ଡକାୟତର ସାନ ଝିଅ ଯେତେ ବେଳୁ ମଦନ ପାଳକୁ ଦେଖିଛି ସେତିକି ବେଳୁ ତା ମନ ତାଠେଇଁ ଲାଖି ରହିଛି । କିନ୍ତୁ ବାପ ଭାଇଙ୍କ ଡରରେ କିଛି କହି ପାରୁ ନଥାଏ । ଏହି ସମୟରେ ସେ ଲୁଚି ଛପି ଆସି ମଦନ ପାଳ ପାଖରେ ପହଁଚିଲା । କହିଲା, ପରଦେଶୀ ମୁଁ ତମକୁ ପ୍ରଥମୁ ଦେଖିଲା ବେଳୁ ମୋ ମନ ତୁମ ନିକଟରେ ବିକି ଦେଇଛି । କ’ଣ କହିବି ମୋର କିଛି କରିବାର ଚାରା ନାହିଁ । ମୋ ଚାରି ଭାଇ ଆଉ ଭଉଣୀ ତୁମକୁ ମାରି ସବୁ ଧନ ସମ୍ପତ୍ତି ନେଇ ଯିବା ପାଇଁ ଚାହୁଁଛନ୍ତି । ମୁଁ ତ ତୁମ ପ୍ରେମରେ ପଡି ଯାଇଛି । ତୁମର ମରଣ ଦେଖି ପାରିବିନି । ଚାଲ ତୁରନ୍ତ ଆମେ ଦୁହେଁ ଏଠାରୁ ପଳାଇ ଯିବା । ମୋ ବାପାଙ୍କ ପାଖରେ ଦୁଇ ଗୋଟି ଘୋଡା ଅଛି । ଗୋଟିଏ ଘୋଡା ଗୋଟିଏ ଦିନରେ ଶହେ କୋଶ ଯାଏ । ଆଉ ଦ୍ୱିତୀୟ ଘୋଡାଟି ଗୋଟିଏ ଦିନରେ ଷାଠିଏ କୋଶ ଯାଏ । ତମେ ଘୋଡା ଶାଳକୁ ଯାଇ ବଡ ଘୋଡାକୁ ନେଇ ଆସ । ସେଥିରେ ବସି ଆମେ ଦୁହେଁ ଉଡି ଯିବା, ଯେମିତି ଘର ଲୋକ ଆମକୁ ଧରି ପାରି ବେନି ।
ଡକାୟତ ଝିଅ ମୁହଁରୁ ଏ କଥା ଶୁଣି ମଦନ ପାଳ ଘୋଡା ଆଣିବା ପାଇଁ ଘୋଡା ଶାଳକୁ ଗଲା । ଘୋଡା ଶାଳ ଅନ୍ଧାର । ଶହେ କୋଶ ଉଡିବା ଘୋଡା ବଦଳରେ ଷାଠିଏ କୋଶ ଉଡିବା ଘୋଡାକୁ ନେଇ ଆସିଲା । ଦୁହେଁ ସେ ଘୋଡାରେ ବସି ଘରୁ ବାହାରି ଗଲେ । ଘୋଡା ଚାଲି ଚାଲି ଯେତେ ବେଳେ ଷାଠିଏ କୋଶରେ ପହଁଚି ଗଲା ସେମିତି ଅଟକି ଗଲା ।
ଘୋର ଜଙ୍ଗଲ ଭିତରେ ଘୋଡା ଅଟକି ଯିବା ଦେଖି ପ୍ରେମିକ ପ୍ରେମିକା ଦୁହେଁ ବ୍ୟସ୍ତ ହୋଇ ଉଠିଲେ । ଡକାୟତର ଘର ଲୋକ ମାନେ ରାତି ପାହିବାରୁ ଦେଖିଲେ ବାଟୋଇ ନାହିଁ କି ସାନ ଝିଅ ମଧ୍ୟ ନାହିଁ । ଡକାୟତ ପୁଅ ମାନେ ଭାବିଲେ ଏବେ ଯିବେ କୁଆଡେ । ସେମାନେ ଘୋଡା ଶାଳକୁ ଆସି ଦେଖି ଖୁସି ହେଲେ ବଡ ଘୋଡା ଠିଆ ହୋଇଛି । ସେମାନେ ଦୁଇ ଘଂଟା ପରେ ଜଙ୍ଗଲରେ ଯାଇ ପହଁଚି ଗଲେ । ଯେଉଁଠି ମଦନ ପାଳ, ସାନ ଝିଅ ଓ ଘୋଡା ଅଟକି ରହିଛନ୍ତି ।