ଅତୀତ କାଳର କଥା । ରାଧା ନାମକ ରାଜ୍ୟରେ ଉଗ୍ରଭଟ୍ଟ ନାମରେ ଜଣେ ରାଜା ରାଜୁତି କରୁଥିଲେ । ତାଙ୍କର ରାଣୀ ଥିଲେ ପାଟଳୀପୁତ୍ର ରାଜାଙ୍କର ଦୁହିତା । ସେ ରାଇଜର ଲୋକେ ଅତ୍ୟନ୍ତ ସୁଖଶାନ୍ତିରେ ଥାଆନ୍ତି । ରାଣୀ ମନୋରମା ବି ଅତ୍ୟନ୍ତ ସୁନ୍ଦରୀ ଓ ଦୟାଶୀଳା ଥିଲେ । ପ୍ରଜାମାନଙ୍କୁ ସେ ନିଜର ସନ୍ତାନ ପରି ମନେ କରୁଥିଲେ । ଯୋଗୀ ଭିକାରୀ କେହି ବି କେବେ ଖାଲି ହାତରେ ସେ ରାଜାଙ୍କ ଦୁଆରୁ ଫେରିଯିବାର ମୋଟେ ଶୁଣା ନ ଥାଏ ।
ଏକଦା ସେ ରାଜାଙ୍କ ନଅରରେ ଯାତ୍ରା ହେଉଥାଏ । ରାଜାରାଣୀଙ୍କ ସହିତ ଅମାତ୍ୟ ଓ ତାଙ୍କ ପ୍ରଜାମାନେ ରାତି ରାତି ଉଜାଗର ରହି ଯାତ୍ରା ଉପଭୋଗ କରୁଥାଆନ୍ତି । ଯାତ୍ରାର ଶେଷଦିନ ରାତି । ସେଦିନ ଖୁବ୍ ଜନସମାଗମ ବି ହୋଇଥାଏ । ଅମାତ୍ୟମାନଙ୍କ ଗହଣରେ ସେ ରାଜା ଖୁବ୍ ହସଖୁସି ହେଉଥାଆନ୍ତି । ହଠାତ୍ ସମସ୍ତଙ୍କ ଆଖି ଯାଇ ପଡିଲା ସେ ଯାତ୍ରାମଂଚ ଉପରେ । ‘ଲାସ୍ୟବତୀ’ ନାମରେ ଝିଅଟିଏ ନୃତ୍ୟ କରିବାକୁ ଆରମ୍ଭ କଲା । ଏପରି ନାଚ ପୂର୍ବରୁ ଆଦୌ କେହି ବି ଦେଖି ନ ଥିଲେ । ଏପଟେ ଏ ରାଜାଙ୍କର ଆଖି ଖାଲି ଲାଖି ରହିଲା ତାର ତଥା ସେ ଲାସ୍ୟବତୀର ରୂପ ଲାବଣ୍ୟରେ । ଲାସ୍ୟବତୀ ଥିଲା ସେ ଯାତ୍ରାଦଳର ମାଲିକଙ୍କ ଝିଅ । ରାଜା ପ୍ରସ୍ତାବ କଲେ ଲାସ୍ୟବତୀକୁ ରାଣୀର ସମସ୍ତ ସମ୍ମାନ ଦେବାପାଇଁ । ଏବେ ସେ ରାଜାଙ୍କ କଥାରେ କିଏ ଅବା ଅମତ ହେବ? ତାପରେ ମହାଆଡମ୍ବରରେ ରାଜା ଲାସ୍ୟବତୀକୁ ନିଜର ଦ୍ୱିତୀୟ ରାଣୀ ଭାବରେ ବରଣ କଲେ ।
ନୂଆରାଣୀ ରାଜମହଲରେ ପାଦ ଦେଲାଦିନୁ ସେ ରାଜା ତାଙ୍କ ବଡରାଣୀଙ୍କୁ ଏକପ୍ରକାର ଭୁଲିଗଲେ । ଏମିତିକି ସେ ରାଜା ଆଉ ରାଜକାର୍ଯ୍ୟରେ ବି ମନ ଦେଲେନାହିଁ । କେବଳ ମନ୍ତ୍ରୀ, ସେନାପତି ସେ ରାଜ୍ୟକୁ ଚଳାଉଥାନ୍ତି । ବଡ ଦୁଃଖ ଓ ଅଭିମାନରେ ଏବେ ସେ ବଡରାଣୀଙ୍କର ଦିନଗୁଡିକ କଟୁଥାଏ ।
ବାହାଘରର କିଛି ବର୍ଷ ତ ହୋଇଗଲା । ଏଣେ ଏ ଦୁଇଟି ରାଣୀ । ଅଥଚ କାହାରି କୋଳରେ ସନ୍ତାନଟିଏ ବି ନାହିଁ । ତାହେଲେ ଏବେ ପୁଣି ବଂଶରକ୍ଷା ହେବ କିପରି? ତେଣୁ ସେ ରାଜାଙ୍କର ମନରେ ଆଦୌ ଟିକିଏ ବି ସୁଖ ନଥାଏ । ଶେଷରେ ମନ୍ତ୍ରୀଙ୍କ ସହିତ ପରାମର୍ଶ କରି ରାଜା ତାଙ୍କ ପୁରୋହିତଙ୍କୁ ଆଦେଶ ଦେଲେ ଏକ ପୁତ୍ରେଷ୍ଠି ଯଜ୍ଞ କରିବା ପାଇଁ ।
ତାପରେ ମହାସମାରୋହରେ ସେ ଯଜ୍ଞର ସମସ୍ତ ଆୟୋଜନ ହେଲା । ଯଜ୍ଞ ଶେଷରେ ସେ ଅଗ୍ନିକୁଣ୍ଡରୁ ଯେଉଁ ଚରୁଅନ୍ନ ମିଳିଲା, ତାହାକୁ ସେ ଦୁଇରାଣୀ ଭାଗ କରି ଭୋଜନ କଲେ । ତଦ୍ୱାରା ଖୁବ୍ ଅଳ୍ପଦିନ ପରେ ସେ ଦୁଇରାଣୀ ଗର୍ଭବତୀ ହେଲେ । ବଡରାଣୀ ମନୋରମାର ପୁତ୍ରର ନାମ ରହିଲା ଭୀମଭଟ୍ଟ । ଆଉ ସେ ସାନରାଣୀ ଲାସ୍ୟବତୀଙ୍କର ପୁତ୍ର ସମରଭଟ୍ଟ ନାମରେ ପରିଚିତ ହେଲେ ।