ଅନେକ ଦିନ ତଳର କଥା । ଗୋଟିଏ ରାଜ୍ୟର ରାଜା ଥାଆନ୍ତି ‘ନନ୍ଦ’ । ସେ ଚର୍ତୁଃପାଶ୍ୱର୍ରେ ସାଗର ଘେରି ରହିଥିବା ଏକ ରାଜ୍ୟକୁ ଶାସନ କରୁଥାଆନ୍ତି, ଏବଂ ତାଙ୍କର ପରାକ୍ରମର ଖ୍ୟାତି ଚର୍ତୁଃଦ୍ଧିଗ ବ୍ୟାପିଥାଏ । ସେହି ରାଜାଙ୍କ ଦରବାରରେ ବରରୁଚି ନାମକ ଜଣେ ମନ୍ତ୍ରୀ ଥାଆନ୍ତି । ସେ ରାଜନୀତି ଏବଂ ଦର୍ଶନ ଶାସ୍ତ୍ରରେ ମହାନ୍ ପଣ୍ଡିତ । ଉଭୟେ ରାଜା ଏବଂ ମନ୍ତ୍ରୀ ତାଙ୍କର ପତ୍ନୀ ଦୁଇଜଣଙ୍କୁ ପ୍ରାଣଠାରୁ ମଧ୍ୟ ଅଧିକ ଭଲ ପାଉଥାଆନ୍ତି । ଦିନେ ବରରୁଚିଙ୍କର ସାମାନ୍ୟ ଭୁଲ୍ ପାଇଁ ତାଙ୍କ ପତ୍ନୀ ତାଙ୍କ ଉପରେ ରାଗିଗଲେ । ଯେତେ ବୁଝାଇଲେ ମଧ୍ୟ ଫଳ କିଛି ହେଲାନାହିଁ । ଶେଷରେ ବରରୁଚି ତାଙ୍କୁ ହାତଯୋଡି କହିଲେ, ‘ତୁମେ ଯାହା କହିବ ମୁଁ ତାହା ମାନିବି’ । ତୁମେ ଏପରି ଆଉ ଅଭିମାନ କର ନାହିଁ ।
ସ୍ୱାମୀଙ୍କ କଥା ଶୁଣି ସ୍ତ୍ରୀ କହିଲେ, ‘ଯଦି ଏହି କଥା, ତା’ହେଲେ, ତୁମେ ମୁଣ୍ଡବାଳ କାଟି ଲଣ୍ଡା ହୋଇ ମୋର ପାଦତଳେ ପଡି କ୍ଷମା ମାଗିବ ।’ ବରରୁଚି ପତ୍ନୀଙ୍କ କଥା ମାନି ସେୟା କଲେ । ଏହାପରେ ପତ୍ନୀ ଶାନ୍ତ ହେଲେ । ସେହିଦିନ ମଧ୍ୟ ରାଜାଙ୍କ ରାଣୀ କୌଣସି କାରଣରୁ ରାଜାଙ୍କ ଉପରେ ରାଗି ଯାଇଥାଆନ୍ତି । ରାଜା ତାଙ୍କୁ ମନାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରୁଥାଆନ୍ତି । ଶେଷରେ ରାଜା କହିଲେ, ‘ପ୍ରିୟେ! ତୁମେ ଯାହା କହିବ ମୁଁ ମାନିବାକୁ ପ୍ରସ୍ତୁତ ଅଛି ।’ ରାଜାଙ୍କ କଥାଶୁଣି ରାଣୀ କହିଲେ, ‘ମହାରାଜ’! ଆପଣ ଯଦି ମୋତେ ପ୍ରକୃତରେ ଭଲ ପାଉଥାଆନ୍ତି, ତା’ହେଲେ ଆପଣ ଘୋଡା ଯେପରି ମୁହଁରେ ଲଗାମ ବାନ୍ଧିଥାଏ, ସେହିପରି ବାନ୍ଧି ହାମ୍ବୁଡାଇ ଚାଲିବ । ମୁଁ ଆପଣଙ୍କ ପିଠି ଉପରେ ବସି ଆପଣଙ୍କୁ ଦଉଡିବାକୁ କହିବି । ଆପଣ ଏହା ଶୁଣି ଘୋଡା ଯେପରି ରାବକରେ ସେହିପରି ରାବ କରିବେ । ରାଜା ପତ୍ନୀ ପ୍ରେମରେ ଏତେ ପାଗଳ ହୋଇପଡିଥାନ୍ତି ଯେ ସେ ସଂଗେ ସଂଗେ ରାଣୀଙ୍କ ଆଗରେ ଘୋଡା ପରି ଆଚରଣ କଲେ । ରାଜାଙ୍କର ଏହି ଅଭିନୟ ଦେଖି ରାଣୀଙ୍କର ରାଗ କେଉଁଆଡେ ଉଭେଇ ଗଲା ।