ସୁନନ୍ଦା ପିତାଙ୍କଠାରୁ ସବୁ ଶୁଣି କହିଲେ, “ବାବା, ଆପଣ ତାଙ୍କୁ ଜଣେ ବ୍ୟକ୍ତି ଭାବରେ ନା ଜଣେ ରାଜା ଭାବରେ ପୁରସ୍କାର ଦେବାକୁ ଚାହାଁନ୍ତି?”
ଧୀରସିଂହ କହିଲେ “ରାଜା ଭାବରେ ନୁହେଁ, ଜଣେ ବ୍ୟକ୍ତି ଭାବରେ । ମୁଁ ତାଙ୍କର ଉଦାରତା ଓ ଉଚ୍ଚ ବିଚାର ଦ୍ୱାରା ବହୁତ ପ୍ରଭାବିତ ହୋଇଛି ।”
ତା’ପରେ ସୁନନ୍ଦା ଅଳ୍ପ ହସି କହିଲେ, “ବ୍ୟକ୍ତି ଭାବରେ ଆପଣ ବି ତ ଜଣେ ପିତା । ଜଣେ ପିତା ପାଇଁ ତା’ର ସନ୍ତାନ ଛଡା ଅଧିକ ଅମୂଲ୍ୟ ଜିନିଷ ଆଉ କ’ଣ ବା ଥାଇପାରେ?”
ଝିଅର କଥା ଶୁଣି ଧୀରସିଂହ ଟିକିଏ ନୀରବ ରହିଲେ । ତା’ପରେ ଝିଅର ମନକଥା ବୁଝିପାରି ସେ ହସି ହସି କହିଲେ, “ହଁ ଝିଅ, ବୋଧହୁଏ ବିଜୟଦତ ସେଥିପାଇଁ କହିଲେ ଯେ ଝିଅକୁ ପୁରସ୍କାର ବିଷୟ ପଚାରନ୍ତୁ । ତେବେ ମୁଁ ଏହି ଅମୂଲ୍ୟ ରତ୍ନମାଳା ତାଙ୍କ ଗଳାରେ ପିନ୍ଧାଇ ଦେବି । ତାହାହିଁ ତାଙ୍କପାଇଁ ସର୍ବଶ୍ରେଷ୍ଠ ପୁରସ୍କାର ହେବ ।”
କିଛିଦିନ ପରେ ସେ ଦୁହିଁଙ୍କର ବିବାହ ବଡ ସମାରୋହରେ ପାଳିତ ହେଲା । ଏ କାହାଣୀ ଶୁଣାଇ ସାରି ବେତାଳ କହିଲା, “ରାଜନ୍, ଏକଥା କ’ଣ ସତ ନୁହେଁ କି ସୁନନ୍ଦା ବିଜୟଦତ ପ୍ରତି ମନେ ମନେ ଆକର୍ଷିତ ହୋଇଥିଲେ; ପିତାଙ୍କୁ ତାଙ୍କ ବିଷୟରେ କୌଣସି କଥା ମଧ୍ୟ କହି ନଥିଲେ । ବିଜୟଦତ ନିଜେ ଜଣେ ଉଚ୍ଚକୋଟିର ବ୍ୟକ୍ତି ଥିଲେ ନଚେତ୍ ଧୀରସିଂହଙ୍କ ଭାଗ୍ୟରେ କ’ଣ ଜୁଟିଥା’ନ୍ତା ସେକଥା କିଏ କହିବ । ସୁନନ୍ଦା ବୁଦ୍ଧିମାନୀ ଥିଲେ ଓ ସବୁକଥା ବୁଝି ପାରୁଥିଲେ । କିନ୍ତୁ କ୍ଷଣିକ ଦୁର୍ବଳତାର ବଶ ହୋଇ ସେ ମଧ୍ୟ ନିଜର ସବୁକିଛି ହରାଇଥିଲେ । ଦ୍ୱିତୀୟତଃ ନିଜ ବିଷୟରେ ସବୁକିଛି ଜାଣିଥିବା ସୁନନ୍ଦାଙ୍କୁ ବିପଦରୁ ଉଦ୍ଧାର କରିଥିବା ବିଜୟଦତ ତ ପୁଣି ଯୁଦ୍ଧରେ ହାରିଯିବାର ସମ୍ଭାବନା ବି ଥିଲା; ସୁନନ୍ଦା ସେଥିପାଇଁ ତ କାହିଁ କିଛି କଲେନାହିଁ? ଏସବୁ ପ୍ରଶ୍ନର ଉତ୍ତର ଦେଇ ମୋର ସନ୍ଦେହ ମୋଚନ କର । ଯଦି ଉତ୍ତର ଜାଣି ମଧ୍ୟ ନୀରବ ରହିବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମ କହିଲେ, “ଦଶଥର ବୁଝାଇଲେ ମଧ୍ୟ ମୂର୍ଖ ଯେଉଁକଥା ବୁଝିପାରେ ନାହିଁ, ବୁଦ୍ଧିମାନ ବ୍ୟକ୍ତି ଥରକରେ ତାହା ବୁଝିଯାଏ । ଯିଏ ମେଧାବୀ ତାଙ୍କୁ ଥରେ ମଧ୍ୟ ବୁଝାଇବା କିଛି ଦରକାର ନାହିଁ, ତାଙ୍କ ପାଇଁ ଖାଲି ସଙ୍କେତ କରିଦେଲେହିଁ ଯଥେଷ୍ଟ । ସୁନନ୍ଦା ଓ ବିଜୟଦତ ଦୁହେଁ ମେଧାବୀ ପର୍ଯ୍ୟାୟରେହିଁ ଯିବେ । ଦୁହିଁଙ୍କର ନୀରବତା ମଧ୍ୟରେହିଁ ଦୁହେଁ ଦୁହିଁଙ୍କର ପ୍ରେମ ବିଷୟ ବୁଝି ପାରିଛନ୍ତି । ବିଜୟଦତ ଜାଣିଥିଲେ ଯେ ସୁନନ୍ଦା ତାଙ୍କ ବିଷୟରେ ରାଜାଙ୍କୁ କିଛି ହେଲେବି କହିବେ ନାହିଁ; ତେଣୁ ସେ ତାଙ୍କୁ ଜଙ୍ଗଲରୁ ବାହାରକୁ ଆଣି ଛାଡିଦେଲେ । ସୁନନ୍ଦା ଜାଣିଥିଲେ ଯେ ମନ୍ଦାକିନୀ ନଦୀକୂଳରେ କୁଟୀର ବନାଇ ରହିଥିବା ରାଜକୁମାରଙ୍କୁ ନିଶ୍ଚିତ ଭାବରେ କୋଶଳ ରାଜ୍ୟର ସାହାଯ୍ୟ ମିଳିଛି । ପିତାଙ୍କୁ କହି ଯଦି ସୁନନ୍ଦା ଜଙ୍ଗଲକୁ ସୈନ୍ୟ ନେଇ ଆସନ୍ତି ତେବେ ବିଜୟଦତ ଅତି ସହଜରେ କୋଶଳ ରାଜ୍ୟକୁ ଚାଲିଯାଇ ପାରିବେ । ତେଣୁ ସେ ନିଃସଙ୍କୋଚରେ ନିଜ ନାମ କହି ଦେଇଥିଲେ । ସୁନନ୍ଦା ଭାବିଲେ ସେ ଏ ବିଷୟରେ କୌଣସି କାର୍ଯ୍ୟ କରିବେ ନାହିଁ । ସବୁକିଛି ବିଜୟଦତଙ୍କ ସଦ୍ବୁଦ୍ଧି ଓ ବୀରତ୍ୱ ଉପରେ ସେ ଛାଡିଦେବେ ।”
ରାଜାଙ୍କ କଥା ଶେଷ ହେବା ମାତ୍ରେ ଶବସ୍ଥିତ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।