ରାଜା ସେସବୁ କାମ କରି, ପାଣି ସିଞ୍ଚି ପିଲାଟିର ଚେତା ଫେରାଇ ଆଣି ତାକୁ ଧରି ନଅରକୁ ଆସିଲେ ।
ଗପଟି କହିସାରି ବେତାଳ ଟିକିଏ ଚୁପ୍ ରହି ତା’ପରେ ସେ ତା’ କଣ୍ଠସ୍ୱର ତୀବ୍ର କରି ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, “ରାଜା! ମୋ ମନରେ କେତେକ ସନ୍ଦେହ ରହିଛି । ଯେଉଁ ଶରଣବର୍ମା ପ୍ରତ୍ୟକ୍ଷ ଲଢେଇରେ କାଳପ୍ରତାପଙ୍କୁ ପରାସ୍ତ କରି ମଧ୍ୟ ତାଠୁ ତା’ ରାଜ୍ୟ ନେଲେ ନାହିଁ କି ତାକୁ ବନ୍ଦୀ ମଧ୍ୟ କଲେ ନାହିଁ, ସେ ରାଜା ତାଙ୍କ ପ୍ରାଣରକ୍ଷା କରିଥିବା ଡାକୁ ନାଗଭୈରବ ପ୍ରତି କୃତଜ୍ଞତା ପ୍ରକାଶ କରିବା ତ ଦୂରର କଥା, ତାକୁ କାରାରୁଦ୍ଧ କିପରି କଲେ? ପୁଣି ତାନ୍ତ୍ରିକ କପାଳକଣ୍ଠକୁ ଲୁଚି ଛପି ସେ ହତ୍ୟା କଲେ । ଏହା ତାଙ୍କ ଚରିତ୍ରର ଦ୍ୱେତ ରୂପ ସୂଚାଇ ଦିଏ ନାହିଁକି? ଅର୍ଥାତ୍ ସେ କେତେବେଳେ ଭଲ ତ ପୁଣି ଆଉ କେତେବେଳେ ଖରାପ୍ । ଅଥବା କେବଳ ଯଶଲାଭ ପାଇଁ ସେ ରାଜା କାଳପ୍ରତାପଙ୍କୁ ଛାଡି ଦେଲେ! ରାଜା! ପାରିଲେ ମୋ ପ୍ରଶ୍ନର ଉତ୍ତର ଦିଅ । ଉତ୍ତର ଦେବାର ଶକ୍ତିଥିବା ସତ୍ତ୍ୱେ ମଧ୍ୟ ଯଦି ନିରୁତ୍ତର ରହିବ, ତେବେ ତମ ଶୀର ଅବଶ୍ୟ ସ୍କନ୍ଧଚ୍ୟୁତ ହେବ ।”
ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ରାଜା ବିକ୍ରମାର୍କ ଉତ୍ତର ଦେଲେ: ରାଜା ଶରଣାଗତ ବାସ୍ତବିକ ବୀର ଓ ମହତ୍ । ପ୍ରତ୍ୟକ୍ଷ ଲଢେଇରେ ସେ ପରାସ୍ତ ହେବାର ସମ୍ଭାବନା ଥିବା ସତ୍ତ୍ୱେ ମଧ୍ୟ ପ୍ରଜାଙ୍କ ହିତ ପାଇଁ ସେ ସେଭଳି ବିପଦ ଭିତରକୁ ଲମ୍ଫ ଦେଇଥିଲେ । ଯଶ ଲାଭ ନୁହେଁ, ବରଂ ଜନ ସାଧାରଣଙ୍କ ମଙ୍ଗଳ ହିଁ ତାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା । ରାଜ୍ୟ ରାଜ୍ୟ ଭିତରେ ସୁସମ୍ପର୍କ ରକ୍ଷା କରିବା ଥିଲା ତାଙ୍କ ରାଜନୀତି । ତାହା ଆଦର୍ଶ ରାଜନୀତି । ଡାକୁ କଥା ଅଲଗା । ଡାକୁ ତ କେତେ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଛି । ସେ ଯେ ରାଜାଙ୍କୁ ବାଘ କବଳରୁ ରକ୍ଷା କଲା, ତାହା ନିଜ ସ୍ୱାର୍ଥ ପାଇଁ । କାହିଁକିନା ତା’ର ଜଣେ ସାହସୀ ଅନୁଚର ଦରକାର ଥିଲା । ରାଜା ବୋଲି ଜାଣି ସେ ତାଙ୍କ ପ୍ରାଣ ରକ୍ଷା କରି ନଥିଲା । ତା’ଛଡା ବାଘ ହାବୁଡରେ ଖାଲି ରାଜା ତ ପଡି ନଥିଲେ, ସେ ନିଜେ ବି ପଡିଥିଲା । ତାକୁ କାରାରୁଦ୍ଧ କରି ରାଜା ଠିକ୍ କରିଛନ୍ତି । ତାନ୍ତ୍ରିକ ପ୍ରତି ସେ ଯାହା କିଛି ବି କଲେ, ତାହା ଯେ ଠିକ୍, ଏହାର ପ୍ରମାଣ ସ୍ୱୟଂ ଯକ୍ଷିଣୀଙ୍କ ସନ୍ତୋଷ । ରାଜ୍ୟର ଦଶ ଗୋଟି ନିରୀହ ଶିଶୁଙ୍କୁ ଚୋରାଇ ମାରିବାକୁ ବସିଥିଲା ଯେଉଁ ତାନ୍ତ୍ରିକ, ଏବଂ ଯାହାର ଶକ୍ତି ବହୁତ, ତାକୁ ରାଜା ଆଉ କି ଉପାୟରେ ବଧ କରିଥାନ୍ତେ? ରାଜାଙ୍କ ଚରିତ୍ରରେ କୌଣସି ଦ୍ୱେତଭାବ ନାହିଁ । ସେ ଜଣେ ସଚ୍ଚା ବୀର ।”
ରାଜାଙ୍କ ଉତ୍ତର ଦାନ ଶେଷ ହେବା ମାତ୍ରେ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷ ଡାଳରେ ଝୁଲି ପଡିଲା ।