ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜ-ଚରିତ୍ର

ରାଜା ଶରଣବର୍ମା କାଳପ୍ରତାପଙ୍କ ଶିବୀରକୁ ନିଜ ମନ୍ତ୍ରୀଙ୍କୁ ପଠାଇଲେ । ମନ୍ତ୍ରୀ ଯାଇ କହିଲେ, “ମହାରାଜ କାଳପ୍ରତାପ! ଆପଣ ଓ ଆମ ସୈନ୍ୟବାହିନୀ ଭିତରେ ଯୁଦ୍ଧ ହେଲେ ହଜାର ହଜାର ସୈନ୍ୟ ମରିବେ । ପ୍ରତି ଥର ଯୁଦ୍ଧ ପରେ ଉଭୟ ବିଜେତାଙ୍କ ରାଜ୍ୟ ଓ ବିଜିତର ରାଜ୍ୟ ନାନା ପ୍ରକାର ଦୁର୍ଦ୍ଦଶାର ସମ୍ମୁଖିନ ହୁଅନ୍ତି । ଅସଂଖ୍ୟ ଶିଶୁ ଅନାଥ ହେବେ । ଏହି କାରଣରୁ ଅସଂଖ୍ୟ ପରିବାର ମଧ୍ୟ ଲୁଣ୍ଠିତ ହେବେ । ଏଭଳି ପରିସ୍ଥିତି ପାଇଁ ଆପଣ କାହିଁକି ଦାୟୀ ହେବେ ତଥା ପାପ କରିବେ? ଆମ ରାଜା ତ ଆପଣଙ୍କୁ ଆଜିଯାଏଁ ବନ୍ଧୁ ଜ୍ଞାନ କରି ଆସିଥିଲେ । ଆଜି ଯଦି କୌଣସି କାରଣରୁ ଆପଣ ତାଙ୍କୁ ଶତ୍ରୁ ଜ୍ଞାନ କରୁଛନ୍ତି, ତେବେ କେବଳ ଆପଣ ଦୁହିଁଙ୍କ ଭିତରେ ଅସୀ ଯୁଦ୍ଧ ବା ମଲ୍ଲଯୁଦ୍ଧ ବା ଗଦାଯୁଦ୍ଧ ହେଉ । ଯଦି ଆମ ରାଜା ହାରିଯିବେ, ତେବେ ଆପଣ ଆମ ରାଜ୍ୟର ରାଜା ଭାବରେ ସ୍ୱୀକୃତ ହେବେ । ଆମ ରାଜାଙ୍କୁ ଆପଣ ବନ୍ଦୀ କରିବେ । ଆପଣ ହାରିଗଲେ ଆପଣଙ୍କ ରାଜ୍ୟ ଆମ ରାଜାଙ୍କ ଅଧୀନକୁ ଆସିବ ଓ ଆପଣ ବନ୍ଦୀ ହେବେ ।”

କାଳପ୍ରତାପ ତ ଏଭଳି ସର୍ତ୍ତ ଶୁଣିବା ପାଇଁ ଆଦୌ ପ୍ରସ୍ତୁତ ନଥିଲେ । ସେତେବେଳର ପ୍ରଥା ଅନୁସାରେ ଏଭଳି ସର୍ତ୍ତ ଶୁଣି ତାହା ଗ୍ରହଣ ନ କରିବା ଅର୍ଥ ଭୀରୁତାର ପରିଚୟ ଦେବା । ତା’ଛଡା କାଳପ୍ରତାପ ଅସୀ ଖେଳରେ ଓସ୍ତାଦ୍ ଥିଲେ । ହେଲେ ରାଜା ଶରଣବର୍ମାଙ୍କର ସେଭଳି କୌଣସି ଦକ୍ଷତା ଥିବା କଥା କାହିଁ କେବେ ବି ପ୍ରଚାରିତ ହୋଇ ନଥିଲା । ଅତଏବ ରାଜା କାଳପ୍ରତାପ ତାଙ୍କୁ ହରାଇ ଦେବେ ବୋଲି ନିଶ୍ଚିତ ଥିଲେ । ତେଣୁ ସେ ସର୍ତ୍ତ ଗ୍ରହଣ କଲେ । ଅସୀ ଯୁଦ୍ଧ ହେବାର ସ୍ଥିର ହେଲା ।

ପରଦିନ ଦୁର୍ଗ ବାହାରେ ପଡିଆ ଭିତରେ ଉଭୟ ରାଜା ଲଢେଇ କଲେ । ପାତ୍ରମିତ୍ରମାନେ ସ୍ତବ୍ଧ ହୋଇ ସେ ଲୋମହର୍ଷଣକାରୀ ଦୃଶ୍ୟ ଦେଖୁଥାନ୍ତି । କେତେବେଳେ ମନେ ହେଉଥାଏ ଶରଣବର୍ମା ଜିତିବେ; ତ ପୁଣି କେତେବେଳେ ମନେ ହେଉଥାଏ ଯେ କାଳପ୍ରତାପ ଜିତିବେ । ଲଢେଇ କିଛି ସମୟ ଚାଲିବା ପରେ ହଠାତ୍ ଶରଣବର୍ମାଙ୍କ ଭୀଷଣ ଅସୀମାଡରେ କାଳପ୍ରତାପଙ୍କ ଅସୀ ତାଙ୍କ ହାତରୁ ଛିଟିକି ଗଲା । ଶରଣବର୍ମାଙ୍କ ତରବାରୀ କାଳପ୍ରତାପଙ୍କ କଣ୍ଠ ସ୍ପର୍ଶ କରି ରହିଗଲା ।

ଶେଷରେ କାଳପ୍ରତାପ ଆତ୍ମସମ୍ବରଣ କରି କହିଲେ, “ମହାରାଜ! ମୁଁ ମୋ ପରାଜୟ ସ୍ୱୀକାର କଲି । ସର୍ତ୍ତ ଅନୁସାରେ ବର୍ତ୍ତମାନ ଆପଣ ସୌବୀର ରାଜ୍ୟର ରାଜା । ମୁଁ ଆପଣଙ୍କ ବନ୍ଦୀ ।”

ତାଙ୍କ କଥା ଶୁଣି ଶରଣବର୍ମା କିଛି ନ କହି ତାଙ୍କୁ ନିଜ ପ୍ରାସାଦ ଭିତରକୁ ନେଇଗଲେ ଓ ନିଜେ ବସି ତାଙ୍କୁ ଖିଆ ପିଆ କରାଇ ସୁସ୍ଥ କଲେ । ତା’ପରେ ସେ ଦୁଇ ରାଜା ଦରବାରକୁ ଆସିଲେ । ରାଜା ଶରଣବର୍ମା କହିଲେ, “ମହାରାଜ କାଳପ୍ରତାପ! ଆପଣ ମହତ୍ । ଆପଣଙ୍କ ରାଜ୍ୟ ମୁଁ ନେବାର କୌଣସି ପ୍ରଶ୍ନ ହିଁ ଉଠୁ ନାହିଁ ।”

ତାଙ୍କର ଏଭଳି କଥା ଶୁଣି କାଳପ୍ରତାପ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ “ମୁଁ ମହତ କିପରି ହେଲି?”

ତହୁଁ ରାଜା ଶରଣବର୍ମା ବୁଝାଇବାକୁ ଯାଇ କହିଲେ “ମହାରାଜ! ପ୍ରଜାଙ୍କ ଅହିତ ହେବ, ବୃଥାରେ ସୈନ୍ୟମାନେ ମରିବେ, ଏ ଦୃଷ୍ଟିରୁ ଯେତେବେଳେ ଆପଣ ଦୁଇ ପକ୍ଷ ଭିତରେ ଯୁଦ୍ଧ ନ ହେବାର ପ୍ରସ୍ତାବ ଗ୍ରହଣ କରିନେଲେ, ସେତେବେଳେ ଆପଣଙ୍କୁ ମହତ୍ ନକହି ମୁଁ ଆଉ କ’ଣ କହିବି? ଆପଣ ଏଥର ଯା’ନ୍ତୁ । ପୂର୍ବପରି ରାଜ୍ୟ ଶାସନ କରନ୍ତୁ ।” କାଳପ୍ରତାପ ତାଙ୍କୁ କୃତଜ୍ଞତା ଜଣାଇ ବିଦାୟ ନେଲେ ।

ଏହାର କିଛିଦିନ ପରେ ବୈଶାଳୀ ସୀମାନ୍ତବର୍ତ୍ତୀ ଅରଣ୍ୟର ଆଖପାଖ ଅଂଚଳରେ ଗୋଟିଏ ଡାକୁ ପ୍ରବଳ ଉପଦ୍ରବ କରିବାକୁ ଲାଗିଲା । ରାଜା ନିଜର ଦକ୍ଷ କର୍ମଚାରୀମାନଙ୍କୁ ପଠାଇ ମଧ୍ୟ ସେ ଡାକୁକୁ ଧରିପାରିଲେ ନାହିଁ । ଦିନେ ସେ ରାଜା ନିଜେ ଶୀକାରୀ ବେଶରେ ବଣକୁ ଗଲେ । ତାଙ୍କର ଦଶଜଣ ଦେହରକ୍ଷୀ କିଛି ବ୍ୟବଧାନରେ ତାଙ୍କୁ ଅନୁସରଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ