ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଣ୍ଡୀପୁଅ ଅନନ୍ତା

                ସୁବଳ ସିଂହ ସାହେବଙ୍କ ଅର୍ଦ୍ଦଳି । ସାହେବ ତ ଭାରି ଶିକାରପ୍ରିୟ । ଶିକାର ସରଞ୍ଜାମ ତାହା ଜିମା ଥାଏ । ସୁବଳ ସିଂହ ନ ଥିଲେ ସାହେବ ଶିକାରକୁ ଆଦୌ ବାହାରି ପାରନ୍ତି ନାହିଁ । ସୁବଳ ଉପରେ ସାଇବଙ୍କ ଏପ୍ରକାର ଅନୁଗ୍ରହ ଦେଖି ଭଲ ଭଲ ଲୋକମାନେ ତାହାର ଅନୁସରଣ କରିଥାନ୍ତି । ସେଥିରେ ତାହାର ଦର୍ମା ମାସିକ ୯ ଟଙ୍କା ଛଡା ଉପୁରି ଦି’ ଚାରିପଇସା ବେଶ୍ ରୋଜଗାର ହୁଏ । ହେଲେ ସବୁ ଦେବକୀ ହିସାବ କରିନିଏ । କେବେ କାଳେ ସିଂହର ଟଙ୍କେ ମଷେ ବେଜାୟ ଖରଚ ଧରାପଡିଲେ ସେ ଦେବକୀ ଭାରି ଖପା ହୋଇ ସୁବଳଙ୍କୁ ଗାଳିଦିଏ – “କାଠଖିଆ, ତୁ ତ ଟଙ୍କା ଏଇରକମ ଉଡେଇବୁ, ପରଘର ଗୋଲାମି କରୁଛ କିଆଁ?” ଆଉ ଗୋଟିଏ କଥା, ମା’କୁଡ ସିଙ୍ଗ ହେଲାରୁ ଦେବକୀ ନାମ ହେଲା ସିଙ୍ଗାଣୀ ସେ ଆପେ ଗାଁଯାକ ଏହି ନାମ କହି ଆସିଲା । ସିଂହଙ୍କର ଦୁଇ ତିନି ବରଷ ଚାକିରି ବାଦେ ଥରେ ପୁଲିସ ସାହେବ, ମେଜେଷ୍ଟର ସାହେବ ମିଶି ଡୋମପଡା ବଣକୁ ଶିକାର କରି ଯାଇଥିଲେ । ମେଜେଷ୍ଟର ସାହେବ ସେଠାରେ ଗୋଟେ କେନ୍ଦୁଆକୁ ଯିମିତି ଗୁଳି କରିଛନ୍ତି, ହେଲା ଅଂଟାଗୁଳି, କେନ୍ଦୁଆଟା ଗୋଟିଏ ଝୁମ୍ପଡିଲଟା ଭିତରେ ପଶି ଗର୍ଜନ କରୁଥାଏ । ସାଇବ ସଙ୍ଗରେ ଶ’କଡା ବେଠିଆ, ଯୋଡାଏ ହାତୀ, ଘାଉଲା କେନ୍ଦୁଆ ପାଖକୁ ଯାଉଛି କିଏ? ଘାଉଲା ବାଘ, ଧଇଲା ଯମ ଏକା କଥା । ପୁଲିସ ସାହେବ ସୁବଳ ସିଂହ ମୁହଁକୁ ଚାହିଁଲେ । ତା’ପରେ ସିଂହେ ଉଁ କି ଚୁଁ ନ କରି ପଶିଲେ ବଣରେ । ସିଂହେ ସେଇ ମଇଁଷିମୁଣା ଠେଙ୍ଗା ଆଜିଯାଏଁ ବି ଛାଡିନାହାଁନ୍ତି । ବାଘ ମୁଣ୍ଡରେ ଚାରିପାହାର କଷି ଦେଇ ତା’ର ଲାଞ୍ଜ ଧରି ତାକୁ ଭିଡି ଭିଡି ଆଣି ମେଜେଷ୍ଟର ସାହେବଙ୍କ ଆଗରେ ଥୋଇଦେଲେ । ସାଙ୍ଗେ ସାଙ୍ଗେ ନଗଦ ୨୦ ଟଙ୍କା ବକ୍ସିସ୍, ଆଉ ୧୫ ଟଙ୍କା ଦର୍ମା ଜମାଦାରୀ । ଏତେ ହେଲା ହଁ, ହେଲେ ସିଂହଙ୍କୁ କାଳ ସହିଲା ନାହିଁ । କାର୍ତ୍ତିକ ମାସିଆ ଛୁଟି ନେଇ ସେ ତାଙ୍କ ଘରକୁ ଆସିଛନ୍ତି, ଠିକ୍ ଏତିକିବେଳେ କାହୁଁ ଗୋଟାଏ କାଳ-ଜର ଆସି ତାଙ୍କୁ ମାଡି ବସିଲା । ଜର ସାଙ୍ଗେ ସାଙ୍ଗେ ସନ୍ନିପାତ । ଏହିପରି ଭାବେ ଦିନ ତିନିଟାରେ ଶେଷ ହୋଇଗଲେ ସେ ।

                ଏଣେ ସିଂହାଣୀର ଦେହରେ ଯେମିତିକା ବଳ, ମନରେ ବି ଠିକ୍ ସେହିପରି ସାହସ; ଘୋର ବିପଦରେ ପଡି ହଟିବାର ନୁହଁନ୍ତି ସେ । ସ୍ୱାମୀର ଶୁଦ୍ଧିକାର୍ଯ୍ୟ ସାରି ଆପଣା ବେଉସାରେ ସେ ଲାଗିଗଲେ । ସିଂହେ ସିଂହାଣୀ ରୂପରେ ଗୁଣରେ ସମାନ । ବିଧାତା ଯେମନ୍ତ ଗୋଟିଏ ଚକରେ ଦୁଇଜଣଙ୍କୁ ଗଢିଛନ୍ତି, ତେବେ ସିଂହାଣୀ ଉଚ୍ଚାରେ ଅଧଚୌକେ ବେଶି ହେବେ । ନାହି ତଳକୁ ଲୁଗା ପିନ୍ଧିଥିଲେ ବି ତାଙ୍କ ପେଟଟି ଛ’ ନଉତିଆ ଧାନ ଉଷୁଁଆ କଳାହାଣ୍ଡିପରି ବାହାରି ପଡିଥାଏ । ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ ଭଲ ପା’ନ୍ତି । ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢି ପକାଇଥିଲେ । ଶୁଦ୍ଧ ବାସିଦିନ ଫେର୍ ହାତଗଣ୍ଠିଠାରୁ କହୁଣିଯାଏଁ ଦଶବିଶାର ପିତଳ ବାହିବଳା ଦୁଇ ହାତରେ ଲଗାଇଦେଲେ । ନାକରେ ତୋଳାଏ ଓଜନର ସୁନାଗୁଣା ଚେପ୍ଟା ବିଶାଳ ନାକକୁ କାମୁଡି ଧରିଥାଏ । ବେକରେ ଦଶ ଦଶ ଗଣ୍ଡା ଗୋଡଲଗା ଟଙ୍କାମାଳ ନାହଯାଏଁ ଲମ୍ବି ପଡିଥାଏ । ଦୁଇ ହାତରେ ଦି’ପୁଞ୍ଜା ଗେଣ୍ଡା ପରି ଛାପ ମୁଦି । ସିଂହାଣୀଙ୍କ ସାହସ ବି କିଛି ଊଣା ନୁହେଁ । ଗାଁ ମୁଣ୍ଡ ନିଛାଟିଆରେ ତାଙ୍କ ଘର, ଛୁଆଟାକୁ ଧରି ଏକୁଟିଆ ସେ ସେଠାରେ ପଡିଥାଏ । ସିଂହାଣୀ ହାତରେ ଢେର୍ ଟଙ୍କା – ଏକଥା ଗାଁ ଲୋକେ ଜାଣନ୍ତି ଚୋରଗୁଡାକ ସନ୍ଧାନ ପାଇ ଦିନେ ଅନ୍ଧାର ରାତିଆ ସିନ୍ଧିକରି ତିନିଜଣ ଚୋର ସେ ଘର ଭିତରେ ପଶିଲେ; ସେତେବେଳେ ତ ସିଂହାଣୀ ଶୋଇଥିଲା, ତାକୁ ଯିମିତି ମାଡି ବସିଛନ୍ତି ସେ ତ ହାଉଳି ଖାଇ ହାତ ଯୋଡାକ ଛିଂଚାଡି ଦେଲା । ଫଳରେ ସେ ଚୋରଗୁଡାକ ଚାରି ଚାରି ହାତ ଦୂରରେ ପଡିଗଲେ । ଯୋଡାଏ ଚୋର ତ ପଳାଇଲେ; ହେଲେ ସେ ସିଂହାଣୀ ଗୋଟାକୁ ମାଡି ବସିଲା, ଗାଈପଘାରେ ତାକୁ ଘର ମଝି ଖମ୍ବରେ ଭିଡି ବାନ୍ଧିଦେଲା । ସକାଳକୁ ଗାଁ ଲୋକେ ଦେଖିବାକୁ ଧାଇଁଲେ, ଏ ଚୋରଟା କିଏ ମ? ମଲା ମଲା । ଏ ତ ଗାଁ ଚଉକିଆ ବାଉରି ଝପଟ ସିଂହ । ସମସ୍ତେ ପରାମର୍ଶ କଲେ ଚୋରକୁ ଚଲାଣ ଦେବେ । ସିଂହାଣୀ କହିଲା, “ଆଚ୍ଛା, ତାହେଲେ ମୁଁ ଚଲାଣ ଦେବି ।” ତା’ପରେ ସେ ସିଂହାଣୀ କଷିକି ଲଗାଇଲା ସେ ଚଉକିଆର ଦୁଇ ଗାଲରେ ଦୁଇ ଚାପୁଡା । ଫଳସ୍ୱରୂପ ଉଆଉଫଡା ପରି ଗାଲ ଦିଟା ତା’ର ଫୁଲିଗଲା । ତା’ପରେ ସେ ଚଉକିଆ ପୁଅ ପନ୍ଦର ଦିନ ଘରୁ ଆଉ ବାହାରି ନାହିଁ, ବିଛଣାରେ ପଡିଥିଲା । ସିଂହେଙ୍କ ବିୟୋଗ ବେଳକୁ ତାଙ୍କ ପୁଅ ଅନନ୍ତା ହୋଇଥିଲା ମାତ୍ର ଚାରିବରଷର । ବୟସ ଟଳାବେଳେ ପୁଅଟିଏ ହେବାରୁ କୋଟିନିଧି ପାଇଥିଲେ ସେ । ପୁଅଟିର ଆକାର ବାପ ମା ପରି, ସେହିପରି ତା ଦେହର ବର୍ଣ୍ଣ । ସିଂହାଣୀ ସଞ୍ଜବେଳେ କାମ ପାଇଟି ସାରି ପୁଅଟିକୁ ଘଡିଏ କୋଡରେ ବସାଇ ଗେଲ କରନ୍ତି, ଗେଲ କଲାବେଳେ ସେ ଗୀତ ଗାଉଥାନ୍ତି –

                                                ‘ହାତୀ ଝୁଲୁଥାଏ ଲସର ପସର କିଆକନ୍ଦା ଖାଇବାକୁ,

                                                ଅନନ୍ତୁ ଝୁଲୁଛି ଲସରପସର ମାଆ ଦୁଧ ଖାଇବାକୁ ।

                                                ଆକାଶେ ବୁଲୁଛି ଚନ୍ଦ୍ର ଉଦିଆରେ ସାଙ୍ଗରେ ବହୁତ ତରା,

                                                ଅନନ୍ତୁ ଝୁଲୁଛି ମାଆକୋଳେ ବସି ଦୁଧ ସେ ଖାଇବ ପରା ।

                                                ବାପା ତ ଯାଇଛି ମଇଁଷି ଗୋଠକୁ ମାଆ ତ ଦୁହିଁବ ଗାଈ,

                                                ରାଜାଙ୍କ ଦୁଆରେ ପାଟହାତୀ ବନ୍ଧା ଅନନ୍ତୁ ଚଢିବ ଯାଇ ।’

                ଏହିପରି ଗେଲ କରି ପୁଅକୁ ବସି ସେ ଝୁଲାଉଥାନ୍ତି । ହାତୁଣୀ କୋଳରେ ହାତୀ ପିଲାପରି ପିଲାଟି ଝୁଲିଲେ ବଡ ମାନେ । ରୋଜି ବଡି ସକାଳୁ ଉଠି ପୁଅକୁ ତେଲ ହଳଦୀ ଟିକିଏ ମାଖି ଦେଇ କାଠ ପାନିଆରେ ତା’ର ମୁଣ୍ଡ କୁଣ୍ଡାଇ ମୁଣ୍ଡରେ ଗୋଟିଏ ସାନ ଜଟ ବାନ୍ଧିଦିଏ । ଘଡିଏଯାଏଁ ପୁଅ ମୁହଁକୁ ସେ ଚାହେଁ – ତା ବାଦ୍ ଆପେ ଜିଭ କାମୁଡି ପକାଇ ସେ କୁହେ, “ମା’ ଡାହାଣୀ । ସୁନ୍ଦର ପୁଅଟିକୁ ମୁଁ ଚାହିଁଛି ।” ତାହା ବାଦେ ତୁଳସୀମୂଳରୁ ଟିକିଏ ମାଟି ଆଣି ମା ତା’ ପୁଅ ମୁଣ୍ଡରେ ଚିତା କରିଦିଏ । ଜଟ ଉପରେ ଟିକିଏ ଗୋବର ଲଗାଇଦିଏ । ତାହା ବାଦେ ପୁଅ ଉପରକୁ ସେ ଟିକିଏ ଛେପ ପକାଇ ଦିଏ । ଗାଁରେ କେତେରକମ ମାଇକିନିଆ ଅଛନ୍ତି, କେଜାଣି କାହା ନଜର କେମିତି । ପୁଅକୁ ମୋର ହାୟରା କରିଦେବେ । ଏହିଲାଗି ପୁଅ ବେକରେ ଖଣ୍ଡିଏ ଘୁଷୁରି ଥୋମଣି, ଗୋଟାଏ ତମ୍ବା ଡେଉଁରିଆ ଭିତରେ ମହାଦେବ ବେଲପତ୍ରୀ, ଦି’କଡା କାଣିକଉଡି, ଚାରିଟା ରୁପାଡେଉଁରିଆ ମୂଳମୂଟିକା ହାର କରି ପୁଅ ବେକରେ ଲଗାଇ ଦେଇଛି! ବାରଲୋକର ନଜର କଟିଯିବ ବୋଲି ଆପଣା ଗୋଡରୁ ଟିକିଏ ଧୂଳି ନେଇ ସେ ତା’ପୁଅ ମୁଣ୍ଡରେ ଲଗାଇ ଦିଏ । ରାତିରେ ସେରେ ଚାଉଳରେ ଗୋଟିଏ ପୋଡପିଠା କରି ରଖିଥାଏ, ସେ’ଟି ପୁଅ ହାତରେ ଦେଇ ସେ ଦହି ମୁହାଁଇ ବସେ । ତାହା ବାଦେ ପସରା ଉପରେ ଦୁଇ ତିନିଟା କଳସାରେ ଚହ୍ଲା ପୂରାଇ ଗାଁକୁ ଦହି ବିକିଯାଏ । ମୁଣ୍ଡ ଉପରେ ପସରାରେ ଦୁଇ ତିନି କଳସା ଦହି, ତାକୁ ନ ଧରି ଦୁଇବାହୁ ଝୁଲାଇ ଗୋହିରି ଦାଣ୍ଡରେ ଚାଲିଯିବାବେଳେ ଲୋକମାନେ ଚାହିଁ ରହନ୍ତି । କୁହନ୍ତି ‘ନନ୍ଦିଘୋଷ ରଥ’! ସିଂହାଣୀର ଢେର୍ଗୁଡିଏ ନାମ – ଏକ  – ଦେବକୀ ଗଉଡୁଣୀ, ଦୁଇ – ମହାକୁଡାଣୀ, ତିନି – ତାଡକା ଅସୁରୀ, ଚାରି – ନନ୍ଦିଘୋଷ ରଥ, ହେଲେ ସେ ସିଂହାଣୀର ଅଜଣାରେ ଲୋକମାନେ ଏହିସବୁ ନାମ ଦେଇଛନ୍ତି । ସିଂହାଣୀ ବୋଲି ଡାକିଲେ ସେ ବଡ ଖୁସି ହୋଇଯାଏ । ଗାଁରେ କେତେଗୁଡିଏ ଥଟିଆଲା ମଣିଷ ତୁଚ୍ଛାଟାରେ ‘ଏ ସିଂହାଣୀ! ଦହି ଦେଇ ଯା’ ବୋଲି ଡାକନ୍ତି । ଦହି କିଣିବାବେଳେ ତାକୁ ଦୁଇ ଚାରିଥର ସିଂହାଣୀ ସିଂହାଣୀ ବୋଲି କହିଲେ ସେ ବଡ ଖୁସି ହୋଇ ଦୁଇ ଚାରି ସଢେଇ ଦହି ଲାଭ ବୋଲି ଢାଳିଦିଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ