ରାଜା ଭୂପାଳଙ୍କ ରାଜବୈଦ୍ୟ ବେମାର ପଡି ଗଲେ । ପୁରା ଏକ ସପ୍ତାହ ଧରି ସେ ବିଛଣାରୁ ଉଠି ପାରିଲେ ନାହିଁ । ରାଜା ଚିନ୍ତିତ ହୋଇ ମନ୍ତ୍ରୀଙ୍କୁ କହିଲେ, “ମନେ ହେଉଛି, ରାଜବୈଦ୍ୟଙ୍କୁ ନିଜ ଔଷଧ କାଟୁ କରୁନାହିଁ । ତେଣୁ ଅନ୍ୟ କେଉଁ ବୈଦ୍ୟଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଇବା ସମୁଚିତ ହେବ ।”
ମନ୍ତ୍ରୀ ତୁରନ୍ତ କହିଲେ, “ପ୍ରଭୁ, ଆମ ରାଜ୍ୟରେ ବୈଦ୍ୟର କୌଣସି ଅଭାବ ନାହିଁ । କିନ୍ତୁ ଆମେ କୌଣସି ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ଆଦେଶ ଦେଇପାରିବା ନାହିଁ । ତାହା ବ୍ୟତୀତ, କେଉଁ ବୈଦ୍ୟଙ୍କର କେତେ ଦକ୍ଷତା ରହିଛି, ତାହା ମଧ୍ୟ ଆମ୍ଭଙ୍କୁ ଜଣା ନାହିଁ । ତେଣୁ ଏପରି ଘୋଷଣା କରିବା, “କେହି ଆତ୍ମବିଶ୍ୱାସ ଓ ଅଭିଜ୍ଞତା ସମ୍ପନ୍ନ ବୈଦ୍ୟ, ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ଇଚ୍ଛୁକ ଥିଲେ ପ୍ରକାଶ କରନ୍ତୁ ।”
ରାଜାଙ୍କୁ ମନ୍ତ୍ରୀଙ୍କ ପ୍ରସ୍ତାବ ଉଚିତ୍ ମନେ ହେଲା । କିନ୍ତୁ ଏହି ଘୋଷଣା ହେବା ପରେ ଏକ ସମସ୍ୟା ଉପୁଜିଲା । କେହି ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ସାହସ କଲେ ନାହିଁ ।”
ସମସ୍ତେ ମନେକଲେ, “ରାଜବୈଦ୍ୟ ତ, ସାକ୍ଷାତ ଧନ୍ୱନ୍ତରୀ ସଦୃଶ । ବୈଦ୍ୟ-ଶାସ୍ତ୍ରର ସମସ୍ତ ରହସ୍ୟ ତାଙ୍କୁ ଜଣାଅଛି । ତାଙ୍କୁ ଚିକିତ୍ସା କରିବା ପରି ଶକ୍ତି ଆମର ବା କାହିଁ? ଯଦିବା ଆମେ ଏପରି ଦୁଃସାହସ କରୁ, ବିଫଳ ହେଲେ ଫାଶୀ ଖୁଂଟରେ କି କାରାଗାରରେ ଦଣ୍ଡ ଭୋଗିବାଟା ସାର ହେବ ।” ଏପରି ପରିସ୍ଥିତିରେ ଦୟାନନ୍ଦ ଶର୍ମା ନାମକ ଜଣେ ଯୁବବୈଦ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି, ରାଜବୈଦ୍ୟଙ୍କ ଚିକିତ୍ସାଭାର ନେବାପାଇଁ ସେଦିନର ଅନୁରୋଧ ଜଣାଇଲେ । ମନ୍ତ୍ରୀ ମହୋଦୟ ତାଙ୍କୁ ରାଜବୈଦ୍ୟଙ୍କ ନିକଟକୁ ପ୍ରେରଣ କଲେ ।
ରାଜବୈଦ୍ୟ ଦୟାନନ୍ଦଙ୍କୁ ପ୍ରଶ୍ନ କଲେ, “ତୁମେ କେଉଁ ଗୁରୁଙ୍କ ଠାରୁ ଶିକ୍ଷାଲାଭ କରିଛ?”
ଦୟାନନ୍ଦ ଯୋଡହସ୍ତରେ କହିଲେ, “ବୈଦ୍ୟରାଜ, ମୁଁ ଶ୍ରୀଯୁକ୍ତ ମଣିଶଙ୍କରଙ୍କ ଶିଷ୍ୟ ଅଟେ । ସେ ଆପଣଙ୍କ ସମ୍ବନ୍ଧରେ ମତେ ଅନେକ କଥା କୁହନ୍ତି । ଆପଣ ଦୁହେଁ ଗୋଟିଏ ଗୁରୁକୁଳରେ ଶିକ୍ଷା ଲାଭ କରୁଥିଲେ ।”
ନିଜର ସହପାଠୀଙ୍କ ନାମ ଶୁଣୁ ଶୁଣୁ ରାଜବୈଦ୍ୟଙ୍କ ଚକ୍ଷୁରେ ଏକ ପ୍ରକାର ଚମକ ଖେଳି ଗଲା । ସେ ଅତ୍ୟନ୍ତ ଉତ୍ସାହିତ ହୋଇ କହିଲେ, “ଆଚ୍ଛା, ଏବେ ମଧ୍ୟ ସେ ମତେ ସ୍ମରଣ କରୁଛନ୍ତି । ସେ ଆଉ ତୁମକୁ ମୋ ପାଖକୁ ପଠାଇନାହାଁନ୍ତି ତ?”