ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ

ସେମାନେ ପହଁରି ପହଁରି ଯାଇ ସେ ନଦୀର ମଝିରେ ପହଁଚିଛନ୍ତି, ହଠାତ୍ ଏକ ପ୍ରବଳ ସ୍ରୋତର ହାବୁକା ଯୋଗୁଁ ସେ ଦୁଇବନ୍ଧୁ ଅଲଗା ହୋଇଗଲେ । କିଏ କୁଆଡେ ଭାସିଗଲା, ସେସବୁ ଜାଣିବାର ଆଉ କୌଣସି ଉପାୟ ନଥାଏ । କେତେ ସମୟ ପରେ ଭୀମଭଟ୍ଟ ଯାଇ କୂଳରେ ଲାଗିଲେ । ପିଠିରେ ତାଙ୍କର ରତ୍ନପେଟିକା ସେମିତି ଓହଳିଥାଏ । ମାତ୍ର ବନ୍ଧୁ ଶଙ୍ଖଦତ କାହାଁନ୍ତି? ତାପରେ ସେ ଭୀମଭଟ୍ଟ ବଡ ବିକଳ ହୋଇ ଡାକିଲେ ତାଙ୍କ ବନ୍ଧୁଙ୍କ ନାଁ ଧରି । ମାତ୍ର କେହିବି ଜବାବ୍ ଦେଲେ ନାହିଁ ।

ସେହିକ୍ଷଣି ସେ ରାଜକୁମାରଙ୍କ ମନରେ ଆସିଲା ଘୋର ଅନୁତାପ । କି ଦୁଃଖରେ ସେ ରାଜ୍ୟ ଛାଡିଲେ । ଏକମାତ୍ର ସାଥୀ ତାଙ୍କର ଶଙ୍ଖଦତ । ସରବଣରେ ସିଂହମାନଙ୍କ ହାବୁଡରୁ ଅଳ୍ପକେ ସେମାନେ ସିନା ରକ୍ଷା ପାଇଗଲେ । ହେଲେ ଏବେ ନଦୀ ଗର୍ଭରେ ତାଙ୍କ ବନ୍ଧୁ ହଜିଗଲେ । ରାଜକୁମାର ଭାବିଲେ, ସେ ତାଙ୍କ ଜୀବନ ଏବେ ଆଉ କାହା ପାଇଁ ରଖିବେ? ଏପରି ଭାବି ସେ ମା’ ଗଙ୍ଗାକୁ ସ୍ମରଣ କରି ନଦୀଗର୍ଭକୁ ଡେଇଁ ପଡିଲେ ନିଜ ଜୀବନ ଝାସି ଦେବାପାଇଁ । ଏସବୁ ଦେଖି ଗଙ୍ଗାଦେବୀ ଭୀମଭଟ୍ଟଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେଲେ । ଦେବୀ ତୁରନ୍ତ କୋଳେଇ ଧରିଲେ ରାଜକୁମାର ଭୀମଭଟ୍ଟଙ୍କୁ । ତାଙ୍କୁ କହିଲେ – “ବାବା ! ଆଦୌ ବ୍ୟସ୍ତ ହୁଅନାହିଁ । ଖୁବ୍ ଅଳ୍ପଦିନ ପରେ ତୋର ତୋ ବନ୍ଧୁ ସହିତ ନିଶ୍ଚୟ ସାକ୍ଷାତ ହେବ । ତୋର ନିଷ୍ଠାରେ ମୁଁ ଅତ୍ୟନ୍ତ ପ୍ରସନ୍ନ ହେଲି । ମୁଁ ତୋତେ ଗୋଟିଏ ମନ୍ତ୍ର ଶିଖାଇ ଦେଉଛି । ଏହାରି ବଳରେ ତୁ ଇଚ୍ଛା କଲେ ଅଦୃଶ୍ୟ ହୋଇ ମଧ୍ୟ ରହିପାରିବୁ ।”

ଏତିକି କହି ସେ ଦେବୀ ସେଠାରୁ କୁଆଡେ ଉଭାନ୍ ହୋଇଗଲେ । ଏଣେ ସେ ରାଜକୁମାର ତ ଏକାକୀ ବାଟ ଚାଲୁଥାଏ । ସଂନ୍ଧ୍ୟା ହୋଇ ଆସିଲାବେଳକୁ ସେ ରାଜକୁମାର ଯାଇ ଲାଟରାଜ୍ୟର ଗୋଟିଏ ସହରରେ ପହଁଚିଲା । କ୍ରମେ କ୍ରମେ ରାତିର ଘୋର ଅନ୍ଧକାର ମାଡିଆସୁଛି । ସେ ରାଜକୁମାର ଭୀମଭଟ୍ଟ ତ ଏ ରାଜ୍ୟରେ ସମ୍ପୂର୍ଣ୍ଣ ଅଜଣା । ତଥାପି କେଉଁଠି ହେଲେ ତ ତାକୁ ଟିକେ ଆଶ୍ରୟ ନେବାକୁ ହେବ । ତାହା ତ ଏକ ସମୁଦ୍ର କୁଳିଆ ସହର । ସେଇଠି ସେ ବାଲି ଉପରେ ଟିକେ କ୍ଳାନ୍ତ ହୋଇ ଶୋଇପଡିଲା ରାଜକୁମାର ଭୀମଭଟ୍ଟ । ଠିକ୍ ରାତି ଅଧବେଳକୁ ଗୋଳମାଳ ଶୁଣି ହଠାତ୍ ସେ ରାଜକୁମାରର ନିଦ ଭାଙ୍ଗିଗଲା । ସେ ଦେଖିଲା ସମୁଦ୍ରରେ ଜୁଆର ଛାଡିଯାଇଛି । ତେଣେ ମାଛ ଧରିବା ପାଇଁ ଅନେକ ଲୋକ ବି ଖୁବ୍ ଉତ୍ସାହର ସହିତ ଲାଗିପଡିଛନ୍ତି । ତେବେ ମଜାର କଥା ହେଉଛି ଯେ, ଗୋଟିଏ ଛୋଟ ତିମି ମାଛ ଆସି କୂଳରେ ଲାଗିଯାଇଛି । ତାକୁ ପୁଣି ଘେରି ରହିଛନ୍ତି ଅନେକ ଲୋକ, ସେ ତିମି ମାଛ ପେଟରୁ କାଳେ କିଛି ବାହାରିବ ବୋଲି ତାକୁ ଧୀରେ ଧୀରେ ମଧ୍ୟ ଚିରା ଯାଉଥାଏ । ସେ ରାଜକୁମାର ଭୀମଭଟ୍ଟ ପାଖରେ ଠିଆ ହୋଇ ଏସବୁ ଲକ୍ଷ୍ୟ କରୁଥାଏ ।

ମାଛର ପେଟ ଚିରିଲା ପରେ ଦେଖାଗଲା ଜଣେ ମଣିଷ ସେ ମାଛର ଚମଡା ଥଳି ଭିତରେ ବନ୍ଦୀ । ତାର ଦେହରେ ଜୀବନ ଥିଲେ ମଧ୍ୟ ସେ ବେହୋସ୍ ଅବସ୍ଥାରେ ଅଛି । ତାପରେ ସେ ମଣିଷକୁ ମାଛ ପେଟରୁ ଧୀରେ ବାହାର କରାଯାଇ ଚିକିତ୍ସା କରାଗଲା । ପାଖକୁ ଯାଇ ଭୀମଭଟ୍ଟ ସେ ଲୋକଟିକୁ ଚିହ୍ନିବାକୁ ଖୁବ୍ ଚେଷ୍ଟା କଲା । ଭୀମଭଟ୍ଟ ଦେଖିଲା ସେ ଆଉ କେହି ନୁହେଁ, ତାର ପ୍ରିୟ ବନ୍ଧୁ ଶଙ୍ଖଦତ । ଏହିପରି ଭାବେ ସେ ଦୁଇବନ୍ଧୁ ପୁଣି ଥରେ ଏକାଠି ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ