ଭାସ୍କର କହିଲେ, “ମୋ ମନରେ ରାଜ ସମ୍ମାନ ପ୍ରାପ୍ତ କରିବାର ପ୍ରବଳ ଅଭିଳାଷ ରହିଛି । କେବଳ ସେଇଥିପାଇଁ ମୁଁ ରାଜଧାନୀ ଯାଉଥିଲି ।”
ଏକଥା ଶୁଣି ବିଦ୍ୟାଧର ଗମ୍ଭୀର ହୋଇ କହିଲେ “ରାଜ ସମ୍ମାନ? ଏସବୁ ଇଚ୍ଛା କବିମାନଙ୍କ ପାଇଁ ଆଦୌ ଶୋଭା ପାଏ ନାହିଁ । ରାଜା କବିମାନଙ୍କ ଦ୍ୱାରା ନିକୃଷ୍ଟ କାର୍ଯ୍ୟ କରାଇଥା’ନ୍ତି ।”
ଭାସ୍କର କହିଲେ, “ଆପଣ ଅପରାଧୀମାନଙ୍କ ସହିତ ସଦାସର୍ବଦା ରହୁଛନ୍ତି, ପୁଣି ରାଜାଙ୍କର ନୀଚତା ସମ୍ବନ୍ଧରେ କଥା କହୁଛନ୍ତି? ଇଏ ତ ଅତ୍ୟନ୍ତ ହାସ୍ୟାସ୍ପଦ କଥା ।”
ବିଦ୍ୟାଧର କହିଲେ “ମନେହୁଏ, ମୋ ସହିତ ଥିବା ଲୋକମାନଙ୍କ ବିଷୟରେ ତୁମେ କିଛି ମଧ୍ୟ ଜାଣ ନାହିଁ । ମାତ୍ର ନିକଟ ଭବିଷ୍ୟତରେ ତୁମ ବିଚାରରେ ଅବଶ୍ୟ ପରିବର୍ତ୍ତନ ଦେଖା ଦେବ ।”
“ଅନ୍ଧକାର ହୋଇଯିବା ପରେ ବିଦ୍ୟାଧର ସମସ୍ତିଙ୍କୁ ସୁନ୍ଦରଶ୍ଳୋକ ବୋଲି ଶୁଣାଇଲେ ଓ ତାହାର ବ୍ୟାଖ୍ୟା କରି ମଧ୍ୟ ଶୁଣାଇଲେ । ଭାସ୍କର ଏସବୁ ଦେଖୁଥାନ୍ତି । ତାଙ୍କର ମନେହେଲା ବୋଧହୁଏ ସେମାନେ ଭଲଭାବରେ ତାଙ୍କ କଥା କିଛି ବୁଝି ପାରିଲେ ନାହିଁ । ବିଦ୍ୟାଧର ସେମାନଙ୍କ ଉପରେ କଣାମାନଙ୍କର ରାଜା ଭଳି ରହିଛନ୍ତି । ସେଥିପାଇଁ ତାଙ୍କୁ ଏଠାରେ ରହିବାକୁ ଭାରି ଭଲ ଲାଗୁଛି । ତାଙ୍କୁ ଏମିତି ଲାଗୁଛି ସତେ ଯେମିତି ସେ ସ୍ଥାନଟି ତାଙ୍କ ଲାଗି ସ୍ୱର୍ଗ ସଦୃଶ ।”
ଭାସ୍କର ସେଦିନ ରାତିରେ କ୍ଳାନ୍ତ ହୋଇ ଖୁବ୍ଶୀଘ୍ର ଶୋଇ ପଡିଲେ ଓ ସକାଳୁ ଉଠି ରାଜଧାନୀ ଉଦ୍ଧେଶ୍ୟରେ ବାହାରି ପଡିଲେ । ବିଦ୍ୟାଧର ତାଙ୍କୁ ବଡ ସ୍ନେହପୂର୍ଣ୍ଣ ଆଖିରେ ଚାହିଁ କହିଲେ, “ଏପରି ଶ୍ରୋତା ତୁମକୁ ଆଉ କେଉଁଠି ହେଲେ ବି ମିଳିବେ ନାହିଁ । ଏଠାରେ ଅତି ଆନନ୍ଦରେ ଦିନ ବିତିଯାଏ । କିନ୍ତୁ ରାଜାଙ୍କ ପାଖକୁ ଯାଇ ତୁମେ କ’ଣ ବା ପାଇବ?”
ଭାସ୍କର ସେଠାରେ ରହିବାକୁ ଚାହୁଁ ନଥିଲେ । ବିଦ୍ୟାଧର ପୁଣି କହିଲେ, “ଶୁଣ, ଏହି ଜଙ୍ଗଲକୁ ପାର ହୋଇ ଯିବା ପରେ ନାଦପୁର ଗ୍ରାମ ଆସିବ । ସେଠାରେ ମୋର ଶିଷ୍ୟ ବଲ୍ଲଭ ରହେ । ସେ ଜଣେ ମହାକବି । ତା’ ସହିତ ଦେଖାକଲେ ତୁମେ ତୁମ ନିଜର କର୍ତ୍ତବ୍ୟ କର୍ମ ସହଜରେ ଜାଣିପାରିବ ।”
ଭାସ୍କର ନାଦପୁରରେ ପହଁଚିଲେ । ଅନେକ ଲୋକଙ୍କୁ ସେ ବଲ୍ଲଭ ବିଷୟରେ ପଚାରିଲେ, କିନ୍ତୁ କେହି କିଛିବି କହି ପାରିଲେ ନାହିଁ । ଶେଷକୁ ସେ ଜଣେ ଗାଈଆଳକୁ ବଲ୍ଲଭ ବିଷୟରେ ପଚାରିଲେ ।
ଗାଈଆଳ ପଚାରିଲେ “ମୁଁ ତ ନିଜେ ବଲ୍ଲଭ । ହେଲେ ମୋ ସହିତ ତୁମର କି କାମ?”
ଭାସ୍କର ଆଶ୍ଚର୍ଯ୍ୟ ହୋଇ ପଚାରିଲେ “ତୁମେ ବଲ୍ଲଭ? ତୁମ ଗୁରୁ ବିଦ୍ୟାଧର କହୁଥିଲେ କି ତୁମେ କୁଆଡେ ଜଣେ ମହାକବି?”
ବଲ୍ଲଭ ଆଗ୍ରହ ସହକାରେ ପଚାରିଲେ “ତୁମକୁ ତାହେଲେ ବିଦ୍ୟାଧର ପଠାଇଛନ୍ତି? ଏବେ ସେ କିପରି ଅଛନ୍ତି? ଇତିମଧ୍ୟରେ ସେ କୌଣସି ନବୀନ କାବ୍ୟ ରଚନା କରିଛନ୍ତି କି?”
ଭାସ୍କର ପଚାରିଲେ “ମୁଁ ଜାଣେନାହିଁ, ବିଦ୍ୟାଧର କବିତା ଲେଖନ୍ତି କି ନାହିଁ, ଗୁଡାଏ ଅଶିକ୍ଷିତ, ମୂର୍ଖ ଲୋକଙ୍କୁ ଧରି ସେ ପ୍ରାଚୀନ କାବ୍ୟ ପଢି ଶୁଣାନ୍ତି । ତୁମେ ବିଦ୍ୟାଧରଙ୍କର ଶିଷ୍ୟତ୍ତ୍ୱ କାହିଁକି ଗ୍ରହଣ କରିଥିଲ? କେବେ କରିଥିଲ ଓ ସେଥିରୁ ତୁମେ କ’ଣ ବା ପାଇଲ?”
ସେତେବେଳେ ବଲ୍ଲଭ ନିଜବିଷୟରେ କହିବାକୁ ଆରମ୍ଭ କଲେ । ସେ କହିଲେ, “ମୁଁ ଏକ ଗରୀବ ଚାଷୀ ଘରେ ଜନ୍ମ ହୋଇଥିଲି । ପିଲାଦିନରୁ କବିତାକୁ ମୁଁ ବହୁତ ଭଲପାଏ । ମନକୁ ଯାହା ଆସେ ତାହା ମୁଁ ଲେଖେ ଓ ପଶୁ ପକ୍ଷୀଙ୍କୁ ଶୁଣାଏ । ଥରେ ବିଦ୍ୟାଧର ମୋ ଗ୍ରାମକୁ ଆସିଥିଲେ । ସେ ରାତିରେ ମନ୍ଦିର ମଣ୍ଡପରେ ଗ୍ରାମ ଲୋକମାନଙ୍କୁ ମହାଭାରତ ପଢି ଶୁଣାଇଲେ ଓ ବ୍ୟାଖ୍ୟା କରୁଥିଲେ । ମୁଁ ତାଙ୍କର ଜ୍ଞାନ ଓ ବାକ୍ପଟୁତା ଦେଖି ତାଙ୍କପ୍ରତି ବେଶ୍ ପ୍ରଭାବିତ ହୋଇଥିଲି । ମୁଁ ତାଙ୍କୁ ପଚାରିଲି, “ମହୋଦୟ, ଯେତେବେଳେ ମୁଁ ସୌନ୍ଦର୍ଯ୍ୟ ବା କିଛି ଭଲକଥା ଦେଖେ, ସେତେବେଳେ ମୋ ମଧ୍ୟରେ କବି ଭାବର ସଂଚାର ହୁଏ । ତା’ପରେ ମୁଁ ଅନେକ କବିତା ଲେଖିପକାଏ । କିନ୍ତୁ ମୁଁ ନିଜେ ମଧ୍ୟ ବୁଝିପାରେ ନାହିଁ ଯେ ମୁଁ କ’ଣ ଲେଖିଛି । ଆପଣ ଶୁଣନ୍ତୁ ଓ କୁହନ୍ତୁ କି ଏସବୁ ଲେଖା ଠିକ୍ ଅଛି ନା ଏଥିରେ କିଛି ଅସୁବିଧା ଅଛି ।” ଏତିକି କହି ମୁଁ ତାଙ୍କୁ ମୋ ନିଜ ଲେଖା କବିତା କିଛି ଶୁଣାଇଲି ।