ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜପଦର ମହତ୍ୱ

ଥରେ ପ୍ରବାଳ ଦେଶର ରାଜା ସ୍ନାନ କରୁଥିବା ସମୟରେ ତାଙ୍କ ପାଦ ଖସିଯିବାରୁ ସେ ତଳେ ପଡିଗଲେ । ତାଙ୍କ ପାଦରେ ଶକ୍ତ ଆଘାତ ବାଜିଲା ଯାହା ଫଳରେ କି ସେ ଆଉ ଚାଲବୁଲ କରି ପାରିଲେ ନାହିଁ । ରାଜ ବୈଦ୍ୟ ପାଦରେ ବିଭିନ୍ନ ଔଷଧୀୟ ବୃକ୍ଷର ରସ ଲେପନ କରି ପଟ୍ଟି ବାନ୍ଧିଦେଲେ ଏବଂ ଅତି କମ୍ରେ ପନ୍ଦର ଦିନ ସମ୍ପୂର୍ଣ୍ଣ ବିଶ୍ରାମ ନେବା ପାଇଁ ରାଜାଙ୍କୁ ସେ ପରାମର୍ଶ ଦେଲେ ।

                ବୈଦ୍ୟଙ୍କ କଥାନୁସାରେ ରାଜା ମନ୍ତ୍ରୀଙ୍କୁ ଡକାଇ ଶାସନ – ପରିଚାଳନା ଭାର ଅର୍ପଣ କଲେ । ଏକ ସପ୍ତାହକାଳ ମନ୍ତ୍ରୀ ମହାରାଜଙ୍କର ପ୍ରତିନିଧି ରୂପେ ବେଶ୍ ସୁଚାରୁରୂପେ କାର୍ଯ୍ୟ ତୁଲାଇଲେ । ମହାରାଜାଙ୍କ ଅନୁପସ୍ଥିତି ଆଦୌ ଅନୁଭୂତ ହେଲା ନାହିଁ । ସ୍ୱଭାବରେ ଆତ୍ମଗର୍ବୀ ମନ୍ତ୍ରୀବର, ନିଜକୁ ମହାରାଜାଙ୍କ ସହିତ ତୁଳନା କରି ମନେ କଲେ ସେ କୌଣସି ଗୁଣରେ ରାଜାଙ୍କ ଠାରୁ ନ୍ୟୁନ ନୁହଁନ୍ତି ।

                “ମୁଁ ଦକ୍ଷତାର ସହିତ ଶାସନ-ଭାର ସମ୍ଭାଳି ପାରୁଛି । ଏବେ ଯାଏଁ ମୁଁ ରାଜାଙ୍କୁ ପରାମର୍ଶ ଦେଇ ଆସୁଥିଲି । ମୋର ପରାମର୍ଶକୁ ଆଧାର କରି ରାଜା ରାଜ-କାର୍ଯ୍ୟ ପରିଚାଳନା କରୁଥିଲେ । ରାଜା କେବଳ ନାମକୁ ମାତ୍ର ଶାସକ । ରାଜାଙ୍କୁ ବାଦ୍ ଦେଇ ମଧ୍ୟ ଶାସନ ବିନା ବାଧା ବିଘ୍ନରେ ଚାଲିପାରିବ, ଏହା ମୁଁ ପ୍ରମାଣିତ କରିଦେଲି ।” ମନ୍ତ୍ରୀଙ୍କ ମନରେ ଏପରି ଅହଂକାର ବସା ବାଂନ୍ଧିଲା ଓ ସେ ତଦନୁସାରେ ଆଚରଣ କରିବାକୁ ଲାଗିଲେ ।

ଦିନେ ଅକସ୍ମାତ୍ ଅଗ୍ନିକାଣ୍ଡ ସଂଘଟିତ ହୋଇ ଦିନ ମଜୁରୀ କାମ କରି ଜୀବିକା ନିର୍ବାହ କରୁଥିବା ଶ୍ରମିକ ମାନଙ୍କର ପ୍ରାୟ ଷାଠିଏଟି କୁଟୀର ବିଧ୍ୱଂସ ହୋଇଗଲା । ଦୁଇଶହରୁ ଅଧିକ ଲୋକ ନିରାଶ୍ରୟ ହୋଇଗଲେ । ଏହି ସମାଚାର ମିଳିବା ମାତ୍ରେ ମନ୍ତ୍ରୀ ଘଟଣା ସ୍ଥଳରେ ଯାଇ ତୁରନ୍ତ ପହଁଚିଗଲେ । ସମସ୍ତ କୁଟୀର ପୁନଃନିର୍ମାଣ କରାହେବାର ନିଷ୍ପତି ସେ ତତ୍କ୍ଷଣାତ୍ ଘୋଷଣା କଲେ । ଏକ ସପ୍ତାହ ନିମନ୍ତେ ସେ ସେମାନଙ୍କ ପାଇଁ ଖାଦ୍ୟର ବନ୍ଦବୋସ୍ତ କରିଦେଲେ ।

ଏତେ ସବୁ କରିବାପରେ ମଧ୍ୟ ଶ୍ରମିକମାନଙ୍କ ମନରେ ସରସତା ଫୁଟିଉଠିଲା ନାହିଁ । ମନ୍ତ୍ରୀ ସେମାନଙ୍କୁ ପ୍ରଶ୍ନ କଲେ, “ନିର୍ଭୟରେ ପ୍ରକାଶ କର । ତୁମ ମାନଙ୍କର ଆଉ କେଉଁ କେଉଁ ପ୍ରକାରର ସହାୟତା ଲୋଡା?”

ତା’ପରେ ଶ୍ରମିକମାନେ ପ୍ରକାଶ କଲେ “ଥରଟିଏ ମାତ୍ର ମହାରାଜାଙ୍କୁ ଭେଟିବା ପାଇଁ ଆମେ ପ୍ରାର୍ଥନା କରୁଛୁ । ଏପରି ବିଷମ ପରିସ୍ଥିତିରେ ସେ ଆମକୁ ଆଶ୍ୱାସନା ଦେଲେ ଆମେ ଧନ୍ୟ ହୋଇଯିବୁ । ଭାବିବୁ, ଆମର ସୁଖ ଦୁଃଖ ସବୁ ସମୟରେ ସେ ଆମର ପାଖେ ପାଖେ ଅଛନ୍ତି ।”

ସେମାନଙ୍କର ଏଭଳି କଥା ଶୁଣି ମନ୍ତ୍ରୀ ଏକବାରେ ବିସ୍ମିତ ହୋଇ ପଡିଲେ । ପ୍ରକୃତରେ କଣ ଅଭାବ ରହୁଛି, ସେ ତାହା ସ୍ଥିର କରିପାରିଲେ ନାହିଁ । ତେଣୁ ମହାରାଜାଙ୍କୁ ଏକ ଘୋଡାଗାଡିରେ ଉପବେଶନ କରି ସେଠାକୁ ଆସିବା ପାଇଁ ଅନୁରୋଧ କଲେ । ମହାରାଜ ଶ୍ରମିକ ମାନଙ୍କ ନିକଟରେ ପହଁଚିବା କ୍ଷଣି ସେମାନଙ୍କର ନିରାଶଭରା ମୁଖମଣ୍ଡଳରେ ଆଶା ପୁନର୍ଜୀବିତ ହୋଇ ଉଠିଲା । ସମସ୍ତେ ହାତ ଯୋଡି ତାଙ୍କୁ ପ୍ରଣାମ କଲେ । ମହାରାଜ ସେମାନଙ୍କୁ କହିଲେ, “ଆପଣମାନଙ୍କର କୁଟୀର-ଦାହ ସମ୍ବନ୍ଧରେ ମୁଁ ଏବେ କିଛି ସମୟ ତଳେ ଜାଣିବାକୁ ପାଇଲି ।”

ସମସ୍ତେ ରାଜାଙ୍କ ଘୋଡାଗାଡି ଚାରିପଟେ ଘେରିଯାଇ ନିଜ ନିଜର ଦୁଃଖ ଜଣାଇଲେ ଓ ତା’ ସହିତ ମଧ୍ୟ ମହାରାଜଙ୍କର ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ଚାହିଁଲେ । ମହାରାଜ ସେମାନଙ୍କୁ ଆଶ୍ୱାସନା ଦେଲେ ଓ ଯଥାଶୀଘ୍ର କୁଟୀର – ନିର୍ମାଣ କାର୍ଯ୍ୟ ସମାପ୍ତ ହେବ କହି ପ୍ରବୋଧନା ଦେଇ ସେଠାରୁ ଚାଲିଗଲେ ।

ମନ୍ତ୍ରୀଙ୍କ ଚକ୍ଷୁ ସମ୍ମୁଖରେ ଏହା ସବୁ ଘଟିଗଲା । ସେ ଗୃହକୁ ଫେରି ଏହି ବିଷୟରେ ଗଭୀର ଚିନ୍ତା କରି ଶେଷରେ ଏହି ସିଦ୍ଧାନ୍ତରେ ପହଁଚିଲେ ଯେ, ପ୍ରଜାମାନଙ୍କ ଦୃଷ୍ଟିରେ ମନ୍ତ୍ରୀ, ସେନାପତି ଓ ଅନ୍ୟ ଅଧିକାରୀମାନେ ଆଦେଶପାଳନକାରୀ ସେବକ ମାତ୍ର । ରାଜା ହେଉଛନ୍ତି ଦଣ୍ଡଧାରୀ । କୌଣସି ତ୍ରୁଟି ପାଇଁ ସେ କେବଳ ଦଣ୍ଡ ଦେଇପାରିବେ ତା ନୁହେଁ, ସୁଖଦୁଃଖରେ ମଧ୍ୟ ସେ ପାଖରେ ଠିଆହେବେ ସମବେଦନା ଜଣାଇବେ, ସମସ୍ୟା ଦୂର କରିପାରିବେ । ଏହି କାରଣରୁ ରାଜାଙ୍କ ଉପରେ ସେମାନଙ୍କର ଅତୁଟ ବିଶ୍ୱାସ ।

ଏହି ବାସ୍ତବିକତା ହୃଦୟଙ୍ଗମ କରିବା ପରେ ମନ୍ତ୍ରୀଙ୍କର ଅହଂକାର ତୁଟିଗଲା । ସେ ଏଥର ରାଜପଦର ମହତ୍ୱ ଓ ଗାରିମା ଠିକ୍ ବୁଝିପାରିଲେ । ସେହିଦିନ ଠାରୁ ଦ୍ୱି ଗୁଣ ଉତ୍ସାହରେ ସେ ରାଜ ସେବା କଲେ ଓ ରାଜାଙ୍କର ଜଣେ ମୁଖ୍ୟ ପରାମର୍ଶଦାତାର ଦାଇତ୍ତ୍ଵ ତୁଲାଇ, ନିଜର ଦକ୍ଷତା ପ୍ରମାଣିତ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ