ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜାଙ୍କ ପରୀକ୍ଷା

ଦୁଇଜଣ ଧାନ୍ୟକୁଟ ଯାତ୍ରା କରିବା ପୂର୍ବରୁ ରାଜା ପୁଣି ସେମାନଙ୍କୁ ଡାକି କହିଲେ, “ଧାନ୍ୟକୁଟରେ ଥିବା ଆମ ମହଲରେ ତୁମେ ଦୁହେଁ ରହିବ । ଫେରିବା ବେଳେ ଏକାଠି ହୋଇ ଫେରିବ, ତୁମ ଦୁହିଁଙ୍କ ସହିତ ମୁଁ କୌଣସି ଅଙ୍ଗରକ୍ଷକ ସିପାହୀ ପଠାଉ ନାହିଁ । କାରଣ ମୁଁ ଜାଣିବାକୁ ଚାହେଁ ଯେ ନିଜେ ନିଜର ରକ୍ଷା କରିବା ସଙ୍ଗେ ସଙ୍ଗେ ରାଜଖଜଣା ମଧ୍ୟ ରକ୍ଷା କରିପାରିବାର କ୍ଷମତା ତୁମ ଦୁହିଁଙ୍କର ଅଛି ନା ନାହିଁ । ବହୁତ ସତର୍କତାର ସହିତ ସମସ୍ତ କାର୍ଯ୍ୟ କରିବ ।”

ତା’ପରେ ସେ ଦୁହେଁ ଧାନ୍ୟକୁଟ ଗଲେ । ସେମାନେ ଯିବା ପରେ ରାଜା ମନ୍ତ୍ରୀପୁତ୍ର କୃପାଳକୁ ଡାକି କହିଲେ ଯେ ସେ ଯେପରି ଛଦ୍ମବେଶରେ ସେମାନଙ୍କ ସହିତ ଯିବେ ଓ ସେମାନଙ୍କ କାର୍ଯ୍ୟକ୍ରମ ଉପରେ ନଜର ରଖିବେ; କେଉଁଠି କିଛି ବିପଦ ପଡିଲେ ସେମାନଙ୍କୁ ଇଏ ସାହାଯ୍ୟ ମଧ୍ୟ କରିବେ ।

ଧାନ୍ୟକୁଟର ରାଜକର୍ମଚାରୀମାନେ ଏମାନଙ୍କୁ ହାର୍ଦ୍ଧିକ ସମ୍ବର୍ଦ୍ଧନା ଦେଲେ । ଯେତେ କର ସବୁ ଆଦାୟ ହୋଇଥିଲା ତାହା କର୍ମଚାରୀମାନେ ଏ ଦୁଇଜଣଙ୍କୁ ଦେଇ ଦେଲେ । ଯାହା କିଛି ଆଦାୟ ହୋଇ ନଥିଲା, ଖବର ଦିଆଯିବା ମାତ୍ରେ ସେସବୁ ମଧ୍ୟ ଆଦାୟ ହୋଇଗଲା । ଦୁଇ ସପ୍ତାହ ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେଲା । ଦୁହେଁ ପରଦିନ ରାଜଧାନୀ ଫେରି ଯିବାକୁ ମନସ୍ଥ କଲେ । କିନ୍ତୁ ସେହିଦିନ ରାତିରେ କିଏ ଜଣେ ଅଚିହ୍ନା ଲୋକ ଛୁରୀ ଦେଖାଇ ବୀରବାହୁଙ୍କଠାରୁ ସବୁ ଧନତକ ନେଇନେଲା । ବୀରବାହୁ ପ୍ରାଣ ଭୟରେ ତା’ର କୌଣସି ବିରୋଧ କଲେନାହିଁ । ଚୋର ବାହାରକୁ ଆସି ବାହାର ପଟରୁ କବାଟରେ ଶିକୁଳି ଲଗାଇ ଦେଇ ଚାଲିଗଲା ।

ପରେ ବୀରବାହୁଙ୍କ ଚିତ୍କାର ଶୁଣି ପ୍ରହରୀମାନେ ଆସି କବାଟ ଖୋଲିଲେ । ସୁଭାଷ ମଧ୍ୟ ସେଠାକୁ ଆସିଲେ । କିଛି ସମୟ ପରେ ବୀରବାହୁ ପ୍ରକୃତିସ୍ଥ ହେଲେ ଓ ସମସ୍ତ ଘଟଣା କହିଲେ ।

ଏସବୁ ଶୁଣି ପ୍ରହରୀମାନେ ଚମକି ପଡି କହିଲେ, “କି ଆଶ୍ଚର୍ଯ୍ୟ କଥା । ଏଠାରେ ଚୋରୀ ତ କାହିଁ କେବେବି ହୋଇନାହିଁ । ଏହା ପ୍ରଥମ ଥର ପାଇଁ ଶୁଣା ହେଲା । ଆମ ସମସ୍ତିଙ୍କ ଆଖିରେ ଧୂଳି ଦେବା ତ ସହଜ ନୁହେଁ । ଏହାର ଅର୍ଥ ସେ ଚୋର ନିଶ୍ଚୟ ଅତ୍ୟନ୍ତ ବୁଦ୍ଧିମାନ । ଆମେ ତ ପ୍ରବେଶ ପଥରେ ପହରା ଦେଉଥିଲୁ, ତାହେଲେ ଚୋର କିପରି ଓ କେଉଁବାଟ ଦେଇ ଭିତରକୁ ଆସିଲା? ସେ ଯେ କେହି ହେଉନା କାହିଁକି ଆମେ କିନ୍ତୁ ନିଶ୍ଚୟ ତାକୁ ଖୋଜିକି ବାହାର କରିବୁ । ସେଥିଲାଗି ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ ।”

ପରଦିନ ସେ ଦୁହେଁ ରାଜଧାନୀକୁ ଫେରି ଆସିଲେ । ସେଠାରେ ପହଁଚି ସୁଭାଷ ସଙ୍ଗେ ସଙ୍ଗେ ନିଜ ଭାଗ କର ସବୁ ରାଜାଙ୍କ ହାତରେ ଦେଲେ । କିନ୍ତୁ ବୀରବାହୁ ରାଜାଙ୍କୁ ଲୁହଭରା ଆଖିରେ ନୀରବରେ ଖାଲି ଯାହା ଚାହିଁ ରହିଲେ ।

ରାଜା କହିଲେ “ତମେ ଏପରି କାହିଁକି ହେଉଛ ବୀରବାହୁ? ମୁଁ ତୁମ ସ୍ଥାନରେ ଥିଲେ ମଧ୍ୟ ସେଇଆ କରିଥା’ନ୍ତି । କିନ୍ତୁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ପ୍ରହରୀମାନେ ଥିବା ସତ୍ତ୍ୱେ ମଧ୍ୟ ସେ ଚୋର କିପରି ଭିତରକୁ ପ୍ରବେଶ କଲା? ତୁମେ ଏଥିଲାଗି ଆଦୌ ଚିନ୍ତା କରନାହିଁ । ତୁମେ ନିଜେ ଭଲ ଅଛ ସେଇଥିରେ ତ ମୋର ସନ୍ତୋଷ ।”

ନିଜ ଦାଇତ୍ତ୍ଵ ଭଲ ଭାବରେ ତୁଲାଇ ଥିବାରୁ ସୁଭାଷ ଖୁସି ଥା’ନ୍ତି । କିଛି ସମୟ ପରେ କୃପାଳ ରାଜାଙ୍କୁ ଦେଖାକରି, ଥଳୀଟିଏ ତାଙ୍କୁ ଦେଇ କହିଲେ, “ମହାରାଜ, ଏହାହିଁ ବୀରବାହୁଙ୍କର ସେହି ଚୋରୀ ହୋଇଥିବା ଧନ ।”

ତା’କଥା ଶୁଣି ସେ ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏସବୁ କିପରି କଥା କୃପାଳ? ତୁମେ କାହିଁକି ବୀରବାହୁର ଧନ ଚୋରୀକଲ?”

ତା’ପରେ ସେ କୃପାଳ କହିଲେ “ଏ କାମ ମୁଁ କରିନାହିଁ ମହାରାଜ; କାରଣ ସେପରି କିଛି ଆଦେଶ ଆପଣ ମୋତେ ଦେଇହିଁ ନଥିଲେ । ତେବେ ଅନ୍ଧାରରେ ଯେତେବେଳେ ସେ ଚୋର ଜଣକ ପଳାଇ ଯିବାର ଚେଷ୍ଟା କଲା ସେତେବେଳେ ମୁଁ ତା’ ହାତରୁ ଥଳୀଟି ଛଡାଇ ଆଣିଲି ।”

ରାଜା କହିଲେ “ଘଟଣା ଯଦି ଏପରି ଥିଲା, ତେବେ ତମେ ଥଳୀ ରଖି ଚୋରକୁ କାହିଁକି ଛାଡିଦେଲ? ମନେହୁଏ ସେ ଚୋରଟି ବହୁତ ବୁଦ୍ଧିମାନ, ନହେଲେ ପ୍ରହରୀମାନଙ୍କ ଆଖିରେ ଧୂଳି ଦେଇ ସେ କିପରି ଆମ ମହଲ ଭିତରେ ପ୍ରବେଶ କଲା? ତମେ ଯଦି ସେ ଚୋରକୁ ଧରିପାରିଥା’ନ୍ତ ତ ଭାରି ଭଲ ହୋଇଥାନ୍ତା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ