ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକୁମାରୀ ସୁନନ୍ଦା

                ତା’ପରେ ସୁନନ୍ଦା ଏକବାରେ ଚୁପ୍ ହୋଇଗଲେ । ସେହି ଯୁବକ ଯେଉଁଠି ବସିବାକୁ କହିଲେ ସେ ସେଇଠି ବସିଗଲେ । ଯାହା ଖାଇବାକୁ ଦେଲେ ତାହା ସେ ବିନା ଦ୍ୱିଧାରେ ଖାଇଲେ । ଖାଇବା ପାଇଁ ନାନା ପ୍ରକାର ସୁସ୍ୱାଦୁ ଫଳ ଓ ପିଇବା ପାଇଁ ଦୁଧ ଥିଲା ।

                ଖିଆପିଆ କରି ସୁନନ୍ଦା ଟିକିଏ ସୁସ୍ଥ ହେବା ପରେ ଯୁବକଟି ଅଳ୍ପ ହସି କହିଲେ, “ଏବେ କୁହନ୍ତୁ, ଆପଣଙ୍କର କ’ଣ ସବୁ ପ୍ରଶ୍ନ ଅଛି?”

                ସୁନନ୍ଦା କହିଲେ, “ଆପଣ ଯିଏ ବି ହୁଅନ୍ତୁ ନା କାହିଁକି, କୌଣସି ବଡ ଉଦ୍ଧେଶ୍ୟ ନେଇ ଏ ସ୍ଥାନ ପସନ୍ଦ କରିଛନ୍ତି । ଯଦି ଆପଣ ସବୁ କିଛି ବିସ୍ତାର କରି ମୋତେ କୁହନ୍ତି ତେବେ ହୁଏତ ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିପାରେ ।”

                ଏହା ଶୁଣି ଯୁବକ ଅଳ୍ପ ହସିଲେ ଓ କହିଲେ, “କ’ଣ ମୁଁ ବିଶ୍ୱାସ କରିବି ଯେ ଆପଣ ଆପଣଙ୍କ କଥା ରକ୍ଷା କରିବେ?”

                ସୁନନ୍ଦା କହିଲେ, “ନିଶ୍ଚୟ । ମୁଁ କ୍ଷତ୍ରିୟ ଝିଅ । କଥା ଦେଉଛି ମାନେ ତାହା ପ୍ରାଣ ଦେଇ ରଖିବି ।”

                ଯୁବକ ଜଣକ କହିଲେ “ଠିକ୍ ଅଛି । ତେବେ ଶୁଣନ୍ତୁ । ମୋ ନାମ ବିଜୟଦତ । ଆଶା କରୁଛି ଆପଣ ପୂର୍ବରୁ ଏ ନାମ ନିଶ୍ଚୟ ଶୁଣିଥିବେ ।”

                ସୁନନ୍ଦା ପୁଣି ଚମକି ଉଠିଲେ । ଚାରିବର୍ଷ ତଳର ଏକ ଦୁଃଖଦାୟକ ଘଟଣା ତାଙ୍କ ମାନସପଟରେ ଉଜ୍ଜ୍ୱଳ ହୋଇ ଉଠିଲା ।

କୌସାମ୍ବୀ ରାଜ୍ୟର ଉତ୍ତର ପଟକୁ ଚନ୍ଦନଦେଶ ନାମକ ଏକ ଛୋଟ ରାଜ୍ୟ ଥିଲା । ତାହା କୌସାମ୍ବୀର ଅଧିନରେ ଏକ ସାମନ୍ତ ରାଜ୍ୟ ଥିଲା । ତେଣୁ ସେମାନେ ପ୍ରତିବର୍ଷ ସେଠାରୁ ରାଜସ୍ୱର କିଛି ଅଂଶ ପାଇଥା’ନ୍ତି । ଥରେ ଅସୁବିଧାବଶତଃ ସେମାନେ ରାଜସ୍ୱ ପଠାଇବାକୁ ଡେରି କରିବାରୁ ରାଜା ଧୀରସିଂହ ଭୀଷଣ ରାଗିଯାଇ ସେ ରାଜ୍ୟକୁ ଆକ୍ରମଣ କଲେ । ସେମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ନଥିଲେ । ଯୁବରାଜ ରାଜ୍ୟ ବାହାରେ ଥିଲେ । ଫଳରେ ସେମାନେ ହାରିଗଲେ ଓ ଧୀରସିଂହ ଉକ୍ତ ରାଜ୍ୟଟିକୁ ନିଜ ରାଜ୍ୟରେ ମିଶାଇ ନେଲେ । ଚନ୍ଦନଦେଶର ରାଜା ବିରୁପାକ୍ଷଦତ ଅପମାନ ଓ ଗ୍ଳାନିବୋଧ ନେଇ ଆତ୍ମହତ୍ୟା କଲେ ଓ ତାଙ୍କର ରାଣୀ ମଧ୍ୟ ସ୍ୱାମୀଙ୍କର ସହଗାମିନୀ ହେଲେ । ଏହି ବିଜୟଦତ ହେଉଛନ୍ତି ବିରୁପାକ୍ଷ ଦତଙ୍କ ପୁତ୍ର ତଥା ଚନ୍ଦନଦେଶର ରାଜକୁମାର ।

ଚନ୍ଦନ ରାଜ୍ୟକୁ ନିଜର କରଗତ କରିବା ପରେ ଧୀରସିଂହ ସନ୍ତୁଷ୍ଟ ନଥିଲେ । ସେ ବିଜୟଦତଙ୍କୁ ନିପାତ କରିବାକୁ ଖୋଜୁଥିଲେ । କାରଣ ସେ ଜାଣିଥିଲେ ଯେ ନିରୀହ ପିତାମାତାଙ୍କର ଅକାଳ ମୃତ୍ୟୁକୁ ସହଜରେ କ୍ଷତ୍ରିୟ ରକ୍ତ ସହ୍ୟ କରିବ ନାହିଁ; ବିଜୟ ନିଶ୍ଚିତ ଭାବରେ ପ୍ରତିଶୋଧ ନେବ । ତେଣୁ ଧୀରସିଂହ ଗୁପ୍ତଚରମାନଙ୍କ ଦ୍ୱାରା ବିଜୟଙ୍କୁ ବହୁତ ଖୋଜିଲେ; ଶେଷରେ ନ ପାଇବାରୁ ସେକଥା ସେ ଭୁଲିଗଲେ ।

ରାଜ୍ୟର ସମସ୍ତ ଘଟଣା ବିଷୟରେ ଧୀରସିଂହ ତାଙ୍କ ଝିଅ ସୁନନ୍ଦା ସହିତ ଟିକିନିଖି ଆଲୋଚନା କରୁଥିଲେ । କିନ୍ତୁ ଏ ବିଷୟରେ ସେ ଝିଅ ସହିତ ଆଦୌ ଆଲୋଚନା କରି ନଥିଲେ । ସୁନନ୍ଦା ସବୁ ଘଟଣା ଅନ୍ୟମାନଙ୍କଠାରୁ ଶୁଣି ବଡ ଦୁଃଖିତ ହୋଇଥିଲେ । ଥରେ କଥା ପ୍ରସଙ୍ଗରେ ସେ ଏ ବିଷୟରେ ତାଙ୍କ ପିତାଙ୍କୁ ପଚାରିବାରୁ ସେ କହିଲେ, “ତୁ ଜାଣିନୁ ଝିଅ ରାଜସ୍ୱ ଆଦାୟ କରିବା କେତେ କଷ୍ଟ । ରାଜା ବିରୁପାକ୍ଷ ପ୍ରଥମ ଥର ପାଇଁ ଏହା କରି ନଥିଲେ; ପୂର୍ବରୁ ବି ସେ ଅନେକ ଥର ଏପରି କରିଛନ୍ତି ଓ ମୁଁ ତାଙ୍କୁ କ୍ଷମା କରି ଦେଇଥିଲି । କିନ୍ତୁ କ୍ଷମା ଦେବାର ତ ପୁଣି ଗୋଟେ ସୀମା ଅଛି । ରାଜ୍ୟର ସମସ୍ତ ସମ୍ପତ୍ତି ସେ ଦାନପୁଣ୍ୟ କରି ଓ କଳାଚର୍ଚ୍ଚା କରି ଖର୍ଚ୍ଚ କଲେ । ଆଉ ସେ ଭୁଲିଗଲେ ଯେ ସେ ଏକ ସାମନ୍ତ ରାଜା ବୋଲି ।”

ଏସବୁ କଥା ସ୍ମୃତି ପଟରେ ଆସିବାରୁ ସୁନନ୍ଦା ନିଜ ଚିନ୍ତାରେ ବୁଡିଯାଇ ନୀରବ ରହିଲେ । ବିଜୟଦତ ଦେଖିଲେ ତାଙ୍କ ନାମ ଶୁଣିବା ମାତ୍ରେହିଁ ସୁନନ୍ଦା ହଠାତ୍ ଚିନ୍ତାମଗ୍ନ ହେଲେ; ତା’ପରେ ସେ ମଧ୍ୟ ଗମ୍ଭୀର ହୋଇ କହିଲେ, “ସୁନନ୍ଦାଦେବୀ, ଜାଣିରଖନ୍ତୁ ଯେ ମୁଁ ସେହି ବିଜୟଦତ, ଚନ୍ଦନ ରାଜ୍ୟର ରାଜକୁମାର, ଯାହାକୁ ମୃତ୍ୟୁଦଣ୍ଡ ଦେବାପାଇଁ ଆପଣଙ୍କ ପିତା ବହୁତ ଖୋଜିଛନ୍ତି ।”

ସୁନନ୍ଦା ତ ତଳକୁ ଚାହିଁଥିଲେ, ଏସବୁ କଥା ଶୁଣି ଥରେ ମୁଣ୍ଡ ଟେକି ସେ ଚାହିଁଲେ ଓ ପରେ ପରେ ପୁଣି ସେ ତାଙ୍କ ମୁହଁ ତଳକୁ କଲେ ।

କୌସାମ୍ବୀର କୋଶଳ ନାମରେ ଅନ୍ୟ ଏକ ପଡୋଶୀ ରାଜ୍ୟ ମଧ୍ୟ ଥିଲା । ରାଜା ବିନୟସେନ ସେଠାକାର ଶାସକ ଥିଲେ । ବିନୟସେନ ଓ ବିଜୟଦତଙ୍କ ଦୁଇ ପିତା ଏକହିଁ ଗୁରୁକୁଳରେ ଶିକ୍ଷା ଲାଭ କରିଥିବାରୁ ସେ ଦୁହେଁ ଦୁହିଁଙ୍କର ଘନିଷ୍ଠ ବନ୍ଧୁ ଥିଲେ । ତେଣୁ ବିରୁପାକ୍ଷଙ୍କର ଅଚାନକ ମୃତ୍ୟୁ ସମ୍ବାଦ ଓ ଧୀରସିଂହଙ୍କ ରାଜ୍ୟ ଆକ୍ରମଣ ଇତ୍ୟାଦି ଖବର ଶୁଣି ସେ ବଡ ଦୁଃଖିତ ହୋଇଥିଲେ । ସେହିଦିନହିଁ ସେ ନିଶ୍ଚିତ କରିଥିଲେ ଯେ ବିଜୟଙ୍କୁ ସେ ଯୁଦ୍ଧରେ ତାଙ୍କ ସୈନ୍ୟମାନଙ୍କୁ ଦେଇ ନିଶ୍ଚୟ ସାହାଯ୍ୟ କରିବେ ।

ସେଦିନ ପ୍ରଭାତ ହେବା ପରେ ସୁନନ୍ଦା ରାଜନଅରକୁ ଲେଉଟି ଗଲେ । ଏକମାସ ପରେ ବିଜୟଦତ କୋଶଳ ସେନାବାହିନୀର ସାହାଯ୍ୟରେ ଅଚାନକ କୌସାମ୍ବୀ ଉପରେ ଆକ୍ରମଣ କଲେ । ଘମାଘୋଟ ଯୁଦ୍ଧ ହେଲା ଓ ଯୁଦ୍ଧରେ ଧୀରସିଂହ ହାରିଗଲେ ।

କିନ୍ତୁ ବିଜୟ କୌଣସି ପ୍ରକାରେ ମର୍ଯ୍ୟାଦା ଉଲ୍ଲଘଂନ କଲେ ନାହିଁ । ସେ ପରାଜିତ ଧୀରସିଂହଙ୍କୁ କହିଲେ, “ରାଜନ୍, ପ୍ରତିଶୋଧ ମୋର ଉଦ୍ଧେଶ୍ୟ ନଥିଲା । କେବଳ ମୋର ମାତୃଭୂମିକୁ ମୁକ୍ତ କରିବା ମୋର ପ୍ରଧାନ ଲକ୍ଷ୍ୟ ଥିଲା, ଯେଉଁଥିରେକି ମୋର ପିତାମାତାଙ୍କ ଆତ୍ମା ଶାନ୍ତି ପାଇବ । କୌସାମ୍ବୀ ଆପଣଙ୍କର ଥିଲା ଓ ତାହା ଆପଣଙ୍କର ହିଁ ରହିବ । ଆପଣ ନିଜ ରାଜ୍ୟରେ ପୂର୍ବପରି ଶାସନ କରନ୍ତୁ ।”

ବିଜୟଦତଙ୍କ କଥା ଶୁଣି ଧୀରସିଂହ ତଳକୁ ମୁହଁ କଲେ; ହଠାତ୍ ତାଙ୍କ ମୁହଁରୁ ବାହାରିଲା, “ପୁଅ, ମୁଁ ତୁମ ପିତାମାତାଙ୍କ ପ୍ରତି ବହୁତ ଅନ୍ୟାୟ କରିଛି । ସେହି ଅପରାଧର ଦଣ୍ଡ ସ୍ୱରୂପ ମୁଁ ତୁମର ସାମନ୍ତ ରାଜା ହୋଇ ବାରବର୍ଷ ପର୍ଯ୍ୟନ୍ତ ରହିବି । କେବଳ ସେତିକି ନୁହେଁ, କୌସାମ୍ବୀର ଯେ କୌଣସି ଅମୂଲ୍ୟ ବସ୍ତୁ ମୁଁ ତୁମକୁ ପୁରସ୍କାର ରୂପେ ଦେବାକୁ ଚାହେଁ । ତୁମ ବୀରତ୍ୱ ଓ ଉଦାରତା ଦେଖି ମୁଁ ଅତ୍ୟନ୍ତ ମୁଗ୍ଧ ହୋଇଛି । ଏବେ ତୁମେ କୁହ ତୁମେ କ’ଣ ଚାହଁ?”

“ମାଗିକରି ଯାହା ନିଆଯାଏ ତାହା ତ ପୁରସ୍କାର ନୁହେଁ? ଆପଣ ରାଜ୍ୟର ସମସ୍ତ ବିଷୟରେ ନିଜର କନ୍ୟା ସହିତ ଆଲୋଚନା କରନ୍ତି । ଏବେ ତାଙ୍କ ସହ କଥାବାର୍ତ୍ତା କରି ବିଚାର କରି ଦେଖନ୍ତୁ ଯେ ମୋତେ ପୁରସ୍କାର ଦେବାଭଳି ଯୋଗ୍ୟ କ’ଣ ହୋଇପାରେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ