ଠିକ୍ ଏତିକିବେଳେ ସେ ଘରଭିତରୁ ଶୁଣାଗଲା, “ରାଜକୁମାରୀ, ଏତେ ରାତି ହେଲାଣି । ହେଲେ ତୁମେ ଏପର୍ଯ୍ୟନ୍ତ ବିଶ୍ରାମ କରିନାହଁ କାହିଁକି?”
ଏକଥା ଶୁଣି ସେ ରାଜକୁମାରୀ ହଠାତ୍ ଆଶ୍ଚର୍ଯ୍ୟ ହେଲା । ଏ ତ ଅବିକଳ ସେହି ସୁଦର୍ଶନ ଯୁବକର ସ୍ୱର । ତାପରେ ପୁଣି ସେ ରାଜକୁମାରୀ ଭାବିଲା ବୋଧହୁଏ ତାଙ୍କ କଥା ସେ ବେଶି ଭାବୁଛି ବୋଲି ତାକୁ ଏହିପରି ବୋଧ ହେଉଛି ।
ପୁନର୍ବାର ଶୁଣାଗଲା, “ରାଜକୁମାରୀ ! ମୋର ଉପସ୍ଥିତିରେ ତୁମେ ବିରକ୍ତ ହେଉଛ କି?”
ଏଥର ସେ ରାଜକୁମାରୀ ଅନୁଭବ କଲା, ସତରେ କେହି ଜଣେ ଏ ଘରଭିତରେ କଥା କହୁଛି । ତେଣୁ ସେ ରାଜକୁମାରୀ କହିଲା, “ତୁମେ କିଏ? ମୁଁ ତ ତୁମକୁ ମୋଟେ ଦେଖିପାରୁ ନାହିଁ ।” ରାଜକୁମାର ଏଥର ଜାଣିଲା ଯେ ସେ ଅଦୃଶ୍ୟ ରହିଛି । ତେଣୁ ମନ୍ତ୍ର ପଢି ସଙ୍ଗେ ସଙ୍ଗେ ସେ ସେଠାରେ ଦୃଶ୍ୟ ହୋଇଗଲା । ରାଜକୁମାରକୁ ଦେଖି ଏଥର ସେ ରାଜକୁମାରୀର ଆନନ୍ଦ କହିଲେ ନ ସରେ । ତାପରେ ସେମାନେ କେତେ ମଧୁମୟ ଗଳ୍ପ କରି ରାତିଟା ପୁହାଇଦେଲେ । ଠିକ୍ ପାହାନ୍ତା ହେଲାମାତ୍ରକେ ସେ ରାଜକୁମାର ଅଦୃଶ୍ୟ ହୋଇ ସେଠାରୁ ଚାଲିଆସିଲା । ଏସବୁ କେହି ବି ଆଦୌ ଜାଣିପାରିଲେ ନାହିଁ ।
ଏଇମିତି ପ୍ରତିଦିନ ରାତିରେ ସେ ରାଜପୁତ୍ର ଭୀମଭଟ୍ଟ ସହିତ ରାଜକୁମାରୀ ହଂସାବଳୀର ସାକ୍ଷାତ ହୁଏ । କେତେ ରଙ୍ଗରସରେ ସେମାନେ ରାତିଟା ପୁହାଇ ଦିଅନ୍ତି । ଏଣୁ ଆସ୍ତେ ଆସ୍ତେ ସେ ରାଜକୁମାରୀର ହାବଭାବରେ ଅନେକ ପରିବର୍ତ୍ତନ ଦେଖାଦେଲା । ଏସବୁ ଦେଖି ତାଙ୍କ ସଖୀମାନେ ଟିକେ ଟିକେ ସନ୍ଦେହ କଲେ । ଏହି କାରଣରୁ ସେ ରାଜକୁମାରୀ ହଂସାବଳୀର ସଖୀମାନେ ଧୀରେ ଧୀରେ ଅନୁମାନ କଲେ ଯେ, ନିଶ୍ଚୟ କେହି ଜଣେ ଗୋପନରେ ଆସି ଆମ ରାଜକୁମାରୀ ସହିତ ସାକ୍ଷାତ କରୁଛି । କିନ୍ତୁ ସେମାନେ ତ କାହିଁ ତାକୁ ଦେଖିପାରୁ ନାହାଁନ୍ତି । ଏହା ତ ଅତ୍ୟନ୍ତ ଆଶ୍ଚର୍ଯ୍ୟ କଥା । ମାଛି ପଡିଲେ ନବଖଣ୍ଡ । ସେ ରାଜଅନ୍ତଃପୁରକୁ ତ ଦିନରାତି ପ୍ରହରୀ ଜଗି ରହୁଛନ୍ତି । ତେବେ ଏପରି ଅବ୍ୟାପାର କିପରି ହେଉଛି । ଶେଷରେ ସେ ରାଜକୁମାରୀର ସଖୀମାନେ ଯାଇ ରାଜାଙ୍କୁ ଗୋପନରେ ଏହି ସବୁ କଥା ଜଣାଇଲେ ।
ରାଜା ଚଣ୍ଡାଦିତ୍ୟ ଏସବୁ କଥା ଶୁଣି ଅତ୍ୟନ୍ତ କ୍ରୋଧରେ ଫାଟିପଡିଲେ । କାହାର ଏତେ ଦୁଃସାହସ । ଆମ ରାଜଜେମାଙ୍କ ପୁରରେ ଅତି ଗୋପନରେ ପ୍ରବେଶ କରୁଛି । ଅଥଚ ଆମ ପ୍ରହରୀମାନେ କିଛିବି ଜାଣିପାରୁ ନାହାଁନ୍ତି ।
ତେଣୁ ସେ ରାଜା ତାଙ୍କ ମନ୍ତ୍ରୀଙ୍କୁ ଡକାଇ ଗୋପନରେ ତାଙ୍କ ସହିତ ପରାମର୍ଶ କଲେ ସେଦିନ ରାଜଜେମାଙ୍କ ଅଜାଣତରେ ତାଙ୍କର ଶେଯରେ ଅବିର ବୋଳି ଦିଆଗଲା । ସବୁଦିନ ପରି ଠିକ୍ ପାହାନ୍ତା ପହରୁ ସେ ରାଜକୁମାର ଭୀମଭଟ୍ଟ ଯେତେବେଳେ ନଅରରୁ ବାହାରି ରାଜପଥରେ ଗଲେ, ସେତେବେଳେ ସେ ରାଜାଙ୍କର ପ୍ରହରୀମାନଙ୍କ ଦ୍ୱାରା ବନ୍ଦୀ ହେଲେ । କାରଣ ତାଙ୍କର ପୋଷାକଯାକ ପୁରାପୁରି ଅବିରରେ ରଙ୍ଗେଇ ହୋଇଯାଇଥିଲା ।
ସକାଳୁ ଦରବାର କକ୍ଷକୁ ରାଜକୁମାର ଭୀମଭଟ୍ଟ ବନ୍ଦୀ ହୋଇ ଆସିଲେ । ରାଜା ଚଣ୍ଡାଦିତ୍ୟ ତ ସେତେବେଳେ ତାଙ୍କ ସିଂହାସନରେ ଆସୀନ । ତାଙ୍କ ପାଖରେ ବସିଥାନ୍ତି ରାଜକୁମାରୀ ହଂସାବଳୀ ।