ଶୀତଦିନିଆ । ପୁଲିସ୍ ସାହେବ ମକ୍ରାମପୁର ଫାଣ୍ଡି ତଦାରକ କରିବାକୁ ଯାଇଥିଲେ । କାହିଁକିନା ଫାଣ୍ଡି ପାଖ ତୋଟାରେ ଡେରା ପଡିଥାଏ । ଡେରା ପାଖକୁ ଅଧକ୍ରୋଶ ଦୂରରେ ପାଟ । ସେହି ସ୍ଥାନଟି ସରାଳି, କାଜ, ମାଣିକଯୋଡ, ଜଳଫିମ୍ପି, ପାଣିହଂସ, ଚକୁଆ, ଦା-ବେକିଆ, ବଗ ଚଢେଇରେ ଭର୍ତ୍ତି । ସାହେବଙ୍କ ନଜର ଯିମିତି ସେଠାରେ ପଡିଗଲା, ତତ୍କ୍ଷଣାତ୍ ବନ୍ଧୁକ କାନ୍ଧରେ ପକାଇ ସେ ଶିକାରକୁ ବାହାରିଲେ । ତାଙ୍କ ପଛରେ ଚାରିଜଣ କନେଷ୍ଟବଳ, ଆଠ ଦଶଜଣ ଚୌକିଦାର ମୁଣ୍ଡରେ ଲାଲ୍, କଳା, ହଳଦିଆ ଛିଣ୍ଡା ପାଗ ଖଣ୍ଡେ ଖଣ୍ଡେ ଗୁଡାଇ ଚିତେ ଚିତେ ବାଉଁଶ ଢେଙ୍କ କାନ୍ଧରେ ପକାଇ ଧାଇଁଛନ୍ତି । ସାହେବ ପାଟକୂଳରେ ପହଂଚି ଯିମିତି ବନ୍ଧୁକଟା ଦୁମ୍ କରି ଆୱାଜ୍ କଲେ ହଜାର ହଜାର ଚଢେଇ ତ କେଁକଟର କରି ଆକାଶରେ ଉଡି ଚକର ଦେଇ ଘୂରିଲେ । ବୋଧହୁଏ ସେମାନେ ତଳକୁ ଅନାଇ ବିଚାର କରୁଥିବେ “କାଳେ ବେଳେ ଦେଖା ନାହିଁ କି ଶୁଣା ନାହିଁ, ଆଜି ଏଟା କଣ? ଏଟା ତ ଧଳା ମଣିଷ ପରି ଦିଶୁଛି, ଏଟା କ’ଣ? ସେମାନେ ଆପଣା ଆପଣା ଭିତରେ ଯେଉଁ କଥାଭାଷା ହେଉଥିଲେ ସେଇଟାକୁ ଆମେ କହୁଛୁ “କେଁ କଟର ।”
ଯୋଡାଏ କାଜ ଦେହରେ ଛିଟା ବାଜି ସେମାନଙ୍କ ଡେଣା ଓ ଗୋଡ ଭାଙ୍ଗିଗଲା । ହେଲେ କ’ଣ ହେଲା ଠା ନ ପଡି ଖଣ୍ଡିଉଡାଦେଇ ଯାଇ ପାଟ ମଝିରେ ପଡିଲା । ସେଠିକି ବା ଆଉ ଯାଉଛି କିଏ, ସାହେବ ତ ସମସ୍ତଙ୍କ ମୁହଁକୁ ଅନାଉଛନ୍ତି । ଜଣାଅଛି ପାଟମଝିଟା ତାଳେ ଗହୀର । ଆହୁରି ପୁଣି ସେଠାରେ ମଣିଷଖିଆ କୁମ୍ଭୀର ଯୋଡାଏ ଥିବାର ବି ଶୁଣାଅଛି । ସେଠାକୁ ଗଲେ କନେଷ୍ଟବଳ ମାନଙ୍କର ତ ଡ୍ରେସ୍ ଭିଜିଯିବ । ଏ ଚଉକିଆଗୁଡାକ ତ ଗାଉଁଲିଆ, ପହଁରି ଜାଣନ୍ତି ନାହିଁ । ଅସଲ କଥା, କାହାରି ମନକୁ ଭରସା ଖଟୁ ନାହିଁ ଯେ ସେଠାକୁ ଯିବ କିଏ । ସାହେବ ନୋହିଲେ ଜରିମାନା କରିବ, ନହେଲେ ଚାକିରି ଛଡାଇ ଦେବ, ଜାଣିଶୁଣି ଗୋମୁହାଁ କୁମ୍ଭୀର ମୁହଁକୁ କି ଯିବା? ସେତିକିବେଳେ କ’ଣ ହେଲା କି ଆମ୍ଭମାନଙ୍କ ଶେଠେ ପଲ ତନଖି କରିବାକୁ ଯାଇ ସେଠି ପାରିଧି ଦେଖୁଥିଲେ । କୁହା ନାହିଁ କି ବୋଲା ନାହିଁ, କ’ଣ ତାଙ୍କ ମନକୁ ଆସିଲା ହୁଡ ହୁଡ କରି ପାଣିରେ ସେ ପଶିଗଲେ । ଦଣ୍ଡକ ଭିତରେ ସେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇଦେଲେ । ଏଥର ସେ ସାଇବ ତ ମହାଖୁସି । ଗୋଡରୁ ମୁଣ୍ଡଯାଏଁ ସେ ତିନିଥର ଅନାଇଲେ, ପଂଚହତା ମର୍ଦ – ତା ବାହୁ ଯୋଡାକ ଗୋଲ ଗୋଲ, ମୋଟା ମୋଟା ଦୁଇ ହାତର ରେକା ପାଇବ ନାହିଁ, ମୁଠୁଣିଏ ଚଉଡା ଛାତି, ଚକା ମୁହଁ, ଚଉଡା ନାକ, ଜଙ୍ଘଗୁଡାକ ସଳଖ ମୋଟା ଶାଳଗଜା ପରି । ସାଇବ ଭାରି ଖୁସି ହୋଇ ତାକୁ ପଚାରିଲେ, “ତୁମ୍ କୋନ ହେୟ?” “ମଣିମା, ମୁଁ ଜମିଦାର ପଲର ସୁବଳ ଶେଠ ।” ସାହେବ – “ତୁମ୍ କନେଷ୍ଟବଳ ନୌକରି କରେଗା?” ଏହା ଶୁଣି ଶେଠିଏ ଟିକିଏ ଗୁମ୍ମାରି ରହିଲେ । ଦଣ୍ଡକ ବାଦ୍ ସେ କହିଲେ, “ମୁଁ ଘରଆଡେ ନ ବୁଝି କହିପାରୁ ନାହିଁ ।” ମାତ୍ର ସେ ସାହେବ ଏଥିରୁ କିଛି ବି ବୁଝିପାରିଲେ ନାହିଁ । କେବଳ ଜମାଦାର ମୁହଁକୁ ସେ ଚାହିଁଲେ, ସେ ଜମାଦାର ଇଂରେଜୀ ପଢୁଆ ବୋଲି ଚୌକିଦାରମାନଙ୍କୁ ତ ଭଲ ଭାବରେ ଜଣା । ଆମ୍ଭେମାନେ ଜାଣୁ ସେ ଫାଷ୍ଟବୁକ୍ ଖଣ୍ଡକ ବିଲ୍କୁଲ୍ ପଢିଥିଲେ, ଆଉ କାଗଜରେ ଇଂରେଜୀରେ ଦସ୍ତଖତ କରନ୍ତି । ତେଣୁ ସେ ମହାକୁଡ କଥା ଇଂରେଜୀରେ ସାହେବକୁ ବୁଝାଇଦେଲେ । “Sir, this guala Mahakur said he ask his wife. If he tell, he will constable.” । ଏହା ଶୁଣିବା ପରେ ସେ ସାହେବ ମନ ମଧ୍ୟରେ ଟିକିଏ ହସିଲେ । ଅସଲ କଥାଟା ବୁଝିବାକୁ ତାଙ୍କୁ ଦି’ ମିନିଟ୍ ଡେରି ହେଲା । ତା’ପରେ ତାଙ୍କ ପକେଟରୁ ନୋଟବୁକ୍ ବାହାର କରି ସେ ଲେଖିଲେ, “Subal Singh is fit to be a constable. He seems to be a clever man. He is stout and strong and knows how to show respect to the fair sex.” ହୁକୁମ ଦେଲେ, ‘ତୁମ କାଲ୍ ଫଜର୍ ଡେରାକା ପାଶ୍ ହାଜର ହୋ ।’