ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକୁମାରୀ ବିଚିତ୍ରା

ଅତିଥି ସେମାନଙ୍କର ଦେବତା । ଅତିଥି ସେବା କରିବାକୁ ନିଜ ଜୀବନ ପର୍ଯ୍ୟନ୍ତ ବିପନ୍ନ କରିବାକୁ ସେମାନେ କେବେବି ଡରନ୍ତିନି । ତା’ପରେ ବି ସେମାନେ ସବୁ ହେଲେ ରାଜ ଭକ୍ତ ପ୍ରଜାଗଣ । ରାଜାଙ୍କୁ ସେମାନେ ସେମାନଙ୍କ ଭାଷାରେ କହନ୍ତି ଠାକୁର । ରାଜାଙ୍କ ପାଇଁ ସେମାନେ ତାଙ୍କ ଜୀବନକୁ ତିଳ ତିଳ କରି ବଳି ଦେବାକୁ ଆଗେଇ ଆସନ୍ତି ଖୁବ୍ ଆନନ୍ଦରେ ।

ଗୋରଖ ଆଜି ଯୁବରାଜଙ୍କୁ ଚର୍ଚ୍ଚା କରିବବୋଲି ନାନାପ୍ରକାର ଫଳ ଓ ମାଂସର ଯୋଗାଡ କଲା । ତେଣୁ ସେଦିନ ସେଠାରେ ହେଲା ଗୋଟାଏ ବଣଭୋଜି । ସେ ଭୋଜିରେ ଗ୍ରାମର ସମସ୍ତ ଆଦିବାସୀମାନେ ଯୋଗ ଦେଲେ । ଯୁବରାଜଙ୍କୁ ଏସବୁ ବଡ ଆନନ୍ଦ ଲାଗିଲା । ଖୁସି ଗଳ୍ପ କରି ସମସ୍ତେ କୁଶଳ ପ୍ରଶ୍ନ ପଚରାପଚରି କଲେ ।

ଯୁବରାଜ ମଧ୍ୟ ସଂକ୍ଷିପ୍ତରେ ନିଜ ରାଜ୍ୟର ଓ ରାଜବାଟୀର କୁଶଳ ସମାଚାର ଜଣାଇ ସାରିଲା ପରେ କହିଲା, ମୁଁ ଏଠାକୁ ଆସିଛି ଧନବନ୍ତକୁ ମୋ ସଙ୍ଗରେ ନେବା ପାଇଁ । ସେ କଥାରେ ଗୋରଖ ବି ମୋଟେ ଅସମ୍ମତ ହେଲା ନାହିଁ । ବରଂ ଖୁସି ହୋଇ ଧନବନ୍ତକୁ ପଠାଇ ଦେଲା ଯୁବରାଜଙ୍କ ସଙ୍ଗରେ । ସେଦିନ ପିଛିଲା ରାତି ଘଡିଏ ଖଣ୍ଡେ ଥାଇ ଦି’ସାଙ୍ଗଯାକ ଘୋଡାରେ ଚଢି ଚାଲିଲେ ମଧୁପୂର ଯିବା ବାଟରେ । ମଧୁପୂରରେ ପହଁଚିବାକୁ ଦୁଇ ମିତ୍ରଙ୍କୁ ଦୀର୍ଘ ତିନିଦିନ ଲାଗିଲା ।

ଠିକ୍ ସେହି ସମୟରେ ସନ୍ଧ୍ୟା ବୁଡି ବୁଡି ଆସୁଛି । ଗୋରୁ ଗାଈ ଚରାବୁଲାରୁ ଫେରି ଗୁହାଳେ ଓ ଗୋଠଅଡାମାନଙ୍କରେ ଯାଇ ଆଶ୍ରୟ ନେଲେଣି । ରଖୁଆଳମାନେ ଲାଗିଛନ୍ତି ତିରଣ ପ୍ରଭୃତି ପିଇବାରେ । କୁଳବଧୂ ମାନେ ସଞ୍ଜ ସଳିତା ଜଳାଇ ଗଳ ବସ୍ତ୍ରରେ ପ୍ରଣିପାତ୍ୟ ହେଉଥାନ୍ତି ବୃନ୍ଦାବତୀ ପାଖରେ । ଗୁରୁଗମ୍ଭୀର ନାଦରେ ଦେବ ମନ୍ଦିର ମାନଙ୍କରେ ଶୁଣା ଯାଉଥାଏ କେବଳ ସୁମଧୁର ଶଙ୍ଖଧ୍ୱନି । କେହି କେହି ବି ହୁଳହୁଳି ପକାଉଥାନ୍ତି । ଭାଗବତ ମନ୍ଦିର ମାନଙ୍କରେ ବୋଲାଯାଏ ଭାଗବତ ପୋଥି । ଠିକ୍ ଏତିକିବେଳେ ତାଳଚେର ଯୁବରାଜ ଓ ଧନବନ୍ତ ଯାଇ ପହଁଚିଲେ ମଧୁପୂରର ରାଜ-ନଗରୀରେ । ସଙ୍ଗରେ ଘୋଡା ଥିଲେ କାଳେ ସେମାନେ ଧରା ପଡିଯିବେ, ଏଥିପାଇଁ ଅନତିଦୂରରେ ଥିବା ଗୋଟିଏ ହରିଜନର ଜିମାରେ ଘୋଡାମାନଙ୍କୁ ଦେଇ ସେମାନଙ୍କ ଖାଦ୍ୟପେୟ ଓ ଚଳାଚଳ ନିମନ୍ତେ ସେହି ହରିଜନକୁ କିଛି ଟଙ୍କା ପଇସା ଦେଇ ଯାଇଥାନ୍ତି । ଏଣେ ଯୁବରାଜ ନିଜେ ଯାଇଥାନ୍ତି ସାଧାରଣ ବେଶ ଧରି । ମଧୁପୂର ଗଡରେ ପହଁଚି ପ୍ରଥମେ ସେମାନେ ଗୋଟେ ବସାଘର ଖୋଜିଲେ । ଏହି ବସାଘର ବିଷୟରେ ପଚାରିପଚରି କରୁ କରୁ ଜଣେ କହିଲା – “ତୁମେ ମାନେ ତ ଦୂର ବିଦେଶୀ ଲୋକ । ଏଠାରେ ତୁମମାନଙ୍କୁ ଯେଉଁ ବସାଘର ମିଳିବ, ତାହା ତୁମ ପକ୍ଷେ ଆଦୌ ସୁବିଧା ହେବନି । ସୁବିଧାରେ ରହିବାକୁ ଇଚ୍ଛାଥିଲେ ତୁମେମାନେ ନଗର ସେ ମୁଣ୍ଡକୁ ଚାଲି ଯାଅ । ସେଠି ରହୁଥିବା ଚମ୍ପାବତୀ ମାଲ୍ୟାଣୀ ଘରେ ତୁମ ମାନଙ୍କୁ ଅବସ୍ୟ ବସା ମିଳିଯିବ ।

ରାଜ କୁମାର ପଚାରିଲେ – “ସେ ଚମ୍ପାବତୀ ମାଲ୍ୟାଣୀ ଲୋକଟି ହିସାବରେ କିପରି?

ଲୋକେ କହିଲେ – ସେ ତ ଭାରି ଭଲ । ସଂସାରରେ ତା’ପାଇଁ ସେ ବିଲ୍କୁଲ୍ ଏକା । ତାର କେହି ସଖା ସୋଦର ନାହିଁ କି କେହି ନେଁ ନେଞ୍ଜେରା ବି ନାହିଁ । ସେ ରାଜାଙ୍କ ଉଆସ ପାଇଁ ଫୁଲ ଗୁନ୍ଥିବ, ପଡି ବର୍ତନ ଆଣି ଖାଇବ । ତାର ବି କିଛି ଅଭାବ ନାହିଁ କି ଅଭିଯୋଗ ନାହିଁ । ପର ମନ କଥା ସେ ଠିକ୍ ଜାଣେ, ତେଣୁ ସେ ଶତ୍ରୁକୁ ବି ଆପଣାର କରିପାରେ । ତାର ତ ବଅସ ଗଲାଣି । ବୋଧ ଶକ୍ତି ବି ତାର ଆସି ଗଲାଣି । ତୁମେ ତାରି ଘରକୁ ଗଲେ ହିଁ ତୁମମାନଙ୍କର ଖୁବ୍ ସୁବିଧା ହେବ । ବୁଢୀ ମଧ୍ୟ ତୁମକୁ ତା ପାଖରେ ପାଇଲେ କୋଟିନିଧି କରିବ । ଏ କଥା ଶୁଣି ଦୁଇ ବନ୍ଧୁ ସିଧା ଚାଲିଲେ ସେହି ଚମ୍ପାବତୀ ମାଲ୍ୟାଣୀ ଘରକୁ ବାଟ ପଚାରି ପଚାରିକା ।

ରାତି ପ୍ରହରକ ସରିକି ଚମ୍ପାବତୀର ଦେଖା ମିଳିଲା । ଏହି ଦୁଇ ମିତ୍ର ମାନେ ସୌଦାଗର ପୁଅ ବୋଲି ନିଜର ପରିଚୟ ଦେଇ ତା’ରି ଘରେ ବସାବାନ୍ଧି ରହିଲେ । ଦୁଇ ମିତ୍ର ଚମ୍ପାବତୀ ମାଲ୍ୟାଣୀର ମନଟା ନେବାପାଇଁ ତାଙ୍କୁ ଟଙ୍କା-ଟୁକୁର ଦେଉଥାନ୍ତି ମନବୋଧ କରି । ସେ ମାଲ୍ୟାଣୀ ବି ରନ୍ଧାବଢା କରି ଏ ଦୁଇମିତ୍ରଙ୍କୁ ଖୁଆଉ ଥାଏ ।

ଚାରୋଟି ଦିନ ଗଲା । ତାପରେ ପରସ୍ପର ପରସ୍ପରକୁ ବିଶ୍ୱାସ କଲେ । ସେମାନଙ୍କ ମନରେ ମନ ମିଶିଲା । ମାଲ୍ୟାଣୀ ଫୁଲହାର ଗୁନ୍ଥେ । ରାଜାଘରକୁ ଗଲାବେଳେ ସେ ମାଲ୍ୟାଣୀ ଏ ଦୁଇ ମିତ୍ରକୁ ତା ଘର ଦ୍ୱାର ସମର୍ପି ଦେଇ ଯାଏ । କାହାରି କାହାପ୍ରତି ତିଳେହେଁ ଅବିଶ୍ୱାସ ନଥାଏ । ଖୁବ୍ ଅଳ୍ପଦିନ ଦେଖାରେ ମଧ୍ୟ ସେମାନେ ଠିକ୍ ଯେପରି ମା’ ପୁଅ ପରି ଚଳୁଥାନ୍ତି ।

ଦିନକର ଘଟଣା ମାଲ୍ୟାଣୀ ଫୁଲ ଗୁନ୍ଥିଲା ବେଳେ ଯୁବରାଜ ଯାଇ ତା’ ପାଖରେ ବସିଲା । ଦିହେଁ ଏଣୁ ତେଣୁ କଥାବାର୍ତ୍ତା ହେଲେ । ଗୋଟିଏ ଭଲ ଗଜରା ହାର ହାତରେ ଦେଖୁ ଦେଖୁ ଯୁବରାଜ ପଚାରିଲା – “ମାଉସୀ! ଏ ହାରଟି ତୁ କାହାପାଇଁ ଗୁନ୍ଥିଛୁ?

ମାଲ୍ୟାଣୀ କହିଲା – “ବାପରେ, ଆମ ରାଜାଙ୍କ ଜେମାଦେଈ ପିଲାଟିଦିନୁ ତାଙ୍କ ମାମୁଁ ଘରେ ଥିଲେ । ଅଳ୍ପଦିନ ହେଲା ସେ ତାଙ୍କ ନିଜ ଘରକୁ ଆସିଛନ୍ତି । ସେ ଆଉ ବେଶି ଦିନ ବି ଏଠାରେ ରହିପାରିବେନି, ହେଲେ ଫୁଲହାରକୁ ଭାରି ଆଦର ତାଙ୍କର ।”

ଯୁବରାଜ ପଚାରିଲା – ଏ ମାଳାଟି କ’ଣ ଗୁନ୍ଥା ହୋଇଛି ସେହି ଜେମାଦେଇଙ୍କ ପାଇଁ?”

ମାଲ୍ୟାଣୀ କହିଲା – “ହଁ!”

ଯୁବରାଜ ପଚାରିଲା – “ଆଚ୍ଛା, ବେଶିଦିନ ରହି ପାରିବେନି କ’ଣ?”

ମାଲ୍ୟାଣୀ କହିଲା – “ବିଭା ହୋଇ ଯିବେ ପରା ।”

ଯୁବରାଜ ପଚାରିଲା – “କେଉଁଠିକୁ?”

ମାଲ୍ୟାଣୀ କହିଲା – “ରାଜା ଆମର ସ୍ଥିର କରିଛନ୍ତି ସୁକିନ୍ଦାରେ । ହେଲେ ଆମ ଜେମାଦେଈ କି ରାଣୀଙ୍କର ମୋଟେ ସେଠାରେ ଇଚ୍ଛା ନାହିଁ ।

ଯୁବରାଜ ପଚାରିଲା – “କାହିଁକି?”

ମାଲ୍ୟାଣୀ କହିଲା – “ଆମ ଜେମାଦେଈଙ୍କର ଭାରି ଇଚ୍ଛା ତାଳଚେର ଯୁବରାଜଙ୍କୁ ବିଭା ହେବା ପାଇଁ । ରାଣୀ ବି ତାଙ୍କ ଝିଅ କଥାରେ ଏକମତ। ମାତ୍ର ରାଜା କହନ୍ତି ସେ ତାଳଚେର ରାଜା ଆମର ଶତ୍ରୁ । ତାଙ୍କ ପୁଅ ସଙ୍ଗେ ମୁଁ କଦାପି ମୋ ଝିଅକୁ ବିଭା ଦେବିନି ।

ଯୁବରାଜ ଅଳ୍ପ ଟିକିଏ ଗୁମ୍ଖାଇ କ’ଣ ସବୁ ଭାବିଲା । ତା’ପରେ ସେ କହିଲା – “ମାଉସୀ! ତୋତେ ମୁଁ ଏହିକ୍ଷଣି ହଜାରେ ଟଙ୍କା ଦେବି । ତୁ ମୋର ଗୋଟିଏ କାମ କରି ପାରିବୁ କି?

ମାଲ୍ୟାଣୀ ପଚାରିଲା – “କି କାମ?”

ଯୁବରାଜ କହିଲା – “ତୁ ନିୟମ ନ କଲେ ମୁଁ ତୋତେ ସେ କଥା କେବେ ବି କହିବିନି । କିନ୍ତୁ ମୁଁ ଠିକ୍ ଜାଣେ ଯେ କାମଟା ନିଶ୍ଚେ ତୋ ଦ୍ୱାରା ହିଁ ହୋଇ ପାରିବ ।”

ମାଲ୍ୟାଣୀ କହିଲା – କାମଟା ଯଦି ମୋ ଦ୍ୱାରା ହୋଇ ପାରିବ, ତେବେ ମୁଁ ନିୟମ କରି କହୁଛି ନିଶ୍ଚେ ସେହି କାମ କରିଦେବି ।

ଏବେ ସେ ମାଲ୍ୟାଣୀଠାରୁ ନିର୍ଭର ଜବାବ୍ ପାଇ ଯୁବରାଜ ନିଜର ପରିଚୟ ଦେଲା ଏବଂ କହିଲା – “ଖଣ୍ଡେ ଚିଠି ନେଇ ଜେମାକୁ ଦେବାପାଇଁ ।”

ତାଳଚେର ଯୁବରାଜଙ୍କ ପରିଚୟ ପାଇ ହଠାତ୍ ଜିଭ କାମୁଡି ପକାଇଲା ସେ ମାଲ୍ୟାଣୀ । ମାଲ୍ୟାଣୀ କହିଲା – ଛାମୁଁ ଭାରି କପଟୀ । ଏ ଗରିବ ମାଳିଆଣୀଟା ଦୁଆରେ ଇତର ଲୋକପରି ରହି ଆଜିଯାଏଁ ଚିହ୍ନା ଦେଲେନି । ଅଜାଣତରେ ମୁଁ ଯଦି କିଛି ଅପରାଧ କରିଥିବି, ତେବେ ଆପଣ ମୋତେ କ୍ଷମା ଦେବେ । ଏଣିକି ମନରେ ଆଉ କିଛି ଚିନ୍ତା କରନା । ତୁମର ସବୁ କାମ ମୁଁ ହିଁ କରିବି ।

ସେ ମାଲ୍ୟାଣୀର ଏପରି ନମ୍ର ଏବଂ ମଧୁର କଥା ଶୁଣି ତାଳଚେର ଯୁବରାଜ ଖୁବ୍ ଖୁସି ହୋଇ ଖଣ୍ଡେ ଚିଠି ଲେଖିଲା ବିଚିତ୍ରା ପାଖକୁ । ସେହି ଚିଠିରେ ତାଳଚେର ଯୁବରାଜ ଲେଖିଥିଲା –

ରସା ଭୂଷା ଯୋଷା                           ବର ମୋ ଦୁର୍ଦ୍ଦଶା

                    କହିଲେ ନସରେ ରସାରେ

ବାମଦେବ ଅରି                               ବାମ ହୋଇ ଘାରି

                    ଦିଏ ପଂଚଶର ନିଶାରେ

             କାସାରେ । ମଉନେ ଯେମନ୍ତ ସାରସ ।

ତେମନ୍ତ ମଉଳି                               ଯାଏ ଚିତ କଳି

                 ଝଳିଯାଏ ପ୍ରାଣୁ ହରଷ । ୧ ।

ଦୂତ ମୁଖୁ ବାର୍ତା                               ପାଇ ଲଭି ବ୍ୟଥା

                   ଦିବସକୁ ମଣି ବରଷ

ଆସିଲି ପଳାଇ                               ଦେଖା ହେବା ପାଇଁ

                   ଥୟ ନ ହେବାରୁ ମାନସ

ମାଳିନୀ । ବାସେ ଅଛି ବସା ଆବୋରି ।

ସ୍ନେହ ଥିଲେ ଚିତେ                           ଆଜିର ନିଶୀଥେ

                 ବ୍ୟଥା ହରିବ ଚମ୍ପା ଗୋରୀ । ୨ ।

ଗଳେ ମଣ୍ଡି ମାଳା                             ଗୋ କେଳି କୁଶଳା

                  ମୁଦ୍ରିକା କରିଛ ବଦଳ

ସେଦିନୁ ଛାତିରେ                             ଦିବସ ରାତିରେ

                  ଚିତ୍ର ପରି ଅଛି କେବଳ

                ଜୀବନ । ଗଲେ ମୁଁ ଭୁଲି ନ ପାରିବି ।

ସିପ୍ରା ବିଚିତ୍ରାଙ୍କୁ                               ସାରା ଜୀବନକୁ

                ତାଳଚେର ରାଣୀ କରିବି । ୩ ।

ସେହି ପତ୍ର ଖଣ୍ଡିକରେ ଏତିକି ଛଡା ଆଉ ବେଶି କିଛି ଲେଖା ନଥିଲା । ମାଲ୍ୟାଣୀ ଫୁଲମାଳା ନେଇ ଗଲାବେଳେ ସେ ପତ୍ର ଖଣ୍ଡିକ ନେଇ ବିଚିତ୍ରାକୁ ଦେଲା । ସେହି ପତ୍ରକୁ ପଢିଲା ମାତ୍ରେ ବିଚିତ୍ରା ଆଖିରୁ ଝରି ପଡିଲା କେବଳ ଦୁଇଧାର ତତଲା ଲୁହ । ତାର ମନ ଭିତରେ ଆନନ୍ଦର ସହସ୍ର ଝରଣା ସ୍ରବି ଆସିଲା । ମାଲ୍ୟାଣୀକି ସେ କ’ଣ ପୁରସ୍କାର ଦେବ, କିଛି ସ୍ଥିର କରି ନ ପାରି ବିଚିତ୍ରା କେବଳ ସେହି ମାଲ୍ୟାଣୀକୁ ଅତ୍ୟନ୍ତ ସ୍ନେହରେ କୁଣ୍ଢାଇ ପକାଇଲା ଓ କହିଲା – “କେଉଁ ଜନ୍ମରେ ତୁ ମୋର କ’ଣ ଥିଲୁ କେଜାଣି, ଏ ଜନ୍ମରେ ତୁ ମୋର ଖୁବ୍ ଉପକାର କଲୁ ମାଲ୍ୟାଣୀ! ବିରହ ବିଧୁରା ଚକ୍ରବାକୀ ପ୍ରାଣରେ ମୋର ଅଶାର କୁସୁମ ଫୁଟାଇ ଦେଲୁ । ତୃଷାର୍ତି ଚାତକିନୀ ମୁଖରେ ବର୍ଷାବାରି ପତନ ହେଲା ପରି ପ୍ରାଣ ବି ମୋର ଅତ୍ୟନ୍ତ ଶୀତଳ ହୋଇଛି । ଜନ୍ମେ ଜନ୍ମେ ତୋ ଋଣ ମୁଁ କଦାପି ସୁଝି ପାରିବିନି ।” ଏହି ସବୁ କଥା କହୁ କହୁ ବିଚିତ୍ରା ନିଜ ଗଳାରୁ ମୁକ୍ତାମାଳଟି କାଢି ପିନ୍ଧାଇ ଦେଲା ସେ ମାଲ୍ୟାଣୀ ଗଳାରେ । ତା’ପରେ ଦିହେଁ ନିକାଂଚନକୁ ଯାଇ ଖୁବ୍ ଗୋପନରେ ସକଳ ବିଷୟ କଥାବାର୍ତ୍ତା ହେଲେ । ତା’ପରେ ବିଚିତ୍ରା ବି ଏକ ଚିଠି ଲେଖିଲା –


ଗପ ସାରଣୀ

ତାଲିକାଭୁକ୍ତ ଗପ