କିଶୋର କିଛି ପଇସା ବହୁ ଦିନରୁ ସଂଚୟ କରି ରଖିଥିଲା । ସେତକ ପଇସା ସେ ଦରଜୀକୁ ଦେଇଦେଲା । ଦରଜୀ ଗୋଟାଏ ଶସ୍ତା ରାଜପୋଷାକ ତିଆରି କରିଦେଲା । ସେମିତି ପୋଷାକ ଯାତ୍ରା ଦଳରେ କେବଳ ଅଭିନେତାମାନେହିଁ ପିନ୍ଧନ୍ତି ।
“ରାଜ-ପୋଷାକ ସିନା ହୋଇଗଲା, କିନ୍ତୁ ଖଣ୍ଡା କାହିଁ? ବିନା ତରବାରୀରେ ସେ ପୁଣି ନିଜକୁ ରାଜା କିପରି ବୋଲାଇବ?” ଗାଁ ପାଖ ବଜାରରେ ଥିବା କମାର ତାକୁ ଏ ବିଷୟରେ ପଚାରିଲା । କିଶୋର ଉତ୍ସାହିତ ହୋଇ କହିଲା, “ଆରେ ଭାଇ, ତୁ ମୋ ପାଇଁ ତରବାରୀଟିଏ ତିଆରି କରି ଦେ । ମୁଁ ରାଜା ହେଲେ ଦୁଇଗୁଣ ଦାମ୍ ଦେଇ ଦେବି ।”
କମାର କହିଲା, “ମୁଁ ପଇସା ନେବି ନାହିଁ । କିନ୍ତୁ ମୋର ତିନୋଟି ମେଣ୍ଢା ବଣ ଭିତରେ କୁଆଡେ ହଜି ଯାଇଛନ୍ତି । ତୁ ଯଦି ସେଗୁଡିକୁ ଖୋଜି ଆଣିଦେବୁ, ତେବେ ମୁଁ ତୋଲାଗି ତରବାରୀ ନିଶ୍ଚୟ ବନାଇ ଦେବି ।”
କିଶୋର ବଣ ଭିତରକୁ ଯାଇ ସତକୁ ସତ ମେଣ୍ଢା ତିନୋଟିଙ୍କୁ ଖୋଜି ବାହାର କଲା । ସେମାନଙ୍କୁ ଧରି ସେ ବଣ ଭିତରୁ ବାହାରି ଆସୁଛି, ଠିକ୍ ସେତିକିବେଳେ ସେ ରାଜ୍ୟର ରାଜକୁମାରୀ ରଥ ଚଢି ସେଆଡେ ଆସୁଥିବାର ଦେଖାଗଲା । କିଶୋରର ବିଚିତ୍ର ପୋଷାକ ଦେଖି ସେ କୌତୁହଳୀ ହୋଇ ପଚାରିଲେ, “ତମେ କିଏ?”
କିଶୋର କହିଲା “ରାଜକୁମାରୀ! ମୁଁ କିଶୋର । ସାଧାରଣ ଗାଉଁଲି ପିଲା । କିନ୍ତୁ ମାସକ ଭିତରେ ମୁଁ ରାଜା ହେବି ।”
“ପାଗଳ?” ରାଜକୁମାରୀଙ୍କ ମୁହଁରୁ ଏ ଶବ୍ଦଟି ବାହାରି ପଡିଲା ।
କିଶୋର କହିଲା “ନା, ନା, ମୁଁ ମୋଟେ ପାଗଳ ନୁହେଁ । ରାଜକୁମାରୀ! ଆପଣ ମୋତେ ବିଭା ହେବେ? କଥା କ’ଣ କି, ଥରେ ରାଜା ହେବା ପରେ ମୁଁ ତ ଜଣେ ରାଜକୁମାରୀକୁ ବିଭା ହେବା ଲୋଡା ପଡିବ!”
ରାଜକୁମାରୀ ରାଗିଯାଇ କହିଲେ “ଏଇଟାକୁ ବନ୍ଦୀ କର!”
ରାଜକୁମାରୀଙ୍କ ଦେହରକ୍ଷୀମାନେ କିଶୋରଙ୍କୁ ବନ୍ଦୀ କରିବାକୁ ଉଦ୍ୟତ ହେଉଛନ୍ତି, ହଠାତ୍ ପଛରୁ ଗୋଟାଏ ପ୍ରଚଣ୍ଡ କଣ୍ଠସ୍ୱର ଶୁଭିଲା । “ତା’ର ଦୋଷ କ’ଣ ଯେ ତୁମେ ତାକୁ ବନ୍ଦୀ କରୁଛ?”
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଛକୁ ଅନାଇ ଦେଖିଲେ, ଜଣେ ରାକ୍ଷସ ପର୍ବତ ଉହାଡରୁ ବାହାରି ଗୋଟାଏ ଲମ୍ପରେ ସେମାନଙ୍କ ଆଗରେ ଆସି ଠିଆ ହୋଇଗଲା । ତାକୁ ଦେଖିବା ମାତ୍ରେ ରାଜକୁମାରୀଙ୍କ ଦେହରକ୍ଷୀମାନେ ହଠାତ୍ ଛତ୍ରଭଙ୍ଗ ଦେଲେ । ରାକ୍ଷସ କହିଲା, “ଭୟ ନାହିଁ । କାହାରି ଅନିଷ୍ଟ କରିବା ମୋର କୌଣସି ଉଦ୍ଧେଶ୍ୟ ନୁହେଁ । ମୁଁ ରାକ୍ଷସପୁରୀର ରାଜା । ଥରେ ମଣିଷ ଜଗତର ନିୟମ କାନୁନ, ଆଚାର ବ୍ୟବହାର ଲକ୍ଷ୍ୟ କରି ଦେଖିଯିବା ନିମନ୍ତେ ଆସିଥିଲି । ହଁ, ଯାହା ପଚାରୁଥିଲି, ଏ ଯୁବକର ଦୋଷ କ’ଣ?”
ରାଜକୁମାରୀ କହିଲେ “ଜଣେ ସାଧାରଣ ଗାଉଁଲି ଟୋକା ମୋତେ ବିଭା ହେବାର ଆସ୍ପର୍ଦ୍ଧ ପୋଷଣ କରିବା ଏବଂ ସେକଥା କହିବା ଗୋଟାଏ ଅପରାଧ । ମୋ ପିତାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ଅନ୍ୟ ସନ୍ତାନ ନଥିବା ଯୋଗୁଁ ମୋ ଉପରେ ବର୍ତ୍ତମାନ ରାଜ୍ୟ ଭାର । ମୁଁ ଜଣେ ଯୁଦ୍ଧବିଦ୍ୟା ପାରଙ୍ଗମ, କୁଶଳୀ, ବୁଦ୍ଧିମାନ ଯୁବକକୁ ବିଭା ହେବି । ଇଏ କିପରି ବାମନ ହୋଇ ଚନ୍ଦ୍ରକୁ ହାତ ବଢାଉଛି?”
“ଏ ଯୁବକ ବୁଦ୍ଧିମାନ । କିନ୍ତୁ ଅତ୍ୟନ୍ତ ସରଳ । ଆଉ ଯୁଦ୍ଧବିଦ୍ୟା କଥା ଯେ କହିଲେ, ମୁଁ ଏବେ ଏହାଙ୍କୁ ମୋ ବିଭୂତି ବଳରେ ସେ ଦିଗରେ ମୁହୂର୍ତ୍ତକ ଭିତରେ ସମସ୍ତ ଦକ୍ଷତା ପ୍ରଦାନ କରିପାରେ ।” ଏହା କହି ସେ ରାକ୍ଷସ କିଶୋରକୁ ଧରି ତା’ ଉପରେ କେତେକ ମନ୍ତ୍ର ପଢିଦେଲା । କିଶୋର ମୂର୍ଚ୍ଛା ଗଲା । ତା’ପରେ ସେ ଉଠିପଡି କହିଲା, “ମୁଁ ମୋ ଭିତରେ ନାନା ପ୍ରକାର ଗୁଣ ଓ ବଳର ବିକାଶ ଅନୁଭବ କରୁଛି ।”
ରାକ୍ଷସ ପଚାରିଲା “ରାଜକୁମାରୀ! ବର୍ତ୍ତମାନ ଏହାଙ୍କୁ ବିଭା ହେବ ଟି?”
ରାଜକୁମାରୀ କହିଲେ “ନା । କାରଣ ଇଏ ଖାଲି ଶକ୍ତି ଅନୁଭବ କରିଛନ୍ତି । ସେତିକିରେ ଚଳିବ ନାହିଁ । ସେ ତାଙ୍କ ଶକ୍ତିର ପରୀକ୍ଷା ଦେବା ଆବଶ୍ୟକ । ଆମ ରାଜ୍ୟ ସୀମାନ୍ତରେ କୁଶପତନର ରାଜା ବିଶୁବର୍ମା ଯୁଦ୍ଧ କରିବାକୁ ଆସି ତମ୍ବୁ ପକାଇଛନ୍ତି । ଏ ଯୁବକ ଯାଇ ଯଦି ତାଙ୍କୁ ଯୁଦ୍ଧ କରି ହଟାଇଦେଇ ପାରିବେ, ତେବେ ଯାଇ ମୁଁ ତାଙ୍କୁ ବିଭା ହେବି ।”