“ନା ମହାଶୟ, ଏକମାସ ପୂର୍ବେ ମୋର ବିଦ୍ୟାଧ୍ୟୟନ ସମାପ୍ତ ହୋଇଛି ବୈଦ୍ୟ ଶାସ୍ତ୍ରରେ ନିପୁଣତା ହାସଲ ପରେ, ବୈଦ୍ୟାଚାର୍ଯ୍ୟଙ୍କ ଅନୁମତି କ୍ରମେ ମୁଁ ସ୍ୱଗ୍ରାମକୁ ଫେରି ଆସିଛି । ମୋର ତ ଗ୍ରାମ ଏଠାରୁ ପ୍ରାୟ ଦୁଇକୋଶ ଦୂର । ସେଠାରେ ମୋର ପେଷା ଆରମ୍ଭ କରିବାର ପ୍ରସ୍ତୁତିରେ ଥିବା ସମୟରେ ଆପଣଙ୍କ ଅସୁସ୍ଥତାର ସମାଚାର ପାଇ ମୁଁ ଏଠାକୁ ଆସିଛି ।”
ଶର୍ମାଙ୍କ ସରଳ କଥାରେ ରାଜବୈଦ୍ୟ ଖୁବ୍ ପ୍ରଭାବିତ ହୋଇ ସ୍ମିତ ହସି କହିଲେ, “ତେବେ ମୁଁ ହେଉଛି ତୁମର ପ୍ରଥମ ରୋଗୀ, ଠିକ୍ ଅଛି ଏବେ ନିଶ୍ଚିନ୍ତରେ ତୁମର ଚିକିତ୍ସା ଆରମ୍ଭ କର ।” କେହି କଳ୍ପନା ମଧ୍ୟ କରି ନ ଥିଲେ ଯେ, ଶର୍ମାଙ୍କ ଚିକିତ୍ସାରେ ରାଜବୈଦ୍ୟ, ଏତେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି । ଗୋଟିଏ ସପ୍ତାହ ମଧ୍ୟରେ ସେ ତାଙ୍କର ପୂର୍ଣ୍ଣ ସୁସ୍ଥତା ଫେରିପାରିଲେ ।”
ଏହି ବିଷୟ ଜାଣିପାରି ରାଜା ମନ୍ତ୍ରୀଙ୍କୁ କହିଲେ, “ମନେ ହେଉଛି ଏହି ବୈଦ୍ୟ ଆମ ବୈଦ୍ୟଙ୍କଠାରୁ ମଧ୍ୟ ଅଧିକ ପ୍ରତିଭାବାନ୍ । ତେଣୁ ରାଜବୈଦ୍ୟଙ୍କୁ ଅବସର ପ୍ରଦାନ କରି ଏହି ଯୁବବୈଦ୍ୟଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କଲେ ଠିକ୍ ହେବ କି?”
ମନ୍ତ୍ରୀ ରାଜାଙ୍କ କଥାରେ ସମ୍ମତି ଜଣାଇ କହିଲେ “ନିଶ୍ଚୟ, ଏହା ତ ଏକ ଉତ୍ତମ ପ୍ରସ୍ତାବ ।”
କିନ୍ତୁ ଶର୍ମା ବିନମ୍ର ଭାବରେ ରାଜାଙ୍କ ଏହି ପ୍ରସ୍ତାବକୁ ଅସ୍ୱୀକାର କରି କହିଲେ, “ଆପଣଙ୍କ ବୈଦ୍ୟଙ୍କୁ ଚିକିତ୍ସା ଶାସ୍ତ୍ରର କୌଣସି ଜ୍ଞାନ ଅଜ୍ଞାତ ନାହିଁ । କିନ୍ତୁ ସାଧାରଣତଃ ଜଣେ ବୈଦ୍ୟ ନିଜର ଚିକିତ୍ସା କରିଥିବା ସମୟରେ ସଠିକ୍ ନିଦାନ୍ ପ୍ରୟୋଗ କରି ପାରନ୍ତି ନାହିଁ । ରାଜବୈଦ୍ୟଙ୍କ କ୍ଷେତ୍ରରେ ମଧ୍ୟ ତାହାହିଁ ଘଟିଛି ।”
ଶର୍ମାଙ୍କର ବିନମ୍ରତା ଓ ବିବେକୀ ପଣ ରାଜାଙ୍କୁ ଖୁବ୍ ପ୍ରଭାବିତ କଲା । ଭବିଷ୍ୟତରେ ଜଣେ ଉତ୍ତମ ଚିକିତ୍ସକ ହେବାର ସମ୍ଭାବନା ତାଙ୍କଠାରେ ଲକ୍ଷ୍ୟ କରି ରାଜା ତାଙ୍କୁ ରାଜବେଦ୍ୟଙ୍କ ମୁଖ୍ୟ ସହାୟକ ରୂପେ ନିଯୁକ୍ତି ଦେଲେ ।