କୃପାଳ କହିଲେ “ମୁଁ ଇଚ୍ଛା କରି ସେପରି କରିଛି । ମୁଁ ଚାହିଁଥିଲେ ତାକୁ ଧରି ପାରିଥା’ନ୍ତି, କିନ୍ତୁ ମୁହଁରେ ମୂଖା ପିନ୍ଧିଥିଲେ ମଧ୍ୟ ମୁଁ ତାକୁ ଠିକ୍ ଚିହ୍ନି ପକାଇଥିଲି; ତେଣୁ ମୁଁ କେବଳ ଧନର ଥଳୀଟି ତା’ ହାତରୁ ନେଇ ଆସିଲି । ମୁଁ ସେତେବେଳେ ଏପରି ଏକ ଲଜ୍ଜାକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲି ଯେ ଚୋରକୁ ଧରିବାକୁ ମୋର ଆଉ ଇଚ୍ଛା ହେଲା ନାହିଁ । ସେ ମହଲ ଭିତରେହିଁ ରହୁଥିଲା ।”
ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, “କ’ଣ କହିଲ? ସେ ରାଜମହଲ ଭିତରେହିଁ ଥିଲା?”
କୃପାଳ କହିଲେ “ଆଜ୍ଞା ମହାରାଜ, ତାର ଘର ବୀରବାହୁଙ୍କ ଘର ପାଖରେହିଁ ଥିଲା ।”
ରାଜା କିଛି ସମୟ କ’ଣ ଭାବିଲେ ଓ ତା’ପରେ ସେ କହିଲେ, “ତମେ ଯଦି ଚୋରକୁ ଧରିଥା’ନ୍ତ ତେବେ ବହୁତ ଭଲ ହୋଇଥା’ନ୍ତା । ଏବେ ମଧ୍ୟ ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ତୁମେ ସେହି ସମୟରେ ଚୋରକୁ କାହିଁକି ଧରିଲ ନାହିଁ । ଏମିତି କ’ଣ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ତୁମେ ହୋଇଥିଲ? ଚୋର ଯେତେଟା ସାହସ କରିଥିଲା ତାହା ସାଧାରଣ ମାମୁଲି କଥା ନୁହେଁ ।”
କୃପାଳ କହିଲେ “ମହାରାଜ, ଆହୁରି ଗୋଟିଏ କଥା । ସେ ଏଠାକୁ ନିଶ୍ଚୟ ଆସିବ । ତେଣୁ ମୁଁ ଭାବିଲି ଆପଣ ଚାହିଁବେ ତ ନିଜେ ତାକୁ ବନ୍ଦୀ କରିପାରିବେ । ମୁଁ ଛଦ୍ମବେଶରେ ଥିଲି ତ, ତେଣୁ ସେ ମୋତେ ଚିହ୍ନି ପାରିନାହିଁ ।”
ସେହିଦିନ ରାତିରେ ରାଜା ଓ ରାଣୀ କଥାବାର୍ତ୍ତା ହେଉଥିଲେ; ରାଜା କହିଲେ, “ଏ ରାଜ୍ୟର ଉତ୍ତରାଧିକାରୀ କିଏ ହେବ ତାହା ମୁଁ ସ୍ଥିର କରି ସାରିଛି । ଏବେ ତମେ ଯଦି ମୋ କଥାରେ ମତ ଦେବ ତ କାମ ଯଥାଶୀଘ୍ର ସମ୍ପନ୍ନ ହୋଇପାରିବ ।”
ରାଣୀ ପଚାରିଲେ “ପରୀକ୍ଷାରେ ବୀରବାହୁ ହାରିଗଲା ବୋଲି ଆପଣ ସୁଭାଷକୁ ଜାମାତା କରିବାକୁ ସ୍ଥିର କରିଛନ୍ତି ତ?”
ରାଜା କହିଲେ “ଆଦୌ ନୁହେଁ । ମୁଁ କୃପାଳକୁ ଆମର ଜାମାତା କରିବାକୁ ସ୍ଥିର କରିଛି; ସେ ନିଜର ଦାଇତ୍ତ୍ଵ କ’ଣ ତାହା ଭଲ ଭାବରେ ଜାଣେ ଓ ନିଜେ ମଧ୍ୟ ସେ ବହୁତ ବୁଦ୍ଧିମାନ୍ । ଆବଶ୍ୟକ ଅନୁସାରେ ସେ କଥା କୁହେ । ସେ ନିର୍ଲୋଭୀ ଓ ଉଦାର ସ୍ୱଭାବର । ଏପରି ଗୁଣବାନ୍ ଯୁବକ ଏପର୍ଯ୍ୟନ୍ତ ମୁଁ କେଉଁଠି ହେଲେବି ଦେଖି ନଥିଲି ।”
ତାଙ୍କ କଥାରେ ରାଣୀ ଅଳ୍ପ ହସି କହିଲେ, “ମୁଁ ତ ଏକଥା କେବେବି ଭାବି ନଥିଲି । କିନ୍ତୁ ଏବେ ମୁଁ ଆପଣଙ୍କ କଥାରେ ସହମତ । ମୋର କାହିଁ ମନେ ହେଉଛି ଯେ ଲକ୍ଷ୍ମିପ୍ରିୟା ମଧ୍ୟ ତାକୁ ପସନ୍ଦ କରେ ।”
ତା’ପରେ ଲକ୍ଷ୍ମୀପ୍ରିୟା ଓ କୃପାଳଙ୍କର ବିବାହ ବଡ ଧୁମ୍ଧାମ୍ରେ ସମ୍ପନ୍ନ କରାଗଲା ।
ବେତାଳ ଏହି ପର୍ଯ୍ୟନ୍ତ କଥା ଶୁଣାଇ ବିକ୍ରମଙ୍କୁ ପ୍ରଶ୍ନକଲା; “ରାଜନ୍, କୃପାଳ ଯେଉଁ କାମ କଲେ, ତାହା ତ ଯେ କୌଣସି ରାଜକର୍ମଚାରୀ ମଧ୍ୟ କରିପାରିଥା’ନ୍ତା । ତେବେ ତା’ କଥାରେ ଏପରି କ’ଣ ବିଷେଷତା ଥିଲା ଯେ ରାଜା ଶେଷରେ ତାକୁହିଁ ନିଜର ଜାମାତା ଭାବରେ ପସନ୍ଦ କଲେ? ହଁ, ଏକଥା ସତ ଯେ ସେ ନିଜର ଦାଇତ୍ତ୍ଵ ବିଷୟରେ ଯଥେଷ୍ଟ ସଚେତନ ଓ ସେ ଧୈର୍ଯ୍ୟବାନ ମଧ୍ୟ । କିନ୍ତୁ ସେ ଉଦାର ଓ ଲୋଭୀ ନୁହେଁ ସେକଥା କିପରି ତା’ ବିଷୟରେ କୁହାଯିବ? କୃପାଳ ବିଷୟରେ ରାଜା ଯେଉଁ ପଦକ୍ଷେପ ନେଲେ ତାହା ଆଉ ସେ ରାଜାଙ୍କର ଚଂଚଳତାର ପରିଚୟ ଦେଉନାହିଁ କି? ଏହା ଛଡା କ’ଣ ଆଉ କିଛି କାରଣ ଅଛି? ମୋର ଏହି ସବୁ ପ୍ରଶ୍ନର ଉତ୍ତର ଜାଣିକି ମଧ୍ୟ ତୁମେ ଯଦି ନୀରବ ରହିବ, ତେବେ ତୁମର ଶୀର ସ୍କନ୍ଧଚ୍ୟୁତ ହେବ ।”
ଏକଥା ଶୁଣି ରାଜା ବିକ୍ରମ ତୁରନ୍ତ ଉତ୍ତର ଦେଇ କହିଲେ, “ବୀରବାହୁଙ୍କ ଧନଥଳୀ ସୁଭାଷ ଚୋରାଇଥିଲେ; କାରଣ ତଦ୍ୱାରା ସେ ନିଜକୁ ଅଧିକ ଯୋଗ୍ୟ ଓ ବୀରବାହୁଙ୍କୁ ଅଯୋଗ୍ୟ ପ୍ରମାଣ କରିବାକୁ ଚାହୁଁଥିଲେ । କିନ୍ତୁ ତଦ୍ୱାରା ଜଣାଗଲା ଯେ ସେ ଦୁହେଁହିଁ ଅଯୋଗ୍ୟ । କାରଣ କୃପାଳ ଏସବୁ ଘଟଣା ନିଜ ଆଖିରେ ଦେଖିଛନ୍ତି । ଜଣେ ଚୋର ପାଖରୁ ନିଜକୁ ରକ୍ଷା କରିପାରୁ ନଥିବା ଅଯୋଗ୍ୟ ଓ ଭୟାଳୁ ହେଲେ ବୀରବାହୁ; ଆଉ ସୁଭାଷ ନିଜର ଅସଲ୍ ଇଚ୍ଛା ଚରିତାର୍ଥ କରିବାକୁ ଚୋରୀ କରିବା ପରି ଏକ ନୀଚ କାମ ମଧ୍ୟ କରିବାକୁ ଟିକିଏ ହେଲେ ମଧ୍ୟ ପଶ୍ଚାତ୍ପଦ ହେଲେ ନାହିଁ । କିନ୍ତୁ କୃପାଳଙ୍କର ଉଭୟ ଧୈର୍ଯ୍ୟ ଓ ସାହସ ଥିଲା । ନିଜ ଦାଇତ୍ତ୍ଵ ସେ ଭଲଭାବରେ ସମ୍ପନ୍ନ କରିଛନ୍ତି । ଧାନ୍ୟକୁଟରେ ସେ ସୁଭାଷର ଚୋରୀ ବିଷୟରେ କିଛି କହି ନାହାଁନ୍ତି, କାରଣ କହିଦେଲେ ରାଜପରିବାରର ବଦନାମ ହେବ । ତେଣୁ ଏକଥା କେବଳ ସେ ରାଜାଙ୍କୁହିଁ କହିଲେ । ସେ ଭାବିଲେ ଯେ ସୁଭାଷଙ୍କୁ ଦଣ୍ଡ ମିଳିବ ତ ରାଜାଙ୍କ ହାତରେ ମିଳୁ । କାରଣ ସମସ୍ୟା ରାଜପରିବାରର । ତାଙ୍କର ଯେତିକି କରିବା କଥା ସେ ସେତିକି କରିବେ । ସମସ୍ତ କାରଣରୁହିଁ ରାଜା କୃପାଳଙ୍କ ଉପରେ ବହୁତ ଖୁସି ହୋଇଥିଲେ । ଏଠାରେ ରାଜାଙ୍କର ଚଂଚଳତାର କୌଣସି ପ୍ରଶ୍ନହିଁ ଉଠୁ ନାହିଁ । କୌଣସି ମଣିଷ ନିଜ ଅଧିକାରର ସୀମାରେଖାର ବାହାରକୁ ଯିବା ଆଦୌ ଉଚିତ୍ ନୁହେଁ । ସେପରି କଲେ ନାନା ପ୍ରକାର ଖରାପ ପରିଣାମର ସମ୍ମୁଖୀନ ହେବାକୁ ହେବ । ସୁଭାଷ ହାତରୁ ଧନ ଥଳୀ ଛଡାଇ ନେବାବେଳେ କୃପାଳ ଛଦ୍ମବେଶରେ ଥିଲେ । ତେଣୁ କେହିବି ତାଙ୍କୁ ଚିହ୍ନି ପାରି ନଥିଲେ । ଚାହିଁଲେ ମଧ୍ୟ ସେ ସବୁ ଧନ ନିଜେ ରଖି ପାରିଥାନ୍ତେ । କିନ୍ତୁ ସେପରି ନ କରିବାରୁ ସେ ରାଜାଙ୍କର ଅତିପ୍ରିୟ ବିଶ୍ୱାସଭାଜନ ହୋଇପାରିଲେ । ତାହେଲେ ଏଠାରେ ସେ ରାଜାଙ୍କର ଚଂଚଳତା ରହିଲା କେଉଁଠି? ଏହା ତ କୌଣସି ପ୍ରକାରେ ହେଲେ ଚଂଚଳତାର ପ୍ରମାଣ ଦେଉନାହିଁ । ସେପରି ଆରୋପ କରିବା ଏକ ଭୁଲ୍ କଥା ।” ଏତିକି କହି ବିକ୍ରମ ଚୁପ୍ ହେବା ମାତ୍ରେ ରାଜାଙ୍କର ମୌନଭଙ୍ଗ ହେବା ଯୋଗୁଁ ଶବ ସହିତ ବେତାଳ ପୁଣି ଉଡି ଯାଇ ଗଛରେ ଝୁଲି ପଡିଲା ।