ ବିଚିତ୍ରା କଥା ଜଣାଇବା ମାତ୍ରେ ରାଜପୁତ୍ର ଭାବିଲା ଅକାଳ ବଜ୍ର ପଡିଲା ପରି । ଯାହାକୁ ସେ ବଚନ ଦେଇ, ମାଳା ଓ ମୁଦ୍ରିକା ବଦଳି କରି ତା’ ଜୀବନର ସଙ୍ଗିନୀ ରୂପେ ବାଛି ନେଇଛି, ତାକୁ ନ ପାଇଲେ ତ ତା ଜୀବନ ଖାଲି ହାହାକାର କରି ଉଠିବ । କ୍ଷତ୍ରିୟ ରାଜାମାନେ ଖାଲି ତାକୁ ପରିହାସ କରି ତା କଥାକୁ ଉଡାଇ ଦେବେ । ସିଂହ ଘରଣୀକି ବିଲୁଆ ନେଲା ପରି ଏହି କଥାଟା ହୋଇ ଉଠିବ ଅତି ଅସୁନ୍ଦର । ତେଣୁ ସେ ତାଳଚେର ରାଜ କୁମାର କାହାକୁ କିଛି ନକହି ଦିନେ ରାତିରେ ଘରଛାଡି ଚାଲିଲା ମଧୁପୁର ଆଡେ ।

                ବିରାଟ ସେ ତାଳଚେର ରାଜ୍ୟ । ଅଖୋଜ ବାମଣ୍ଡା ପରି ସେ କାଳରେ କାହିଁରୁ କାହିଁଯାଏ ବ୍ୟାପି ଥାଏ । ଦଶ ପଚାଶ ମୌଜା ଶାସନ କରିବା ପାଇଁ ଜଣେ ଜଣେ ଆଦିବାସୀ ସର୍ଦ୍ଦାର ଥାନ୍ତି । ସେମାନଙ୍କ ଦିମାକ୍ ବି କିଛି କମ୍ ନଥାଏ । ବଛା ବଛା ଲଢୁଆ ଆଦିବାସୀ ମାନଙ୍କୁ ରଖିଥାନ୍ତି ସୈନ୍ୟ ସାମନ୍ତ କରି । ସେମାନେ ଧନୁ, ତୀର, ବର୍ଚ୍ଛା ଘେନି ଲଢିଲେ ହାତୀ ବି ଟଳି ପଡନ୍ତି ଅବଶ ହୋଇ । ମଣିଷ ତ ଦୂରର କଥା । ସେହି ସର୍ଦ୍ଦାର ମାନଙ୍କ ମଧ୍ୟରେ ସବୁ ଠାରୁ ବଡ ସର୍ଦ୍ଦାର ନାମ ଗୋରଖ ପାଇକରା । ତା’ର ପାଂଚ ପୁଅ । ସବା ସାନପୁଅ ନାଁ ଧନବନ୍ତ । ତାଳଚେରର ଯୁବରାଜ ଧନବନ୍ତକୁ ଖୁବ୍ ସ୍ନେହ କରେ । ଧନବନ୍ତ ବି ଯୁବରାଜକୁ ଅତି ଭକ୍ତି କରେ ଠିକ୍ ବଡ ଭାଇ ପରି । ଦୁହେଁ ଏକାଠି ହେଲେ ଅସାଧ୍ୟ କାମକୁବି ସାଧନ କରନ୍ତି ।

                ତେଣୁ ତାଳଚେର ଯୁବରାଜ ଘରୁ ଅନୁକୂଳ କଲାବେଳେ ଭାବିଲା – ଧନବନ୍ତକୁ ନିଜ ସଙ୍ଗରେ ନେବା ପାଇଁ । ତେଣୁ ସେ ଯୁବରାଜ ସିଧା ଯାଇ ପହଁଚିଲା ଗୋରଖ ସର୍ଦ୍ଦାରଙ୍କ ଘରେ ।

ଯୁବରାଜଙ୍କୁ ନିଜ ଘରେ ଦେଖି ଭାରି ଖୁସୀ ହେଲା ଗୋରଖ । ରଜାପୁଅ ଆସି ଅଦିନରେ ତା’ ଘରେ ଅତିଥି ହେବାଠାରୁ ଆଉ ତା’ର ଭାଗ୍ୟ କ’ଣ? ଗୋରଖ ତା ପୁଅମାନଙ୍କୁ ଡାକି କହିଲା – ‘ଦେଖ, ଯୁବରାଜ ଆମ ଘରକୁ ଆସିଛି କୁଣିଆଁ ହୋଇ । ସୌଭାଗ୍ୟ ଦେଖା ଦେଇଛି । ତେଣୁ ତୁମ୍ଭେମାନେ ମୋ ଆଜ୍ଞା ମାନି ଶୀଘ୍ର ବନସ୍ତକୁ ଯାଅ । ଭଲ ଭଲ ପଦାର୍ଥ ଯାହା କିଛି ବି ତୁମ ମାନଙ୍କ ହାବୁଡେ ପଡିବ, ଘେନି ଆସ ଆମେ ଯୁବରାଜର ସତ୍କାର କରିବା ।

ବାପ ଆଜ୍ଞା ପାଇ ପାଂଚ ପୁଅ ଯାକ ନିଜ ନିଜ ଧନୁଶର ଧରି ଗଲେ ନିଘୋଡ ବନସ୍ତକୁ । ପାଚିଲା କୋଳି, ମିଠା ଫଳ ଇତ୍ୟାଦି ଯିଏ ଯାହା ପାଇଲେ ତୋଳିଲେ । ହରିଣ ଓ କୁଟୁରା ଶିକାର କରି ଖୁବ୍ ବେଳାବେଳି ସେହି ପୁଅ ମାନେ ଫେରିଲେ ତାଙ୍କ ଘରକୁ ।

ବନବାସୀ ଲୋକ । ସେମାନେ ଦୁଃଖେ ସୁଖେ ଯାହା ପାଆନ୍ତି ସେତିକି ଖାଇ ବଂଚି ରହିବା ସେମାନଙ୍କର ଧର୍ମ । ଆଡମ୍ବର ନାହିଁ । ସରଳ ଭାବରେ ଚଳିବା, ସତ କହିବା, ପର ସେବା କରିବାକୁ ସୁଖ ପାଆନ୍ତି ସେମାନେ । ଦୁନିଆର ଜଟିଳତା ଭିତରେ ପଶି ନିଜକୁ କଳୁଷିତ କରିବାକୁ ସେମାନେ ମୋଟେ ଇଚ୍ଛା କରନ୍ତିନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ