ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜା ହାତୀ ନେଲେ, କଖାରୁ ଦେଲେ

ଗୋଟିଏ ଗାଁରେ ରହୁଥିଲେ ଏକ ଚାଷୀ ପରିବାର । ସେମାନେ ଦୁଇଭାଇ । ତାଙ୍କ ମଧ୍ୟରୁ ଜଣକ ନାମ ଗୋପବନ୍ଧୁ, ଆର ଜଣକ ନାମ ଦୀନବନ୍ଧୁ । ଦୁଇଜଣଯାକ ଭିନ୍ନେ ହୋଇ ରହିଥା’ନ୍ତି । ଗୋପବନ୍ଧୁ ବଡ ମାତ୍ର ଦୀନବନ୍ଧୁ ସାନ । ଚାଷ କରି ପରିବାର ପୋଷଣ କରନ୍ତି ସେମାନେ । ବଡଭାଇ ଜଣକ ଭଲ ଚାଷୀ ବୋଲି ଗାଁ ଲୋକେ ତାଙ୍କୁ ଖୁବ୍ ଭଲ ପାଆନ୍ତି । ସାନ ଭାଇ ଦୀନବନ୍ଧୁ କିନ୍ତୁ ବଡଭାଇଙ୍କୁ ଅତ୍ୟନ୍ତ ଈର୍ଷା କରନ୍ତି ଏପରିକି ସେ ତାଙ୍କର ସୁନାମକୁ ଆଦୌ ସହିପାରନ୍ତି ନାହିଁ । ଥରେ ଗୋପବନ୍ଧୁଙ୍କ ବାଡିରେ ଗୋଟିଏ ବଡ ବୋଇତିକଖାରୁ ଫଳିଲା । ଲୋକେ ତାହା ଦେଖି ବେଶ୍ ଆଚମ୍ବିତ ହେଲେ ଏତେବଡ କଖାରୁ ଫଳିଲା କିପରି? ଗୋପବନ୍ଧୁ ମନେ ମନେ ଭାବିଲେ କଖାରୁଟିକୁ ହାଟରେ ନବିକି ସେ ରାଜାଙ୍କୁ ନେଇ ଉପହାର ଦେବେ । ତାହା ହିଁ କଲେ । ରାଜା ଏତେବଡ କଖାରୁ ଦେଖି ଭାରି ଖୁସି ହେଲେ ଓ ସେ ଚାଷୀଙ୍କୁ ଉପହାର ଦେବା ପାଇଁ ମନ୍ତ୍ରୀଙ୍କ ପରାମର୍ଶ ଲୋଡିଲେ । ମନ୍ତ୍ରୀ କହିଲେ ତାକୁ ଗୋଟିଏ ଭଲ ଦୁଧିଆଳୀ ଗାଈ ଉପହାର ଦିଆଯାଉ । ରାଜାଙ୍କ ଆଦେଶରେ ସେ ଚାଷୀଟିକୁ ଗୋଟିଏ ଭଲ ଦୁଧିଆଳୀ ଗାଈ ଉପହାର ଦିଆଗଲା । ଗୋପବନ୍ଧୁ ସେ ଗାଈଟିକୁ ଧରି ଯେତେବେଳେ ଗାଁରେ ଯାଇ ପହଁଚିଲେ ଏବଂ ସମସ୍ତଙ୍କୁ କହିଲେ ରାଜା ତାଙ୍କୁ ଉପହାର ଦେଇଛନ୍ତି । ଏକଥା ଶୁଣି ସାନଭାଇ ଦୀନବନ୍ଧୁ ପୁଣି ଈର୍ଷାରେ ବ୍ୟତିବ୍ୟସ୍ତ ହୋଇ ଉଠିଲେ ।

                ସେ କେଉଁ ପ୍ରକାର ଜିନିଷ ଉପହାର ଦେଲେ ରାଜା ତା ଉପରେ ଖୁସି ହେବେ ଏଇକଥା ଭାବି ହାତୀ ଛୁଆଟିଏ ଦେବେ ବୋଲି ସେ ଠିକ୍ କଲେ । ନିଜର ଦୁଇମାଣ ଜମି ବିକ୍ରି କରି ହାତୀ ଛୁଆଟିଏ କିଣିଲେ ଏବଂ ସେଇଟିକୁ ନେଇ ଦୀନବନ୍ଧୁ ରାଜାଙ୍କୁ ଉପହାର ଦେଲେ । ରାଜା ମନ୍ତ୍ରୀଙ୍କୁ ପଚାରିଲେ ଏହି ଲୋକଟିକୁ କ’ଣ ଉପହାର ଦେବା? ମନ୍ତ୍ରୀ କହିଲେ ଗୋଟିଏ କଖାରୁ ଗୋଟିଏ ନଡିଆ । ରାଜାଙ୍କ ଆଦେଶ ଅନୁସାରେ ଦୀନବନ୍ଧୁ ଗୋଟିଏ କଖାରୁ ଓ ଗୋଟିଏ ନଡିଆ ଧରି ଘରକୁ ଫେରିଲେ । ଅନ୍ୟ ଉପରେ ଈର୍ଷା କଲେ ଏହିପରି ଫଳ ଫଳେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ