ତେନାଲୀରାମା ଗାଈର ସବୁ କ୍ଷୀର ନିଜ ପରିବାର ପାଇଁ ଆଣି ଖର୍ଚ୍ଚକଲେ । ତିନି ମାସ ପରେ ସବୁ ବିରାଡିଙ୍କର ପରୀକ୍ଷା କରାଗଲା । ଗୋ-ଦୁଗ୍ଧ ପାନ କରି ସମସ୍ତଙ୍କର ବିରାଡି ବେଶ୍ ହୃଷ୍ଟ ପୁଷ୍ଟ ଦେଖାଯାଉଥିଲେ । କିନ୍ତୁ ସେତେବେଳକୁ ତେନାଲୀରାମାଙ୍କର ବିରାଡିଟି ସୁଖି କରି ପୁରାପୁରି କଂଟା ହୋଇଯାଇଥାଏ ।
ରାଜା ଏହା ଦେଖି ଅତ୍ୟନ୍ତ ବିରକ୍ତ ହୋଇ କହିଲେ, “ତେନାଲୀରାମା! ତୁମେ ଏହି ବିରାଡିକୁ କ’ଣ ଗାଈ କ୍ଷୀର ପିଆଉ ନଥିଲ? ରାଜାଙ୍କ ଏପ୍ରକାର କଥା ଶୁଣି ତେନାଲୀରାମା କହିଲେ, “ମହାରାଜ! ଏହି ବିରାଡିଟିର କ’ଣ ହେଲା କେଜାଣି କ୍ଷୀର ଦେଖିଲେ ପିଇବା ତ’ ଦୂରର କଥା ଓଲଟି ସେ ଦୌଡି ପଳାଉଛି ।”
ଏହା ଶୁଣି ମହାରାଜ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ ତୁମେ କ’ଣ କହୁଛ? ବିରାଡି ପୁଣି କ୍ଷୀର ନପିଇ ଦୌଡି ପଳାଉଛି । ତୁମେ କ’ଣ ଭାବୁଛ ମୁଁ ତୁମ କଥାକୁ ଏତେ ସହଜେ ବିଶ୍ୱାସ କରିଯିବି?” ତେନାଲୀରାମା କହିଲେ, “ମହାରାଜ! ମୁଁ ଆଦୌ ମିଛ କହୁ ନାହିଁ । ୟେ ବିରାଡି କ୍ଷୀର ଆଦୌ ପିଉ ନାହିଁ । ରାଜା କହିଲେ, “ଯଦି ତୁମର କଥା ସତ ହୁଏ ତା’ହେଲେ ମୁଁ ତୁମକୁ ଏକ ଶତ ସ୍ୱର୍ଣ୍ଣମୁଦ୍ରା ନିଶ୍ଚୟ ଦେବି । ଆଉ ଯଦି ବିରାଡି କ୍ଷୀର ପିଇ ଦେଲା ତା’ହେଲେ ତୁମକୁ ମୋତେ ଶହେ ସ୍ୱର୍ଣ୍ଣ ମୁଦ୍ରା ଦେବାକୁ ପଡିବ ।
ତେନାଲୀରାମା ମଧ୍ୟ ରାଜାଙ୍କର ଏହି ସର୍ତ୍ତକୁ ମାନିନେଲେ । ଏକ ପାତ୍ରରେ କ୍ଷୀର ଭର୍ତ୍ତି କରାଯାଇ ଅଣାଗଲା । ରାଜା ସେ ବିରାଡିକୁ ନିଜ ହାତରେ ଆଉଁସି ଆଉଁସି କହିଲେ, ମୋ ସୁନାଟା ପରା! ଖୀର ତକ ପିଇ ଦେଲୁ ।” ବିରାଡିଟି ଯେମିତି ତା ଆଗରେ କ୍ଷୀର ପାତ୍ର ଦେଖିଲା ସେ ରାଜାଙ୍କ ପାଖରୁ ସିଧା ତଳକୁ କୁଦା ମାରିଲା ।
ତେନାଲୀରାମା ଏହା ଦେଖି କହିଲେ, “ମହାରାଜ! ଶହେ ସ୍ୱର୍ଣ୍ଣମୁଦ୍ରା ତାହେଲେ ଏବେ ମୋର ହେଲା । ରାଜା କହିଲେ, “ମୁଁ ମାନୁଛି ସ୍ୱର୍ଣ୍ଣମୁଦ୍ରା ଏବେ ତୁମେ ହିଁ ପାଇବ । କିନ୍ତୁ ଏହି ବିରାଡିକୁ ମୁଁ ଟିକେ ଭଲଭାବରେ ଦେଖିବାକୁ ଚାହୁଁଛି । ତାପରେ ସେ ବିରାଡିର ପାଟିକୁ ଦେଖିଲାବେଳକୁ ତା’ର ନାକ ତଳକୁ ଏକ ପୋଡା ଚିହ୍ନଟିଏ ରହିଛି । ସେ କ୍ଷତଟି ମଧ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭଲ ହୋଇ ନାହିଁ ।
ଏହା ଦେଖି ସେ ରାଜା କହିଲେ, “ଦୁଷ୍ଟ କୋଉଠିକାର? ଜାଣି ଶୁଣି ତୁମେ ଗରମ କ୍ଷୀର ଏ ବିରାଡିକୁ ଦେଇ ଏପରି ଅବସ୍ଥା ତା’ର କରିଛ?”
ସବୁ ଶୁଣି ତେନାଲୀରାମା ରାଜାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ, “ମହାରାଜ! ରାଜାଙ୍କର ଏହା ଜାଣିବା ନିହାତି ଆବଶ୍ୟକ ଯେ – ରାଜ୍ୟରେ ବିରାଡିଙ୍କ ଅପେକ୍ଷା ମନୁଷ୍ୟ ଛୁଆମାନେ ପ୍ରଥମେ କ୍ଷୀର ଖାଇବା ଆବଶ୍ୟକ ।”
ରାଜା କୃଷ୍ଣଦେବ ରାୟ ତେନାଲୀରାମାଙ୍କ ଏଭଳି କଥା ଶୁଣି ଖାଲି ହସି ଉଠିଲେ ଏବଂ ତାଙ୍କୁ ଏକ ଶତ ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କଲେ । ଶେଷରେ ସେ ରାଜା କହିଲେ, “ତୁମେ ଯାହା କହିଲ ତାହା ତ ଠିକ୍ କଥା, କିନ୍ତୁ ତୁମେ ଯେପରି ନିରୀହ ଜୀବଜନ୍ତୁମାନଙ୍କ ପ୍ରତି ଏପରି ବ୍ୟବହାର ନକର, ଭଗବାନ ତୁମକୁ ଏହି ସଦ୍ବୁଦ୍ଧି ଦିଅନ୍ତୁ ।”