ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକୁମାରୀ ବିଚିତ୍ରା

ଜଗତ ଜୀବନ                                ଭକ୍ଷଣ ଧାରଣ

                  ଚରଣେ କରି ନମସ୍କାର

ବିରହ ବିଧୂରା                                ଜଣାଏ ଅଧୀରା

                  ହୋଇ ସମ୍ମତି ଆପଣାର

                ଦେବତା । ତୁମଲାଗି ଫୁଲମାଳାକୁ ।

ଜୀବ ଗଲେ ଯିବ                             କଦାପି ନ ନେବ

                ଆନ ଜନ କାଳ କାଳକୁ । ୧ ।

ଶଶୀକୁ କୁମୁଦ                                ଦେଖି ଯେହ୍ନେ ମୁଦ

                  ଫେଇ ହସେ ଦୀର୍ଘ ଜଳରେ

ଯେହ୍ନେ ଏ ଜୀବନ                            ହୃଦପଦ୍ମେ ଘେନ

                   ଥାଇ ଶତ ସଖୀ ମେଳରେ

                ଦେବତା । ଶ୍ରୀଚରଣ ବିନା ତୁମ୍ଭରି ।

ଆନେ ନାହିଁ ମନ                             ନିରାଟ ବଚନ

                ବିଚାରି ମନେ ଘେନା କରି । ୨ ।

ଯାମିନୀ ଦ୍ୱିତୀୟ –                            ଯାମରେ ନିଶ୍ଚୟ

                   ମାଲ୍ୟାଣୀ ଉପବନିକାରେ

ହେବାକୁ ସାକ୍ଷାତ                             ରହିବ ଜାଗ୍ରତ

                     ନକରି କିଛି ଆଶଙ୍କାରେ

                ପାରିଲେ । ରୁକ୍ମିଣୀଙ୍କୁ ଯେହ୍ନେ ମାଧବ ।

ହରି ନେଲେ ସେହି                           ପରି ମୋତେ ନେଇ

                 ଯାଅ, ଯାଉ ଧନ୍ଦା ସରବ । ୩ ।

ଚିଠି ଖଣ୍ଡିକ ଲେଖିସାରି ମୁଦ ପକାଇ ମାଲ୍ୟାଣୀ ହାତରେ ଦେବା କଥା କେହି ବି ଜାଣି ପାରିଲେନି । ସେ ମାଲ୍ୟାଣୀ ବି ଖୁବ୍ ଚତୁରୀ । କଥାଟାକୁ ବାର କାନ ହେବାକୁ ନଦେଇ ସେ ମାଲ୍ୟାଣୀ ଜଣକ ଖୁବ୍ ସାବଧାନରେ ଚିଠିଟି ଆଣି ସିଧା ତାଳଚେର ଯୁବରାଜଙ୍କୁ ଦେଲା । ପଢିଲା ମାତ୍ରେ ଖୁସି ପୁଣି ଦେଖେ କିଏ ତାଳଚେର ଯୁବରାଜର! ଖାଲି ପ୍ରେମରେ ଫୁଲି ଉଠିଲା ସେ ଯୁବରାଜ ଜଣକ । ହେଣ୍ଡି ଉପରେ ହେଣ୍ଡି ମାରିଲା । ଯେମିତିକି ସେ ଯୁବରାଜର ମନ କହିଲା ହିମାଳୟ ଡେଇଁ ପଡିବାକୁ । ମାଲ୍ୟାଣୀକି ଏବେ ସେ ଯୁବରାଜ ଯେ କ’ଣ ପୁରସ୍କାର ଦେବ, ଭାବି ଭାବି ଶେଷରେ କିଛି ସ୍ଥିର କରିପାରିଲାନି । ନିଜ ପୋଷାକରେ ଥିବା ପାକିଟି ଅଣ୍ଡାଳି ଅଣ୍ଡାଳି ପାଇଲା ତିନି ଖଣ୍ଡ ହୀରା । ସେତିକି ମାତ୍ର ଯୁବରାଜ ସେ ମାଲ୍ୟାଣୀ ହାତରେ ଦେଇ କହିଲା ମାଉସୀ! ମୋ ପାଖରେ ଯାହା ସବୁ ଥିଲା, ପୁରସ୍କାର ରୂପେ ତୋତେ ସେତିକି ମାତ୍ର ଦେଲି । ପରେ ପୁଣି ଯାଇ ତୋ କଥା ବିଚାର କରାଯିବ ।

ମାଳତୀ (ସେହି ମାଲ୍ୟାଣୀର ନାମ) କହିଲା – “ପ୍ରଭୁ ତୁମର ସବୁ କିଛି ମଙ୍ଗଳ କରନ୍ତୁ ଯୁବରାଜ! ଆମ ଜେମାଦେଈକି ପାଇ ତୁମେ ଆଗେ ଖୁସୀ ହୁଅ, ତା ପରେ ଯାଇ ଅନ୍ୟ ଯେଉଁ କଥା । ଏହିପରି ଭାବେ ନାନା କଥା ହୋଇ ସେ ତାଳଚେର ଯୁବରାଜ ଓ ମାଳତୀ ସେ ଦିନଟି କଟାଇ ଦେଲେ । ତାଳଚେର ଯୁବରାଜ ତାର ମିତ୍ର ଧନବନ୍ତକୁ ପଠାଇ ଘୋଡା ଯୋଡିକ ମଗାଇ ଆଣିଲା ଠିକ୍ ସଂନ୍ଧ୍ୟା ବେଳେ । ଖୋଇପେଇ ସେହି ଘୋଡା ମାନଙ୍କୁ ଯୁବରାଜ ଏକ ଗୁପ୍ତ ସ୍ଥାନରେ ବାନ୍ଧି ରଖିଲା । ଏମିତିକି ସେକଥା କେହି ବି ଜାଣି ପାରି ଲେନି ।

ଏଣେ ତ ବିଚିତ୍ରାର ମନୋବୃତି ଆଦୌ ସ୍ଥିର ନଥାଏ । ତେଣୁ ସେ କେବଳ ଛୁଆ ଛାଡି ବିଲେଇ ଭଳି ଘରୁ ବାହାରକୁ ଓ ବାହାରୁ ଘରକୁ ଆସୁଥାଏ । ରାତି ପ୍ରାୟ କେତେ ହେଲାଣି ବୋଲି ସେ ଖାଲି ବାରମ୍ବାର ଅନାଉଥାଏ । ବିଚିତ୍ରାର ମନ ଖାଲି ଉଡୁଥାଏ ସେହି ଚମ୍ପାବତୀ ମାଲ୍ୟାଣୀର ବଗିଚା ପାଖକୁ । ସଙ୍ଗ ସଖୀମାନେ ବିଚିତ୍ରାର ଏପରି ଅବସ୍ଥା ଦେଖି ମନେ ମନେ କେବଳ ସନ୍ଦେହ କରୁଥାନ୍ତି । କେହି କିଛି ପଚାରିଲେ ବିଚିତ୍ରା ସେ ବିଷୟରେ କାହାକୁ ବି କିଛି କହେନି । ଏଣୁ ତେଣୁ କଥାରେ ବାଆଁ ରେଇ ଦିଏ ବିଚିତ୍ରା ପଚାରିଲା ବାଲାଙ୍କୁ । କଥାରେ ପରା ଅଛି –

ଯାହା ମନ ରସି –                            ଥାଏ ଯେ କଥାରେ

                   ଲଭିବା ପାଇଁ ସେ କଥା

ଉଡୁଥାଏ ସେହି                               ଗଗନ ପବନ

                   ସ୍ଥିର ନ ଥାଏ ତା ମଥା

ଅମୃତ ଲାଗଇ                                ବିଷ ପରି ତାକୁ

                   ଥଣ୍ଡା ନ ଲାଗେ ଚନ୍ଦନ

ଶାନ୍ତ ହୁଏ ଚିତ                                ଲାଭ କରେ ଯେବେ

                   ନିକଟେ ବାଂଛିତ ଧନ ।

ଜେମାଦେଈଙ୍କ ଅବସ୍ଥା ବି ବର୍ତ୍ତମାନ ଠିକ୍ ସେହିପରି ହୋଇଛି । ବାଂଛିତ ପଦାର୍ଥ ଯେ କେତେବେଳେ ତା ହାତ ପାଖରେ ମିଳିବ, ସେଥିପାଇଁ ସେ ହୋଇ ଉଠୁଛି ଖାଲି ପାଗଳିନୀ ପରି । ବିଚିତ୍ରା ଚେଷ୍ଟା କରୁଛି ସଙ୍ଗ ସଖୀମାନଙ୍କୁ ତାର ଶୀଘ୍ର ଶୀଘ୍ର ନିଜ ପାଖରୁ ଅନ୍ତର କରି ଦେବା ପାଇଁ । କିନ୍ତୁ ଭିତର କଥା କେହି କିଛି ବି ଜାଣିପାରୁ ନାହାନ୍ତି । ତେଣୁ ଚାଲିଛି ଖାଲି ଠାରଠୁର, ଖେଂଚା ଖେଂଚି, ଚୁମୁଟା ଚୁମୁଟି ।

ଖିଆପିଆ ପହର ହେଲା । ସମସ୍ତେ ଖାଇ ପିଇ ଯେ ଯୁଆଡେ ଗଲେ ଶୋଇବାକୁ, କେବଳ ଜେମା ରହିଲା ଏକାକିନୀ । କବାଟ କଂଟା ଦେଇ ଶୋଇଲା ସିନା, ହେଲେ ଆଖିକି ତାର ନିଦ ମୋଟେ ଆସିଲାନି । ମନ ଭିତରେ ବିଚିତ୍ରାର ଜଳୁଥିଲା କେବଳ ଅଶାନ୍ତିର ନିଆଁ ।

ଧୀରେ ଧୀରେ ରାତି ଅଧ ହେଲା । ଦି’ ପହରିଆ ବିଲୁଆମାନେ ସବୁ ଭୁକିଲେ । ସିରିସିରିଆ ପବନ ସଙ୍ଗେ ସାଇଁ ସାଇଁ ନିଶା ବି ଗର୍ଜନ କରି ଉଠିଲା । ବିଚିତ୍ରା ବାହାରକୁ ଆସି ଦେଖିଲା ସବୁଆଡ ନିଶୁନ । ତା’ର ଗତିବିଧି ଲକ୍ଷ୍ୟ କରିବାକୁ କୌଣସିଠାରେ ମଧ୍ୟ କେହି ନାହାଁନ୍ତି । ଠିକ୍ ଏତିକିବେଳେ ହିଁ ଅନୁକୂଳ କରିବା ପାଇଁ ତାଳଚେର ରାଜପୁତ୍ରକୁ ମାହେନ୍ଦ୍ର ସୁଯୋଗ ଘଟିଛି । ତେଣୁ ଆଉ କାଳ ବିଳମ୍ବ ନକରି ସେହିକ୍ଷଣି ବାହାରି ପଡିଲା ସେ ରାଜପୁତ୍ର । କାଳେ କିଏ କେଉଁଠି ଛପି ଛାପି ତାଙ୍କୁ ଦେଖୁଥିବ, ଏଥିପାଇଁ ରାଜପୁତ୍ରର ମନଟା ବି ଟିକେ ଚଙ୍ଗ ଚଙ୍ଗ ଲାଗୁଥାଏ । ଡର, ଭୟ, ଆପଦ ଏସବୁ କଥା ପଛକୁ ପକାଇ ଗୋଟାଏ ଉନ୍ମାଦନାରେ ଚାଲିଲା ବିଚିତ୍ରା । ଲକ୍ଷ ତା’ର ପ୍ରାୟ ମୁଖ ଦର୍ଶନ । କଥାରେ ପରା ଅଛି –

“ପ୍ରିୟ ବସ୍ତୁ ଲାଭ ଚିନ୍ତା ଅଛି ଯାର

କୋଟି ବିପଦକୁ ଭୟ କିବା ତାର ।”

ବିଚିତ୍ରା ବି ବର୍ତ୍ତମାନ ଏହି ପଥର ଯାତ୍ରୀ ହୋଇ ଆଗକୁ ଚାଲିଛି ଖୁବ୍ ଉତ୍ସାହରେ । ସେ ପୁଣି ଛାତି ତାର ଟାଣ କରିଛି ଠିକ୍ ଲୁହା ପରି । ମନକୁ ସେ ତା’ର ହିମାଦ୍ରୀ ଶୃଙ୍ଗ ପରି ଅଟଳ କରିଛି । ସେ ଜାଣୁଛି ଯେ ତାର ଗତିବିଧି ଲକ୍ଷ୍ୟ କରିବାକୁ ଏଭଳି ଏକ ନିଶୂନ ରାତିରେ କେହି ନାହାନ୍ତି ।

ରାତ୍ରିଚର ଜଣେ ପହରାରେ ଥାଇ ଖୁବ୍ ସାବଧାନ ଭାବେ ବିଚିତ୍ରାର ଗତିବିଧି ଉପରେ ତୀବ୍ର ଦୃଷ୍ଟି ରଖିଛି ବୋଲି ମୋଟେ ଜଣା ନଥାଏ ବିଚିତ୍ରାକୁ । ରାଜକୁମାରୀ ବିଚିତ୍ରା ତ ସୁକୁମାରୀ ଅଲ୍ୟଳଟିଏ । ବିଚିତ୍ରାର ଚାଲିବାର ଭଙ୍ଗୀ ସବୁରି ମନ ନେତ୍ର ଟାଣି ନେଉଥାଏ । ତେଣୁ ସେ ବିଚିତ୍ରା ଚାଲୁଥାଏ ଚଙ୍ଗ ଚଙ୍ଗ ହୋଇ । ବାରମ୍ବାର ଖାଲି ସେ ପଛକୁ ଅନାଉ ଥାଏ । ବେଳେ ବେଳେ ସେ ଚମକି ପଡେ । ତା ପାଦ ଥମକି ଯାଏ । ତା ଛାତି ବି ଦମକି ଉଠେ । ତଥାପି ସେ ବିଚିତ୍ରା ଚାଲିଥାଏ ଉନ୍ମାଦନାର ବଶବର୍ତୀ ହୋଇ ।

ତେଣେ ତାଳଚେର ରାଜ କୁମାର ଆଖିରେ ନିଦ ବି ଆସୁ ନଥାଏ । ବହୁ ଆଗରୁ ଆସି ସେ ବସିଥାଏ ବଗିଚା ଭିତରେ । ଧନବନ୍ତ ଯାଇ ଘୋଡା ସଜ କରି ପ୍ରସ୍ତୁତ ହେଉ ଥାଏ ।

ବିଚିତ୍ରା ବି ଯାଇ ସେହି ବଗିଚାରେ ପହଁଚିଲା । ଦୁଇ ପ୍ରେମୀ ସେଠାରେ ଯାଇ ଦେଖା ସାକ୍ଷାତ ହେଲେ । ନିଜ ନିଜ ମନକଥା ଖୋଲା ଖୋଲି ଭାବରେ କଥାବାର୍ତ୍ତା ହେବା ପରେ ଯାଇ ଦୁହେଁ ବାହାରିଲେ ସେଠାରୁ ଯିବାପାଇଁ । ମାଲ୍ୟାଣୀ ଆସି ସମସ୍ତଙ୍କୁ ବିଦାୟ ଦେଲା । ସେହି ମାଲ୍ୟାଣୀର ଯାହା ପୁରସ୍କାର ପାଇବାର କଥା ସେ ମାଲ୍ୟାଣୀ ସବୁ ଚୁକ୍ତି କରିନେଲା । ତା’ପରେ ଏମାନେ ଯାଇ ନିଜ ଘୋଡାରେ ବସିଲେ । ଆଗ ଘୋଡାରେ ତାଳଚେର ରାଜକୁମାର ଓ ବିଚିତ୍ରା ଓ ପଛ ଘୋଡାରେ ଏକାକୀ ଧନବନ୍ତ ବସି ରାତାରାତି ଚମ୍ପଟ ହେଲେ ସେଠାରୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ