କୌଣସି ଉପାୟ ନପାଇ ଶେଷରେ ସେ କର୍ମଚାରୀଟି ତେନାଲୀରାମାଙ୍କ ପାଖରେ ଯାଇ ପହଁଚିଲା । ତାଙ୍କୁ ଗୋଟି ଗୋଟି କରି ସବୁ କଥା ସେ କର୍ମଚାରୀଟି କହିଲା । ତେନାଲୀରାମା ତାକୁ ଆଶ୍ୱାସନା ଦେବାକୁ ଯାଇ ଏହି ସମସ୍ୟାର ସମାଧାନ ସେ ନିଜେ କରିବେ ବୋଲି କହିଲେ ।
ତାପରଦିନ ତେନାଲୀରାମା ଯାଇ ରାଜାଙ୍କ ପାଖରେ ପହଁଚିଗଲେ ଏବଂ କହିଲେ, “ମହାରାଜ! ଆପଣଙ୍କର ଶୁଆ… ।” “କ’ଣ ହେଲା ଶୁଆର? ତେନାଲୀରାମା ତୁମେ ଯେମିତି ମୋତେ କିଛି ଲୁଚାଇଲା ପରି ଜଣା ପଡୁଛ? ପ୍ରଶ୍ନ କଲେ ରାଜା ।
ତେନାଲୀରାମା କହିଲେ ଯେ, “ମହାରାଜ! ଆପଣଙ୍କ ଶୁଆ କିଛିବି କଥା କହୁ ନାହିଁ । ସେ ତ’ ପୁରାପୁରି ଚୁପ୍ ହୋଇଯାଇଛି । ନା’ ସେ କିଛି ଖାଉଛି, ନା ପିଉଛି, ନା ତା ପର ହଲାଉଛି । ଆଖି ଉପରକୁ କରି କେବଳ ସେ ଚାହିଁ ରହୁଛି । ତା’ର ଆଖି ଡୋଳା ମଧ୍ୟ ସମ୍ପୂର୍ଣ୍ଣ ରୂପେ ସ୍ଥିର ହୋଇ ଯାଇଛି ।
ତେନାଲୀରାମାଙ୍କ ଠାରୁ ଏ ପ୍ରକାର କଥା ଶୁଣି ମହାରାଜ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ତେଣୁ ସଂଗେ ସଂଗେ ସେ ଶୁଆର ପିଞ୍ଜରା ପାଖକୁ ଚାଲିଲେ । ମହାରାଜ ସେଠାରେ ପହଁଚି ଦେଖିଲେ ସେ ଶୁଆଟି ମରିଯାଇଛି । ରାଜା ଏହା ଦେଖି ଅତ୍ୟନ୍ତ ରାଗିଯାଇ ତେନାଲୀରାମାଙ୍କୁ କହିଲେ, “ତୁମେ ମୋତେ ସିଧା କଥା ନକହି ଏପରି ବଙ୍କେଇ ବଙ୍କେଇ କାହିଁ କହୁଥିଲ?”
ତହୁଁ ସେ ତେନାଲୀରାମା କହିଲେ, “ମହାରାଜ, ଆପଣ ତ’ ନିଜେ କହିଥିଲେ ଯଦି ଶୁଆଟିର ମୃତ୍ୟୁ ଖବର ଆପଣ ଶୁଣନ୍ତି ତା’ହେଲେ ଶୁଆ ପାଳିଥିବା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ । ମୁଁ ଯଦି ଆପଣଙ୍କୁ ସିଧା କଥା କହି ଦେଇଥାଆନ୍ତି ବିଚରା କର୍ମଚାରୀଟି ମୃତ୍ୟୁଦଣ୍ଡ ପାଇଥାଆନ୍ତା ।”
ରାଜା କୃଷ୍ଣଦେବ ରାୟ ଏହି କଥା ଶୁଣି ମନେ ମନେ ଖୁବ୍ ଖୁସି ହେଲେ ଯେ, ତେନାଲୀରାମା ନିର୍ଦୋଷ କର୍ମଚାରୀଟିକୁ ମୃତ୍ୟୁ ମୁଖରୁ ବଂଚାଇ ଦେଲେ ।