ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଣ୍ଡୀପୁଅ ଅନନ୍ତା

                ସୁବଳ ସିଂହ ବିୟୋଗବେଳେ ଅନନ୍ତାର ଚାରିବରଷ ପୂରି ଯାଇଥିଲା । ଦିନ ତ କେବେବି କାହାରିଲାଗି ବସି ରହେ ନାହିଁ । ଅନନ୍ତାର ବୟସ ଚାହୁଁଚାହୁଁ ହେଲାଣି ଦଶବରଷ । ହେଲେ କଣ ହେଲା, ଲୋକେ ତାକୁ କୋଡିଏ ବରଷ ଭେଣ୍ଡିଆ ବୋଲି ଠଉରିବେ । ରୋଜି ସିଂହାଣୀ ଦହି ବିକି ଆସି ମୋଟା ବରଗଡା ଚାଉଳ ପାଂଚସେର ଚୁଲିରେ ବସାଇଦିଏ । ସୁବଳ ସିଂହର ଯେଉଁ ଫରମାସୀ ପିତଳ ବାସନଟା ଥିଲା, ସେଥିରେ ତିନିସେରେ ଅନ୍ଦାଜ ଦରଫୁଟା ପେଜୁଆ ଅନ୍ନ ସେ ପିତଳରେ ଢାଳି ପୁଅ ପାଖରେ ପରଷି ଦିଏ । ଅନନ୍ତାର ତରକାରି ପତ୍ର ଆଦୌ ଲୋଡା ନାହିଁ, ହେଲେ ମା’ ମନ ତ କେତେକେ ମାନେ । ଚୋପାମିଶା ବିରିଡାଲି କଂସାଏ, ନୋହିଲେ ଶାଗ ମାମଡି ସିଜାସିଜି କରି ପୁଅ ପାଖରେ କଂସାଏ ବସାଇ ଦିଏ । ଅନନ୍ତା ଭାତ ଖାଇସାରି ଡାଲି ତକ ପିଇଦିଏ । ସିଂହାଣୀ ତା’ପୁଅ ଲାଗି ଗୋଟିଏ ଗାଈ ବାନ୍ଧିଛି । ଦିନକୁ ସେ ଚାରିସେର ଦୁଧ ଦିଏ । ଅନନ୍ତା ଭାତ ଖାଇସାରି ସେ କଂଚା ଦୁଧତକ ପିଇଦିଏ ।

                ଏବେ ସିଂହାଣୀ କିଛି ପୁଅଲାଗି ହରବରରେ ପଡିଲେଣି । ଅସହୁଣୀ ଲୋକଗୁଡା ଅନନ୍ତାକୁ ମୋଟେ ଦେଖିପାରନ୍ତି ନାହିଁ । କିଏ କହିଲା – ‘ମୋ ବାଡିରୁ କାକୁଡି ଖାଇଗଲା’, ତ ପୁଣି ଆଉ କିଏ କହିଲା – ‘ମକା ଭାଙ୍ଗି ନେଲା’, ‘ଆମ୍ବ, କୟାଁ, କୋଳିଗଛରେ ଚଢି ଅନନ୍ତା ଖାଇଗଲା’ ବୋଲି ଗାଁ ଲୋକମାନେ ରୋଜି ସିଂହାଣୀ ପାଖରେ ଗୁହାରି କଲେ । ସିଂହାଣୀ ତା’ମନ ମଧ୍ୟରେ ସେ ଗୁହାରିଆମାନଙ୍କ ଉପରେ ଅତ୍ୟନ୍ତ ରାଗେ, ହେଲେ ସେ ତା’ପୁଅକୁ କିଛି ବି କୁହେ ନାହିଁ । ଆଜିପର୍ଯ୍ୟନ୍ତ ବି ସଞ୍ଜବେଳେ ଘଡିଏ ବସି ସେ ତା’ପୁଅକୁ ଗେଲ କରେ । ଦିନେ ସେ ସିଂହାଣୀ ବଡ ଦିଗ୍ଦାର ହୋଇ ଗାଁରୁ ଆସୁଛି, ବାଟରେ ସେ ଦେଖିଲା ବଉଳ ଗଛ ମୂଳରେ ପିଣ୍ଡିଟି ଉପରେ ବୈଷ୍ଣବ ମହାନ୍ତି ଅବଧାନେ ବେତ ଘେନି ଗାଁ ପିଲାମାନଙ୍କୁ ପାଠ ପଢାଉଛନ୍ତି । ମନରେ କଲା, ଏହି ଚାଟଶାଳୀରେ ଅନ୍ତୁକୁ ବସାଇଦେଲେ ତା’ର ପାଠ ବି ହେବ ଓ ସେ ଆଉ ଗାଁ ବି ବୁଲିପାରିବ ନାହିଁ । ତହିଁଆରଦିନ ଅବଧାନଙ୍କ ପାଖରେ ପୁଅକୁ ଛାଡିଦେଇ ସିଂହାଣୀ କହିଲା, “ଅବଧାନେ! ଅନ୍ତୁକୁ ଟିକିଏ ଭଲକରି ପାଠ ପଢାଅ ।” ଅନ୍ତୁ ଭଲ ପିଲାଟି ପରି ଚାଟଶାଳୀରେ ବସିଗଲା । ସେ ପୃଥିବୀରେ ଏକଲା ତା ମା’କୁ ଡରେ, ଆଉ କେବଳ ମା’ କଥା ହିଁ ମାନେ ।

                ଅବଧାନେ ଭୂଇଁରେ ଅ, ଆ ଲେଖିଦେଲେ, ତା’ ଉପରେ ଖଡି ମଡାଇବାକୁ ସେ କହିଦେଲେ । ତଳେ ହାତ ଚାଲିଛି, ହେଲେ ଉପରେ ବଉଳଗଛରେ କେଉଁଠି କୋଳି ଅଛି, କେଉଁଠି ପାଚିଛି, ଅନେଇ ଅନ୍ତୁ ଦେଖୁଥାଏ । ନଜର ପଡିଲେ ମାଙ୍କଡ ପରି ହୁପ୍କରି ଚଢିଯାଇ କୋଳି ଆଣି ପାଟିରେ ପକାଇ ଲେଖିବାକୁ ବସିଯାଏ । ତାର ଗଛଚଢାରେ ଭାରି ଅଭ୍ୟାସ । ତା’ ତେନ୍ତୁଳି ଗଛକୁ ମାଙ୍କଡ ଆସିଲେ ଉପରକୁ ଉଠିଯାଇ ମାଙ୍କଡ ଲାଙ୍ଗୁଡ ଧରି ତଳେ କଚାଡି ତାକୁ ମାରିପକାଏ । ଗଛଚଢାରେ ମାଙ୍କଡ ବି ତା’ ସାଙ୍ଗରେ ପାରିବେ ନାହିଁ । ଏଣେ କେତେଟା ଦିନ ଭିତରେ ଅବଧାନେ ଅଥୟ ହୋଇଗଲେଣି । ତା’ ଡରରେ ଚାଟଶାଳୀରୁ ଆଉ ଟିକିଏ ଗୋଡ କାଢି ପାରୁନାହାଁନ୍ତି । ଟିକିଏ ଅବଧାନେ ପଛ କଲେ ସେ ଚାଟଶାଳୀରେ ଭାରି ଗୋଟାଏ ଚହଳ ପଡିଯାଏ । କେ ପିଲାକୁ ପେଲିଦେଲା, କାହାକୁ ଧକ୍କା ମାରେ, କାହା ଗୋଡ ଧରି ଟାଣିଲା, କାହାକୁ କଚାଡି ଦେଲା – ଏହିପରି ଲାଗେ । ଆଉ ପିଲେ ତାହାକୁ ବାଡେଇଲେ ତା’ର ଭାରି ଆନନ୍ଦ, ମାତ୍ର ସେ କାହାରିକୁ ବି ବାଡାଏ ନାହିଁ; ହେଲେ ତାକୁ ଡରରେ ବାଡଉଛି କିଏ? ଅବଧାନେ ପହିଲେ ପହିଲେ ସିଂହାଣୀର ଡର, ଆଉ ସେ ଦହି ବିକିସାରି ବାହୁଡାବେଳେ ଅବଧାନଙ୍କ କଂସାରେ ଯେ ଚାରି ସଢେଇ ଚଲ୍ହା ଢାଳି ଦେଇଯାଏ, ସେଇ ଲୋଭରେ ଅବଧାନେ ସେ ଅନନ୍ତାକୁ କିଛି ବି କହୁନଥିଲେ । ମଣିଷ ଡର ଓ ଲୋଭରେ ଢେର୍ ଢେର୍ କାର୍ଯ୍ୟରୁ ନିବୃତ ହୁଏ, ହେଲେ ସେ ଆଉ ଯମା ସମ୍ଭାଳି ପାରିଲେ ନାହିଁ । ଧରିଲେ ବେତ । ପହିଲେ ଦି’ପାହାର, ଚାରି ପାହାର, ଛ’ପାହାର ପଟାପଟ୍ କରି ପିଟିଲେ । ହେଲେ ଅନ୍ତା ସେଥିକି ଅନାଇବାକୁ ନାହିଁ । ଅବଧାନେ ପିଟିଲାବେଳେ ଅନନ୍ତା ବଉଳକୋଳିକୁ ଅନାଇଥାଏ; କେବେ କେବେ ମାଡ ଜାଗାଟା ଆଉଁଶିଦିଏ । ଆଉ ଚାଟଟୋକାଏ କହନ୍ତି, “ମହାଦେବର ବେଲପତ୍ରୀ ଊଣା, ହେଲେ ଅନନ୍ତର ମାଡର କୌଣସି ଊଣା ନାହିଁ ।” ଚାଟଶାଳୀରେ ଏତେ ଯେ ମାଡ ଅନ୍ତା ଖାଏ, ତା’ ମା’ କିଛି ହେଲେ ବି ଜାଣିପାରେ ନାହିଁ । ଅନ୍ତା ସବୁ ଭୁଲିଯାଏ । ଚାଟଶାଳୀରୁ ବାହାରିବାବେଳେ ସେ ମାଡ କଥା ତାର ଆଉ ମନେ ନ ଥାଏ । ଏଇ ରକମ ଚାରିମାସ ଗଲା, ପାଂଚମାସ ବି ଗଲା, ଅନନ୍ତା ଅ ଅକ୍ଷରଟା ଲେଖିସାରି ଆ ମଡାଉଛି । କେତେ ଖଣ୍ଡ ବେତ ଯେ ଛିଡିଗଲାଣି, ଅବଧାନେ ଆଉ ପାରୁନାହାଁନ୍ତି । ହେଲେ ତାକୁ ବାହାର ବି କରିଦେଇ ପାରୁନାହାଁନ୍ତି, ଚଲହା ମନ୍ଦାକ ବନ୍ଦ ହୋଇଯିବ ଯେ! ଦିନେ ଅବଧାନେ ଆଉ ପାରିଲେ ନାହିଁ । ବେତ ଫୋପାଡି ଦେଇ ଦି’ ଚାରିଖଣ୍ଡ ବିଛୁଆତି ଛଡି ଆଣିଲେ – ଅନ୍ତାର ଗୋଡରେ, ହାତରେ, ପିଠିରେ ଦଶ କୋଡିଏ ପାହାର କଷିଦେଲେ । ସେହିଦିନ ଅନନ୍ତକୁ ଟିକିଏ ବାଧିଲା । ହେଲେ ଆଖିରୁ ପାଣି ପଡି ନାହିଁ ତା’ର । ଚାଟଟୋକାଙ୍କ ଆଗରେ ସେ କହିଲା, “ଶଳା ମହାନ୍ତିକି ମୁଁ ଦେଖିବି ।” ତହିଁ ଆରଦିନ କ’ଣ ହେଲା କି ଅନ୍ତା ଏକଧ୍ୟାନରେ ବସି ଅକ୍ଷର ମଡାଉଛି, କାହାରିକୁ ବି ସେ ଅନେଇବାକୁ ନାହିଁ, ଭାରି ଭଲ ପିଲାଟିଏ । ଅବଧାନେ ଟେରେଇ ଟେରେଇ ଦୁଇ ଚାରିଥର ତାକୁ ଅନାଇଲେଣି । ଭାରି ଖୁସି । ମନରେ କଲେ, ଏଡେ ସୁନ୍ଦର ଉପାୟ ଥିଲା । ହାୟ! ହାୟ! ଆଗରୁ କିଆଁ ମୁଁ ଏହା ନ କଲି?


ଗପ ସାରଣୀ

ତାଲିକାଭୁକ୍ତ ଗପ