‘ବର୍ଦ୍ଧମାନ’ ନାମକ ଏକ ନଗରୀ ଥିଲା । ସେହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ତାଙ୍କର ନାମ ହେଉଛି ‘ଦାନ୍ତିଲ୍’ । ସମଗ୍ର ନଗରୀରେ ତାଙ୍କର ଆଧିପତ୍ୟ ଥିଲା । ତାଙ୍କ ସମୟରେ ସାଧାରଣ ଜନତା ଏବଂ ରାଜା ଉଭୟେ ଖୁସିରେ କାଳାତିପାତ କରୁଥିଲେ । ସେଥିପାଇଁ ରାଜା ମଧ୍ୟ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । କିଛି ଦିନ ଗଲା ପରେ ଦାନ୍ତିଲ୍ ଙ୍କର ର କନ୍ୟାର ବିଭାଘର ଠିକ୍ ହେଲା ଏହି ବିବାହ ଭୋଜିରେ ଯୋଗ ଦେବା ପାଇଁ ଦାନ୍ତିଲ୍ ନଗରୀର ସମସ୍ତ ଜନତା ଏବଂ ରାଜ କର୍ମଚାରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ସେମାନଙ୍କୁ ସେ ଯଥାସାଧ୍ୟ ସମ୍ମାନ ଦେବା ସହିତ ବହୁମୂଲ୍ୟ ସାମଗ୍ରୀ ମଧ୍ୟ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ବିବାହ ପରେ ନିଜେ ରାଜା ଏବଂ ରାଣୀ ଦାନ୍ତିଲ୍ ଙ୍କର ନିମନ୍ତ୍ରଣ ରକ୍ଷା କରି ତାଙ୍କ ଗୃହକୁ ଯାଇଥିଲେ । ଦାନ୍ତିଲ୍ ସେମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦର୍ଶନ କରିଥିଲେ ।
ସେହି ନଗରୀରେ ଗୋରମ୍ଭ ନାମକ ଜଣେ ଝାଡୁଦାର ବାସ କରୁଥିଲା । ସେ ପ୍ରତ୍ୟହ ରାଜାଙ୍କ ଉଆସ ଝାଡୁ କରିବା ଦାୟିତ୍ୱରେ ଥାଏ । ଦାନ୍ତିଲ୍ ଙ୍କର କନ୍ୟାର ବିବାହ ଭୋଜିର ଜାକ ଜମକ ଦେଖି ତା’ର ସେଠାକୁ ଯିବାକୁ ଇଚ୍ଛା ହେଲା । କିନ୍ତୁ ତାକୁ କେହି ନିମନ୍ତ୍ରଣ କରି ନଥାନ୍ତି । ନିଜର ମନର ଇଚ୍ଛାକୁ ପୂରଣ କରିବାକୁ ଯାଇ ସେ ସେଠାରେ ପହଁଚି ବ୍ରାହ୍ମଣ ମାନଙ୍କ ମଝିରେ ଖାଇବା ପାଇଁ ବସି ପଡିଲା । ଦାନ୍ତିଲ୍ ଏହା ଦେଖି ଗୋରମ୍ଭ ଉପରେ କ୍ରୋଧାନ୍ୱିତ ହୋଇ ତାକୁ ଗଳା ଧକ୍କା ଦେଇ ସେଠାରୁ ବାହାର କରିଦେଲେ । ଏହା ଦ୍ୱାରା ସେ ନିଜକୁ ଘୋର୍ ଅପମାନିତ ମନେ କଲା । ମନେ ମନେ ଚିନ୍ତା କଲା କିପରି ଉଚିତ୍ ସମୟ ସୁଯୋଗ ଦେଖି ଦାନ୍ତିଲ୍ ଙ୍କ ଉପରେ ପ୍ରତିଶୋଧ ନେବ ।