ଆକସ୍ମିକ ଭାବରେ ବଣ ଭିତରେ ଗୋଟିଏ ବାଘ ରାଜାଙ୍କ ଆଡକୁ ଲମ୍ଫ ଦେଲା । ରାଜା ବୋଧହୁଏ ଠିକ୍ ସମୟରେ ତୀରମାରି ପାରି ନଥାନ୍ତେ । କିନ୍ତୁ ଆଉ କାହା ତୀର ଯାଇ ବାଘ ଦେହରେ ବାଜିଲା ଓ ସେହି ବାଘଟି ହଠାତ୍ ତଳେ ପଡିଗଲା । ପରେ ପରେ ରାଜାଙ୍କ ତୀରରେ ସେ ବାଘଟି ମଲା ।
ବାଘକୁ ପ୍ରଥମେ ତୀର ମାରିଥିବା ଲୋକ ରାଜାଙ୍କ ଆଗକୁ ବାହାରି ଆସି ତାଙ୍କୁ ପଚାରିଲା, “ହେ ତୁ କିଏ? ତୁ କ’ଣ ଏ ବାଘ ମୁଲକକୁ ଶୀକାର କରିବାକୁ ଚାଲି ଆସିଲୁ, ତୋ ସାହସ ତ କିଛି କମ୍ ନୁହେଁ ଦେଖୁଛି! ଶୁଣ । ତୋ ଭଳି ଦୁଇ ତିନିଜଣ ସାହସୀ ଅନୁଚର ମୋର ଦରକାର ।”
ରାଜା ପଚାରିଲେ “ତମେ କିଏ?”
“ମୁଁ ଡାକୁ ନାଗଭୈରବ । ମୋ ନାମ ଶୁଣି ରାଜା ମଧ୍ୟ ଥରିଉଠନ୍ତି । ହାଃ ହାଃ ।”
ଠିକ୍ ସେତିକିବେଳେ ସେ ରାଜାଙ୍କ ଦେହରକ୍ଷୀମାନେ ସେଠାରେ ଆସି ପହଁଚିଗଲେ । ତା’ପରେ ରାଜାଙ୍କ ଇଙ୍ଗିତରେ ସେମାନେ ସେ ଡାକୁକୁ କାବୁ କରିନେଲେ ।
ନାଗଭୈରବ ସେ ଦେହରକ୍ଷୀମାନଙ୍କ କଥାବାର୍ତ୍ତା ଓ ବ୍ୟବହାରରୁ ବୁଝିପାରିଲା ଯେ, ଶୀକାରୀବେଶୀ ସେ ଲୋକ ଆଉ କେହି ନୁହଁନ୍ତି, ଖୋଦ୍ ନିଜେ ରାଜା ।
ଡାକୁ ଆହ୍ୱାନ ଦେଲା “ରାଜା! ମନେ ରଖ, ମୁଁ ତୁମର ଜୀବନ ରକ୍ଷା କରିଛି । ତା’ଛଡା ଦଶଜଣ ଲୋକ କୁଦି ପଡି ଜଣେ ଲୋକକୁ କାବୁ କରିବାରେ ବାହାଦୁରୀ କ’ଣ? ଆସ, ମୋ ସହ ଦ୍ୱନ୍ଦ୍ୱଯୁଦ୍ଧ କର ।”
ରାଜା ତା’ର ସେ ଆହ୍ୱାନର କୌଣସି ଉତ୍ତର ନଦେଇ ଡାକୁକୁ ସାବଧାନରେ ନେଇଯାଇ କାରଗାରରେ ରଖିବାକୁ ଦେହରକ୍ଷୀମାନଙ୍କୁ ନିର୍ଦ୍ଧେଶ ଦେଲେ । ତାଙ୍କ ଘୋଡା ଅଦୂରରେ ଥିଲା । ସେ ନଅରକୁ ଫେରିଗଲେ ।
ଏହାର କେଇଦିନ ପରେ ଦିନେ ଜଣେ ତାନ୍ତ୍ରିକ ଆସି ରାଜାଙ୍କୁ ଗୋପନରେ ଭେଟିବାକୁ ଇଚ୍ଛା ପ୍ରକାଶ କଲା । ତେଣୁ ରାଜା ତାକୁ ନିଜ ମନ୍ତ୍ରଣା କକ୍ଷ ଭିତରକୁ ଡକାଇଲେ । ସେ ଆସି କହିଲା, “ମୁଁ ତାନ୍ତ୍ରିକ କପାଳକଣ୍ଠ । ମୁଁ ଯକ୍ଷିଣୀ ପୂଜା କରୁଛି । ଦଶ ଦିନରେ ଦଶଟି କ୍ଷତ୍ରୀୟ ବାଳକ ବଳି ଦେଲେ ମୋର ସିଦ୍ଧି ହେବ । ତାହେଲେ ଯାଇ ମୋତେ ଭୂଗର୍ଭରେ ଲୁକ୍କାୟିତ ଥିବା ସମସ୍ତ ଅମାପ ବିତ୍ତର ସନ୍ଧାନ ମିଳିବ । ଦଶଟି ବାଳକ ସଂଗ୍ରହ କରିନେବା ମୋ ପାଇଁ ମୋଟେ କାଠିକାର ପାଠ ନୁହେଁ । କିନ୍ତୁ ନିଜେ ରାଜା ମୋ ପାଇଁ ସେ କାମଟି କରିଦେଲେ ସିଦ୍ଧି ତ୍ୱରାନି୍ୱତ ହେବ ।”
“ମୂର୍ଖ! ଏଭଳି ପ୍ରସ୍ତାବ ଦେବାକୁ ତୁ ସାହସ କଲୁ କିପରି?” ଏହା କହି କୃଦ୍ଧ ରାଜା ତରବାରୀ ବାହାର କଲେ । କିନ୍ତୁ ତରବାରୀ ତତ୍କ୍ଷଣାତ୍ ଭସ୍ମିଭୂତ ହୋଇଗଲା । ଏସବୁ ଦେଖି ସେ ତାନ୍ତ୍ରିକ ଅଟ୍ଟହାସ୍ୟ କରି କହିଲା, “ରାଜା! ମୋର ବିରୋଧ କରି ଆଜିଯାଏଁ କେହି ବି ତ୍ରାହି ପାଇନାହିଁ । ତମର ଦୁର୍ଭାଗ୍ୟ ଯେ ତମେ ମୋ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲ!” ଏହା କହି ସେ ରାଜାଙ୍କ ଆଡେ ବିଦ୍ରୁପ ଭରା ଦୃଷ୍ଟିରେ ଚାହିଁ ଦେଇ ସେଠାରୁ ଚାଲିଗଲା ।
ଏହା ପରଦିନ ରାଜଧାନୀରୁ ଗୋଟିଏ କ୍ଷତ୍ରୀୟ ବାଳକ ଚୋରି ହୋଇଯିବାର ସମ୍ବାଦ ରାଜା ପାଇଲେ । ତା’ପରେ ସେ କାଳ ବିଳମ୍ଭ ନକରି ତାଙ୍କ ଗୁପ୍ତଚରମାନଙ୍କୁ ତାନ୍ତ୍ରିକର ସନ୍ଧାନ ନେବାକୁ ନିର୍ଦ୍ଧେଶ ଦେଲେ । ବଣ ଭିତରୁ ଥିବା ଗୋଟିଏ ଗୁମ୍ଫା ଭିତରେ ତାନ୍ତ୍ରିକ ରହୁଛି ବୋଲି ସନ୍ଧ୍ୟା ସୁଦ୍ଧା ସେ ଖବର ପାଇଲେ । ସେହି ରାତିରେ ସେ ଏକାକୀ ସେଠାକୁ ଗଲେ ଓ ଦେଖିଲେ ଗୁମ୍ଫା ପାଖରେ ଗୋଟିଏ ଛୋଟ ଦେଉଳ ଭିତରେ ଯକ୍ଷିଣୀ ମୂର୍ତ୍ତି ସ୍ଥାପନ କରି ତାନ୍ତ୍ରିକ ପୂଜା କରୁଛି । ସେ ପିଲାଟିକୁ ମଧ୍ୟ ଠାବ କଲେ । ରାତିରେ ସେ ପିଲାକୁ ମୁକ୍ତ କରି ନେଇ ଆସି ପାରିଥାନ୍ତେ । କିନ୍ତୁ ତାହା କଲେ ଅସଲ ବିପଦ ଦୂର ହେବ ନାହିଁ । ତେଣୁ ସାରା ରାତି ସେ ଦେଉଳ ଭିତରେ ଲୁଚି ରହିଲେ । ସକାଳେ ତାନ୍ତ୍ରିକ ପିଲାଟିକୁ କୌଣସି ଦ୍ରବ୍ୟ ଶୁଙ୍ଘାଇ ଅଚେତ କରି ତାକୁ ଯକ୍ଷିଣୀ ମୂର୍ତ୍ତି ଆଗରେ ପକାଇ ରଖିଲା । ନିଜେ ଗୋଟାଏ ଗୋଡରେ ଛିଡା ହୋଇ କୌଣସି ମନ୍ତ୍ର ସେ ପଢିବାକୁ ଲାଗିଲା । ଠିକ୍ ସେତିକିବେଳେ ରାଜା ଏକା ଚୋଟରେ ସେ ତାନ୍ତ୍ରିକର ମୁଣ୍ଡ କାଟ କଲେ । ତା’ପରେ ସେ ମୂର୍ତ୍ତି ଭିତରୁ ଶୁଣାଗଲା! “ରାଜା! ତମେ ବୀର! ମୋ ହାତରୁ ଏ ଜୟ ଖଡ୍ଗ ନେଇଯାଅ । ମୋତେ ନେଇ ପାଖରେ ଥିବା ନଦୀରେ ବିସର୍ଜ୍ଜନ ଦିଅ ।”