ସଭାରେ ସମସ୍ତେ ପଣ୍ଡିତଙ୍କ ଯୁକ୍ତିକୁ ସମର୍ଥନ କରୁଥିଲେ ବୋଲି ସେମାନଙ୍କ ଢଙ୍ଗଢାଙ୍ଗରୁ ଜଣାପଡିଯାଉଥିଲା । ନୂଆ ରାଜା ସେଥିରେ ଅସ୍ୱସ୍ତି ଅନୁଭବ କଲେ । ସେ କହିଲେ, “ପଣ୍ଡିତେ! ତମେ ଯେ ମୋତେ ଅର୍ଜୁନ ଓ ବିକ୍ରମାଦିତ୍ୟଙ୍କ ସହ ତୁଳନା କଲ, ଏହା କ’ଣ ମିଥ୍ୟାଚାର ନୁହେଁ?”
ପଣ୍ଡିତ ଭଟ୍ଟ କହିଲେ “ମଣିମା! ଏହା ମିଥ୍ୟାଚାର ନୁହେଁ । ଆମେ ଆଶାକରୁଁ କି ଆପଣ ସେପରି ହେବେ ବା ହେବାକୁ ଚେଷ୍ଟା କରିବେ । ପ୍ରତି ମଣିଷ ଭିତରେ ସେ ଯାହା, ତାହାଠୁଁ ବହୁଗୁଣ ଅଧିକ ମହତ୍ ହେବାର ଶକ୍ତି ଲୁଚି ରହିଛି । ତେଣୁ ସେପରି କୁହାଯାଏ । ଏହା ଗୋଟିଏ ପରମ୍ପରା । ରାଜା ଏଥିରୁ ବୁଝିବା ଉଚିତ୍ ଯେ, ଆମେ ତାଙ୍କଠାରୁ କ’ଣ ଆଶା କରୁଛୁଁ ।”
ଏଥର ସେ ସଭାସଦ୍ମାନେ କରତାଳି ଦେଇ ଭଟ୍ଟଙ୍କୁ ସମର୍ଥନ ଜଣାଇଲେ । ଫଳରେ ନୂଆ ରାଜା ଅପମାନିତ ବୋଧ କଲେ ଓ ରାଗିଯାଇ କହିଲେ, “ପଣ୍ଡିତେ! ତମେ ପଣ୍ଡିତର ଆସନ ରାଜାଙ୍କ ଆସନଠାରୁ ବଡ ବୋଲି ବୁଝାଇବାକୁ ଚେଷ୍ଟା କରିଛ । ତମକୁ ମାସଟିଏ ସମୟ ଦେଲି । ଏକଥା ପ୍ରମାଣ କର, ନହେଲେ ଚିରଦିନ ପାଇଁ ଏ ରାଜ୍ୟ ଛାଡି ଯାଅ । ଏ ମାସକ ଭିତରେ ବି ରାଜସଭାକୁ ଆସିବା ତମର କିଛି ବି ଦରକାର ନାହିଁ ।”
ପଣ୍ଡିତେ ଆଉ କ’ଣ କହିବାକୁ ଯାଉଥିଲେ, କିନ୍ତୁ ରାଜା କହିଲେ, “ନା, ନା, ମୁଁ ଆଉ ତୁମ କଥା କିଛି ବି ଶୁଣିବି ନାହିଁ । ତମେ ଯଦି ତମ କଥା ପ୍ରମାଣ କରିଦେବ, ତେବେ ମୁଁ ଯେ ଖାଲି ତମକୁ ବିଶେଷ ସମ୍ମାନ ଦେବି, ତାହା ନୁହେଁ, ତମ ସବାରୀ ମଧ୍ୟ ବହନ କରିବି ।”
ଏହା ପରେ ପଣ୍ଡିତେ ସେଠାରୁ ଚାଲିଗଲେ ।
ଏହି ଭିତରେ ପନ୍ଦର କୋଡିଏ ଦିନ ଚାଲିଗଲା । ହଠାତ୍ ଦିନେ ଭଞ୍ଜଗଡ ରାଜ୍ୟରୁ ଜଣେ ପଣ୍ଡିତ ଓ ଜଣେ ରାଜଦୂତ ଆସି ପହଁଚିଲେ । ରାଜଦୂତ କହିଲେ, “ଭଞ୍ଜଗଡ ରାଜସଭାର ଏ ପଣ୍ଡିତଙ୍କୁ ଯଦି ଆପଣଙ୍କ ଦରବାରର କୌଣସି ପଣ୍ଡିତ ଯୁକ୍ତିତର୍କରେ ପରାସ୍ତ କରିପାରିବେ, ତେବେ ଆପଣଙ୍କ ରାଜ୍ୟର ସୀମାନ୍ତକୁ ଲାଗିଥିବା ଭଞ୍ଜଗଡର ପଚାଶଖଣ୍ଡି ଗ୍ରାମ ଆମ ରାଜା ଆପଣଙ୍କୁ ଦେଇଦେବେ । ଆଉ ଯଦି ଆମ ପଣ୍ଡିତ ଆପଣଙ୍କର ସବୁ ପଣ୍ଡିତଙ୍କୁ ପରାସ୍ତ କରିଦେବେ, ତେବେ ଆପଣଙ୍କ ରାଜ୍ୟ ଆମ ରାଜା ନେଇଯିବେ ।”
ଏକଥା ଶୁଣି ନୂଆ ରାଜା ପଚାରିଲେ “ଯଦି ମୁଁ ଏ ସର୍ତ୍ତରେ ରାଜି ନ ହୁଏଁ?
ତହୁଁ ସେ ଦୂତ କହିଲେ “ରାଜି ନହେଲେ ବି ହୁଏତ ଆମ ରାଜା ଆପଣଙ୍କ ରାଜ୍ୟ ଦଖଲ କରିନେବେ । ଆପଣ ତ ଜାଣନ୍ତି, ଆମ ରାଜାଙ୍କ ସାମରିକ ଶକ୍ତି ଆପଣଙ୍କଠୁଁ ଚାରି ପାଞ୍ଚଗୁଣ ଅଧିକ!”
ନୂଆ ରାଜା ବୀରେନ୍ଦ୍ର ଦେଖିଲେ, ଅନ୍ତତଃ ସର୍ତ୍ତ ଗ୍ରହଣ କରିନେଲେ ପଚାଶ ଖଣ୍ଡି ଗ୍ରାମ ପାଇବାର ଆଶା ଅଛି । ତେଣୁ ସେ ତାଙ୍କ ସଭା ପଣ୍ଡିତମାନଙ୍କୁ ଭଞ୍ଜଗଡର ପଣ୍ଡିତଙ୍କ ସହ ଯୁକ୍ତି କରିବାକୁ କହିଲେ । ଯୁକ୍ତିତର୍କ ଆରମ୍ଭ ହେଲା । କିନ୍ତୁ କେହି ବି ସେ ପଣ୍ଡିତଙ୍କୁ ହରାଇ ପାରିଲେ ନାହିଁ ।
ରାଜା ହେବା ପରେ ବେଶ୍ ଖୁସିରେ ରହିଥିବା ବୀରେନ୍ଦ୍ର ଏହି ଘଟଣାରୁ ହଠାତ୍ ଅସହାୟ ଅନୁଭବ କଲେ । ବର୍ତ୍ତମାନ ଉପାୟ କ’ଣ? ଭଞ୍ଜଗଡର ରାଜା ତାଙ୍କ ତୁଳନାରେ ବହୁତ ଶକ୍ତିଶାଳୀ; ଖାଲି ସେତିକି ନୁହେଁ, ସେ ବି ଖିଆଲି । ସେ ଚନ୍ଦ୍ରଗିରି ରାଜ୍ୟକୁ ଅକ୍ଳେଶରେ ଦଖଲ କରିନେଇ ପାରିବେ, ଏଥିରେ କୌଣସି ସନ୍ଦେହ ନାହିଁ ।
ମନ୍ତ୍ରୀ ଗୋପନରେ ରାଜାଙ୍କୁ କହିଲେ, “ଆପଣ ଆଉ ଦ୍ୱିଧା ନକରି ପଣ୍ଡିତ ଭଟ୍ଟଙ୍କୁ ଡାକନ୍ତୁ ।” ରାଜା ଅଗତ୍ୟା ପଣ୍ଡିତ ଭଟ୍ଟଙ୍କୁ ନିମନ୍ତ୍ରଣ କଲେ । ଭଟ୍ଟ ଭଞ୍ଜଗଡ ପଣ୍ଡିତଙ୍କୁ ଯୁକ୍ତିରେ ହରାଇ ଦେଲେ । ରାଜା ଉଠିଯାଇ ତାଙ୍କୁ ପ୍ରଣାମ କରି କହିଲେ, “ପଣ୍ଡିତେ! ଆଜି ଆପଣ ପ୍ରମାଣ କରିଦେଲେ ଯେ ପଣ୍ଡିତ ରାଜାଠୁଁ ବି ବଡ । ମୁଁ ଆପଣଙ୍କୁ ଆଜୀବନ ଗୁରୁ ବୋଲି ମାନିବି ଓ ଆପଣଙ୍କ ସବାରୀ ବହନ କରିବି ।”
ପଣ୍ଡିତ ଭଟ୍ଟ କହିଲେ “ମଣିମା, ସବାରୀ ବହନ କରିବା ଅନାବଶ୍ୟକ । ମୁଁ ଯେ ଆଜି ମୋ କଥା ପ୍ରମାଣ କରି ପାରିଲି, ତାହା ଦୈବାତ୍ । ଏ ଦୂତ ଓ ଏ ପଣ୍ଡିତ ଆସି ମାସକ ଭିତରେ ପହଁଚିଯାଇ ନଥିଲେ ମୋତେ ଏ ରାଜ୍ୟ ଛାଡି ଯିବାକୁ ପଡିଥାନ୍ତା । ଆପଣ ମୋର ସବାରୀ ବହନ ନକରି ଆପଣଙ୍କ ଦୃଷ୍ଟିକୋଣ ବଦଳାଇବେ, ଏହାହିଁ ମୋର ଅନୁରୋଧ ।”
ରାଜା ଏକଥା ସ୍ୱୀକାର କଲେ ।