ଏପଟେ ସାନରାଣୀ ତ ରାଜାଙ୍କୁ ନିଜ ହାତମୁଠାରେ ରଖିଥାଆନ୍ତି । ସେ ରାଜାଙ୍କ ଆଗରେ ଫେରାଦ କଲେ । ବଡରାଣୀର ପୁଅ ଅତ୍ୟାଚାରରେ ସେ ଆଉ ଏ ନଅରରେ ଯମା ବି ରହିପାରିବେ ନାହିଁ । କେଉଁଦିନ ସେ ସମରଭଟ୍ଟକୁ ପ୍ରାଣରେ ମାରି ପକାଇବ । ସେ କେବଳ ସମରଭଟ୍ଟକୁ ଈର୍ଷା କରୁନାହିଁ, କେଉଁଦିନ ସେ ଆମ ଦୁହିଁଙ୍କୁ ମଧ୍ୟ ମାରି ପକାଇବ ।
ସେ ରାଜା ତ ସହଜେ ଟିକେ ଅବୁଝା ଲୋକ । ତେଣୁ ସେ ରାଜା ତାଙ୍କ ସାନରାଣୀଙ୍କ କଥାରେ ବିଚଳିତ ହୋଇ ନିଜ ବଡ ରାଜକୁମାରକୁ ତାଙ୍କ ରାଜସଭାରୁ ତଡିଦେଲେ । ସମସ୍ତ ରାଜକୀୟ ସୁବିଧା ଓ ସମ୍ମାନରୁ ମଧ୍ୟ ସେ ଭୀମଭଟ୍ଟଙ୍କୁ ବଂଚିତ କଲେ ।
ଏକଥା ଶୁଣି ପ୍ରଜାମାନେ ଅତ୍ୟନ୍ତ ଦୁଃଖ ପାଉଥାଆନ୍ତି । ତେଣୁ ସେମାନେ ସନ୍ଦେହ କଲେ, ହୁଏତ ଶେଷରେ ରାଜା ତାଙ୍କ ସାନରାଣୀଙ୍କ କଥାରେ ବଡରାଜକୁମାରଙ୍କୁ ରାଜସିଂହାସନରୁ ବଂଚିତ କରିବେ ଆଉ ରାଜଗାଦି ଦେବେ ସେ ନାଚୁଣୀର ପୁଅକୁ ।
ଏପଟେ ଏ ବଡରାଣୀ ମନୋରମା ତ ଖାଲି ନୀରବରେ ରହି ଦୁଃଖ ପାଉଥାଆନ୍ତି । ନିଜର ପୁଅ ପ୍ରତି ରାଜାଙ୍କର ଏ ପ୍ରକାର ଅନ୍ୟାୟ ବିଚାର ଶୁଣିସାରିଲା ପରେ ସେ ମନୋରମା ଆଉ କ୍ଷଣିକ ପାଇଁ ମଧ୍ୟ ଥୟ ଧରି ବସିପାରିଲେ ନାହିଁ । ତେଣୁ ସେ ତାଙ୍କ ପୁଅକୁ ଡାକି କହିଲେ, “ବାବା ! ଏ ରାଜ୍ୟରେ ତୁମର ଜୀବନ ଆଉ ନିରାପଦ ନୁହେଁ । ମୋ ମତରେ ତୁମେ ତୁମ ମାମୁଁ ଘରକୁ ଚାଲିଯାଅ । ସେଠାରେ ତୁମେ ଶାନ୍ତିରେ ରହିଲେ ମୁଁ ମଧ୍ୟ ଏଠାରେ ସୁଖୀ ହେବି । ନଚେତ୍ ଦିନ ରାତି ମୋର ମନ ଖାଲି ଅଥୟ ହେଉଛି ।”
ଏହା ଶୁଣି ଭୀମଭଟ୍ଟ କହିଲେ, “ମା ! ଏପରି ଭାବରେ ପଳାୟନ କରିବା ତ ମୋ ପକ୍ଷରେ ଆଦୌ ଉଚିତ୍ ହେବ ନାହିଁ । ସମରଭଟ୍ଟ ମୋର ବି ଆଉ କିଛି କ୍ଷତି କରିପାରିବ ନାହିଁ । ଯଦି ସେପରି ପ୍ରତିକୂଳ ସମୟ ପହଁଚେ, ତେବେ ମୁଁ ନିଶ୍ଚୟ ଆତ୍ମରକ୍ଷାର ବ୍ୟବସ୍ଥା କରିବି ।”
ତାପରେ ସେ ବଡରାଣୀ ଏକଥା ଶୁଣି ଟିକେ ନିଶ୍ଚିନ୍ତ ହେଲେ ।
କିଛି ଦିନ ପରର କଥା । ତାଙ୍କ ରାଜ୍ୟକୁ ଜଣେ ଅଶ୍ୱବେପାରୀ ଆସିଥିଲେ । ଏହି କଥା ଜାଣିପାରି ରାଜକୁମାର ଭୀମଭଟ୍ଟ ତା’ର ବନ୍ଧୁ ଶଙ୍ଖଦତ ସହିତ ସେହି ବେପାରୀ ପାଖରେ ଯାଇ ପହଁଚିଲେ । ଚମତ୍କାର ଧଳା ଘୋଡାଟିଏ ରାଜକୁମାର ମୁଲାଇ ସାରି ତା’ର ଲଗାମ ଧରିଲେ । ଠିକ୍ ଏହି ସମୟରେ ନିଜର ଅନୁଚରମାନଙ୍କ ସହିତ ସାନରାଜକୁମାର ସମରଭଟ୍ଟ ବି ସେଠାରେ ପହଁଚି ଧଳାଘୋଡାଟିକୁ ନେବା ପାଇଁ ଦାବୀ କଲେ । ବଣିକ କହିଲେ, “ଧଳାଘୋଡାଟି ତ ମୂଲ ହୋଇସାରିଛି । ଏବେ ଆପଣ ଚାହିଁଲେ ଅନ୍ୟ ଘୋଡା ନେଇ ପାରନ୍ତି ।”