ଶୁଆ କହିଲା – ଶୁଣଲୋ ଶାରୀ, ରତନ ପୁର ନଗ୍ରରେ ଚନ୍ଦ୍ରଗୁପ୍ତ ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ତାଙ୍କର ପୁଅ ମାନେ ଯେମିତି ବଳୁଆ ସେମିତି ପ୍ରତାପୀ । ସେମାନଙ୍କ ମଧ୍ୟରେ ବଡ ହେଉଛନ୍ତି ମଦନ ସେନ । ସେ ଦେଖିବାକୁ ଯେମିତି ସୁନ୍ଦର ସେହି ଭଳି ପରାକ୍ରମୀ । ଥରେ ମଦନ ସେନ ଗୁରୁତର ଅପରାଧ କରି ବସିଲେ । ରାଜା ଚନ୍ଦ୍ରଗୁପ୍ତ ଦଣ୍ଡ ସ୍ୱରୂପ ଦୁଇ ବର୍ଷ ପାଇଁ ରାଜ୍ୟରୁ ମଦନ ସେନକୁ ବାହାର କରି ଦେବା ପାଇଁ ଆଦେଶ ଦେଲେ । ଏହି କଥା ଶୁଣି ମଦନ ସେନଙ୍କ ପତ୍ନୀ ଚନ୍ଦ୍ରପ୍ରଭାକୁ ବହୁତ ବୁଝାଇଲେ, କିନ୍ତୁ ଚନ୍ଦ୍ରପ୍ରଭା ମାନିଲା ନାହିଁ । ଫଳରେ ମଦନ ସେନ ଚନ୍ଦ୍ରପ୍ରଭାକୁ ସାଥିରେ ନେବା ପାଇଁ ବାଧ୍ୟ ହେଲେ ।
ସ୍ୱାମୀ ସ୍ତ୍ରୀ ଦୁହେଁ ନଗରରୁ ବାହାରି ଚାଲି ଚାଲି ଯାଉଥାନ୍ତି । ଏମିତି କିଛି ଦୂର ଗଲା ପରେ ଏକ ଜଙ୍ଗଲ ପଡିଲା । ବାଟ ଚାଲି ଚାଲି ଥକି ଯାଇଥିଲେ । ଏକ ସଘନ ବୃକ୍ଷ ଛାଇରେ ଦୁହେଁ ବସି ଆରାମ କରିବାକୁ ଲାଗିଲେ । ଏଇ ସମୟରେ ଏକ ଭୟଙ୍କର ସାପ ଆସି ରାଣୀ ଚନ୍ଦ୍ରପ୍ରଭାର ପାଦକୁ କାମୁଡି ଦେଲା । ରାଣୀ ଚନ୍ଦ୍ରପ୍ରଭା ବିଷ ଜ୍ୱାଳାରେ ଥରିବାକୁ ଲାଗିଲା, ତାପରେ ପ୍ରାଣ ହାରି ଦେଲା । ଚନ୍ଦ୍ରପ୍ରଭାର ଏପରି ଅବସ୍ଥା ଦେଖି ମଦନ ସେନ ବହୁତ ବ୍ୟସ୍ତ ହୋଇ ଉଠିଲା । ବିକଳ ହୋଇ କାନ୍ଦିବାକୁ ଲାଗିଲେ । ଜଙ୍ଗଲର ପଶୁ ପକ୍ଷୀ ମାନେ ଏହି କାନ୍ଦ ଶୁଣି ଦୁଃଖି ହୋଇ ଉଠିଲେ ।
ଏବେ ମଦନ ସେନ କରିବେ କ’ଣ? ମନେ ମନେ ସ୍ଥିର କଲେ କାଠ ସଂଗ୍ରହ କରି ଚିତା ଜାଳିବେ ଆଉ ସେ ଚିତାରେ ପ୍ରାଣ ପ୍ରିୟା ପତ୍ନୀକୁ ପକାଇବା ସଙ୍ଗେ ସଙ୍ଗେ ନିଜେ ଡେଇଁ ପ୍ରାଣ ତ୍ୟାଗ କରିବେ । ଏହି କଥା ଭାବି ସେ କାନ୍ଦି କାନ୍ଦି କାଠ ସଂଗ୍ରହ କରିବାକୁ ଲାଗିଲେ ।