ରାଜକୁମାର ଅର୍ଜ୍ଜୁନ ଦେଶର ସମସ୍ତ ପ୍ରଜାମାନଙ୍କର ସ୍ନେହ, ଶ୍ରଦ୍ଧା ପାଇ ବଡ ହେବାକୁ ଲାଗିଲେ । ରାଜା ପୁତ୍ରର ବିଦ୍ୟା ଶିକ୍ଷା ପାଇଁ ଉଚ୍ଚକୋଟୀର ବିଦ୍ୱାନ ପଣ୍ଡିତମାନଙ୍କୁ ନିଯୁକ୍ତ କଲେ । ପୁତ୍ରକୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେବାପାଇଁ ଦେଶରୁ ପ୍ରସିଦ୍ଧ ଯୋଦ୍ଧାମାନଙ୍କୁ ଡକାଇ ନିଯୁକ୍ତି ଦେଲେ । ଏହିପରି ଭାବେ ରାଜକୁମାରଙ୍କର ସମୟ ଗଡି ଚାଲିଥାଏ । ରାଜକୁମାର ଯେତେବେଳେ ଘୋଡା ଉପରେ ସବାର ହୋଇ ରାଜ୍ୟ ପରିକ୍ରମା କରିବାପାଇଁ ବାହାରନ୍ତି, ସେତେବେଳେ ରାଣୀ ଲୀଳାବାଈ ଏବଂ ଦାସୀମାନେ କହନ୍ତି –
“ଆମର ଚନ୍ଦ୍ରପରି ରାଜକୁମାରଙ୍କ ଠାରେ କାହାର ନଜର ଲାଗିନଯାଉ । ସମସ୍ତଙ୍କର ସ୍ନେହ, ଶ୍ରଦ୍ଧା ପାଇ ରାଜକୁମାର ଖୁବ୍ ଜିଦ୍ଖୋର ସ୍ୱଭାବର ହୋଇଯାଇ ଥାଆନ୍ତି । ସମୟେ ସମୟେ ସେ ଗୁରୁଜନମାନଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥାଆନ୍ତି । ଏସବୁ କଥା ଧୀରେ ଧୀରେ ରାଜାଙ୍କ କାନରେ ପଡିଲା । ଥରେ ରାଜକୁମାର ମହାମନ୍ତ୍ରୀଙ୍କର ଅପମାନ କଲେ ।
ମହାମନ୍ତ୍ରୀ ଯେତେବେଳେ ରାଜ୍ୟର ଗରୀବ, ଅନାଥ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ରାଜକୋଷରୁ କିଛି ଅର୍ଥ ଆଣି ଦେଉ ଥାଆନ୍ତି, ସେହି ସମୟରେ ରାଜକୁମାର ସେଠାରେ ଆସି ପହଁଚିଗଲେ । ରାଜ ଉଆସର ଫାଟକ ନିକଟରେ ଉପସ୍ଥିତ ଥିବା ଏହି ଦରିଦ୍ର ଜନତା ରାଜକୁମାରଙ୍କୁ ପ୍ରଣାମ କଲେ । ରାଜକୁମାର ମହାମନ୍ତ୍ରୀଙ୍କୁ ପଚାରିଲେ, “ମହାମନ୍ତ୍ରୀ ମହାଶୟ! ସକାଳୁ ସକାଳୁ ଆପଣ ଏହି ଦରିଦ୍ର ଲୋକମାନଙ୍କ ସହିତ କ’ଣ କରୁଛନ୍ତି?” ରାଜକୁମାରଙ୍କ କଥା ଶୁଣି ମନ୍ତ୍ରୀ କହିଲେ, “ଅର୍ଜ୍ଜୁନ! ଏହି ଲୋକମାନେ ଅତ୍ୟନ୍ତ ଦରିଦ୍ର ଓ ଅନାଥ । ଏମାନଙ୍କର ସାହା ଭରସା ବୋଇଲେ କେହି ନାହାଁନ୍ତି । ରାଜାଙ୍କ କହିବା ଅନୁଯାୟୀ ମୁଁ ଏମାନଙ୍କୁ କିଛି ଅର୍ଥ ସାହାଯ୍ୟ ଦେଉଛି ।” ମନ୍ତ୍ରୀଙ୍କ କଥା ଶୁଣି ରାଜକୁମାର ରାଗରେ ଗର୍ଜ୍ଜନ କରିବାକୁ ଲାଗିଲେ । ମହାମନ୍ତ୍ରୀଙ୍କୁ କହିଲେ, “ଏଇ ଲୋକମାନେ ହେଉଛନ୍ତି ଅଳସୁଆ ସ୍ୱଭାବର । କିଛିନା କିଛି ବାହାନା କରି ଏଠାକୁ ମାଗିବା ପାଇଁ ଚାଲି ଆସୁଛନ୍ତି । ମୁଁ ଚାହେଁନା ରାଜକୋଷରୁ ଅର୍ଥ ଏମିତି ଅସତ୍ ଉପାୟରେ ବ୍ୟୟ ହେଉ ।” ରାଜକୁମାରଙ୍କର ଏପରି କଡାକଥା ମନ୍ତ୍ରୀଙ୍କୁ ଦୁଃଖ ଦେବା ସହିତ ପ୍ରଜାମାନଙ୍କୁ ମଧ୍ୟ ଦୁଃଖ ଦେଲା । ପ୍ରଜାମାନେ ସଂଗେ ସଂଗେ ମନ କଷ୍ଟ କରି ରାଜାଙ୍କ ଉଆସ ପାଖରୁ ଫେରିଗଲେ ।