ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜାଙ୍କର କ୍ରୋଧ

ମଂଜୁଷାପୁରମ୍ର ରାଜା ମହେନ୍ଦ୍ର ବର୍ମା ଭାରି କ୍ଷଣକୋପୀ ଥିଲେ । ଥରେ ସେ ଖାଦ୍ୟ ଖାଇଲା ବେଳେ ତାଙ୍କ ଖାଦ୍ୟରୁ ଛୋଟିଆ ପଥରଟିଏ ବାହାରିଲା । ଫଳରେ ସେ ଖାଦ୍ୟ ଚୋବାଇଲା ବେଳେ ତାହା ତାଙ୍କ ଦାନ୍ତରେ ଲାଗିଲା । ତେଣୁ ତାଙ୍କର ରାଗ ବଢିଗଲା । ତା’ପରେ ସେ ତାଙ୍କ ରୋଷେଇଆ ଗୋବିନ୍ଦକୁ ଡକାଇ ପଠାଇଲେ । ଗୋବିନ୍ଦ ଭୟରେ ଥରୁଥିଲା । ସେ କ୍ଷମା କରିଦେବାକୁ ଗୁହାରୀ କଲା । କିନ୍ତୁ ରାଜା କିଛି ବି ଶୁଣିଲେ ନାହିଁ । ସେ ଏପରି ଛୋଟିଆ ଭୁଲ୍ଟିଏ ପାଇଁ ମଧ୍ୟ ତାଙ୍କର ଦୁଇ ହାତ କାଟି ଦେବା ପାଇଁ ନିର୍ଦ୍ଧେଶ ଦେଲେ ।

                ଆଉ ଦିନେ ସେ ରାଜାଙ୍କୁ ସଙ୍ଗୀତକାର ଶିବାନନ୍ଦ ଗୀତ ଗାଇ ଶୁଣାଉଥିଲେ । ଶିବାନନ୍ଦଙ୍କର ତାଳ ମେଳ ଟିକେ ବିଗିଡିଗଲା । ସେ ଏହି ଛୋଟିଆ ଭୁଲ୍ ପାଇଁ ପୁଣି ଏକ କଠୋର ଆଦେଶ ପ୍ରଦାନ କଲେ । ସେ କହିଲେ ତାଙ୍କର ଜିଭ କାଟିଦିଅ ।

                କିନ୍ତୁ ରାଜା ମହେନ୍ଦ୍ର ବର୍ମା ପ୍ରକୃତରେ ଏହି ଆଦେଶ କାର୍ଯ୍ୟକାରୀ କରାଯାଉଛି କି ନା ତାହା ଯାଂଚ କରି ଦେଖୁ ନଥିଲେ । ଥରେ ରାଗରେ ଆଦେଶ ଦେଲା ପରେ ସେ ଭୁଲିଯାଉଥିଲେ ।

                କିନ୍ତୁ ଦିନେ ରାଜା ମହେନ୍ଦ୍ର ବର୍ମା ରାଜଧାନୀରେ ବୁଲୁ ବୁଲୁ ଦେଖିଲେ ସେ ପୂର୍ବରୁ ଦଣ୍ଡ ଦେଇଥିବା ଗୋବିନ୍ଦ ଓ ଶିବାନନ୍ଦ ଗଳିରେ ବୁଲୁଛନ୍ତି । ଗୋବିନ୍ଦ ଦୁଇ ହାତରେ ପରିବା ବିକ୍ରି କରୁଛନ୍ତି ।

ଶିବାନନ୍ଦ ପିଲାମାନଙ୍କ ପାଇଁ ଗୋଟିଏ ବିଦ୍ୟାଳୟ ଖୋଲି ଶିକ୍ଷା ପ୍ରଦାନ କରୁଛନ୍ତି । ମହେନ୍ଦ୍ର ବର୍ମା ସେମାନଙ୍କୁ ଚିହ୍ନି ପକାଇଲେ ଏବଂ ପ୍ରାସାଦ ଫେରିଆସିଲେ । ସେମାନେ କାହିଁକି ଦଣ୍ଡ ପାଇନାହାଁନ୍ତି ସେ ବିଷୟରେ ମନେ ମନେ ଚିନ୍ତା କଲେ । ସେ ଭାବିଲେ ଏଥିପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ । ତେଣୁ ସେ ମନ୍ତ୍ରୀ ମହୋଦୟଙ୍କୁ ଡକାଇ ପଠାଇଲେ ।

ଯେତେବେଳେ ମନ୍ତ୍ରୀ ସେଠାରେ ପହଁଚିଲେ, ସେ ରାଜା କ୍ରୋଧିତ ହୋଇ ତାଙ୍କୁ ପଚାରିଲେ, “ମୁଁ ଦେଖିଲି ଯେ ଯେଉଁ ରୋଷେଇଆ ଓ ଗାୟକଙ୍କୁ ମୁଁ ଦଣ୍ଡ ବିଧାନ କରିଥିଲି ସେମାନେ ଦଣ୍ଡିତ ହୋଇନାହାଁନ୍ତି । ମୋର ନିର୍ଦ୍ଧେଶର ବିରୋଧାଚରଣ କରିବା ଏବଂ ସେ ଦୁହିଁଙ୍କୁ କ୍ଷମା କରିଦେବା ପଛରେ ତୁମର ଉଦ୍ଧେଶ୍ୟ କଣ? ତେବେ ଏଥିରୁ କଣ ଜଣାଯାଉଛି ମୋ କଥାର କୌଣସି ଗୁରୁତ୍ୱ ନାହିଁ? ମୁଁ ଏ ଦେଶର ରାଜା । ମୋର ଆଦେଶ ଅବମାନନା କରିବା ପାଇଁ ଆପଣ କିପରି ଦୁଃସାହସ କଲେ?”

ପ୍ରଧାନମନ୍ତ୍ରୀ ଏଥର ରାଜାଙ୍କର କ୍ରୋଧର କାରଣ ବୁଝିପାରିଲେ । ତହୁଁ ସେ ଉତ୍ତର ଦେଲେ, “ଆପଣ ସେ ଦୁହିଁଙ୍କୁ କ୍ଷଣିକ କ୍ରୋଧର ବଶବର୍ତ୍ତୀ ହୋଇ ସେମାନେ ଅଜାଣତରେ କରିଥିବା ଛୋଟିଆ ଭୁଲ୍ ପାଇଁ ଏତେ ବଡ ଦଣ୍ଡରେ ଦଣ୍ଡିତ କଲେ, ଯାହାକି ନ୍ୟାୟୋଚିତ ନୁହେଁ । ଏହା ସହିତ ମୁଁ ଭାବୁଛି ମୁଁ ସବୁ କ୍ଷେତ୍ରରେ ଆପଣଙ୍କର ନିର୍ଦ୍ଧେଶ ପାଳନ କରିଛି ।”

ରାଜା ପଚାରିଲେ “ତୁମେ କିପରି ଭାବୁଛ ଯେ ତୁମେ ମୋର ନିର୍ଦ୍ଧେଶ ପାଳନ କରିଛ?”

ମନ୍ତ୍ରୀ ହୃଦୟଙ୍ଗମ କଲେ ଯେ ରାଜାଙ୍କର ରାଗ ବର୍ତ୍ତମାନ ସାମାନ୍ୟ କମି ଯାଇଛି । ତା’ପରେ ସେ ଉତ୍ତର ଦେଲେ, “ମଣିମା, ଆପଣ ରୋଷେଇଆ ଏବଂ ଗାୟକଙ୍କୁ ସେମାନଙ୍କର ପେସା ଦୃଷ୍ଟିରୁ ଦଣ୍ଡିତ କରିଥିଲେ । ଆପଣ ତ ଆଉ ବ୍ୟକ୍ତିଗତ କାରଣରୁ ସେମାନଙ୍କ ଉପରେ କ୍ରୋଧିତ ହୋଇ ନଥିଲେ । ତେଣୁ ମୁଁ ସେମାନଙ୍କୁ ସେମାନଙ୍କ ପଦରୁ ହଟାଇ ଦେଲି ଏବଂ ସେମାନଙ୍କୁ ରାଜପ୍ରାସାଦରୁ ବାହାର କରିଦେଲି । ମୁଁ ଗୋବିନ୍ଦର ରୋଷେଇ ପେସା ଏବଂ ଗାୟକ ଶିବାନନ୍ଦଙ୍କର ଗୀତ ଗାଇବା ପେସା ସବୁଦିନ ପାଇଁ ବନ୍ଦ କରିଦେଲି । ମୁଁ ହିଂସା ଆଚରଣ ନ କରି ଆପଣଙ୍କ ନିର୍ଦ୍ଧେଶକୁ ପାଳନ କଲି । ସେମାନଙ୍କୁ ଅନ୍ୟ ପ୍ରକାରର ପେସା ଗ୍ରହଣ କରିବା ପାଇଁ କହିଲି । ଆପଣଙ୍କର ଅନ୍ତରର ଇଛା ଏହିପରି ଭାବରେ ପୂର୍ଣ୍ଣ କରିଛି ବୋଲି ଭାବୁଛି ।”

ରାଜା ମହେନ୍ଦ୍ର ବର୍ମା ହୃଦୟଙ୍ଗମ କଲେ ଯେ ତାଙ୍କର କ୍ଷଣିକ କୋପ କେତେ ବ୍ୟକ୍ତିଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାନ୍ତା । ଏହାର ଫଳସ୍ୱରୂପ କେତେ ଯେ କ୍ଷତି ହୋଇଥାନ୍ତା । ସେ ତାଙ୍କର ମନ୍ତ୍ରୀଙ୍କର ବିଜ୍ଞତାପୂର୍ଣ୍ଣ ଆଚରଣର ପ୍ରଶଂସା କଲେ । ସେହିଦିନଠାରୁ ନିଜ କ୍ରୋଧକୁ ଆୟତ୍ତ କରିବା ପାଇଁ ନିଷ୍ପତି ନେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ