ଶୁଆ କହିଲା ଏ ଶାରୀ, ଦେଖ ସ୍ତ୍ରୀ ଲୋକ ମାନଙ୍କର ଗୁଣ । ଯେମିତି ମଦନ ସେନ ଲୋଟାରେ ଡୋର ବାନ୍ଧି କୂଅ ଭିତରକୁ ମୁହଁ କରିଛି ରାଣୀ ପଛରୁ ଥାଇ ଦେଲା ଗୋଟାଏ ଧକ୍କା ଯେ ମଦନ ସେନ କୂଅ ଭିତରେ ଯାଇ ପଡିଲା । ତାପରେ ସେ ବାବାଜୀ ପାଖରେ ଆସି ପହଁଚି ଗଲା ।
ସେଇଠୁ ସେ ଭଣ୍ଡ ବାବାଜୀ ରାଣୀକୁ ସାଥିରେ ନେଇ କେଉଁ ଏକ ବଡ ସହରରେ ରହିବାକୁ ଲାଗିଲା । ସେ ବାବାଜୀ ମାତ୍ର ପନ୍ଦର ଦିନରେ ରାଣୀକୁ ଏମିତି ନାଚ, ଗୀତ ଶିଖାଇ ଦେଲା ଯେ ତା ସଙ୍ଗେ ବରାବର ହେବା ପାଇଁ ସେ ସହରରେ ଆଉ କେହି ନଥିଲେ । ଗୀତ ଶୁଣିବା ପାଇଁ ଓ ନାଚ ଦେଖିବା ପାଇଁ ସହରର ଧନୀ ଓ ରସିକ ମାନେ ଧାଡି ଲଗାଇଲେ । ବାବାଜୀ ଢେର ପଇସା ରୋଜଗାର କଲା । ରାଣୀ ଚନ୍ଦ୍ରପ୍ରଭା ବାବାଜୀ ସହିତ ବହୁତ ମଜାରେ ଥାଏ । ଅଭାବ ବୋଲି ତ କିଛି ନାହିଁ । ଏବେ ମଦନ ସେନର ହାଲ୍ ଶୁଣ ।
କୂଅରେ ତ ଅକାତକାତ ପାଣି । ମଦନ ସେନ ପାଣି ଭିତରେ ପଡି ଉବୁ ଟୁବୁ ହେଉଥାଏ । ଦଳେ ବେପାରୀ ସେ ବାଟ ଦେଇ ଯାଉଥିଲେ । ଶୋଷ ହେଲା । ପାଣି ପିଇବା ପାଇଁ କୂଅ ପାଖରେ ପହଁଚିଲେ । କୂଅ ଭିତରେ ମଣିଷଟିଏ ପଡିଥିବା ଦେଖି ଉପରକୁ ବାହାର କଲେ । ସମସ୍ତ ହାଲ୍ ଶୁଣିଲେ । ସେମାନଙ୍କ ମନରେ ଦୟା ଆସିଲା । ସେମାନେ ମଦନ ସେନକୁ ସାଥିରେ ଧରି ସହର ଆଡକୁ ଚାଲିଲେ । ଯେଉଁ ସହରରେ ବାବାଜୀ ଓ ଚନ୍ଦ୍ରପ୍ରଭା ରହୁଥାନ୍ତି । ବେପାରୀ ମାନେ ଜଣେ ସାହୁକାରର ଗୁମାସ୍ତା ରୂପେ ମଦନ ସେନକୁ ରଖାଇ ଦେଲେ । ମଦନ ସେନ ବେଶ ଦୁଇ ପଇସା ପାଇ ସେଠାରେ ବେଶ୍ ଖୁସିରେ ରହିଲା ।
ଚନ୍ଦ୍ରପ୍ରଭାର ନୃତ୍ୟ, ଗୀତ ସୁଖ୍ୟାତି ରାଜ୍ୟ ସାରା ବ୍ୟାପୀ ଗଲା । ସେ ଦେଶର ରାଜା ଚନ୍ଦ୍ରପ୍ରଭାର ନୃତ୍ୟ ଦେଖିବା ପାଇଁ ଦିନେ ତାକୁ ଡକାଇଲେ । ଆଉ ମଧ୍ୟ ସହରର ମାନ୍ୟଗଣ୍ୟ ଲୋକ, ଧନୀ ସାହୁକାର ମାନଙ୍କୁ ନିମନ୍ତ୍ରଣ କଲେ । ମଦନ ସେନ ମଧ୍ୟ ପ୍ରଶଂସା ଶୁଣିଥାଏ । କେମିତି ସୁଯୋଗ ଆସିଲେ ନୃତ୍ୟ ଦେଖିବା ପାଇଁ ବିଚାରୁ ଥାଏ । ରାଜା ମଧ୍ୟ ସେହି ସାହୁକାରକୁ ଡକାଇଲେ । ମଦନ ସେନ ସେହି ସାହୁକାର ସାଥିରେ ସୁଯୋଗ ପାଇ ଆସିଲା । ସେଠି ନାଚୁଥିବା ଚନ୍ଦ୍ରପ୍ରଭା ମଦନ ସେନକୁ ଚିହ୍ନି ଗଲା । ଭାବିଲା ଏ ତ ଅନର୍ଥ ହୋଇ ଗଲା । ମୋ ସ୍ୱାମୀତ ଏବେ ବି ଜୀବିତ ।