ଶଙ୍ଖଦତ କହିଲା, “ପହଁରୁ ପହଁରୁ ଖରସ୍ରୋତରେ ସେ ମୁହାଣ ଆଡକୁ ଟାଣି ହୋଇଗଲା । ସେଠାରେ ସେ ଅନୁଭବ କଲା ଯେ, ଗୋଟିଏ ମାଂସଥଳିରେ ସେ ପଶିଯାଉଛି । ତାପରେ ତାର ଆଉ କିଛିବି ମନେ ନାହିଁ । ତାକୁ ଯେ ଏକ ତିମିମାଛ ଗିଳିଦେଇଛି, ତାହା ବର୍ତ୍ତମାନ ସେ ଜାଣିଲା । ଯୋଗକୁ ତିମି ଧରାପଡି ନ ଥିଲେ ସେ ଶଙ୍ଖଦତ ଶେଷରେ ମାଛର ପେଟରେ ହିଁ ଜୀର୍ଣ୍ଣ ହୋଇଯାଇଥାଆନ୍ତା ।”
ତାପରେ ସେ ଦୁଇ ବନ୍ଧୁ ଗୋଟିଏ ଭଡାଘର କରି ରହିଲେ । ହାତରେ ତ ତାଙ୍କର ଆଉ କିଛି କାମ ନାହିଁ । ତେଣୁ ସେମାନେ ଖାଲି ମନଇଚ୍ଛା ସହରରେ ବୁଲି ନିଜ ସମୟ କଟାଉଥାଆନ୍ତି ।
ଦିନକର କଥା । ରାଜନଅର ନିକଟରେ ତ ଗୋଟିଏ ବଡ ପୋଖରୀ ଥାଏ । ସେଇ ପୋଖରୀ କୂଳରେ ନାଗରାଜାଙ୍କର ମନ୍ଦିର । ସେଦିନ ପୁଣି ନାଗରାଜାଙ୍କର ପର୍ବ ଥାଏ । ତେଣୁ ସେ ସହରର ଲୋକେ କେତେ ପ୍ରକାର ଫୁଲ ଫଳ ନେଇ ନାଗରାଜାଙ୍କୁ ପୂଜା କରୁଥାନ୍ତି । ସେ ରାଜ୍ୟର ରାଜା ଚଣ୍ଡାଦିତ୍ୟ ପୁଣି ମହାପ୍ରତାପୀ । ବର୍ଷସାରା ସେ ନଅର ପୋଖରୀରେ କେହିବି ସାଧାରଣ ଲୋକ ଗାଧୋଇବା ମନା । କିନ୍ତୁ ନାଗରାଜାଙ୍କ ପର୍ବ ଦିନ ସମସ୍ତେ ସେଠାରେ ଗାଧୋଇବାର ପୂର୍ଣ୍ଣ ସୁବିଧା ପାଆନ୍ତି । ତେଣୁ ସେଦିନ ହିଁ ସେଠାରେ ପ୍ରବଳ ଲୋକ ଗହଳି ହୁଏ । ସେଇ ଗହଳି ମଧ୍ୟରେ ରାଜକନ୍ୟା ହଂସାବଳୀ ତା ସଖୀମାନଙ୍କ ଗହଣରେ ଆସିଲା ନାଗରାଜାଙ୍କୁ ପୂଜା କରିବା ପାଇଁ । ପୋଖରୀରେ ଗାଧୋଇଲା ବେଳେ ହଠାତ୍ ତାର ଗୋଡ ଖସିଗଲା । ତାପରେ ସେ ରାଜକୁମାରୀ ବୁଡିଗଲା । ସେହି ସମୟରେ ସମସ୍ତେ କେବଳ ହୋ ହଲ୍ଲା କରୁଥାନ୍ତି । କିନ୍ତୁ କେହିବି ଟିକେ ଭରସି କରି ସେ ରାଜକନ୍ୟାକୁ ଉଦ୍ଧାର କରିବା ପାଇଁ ଆଦୌ ସାହସ ବାନ୍ଧି ପାରୁନଥାନ୍ତି ।
ଏତିକିବେଳେ ରାଜକୁମାର ଭୀମଭଟ୍ଟ ଲୋକ ଗହଳି ମଧ୍ୟରୁ ବାହାରି ସେ ପୋଖରୀର ଗଭୀର ଜଳ ମଧ୍ୟକୁ ଡେଇଁପଡିଲା । ଫୁଲତୋଡାଏ ଟେକିଲା ଭଳି ସେ ରାଜକନ୍ୟାକୁ ଟେକିଆଣି ପାହାଚ ଉପରେ ଶୁଆଇଦେଲା । ଭୀମଭଟ୍ଟ ସେ ରାଜକନ୍ୟାକୁ ଦେଖି ଭାବିଲା ସଂସାରରେ ପୁଣି ଏଡେ ସୁନ୍ଦରୀ ଅଛନ୍ତି । ଏହିପରି ଭାବେ ଭୀମଭଟ୍ଟ ସେ ରାଜକୁମାରୀଙ୍କ ରୂପରେ ଖୁବ୍ ମୁଗ୍ଧ ହୋଇଗଲା ।
ସେ ରାଜକୁମାରୀର ଯେତେବେଳେ ଚେତା ଆସିଲା, ସେତେବେଳେ ସେ ନିଜର ଜୀବନ ରକ୍ଷାକାରୀଙ୍କର ପରିଚୟ ଜାଣି ଅତ୍ୟନ୍ତ ସୁଖୀ ହେଲା । ତାପରେ ସେ ରାଜକନ୍ୟା ଭୀମଭଟ୍ଟଙ୍କୁ ନିମନ୍ତ୍ରଣ କଲା ତାଙ୍କ ରାଜସଭାକୁ । କାହିଁକିନା ସେ ରାଜକନ୍ୟା ତା ପିତାଙ୍କୁ କହି ଭୀମଭଟ୍ଟଙ୍କୁ ପୁରସ୍କୃତ କରାଇବ ।
ତାପରେ ଭୀମଭଟ୍ଟ ଓ ଶଙ୍ଖଦତ ତାଙ୍କ ବସାଘରକୁ ଫେରିଆସିଲେ ଟିକେ ବିଶ୍ରାମ କରିବା ପାଇଁ । ହେଲେ ସେ ରାଜକୁମାର ଆଖିରେ ଆଉ ନିଦ ଆସୁଛି କେଉଁଠି? ତେଣୁ ସେ ରାଜକୁମାର ଭୀମଭଟ୍ଟ ଦେବୀଙ୍କର ମନ୍ତ୍ର ବଳରେ ସେଠାରୁ ଅଦୃଶ୍ୟ ହୋଇ ସିଧା ରାଜଅନ୍ତଃପୁର ମଧ୍ୟରେ ପ୍ରବେଶ କଲା । ସେ ରାଜମହଲର ସବୁଠାରେ ତ ଖାଲି କଡା ପହରା । ହେଲେ ସେ ଭୀମଭଟ୍ଟକୁ ଆଦୌ କେହିବି ଦେଖି ପାରିଲେ ନାହିଁ । ରାଜଜେମା ହଂସାବଳୀଙ୍କର ଶୟନକକ୍ଷ । ତୂଳିତଳ୍ପ ଶେଯରେ ତାଙ୍କୁ ବି ନିଦ ମୋଟେ ଆସୁନାହିଁ । ପୋଖରୀରେ ଯେଉଁ ରାଜକୁମାର ତାର ଜୀବନ ରକ୍ଷା କଲେ ତାଙ୍କ ସହିତ ଆଉ ଥରେ ସାକ୍ଷାତ ହେବ ତ !