ଏବେ ଗୋପାଳ କରନ୍ତି କ’ଣ? ସ୍ତ୍ରୀକୁ କହି ବା ଲାଭ କ’ଣ? ଯେଉଁଠୁ ହେଲେ ତ କିଛି ରୋଜଗାର କରିବାକୁ ହେବ! ନୋହିଲେ ଘରେ ଖାଇବେ କ’ଣ । କିନ୍ତୁ କରିବେ କ’ଣ? କାଲି ତ ରାଜାଙ୍କ ଠାରୁ ଶହେ ଟଙ୍କା ଆଣିଛି । ଆଜି ପୁଣି କେଉଁ ମୁହଁରେ ତାଙ୍କୁ ଟଙ୍କା ମାଗିବି । ଆଉ ମଧ୍ୟ ରାଜାଙ୍କ ବ୍ୟତୀତ ମୋତେ କିଏ ଟଙ୍କା ଦେବ ।
ଗୋପାଳ ନିତ୍ୟକର୍ମ ସାରି ରାଜ ପ୍ରାସାଦ ଆଡକୁ ଯିବା ପାଇଁ ବାହାରିଲେ । ଗଲା ବେଳେ ସ୍ତ୍ରୀକୁ କହିଲେ – ଶୁଣୁଛ ମୁଁ ରାଜାଙ୍କ ପାଖକୁ ଯାଉଛି । କ’ଣ ବ୍ୟବସ୍ଥା କରି ଶୀଘ୍ର ଫେରିବି ।
ଗୋପାଳ ରାଜାଙ୍କ ପାଖକୁ ନଯାଇ ଉଆସ ଭିତରେ ତର ତର ହୋଇ ପଶିଲେ । ରାଣୀ ବାହାର ଖଳାରେ ବସି ଥିଲେ । ଗୋପାଳକୁ ଦେଖି ପଚାରିଲେ – କିଓ ଗୋପାଳ! ଏମିତି ବ୍ୟସ୍ତ ହେଖା ଯାଉଛ କାହିଁକି, କୁଆଡେ ଯିବ ନା କ’ଣ?
ଗୋପାଳ ରାଣୀଙ୍କୁ ନମସ୍କାରଟି ଜଣାଇ କହିଲେ – ରାଣୀମା, ଆଜି ପରା ପାଖ ଗାଁରେ ମେଳା ବସିଛି । ଏହି ମେଳା ତିନି ଦିନ ପାଇଁ ହେବ । ମେଳା ଦେଖିବା ପାଇଁ ଆମ ଘରୁ ସମସ୍ତେ ବାହାରି ଛନ୍ତି । ଖାଲି ଛାମୁରେ ଦେଖାଟେ ପଡି ଯାଇ ମେଳା ଦେଖିବାକୁ ବାହାରି ଯିବି । ସେଥି ପାଇଁ ଆସି ଥିଲି ।
ଗୋପାଳ କଥା ଶୁଣି ରାଣୀ ହସି ହସି କହିଲେ – ତାହା ହେଲେ ତୁମେ ମେଳା ଦେଖି ବାକୁ ଯିବ । ଆଛା ସେ ମେଳା ବିଷୟରେ ତ ମୋତେ କିଛି କହିଲ ନାହିଁ ।
ରାଣୀମା, ସେମିତି ମେଳା ଆମ ଏ ଖଣ୍ଡ ମଣ୍ଡଳରେ ନାହିଁ । ମୋ ଜୀବନରେ ଏମିତି ଯାତ୍ରା କେବେ କେଉଁଠି ଦେଖିନି । ଦେଶ ବିଦେଶରୁ ବହୁ ଲୋକ ଏହି ମେଳା ଦେଖି ବାକୁ ଆସନ୍ତି । କେବଳ ପୁରୁଷ ନୁହଁନ୍ତି । ବହୁ ବଡ ବଡ ଘରର ଝିଅ ବୋହୂ ମଧ୍ୟ ଏଇ ମେଳା ଦେଖି ବାକୁ ଆସନ୍ତି । ରାଜା, ରାଣୀ, ରାଜ କୁମାରୀ ମାନଙ୍କ କଥା ତ ଛାଡ, ସେମାନଙ୍କ ମେଳା । କେତେ ରକମର ଜିନିଷ ସବୁ କିଣା ବିକା ହୁଏ ।
ଗୋପାଳ ଭାଣ୍ଡର ମୁହଁ ମେଲାଇ ବର୍ଣ୍ଣନା ଶୁଣି ରାଣୀଙ୍କର ଇଚ୍ଛା ହେଲା ମେଳା ଦେଖି ଯିବା ପାଇଁ । ମନ ଖୋଲି ଗୋପାଳଙ୍କୁ ମଧ୍ୟ ରାଣୀ ଏ କଥା କହିଲେ । ଗୋପାଳ ଭାଣ୍ଡ କହିଲେ, ରାଣୀମା ଆପଣଙ୍କ ଇଚ୍ଛା ହେଲେ କ’ଣ ହେବ, ଆପଣ ପ୍ରଥମେ ମହାରାଜାଙ୍କୁ ଏକଥା କହି ଅନୁମତି ଆଣନ୍ତୁ । ରାଜା ସିନା ରାଜି ହେଲେ ଆପଣ ମେଳା ଦେଖିବା ପାଇଁ ଯିବେ ।
ରାଣୀ ଦେଖିଲେ ଗୋପାଳଙ୍କ ସାହାଯ୍ୟ ନନେଲେ ସହଜରେ ରାଜା ରାଜି ହେବେ ନାହିଁ । ସେ ଗୋପାଳ ହାତରେ ପଚାଶ ଟଙ୍କା ଧରାଇ ଦେଇ କହିଲେ – ତୁମେ ଘରେ ଯାଇ ଏ ଟଙ୍କା ଦେଇ ଆସିବ । ସେମାନେ ଯାତ୍ରା ଖର୍ଚ୍ଚ ଧରି ମେଳାକୁ ଯିବେ । ତୁମେ ଏଇ ବାଟ ଦେଇ ଆସିବ । ଆମେ ସାଙ୍ଗ ହୋଇ ମେଳାକୁ ଯିବା ।