ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଣ୍ଡୀପୁଅ ଅନନ୍ତା

                ଦିନ ପହରକ ସମୟରେ ଅବଧାନଙ୍କୁ ପଦାଆଡେ ତଲବ ହେଲା । ତେଣୁ ସେ ଡାକିଦେଲେ, “ଆରେ! ନିଆଁ ଆଣରେ, ଧୂଆଁପତ୍ର ଆଣରେ, ନୋଟା ଆଣରେ ।” ଏହା ଶୁଣି ପୁଞ୍ଜାଏ କି ଛ’ଟା ଚାଟଟୋକା ଧାଇଁଯାଇ ସବୁ ଠିକ୍ କରିଦେଲେ । ଅବଧାନଙ୍କର ସବୁ କାମ ପିଲାମାନେ କରନ୍ତି । ଅବଧାନଙ୍କର ଗୋଡଘଷା, ପାଲଟା ଲୁଗା କଚା, ସଙ୍କୁଡି ଧୁଆ, ବିଲକୁଲ ସବୁ କାମ ପିଲାମାନେ ହିଁ କରନ୍ତି । ଯେଡେ ବଡଲୋକର ପୁଅ ହେଉ ପଛକେ, ଅବଧାନ ଗୋଡ ଘଷିବ ସେ । ଗୁରୁଙ୍କ ଗୋଡ ଘଷିଲେ ପାଠ ଆସେ । ଅବଧାନ ପିକାଟିଏ ଭଲକରି ମୋଡିଲେ – ନିଆଁଖୁଂଟାରେ ପିକାଟିଏ ଲଗେଇ ଦେଇ ଦି’କଳ ଭିଡିଲେ । ଫୁ କରି ଧୂଆଁ ଛାଡିଦେଇ ସେ କହିଲେ, “କିବେ ମୁକୁନ୍ଦା! ଧୂଆଁ ଲାଗୁ ନାହିଁ ଯେ?”

                ମୁକୁନ୍ଦା କହିଲା – ମୁଁ କ’ଣ କରିବି ଅବଧାନେ? ବାବା ତ କାଲି ହାଟରୁ ଏଇ ଧୂଆଁ ଆଣିଛି ।

                ଅବଧାନେ – ବେ ବିନ୍ଦିଆ! ତୋ ବାପ କଟକରୁ ଯେଉଁ ବାଲେଶ୍ୱରୀ ଧୂଆଁପତ୍ର ଆଣିଥିଲା, ତାକୁ ତୁ ଆଉ ଆଣିଲୁ ନାହିଁ ତ?

                ବିନୋଦ – ମୁଁ କ’ଣ କରିବି ଅବଧାନେ, ମା’ ତାକୁ ବିଡା ବାନ୍ଧି ଶିକା ଉପରେ ରଖିଦେଇଛି, ସେଠିକି ମୋ ହାତ ମୋଟେ ପାଇଲା ନାହିଁ ।

                ଅବଧାନେ – ଆଚ୍ଛା, ତୁ ଗୋଟାଏ କାମ କରିବୁ । ତୋ ମାଆ ଯେତେବେଳେ ଗାଧୋଇ ଯାଇଥିବ କି ତୁ ଗୋଟାଏ ବଡ ପାଛିଆ ଉଗାଡି ପକାଇବୁ, ତା ଉପରେ ଚଢି ସେ ଶିକାରୁ ଧୂଆଁପତ୍ର କାଢିବୁ । ସେଥିରୁ ଦୁଇ ଚାରି ଖଣ୍ଡ କାଢି ନେଇ ବିଡା ବାନ୍ଧି ପୁଣି ତାକୁ ଶିକାରେ ଥୋଇଦେବୁ । ହେଲେ ଖବରଦାର! ବେଶି ଗୁଡାଏ ଆଣିବୁ ନାହିଁ । କାଲି ସକାଳେ ଯଦି ନ ଆଣିବୁ ତେବେ ଅନାଇଥା ଏ ବେତକୁ ।

                ଅବଧାନେ ଫେର୍ ଥରେ ଅନାଇଲେ । ଅନ୍ତୁ ଧୀରେ ବସି ଖୁବ୍ ମନଦେଇ ଅକ୍ଷର ବୁଲାଉଛି । ତେଣୁ ଏ ଅବଧାନଙ୍କର ଭାରି ଦୟା ହେଲା । ତେଣୁ ସେ କଅଁଳେଇ କହିଲେ “ରେ ବାପ ଅନ୍ତୁ! ନେ’ ତ – ଏ ଟୁକୁଣାଟା ନେଇ ଟୁକୁଣେ ପାଣି ଆଣ ତ, ବହିର୍ଦ୍ଧେଶ ଯିବୁଁ ।” ଅନ୍ତୁ ଭଲ ପିଲାଟି ପରି ଟୁକୁଣା ଧରି ପୋଖରୀକୁ ଜଳ ଆଣିବାକୁ ଗଲା । ଏଣେ ଏ ଅବଧାନେ ବସି ପିକା ଟାଣୁଥାନ୍ତି । ଏତେ ଗୁଡିଏ ସମୟ ହେଲାଣି ହେଲେ ଏ ଅନ୍ତୁ ଆସେ ନାହିଁ – ବଡ ମଠ କଲା । ଅବଧାନେ ଆଉ ସହି ପାରିଲେ ନାହିଁ । ଦୁଇଥର ତିନିଥର ପୋଖରୀ ତୁଠ ଆଡକୁ ସେ ଅନାଇଲେଣି । ସେଠାରୁ ଉଠି ପିକା ଭିଡିଭିଡି ସେ ତୁଠ ଆଡକୁ ଚାଲିଲେ । ଅନ୍ତୁ ଟୁକୁଣାଟି ଧରି ଆଡି ଉହାଡରେ ଲୁଚିପଡି ଅବଧାନକୁ ଅନାଉଥିଲା, ମାତ୍ର ଆସୁନଥିଲା । ଅବଧାନଙ୍କର ନଜର ଯେମିତି ଏ ଅନ୍ତୁ ଉପରେ ପଡିଛି, ସେ ଧୀରେ ଧୀରେ ପାଖକୁ ଚାଲି ଆସିଲା । ଅବଧାନଙ୍କ ହାତକୁ ଅନ୍ତୁ ଟୁକୁଣାଟି ଏମିତି ବଢାଇ ଦେଲା, ଯେମିତି କି ଟୁକୁଣାର ପାଣିକୁ ଅବଧାନଙ୍କର ନଜର ଆଦୌ ନ ପଡେ । ଅବଧାନେ ଡେବିରି ହାତ ପାଂଚଆଙ୍ଗୁଳିରେ ଟୁକୁଣା ଫନ୍ଦଟି ଧରି ଡାହାଣ ହାତରେ ପିକା ଭିଡି ଭିଡି ଗାଁ ଶେଷମୁଣ୍ଡ ଗହୀର ବିଲକୁ ବହିର୍ଦ୍ଧେଶ ଗଲେ । ଅଧଘଂଟାଏ ହୋଇ ନାହିଁ, ଅବଧାନେ ତ ବିଲରୁ ଚାରି ଚାରି ହାତ ଚିଲାମାରି ରଡି ଛାଡି ଧାଇଁଛନ୍ତି । ତାଙ୍କ ଲୁଟା ଯାଇ କେଉଁଠି ପଡିଲାଣି । ଲୁଗା ଖଣ୍ଡ ବି ପଡିଥାନ୍ତା, ହାତରେ ତାକୁ ଜାବୁଡି ଧରିଛନ୍ତି, ହେଲେ ଅଧା ଲଙ୍ଗଳା, “ରେ ଅଳପାଇସିଆରେ! ରେ ସର୍ବନାଶିଆ ଅନ୍ତାରେ! ମାରି ପକାଇଲାରେ ।” ଯେମିତି ଚାଟଶାଳୀରେ ପହଁଚିଗଲେ, ଧରିଲେ ବେତ ଆଉ କହିଲେ – “କାହିଁ ଅନ୍ତା?” ଆଉ ଅନ୍ତା! ଅନ୍ତା ଅନ୍ତର୍ଦ୍ଧାନ ।

                ଅବଧାନେ ଚାଟଶାଳୀର ଏମୁଣ୍ଡରୁ ସେମୁଣ୍ଡ ଗଡାଗଡି କରୁଛନ୍ତି, ପାଣି ପାଣି ବୋଲି ସେ ଖାଲି ରଡି ଛାଡିଲେ । ଗୋଟିଏ ପିଲା ଧାଇଁଯାଇ ତାଙ୍କ ରୋଷେଇଘର ମାଠିଆରୁ କଂସାଏ ପାଣି ଆଣି ଦେଲା । ସେହି ପାଣିରେ ହାତଧୋଇ ପକାଇ ଯେମିତି ସେ ଅବଧାନେ ଗୋଟାଏ କୁଳକୁଂଚା କରିଛନ୍ତି, କଂସା ଖଣ୍ଡ ପାଂଚହାତ ଦୂରକୁ ଫୋପାଡି ଦେଇ ଅବଧାନେ ‘ବୋପାଲୋ! ମା ଲୋ’ ବୋଲି କହି ଖାଲି ଗଡିଲେ । ଆଉ ରଡି କରିପାରୁ ନାହାଁନ୍ତି ସେ, ଖାଲି ଗଁ ଗଁ ଗର୍ଜୁଛନ୍ତି । ଏହି ଭିତରେ ମୁହଁଟା ଭାରି ଫୁଲିଗଲାଣି ତାଙ୍କର । ଆଖିପତା ବି ଫୁଲିଯାଇ ମାଡିପଡିଲାଣି – ଆଖିକୁ ଆଉ ଦିଶୁ ନାହିଁ । ଗାଁ ଲୋକ ଉଜାଡି ପଡିଲେ । ‘କଣ ହେଲା, କଣ ହେଲା’ କହି ଦି’ଚାରି ଜଣ ଅବଧାନଙ୍କୁ ଧରି ପାଣିରେ ପକାଇଲେ । ଫଳତଃ ସଞ୍ଜବେଳ ସରିକି ସେ ଅବଧାନଙ୍କୁ ବଡ ଶୀତ ଲାଗିଲା । ପାଣିରୁ ଛାଙ୍କି ଆଣି ପାଏ ଖସାତେଲ ଅବଧାନଙ୍କ ଦେହଯାକ ଘଷିଲେ । ସେତେବେଳେ ଯାଇ ସେ ଅବଧାନଙ୍କ ପାଟିରୁ କିଛି କଥା ବାହାରିଲା । ହେଲେ, ତାଙ୍କ ମୁହଁଟା ଆଟିକା ପରି ଫୁଲିଯାଇଛି । ତେଣୁ ସେ ଆଉ ଭଲକରି କଥା କହିପାରୁ ନାହାଁନ୍ତି । ଅବଧାନେ ଜଣାଇଲେ, ‘ତାଙ୍କୁ ଭାରି ଭୋକ ।’ ହେଲେ ସେ ଆଉ ତ କିଛି ବି ଖାଇପାରିବେ ନାହିଁ । ଏଣୁ ଗାଁ ଲୋକେ ଅଧସେରଟାଏ ଗରମ ଦୁଧ ଆଣିଦେଲେ । ଢୋକେ ଢୋକେ କରି ସେତକ ପିଇ ଦେଇ ଅବଧାନେ ଟିକିଏ ସାଷ୍ଟମ ହୋଇ ବସିଲେ । ଥଣ୍ଡା ପଡିଗଲା – ଖସାତେଲରେ ବାଇଡଙ୍କ ବିଷ ହରେ । ଏଥର ଅବଧାନେ ଟିକିଏ ସାଷ୍ଟମ ହେଲେଣି । ସେତେବେଳେ ତ ଗାଁର ସବୁ ଲୋକେ ଯାଇ ସେଠାରେ ଜମା ହୋଇଥିଲେ । ପୁରୁଣା ପୁରୁଣା ପାଂଚଜଣ ଲୋକ ତନଖି କରିବାକୁ ବସିଗଲେ । ‘କଥା କ’ଣ? – କିଆଁ ଅବଧାନେ ଏପରି ହେଲେ?’ ପ୍ରତ୍ୟକ୍ଷ ଏବଂ ପାଶ୍ୱର୍ବର୍ତ୍ତୀ ପ୍ରମାଣ ଏବଂ ଅବଧାନଙ୍କର ପୂର୍ବ ବ୍ୟବହାର ଆଲୋଚନା କରିବାରେ ସାଫ୍ ଜଣାଗଲା, ଏଟା ରାଣ୍ଡୀପୁଅ ଅନନ୍ତାର ହିଁ କାମ । ସାଫ୍ ପ୍ରକାଶ ପାଇଲା କି, ଅବଧାନେ ଯେ ଅନ୍ତାକୁ ବିଛୁଆତି ଛଡିରେ ପିଟିଥିଲେ, ସେହିଦିନୁ ତା ମନରେ ଥିଲା ରାଗ । ତେଣୁ ଆଜି ସକାଳେ ଯିମିତି ଅବଧାନେ ଟୁକୁଣାଏ ପାଣି ଆଣିବାକୁ କହିଲେ ସେ ପୋଖରୀକୁ ଟୁକୁଣା ଘେନିଯାଇ ଅଧଟୁକୁଣେ ଅଠାଳିଆ କାଦ ଭର୍ତ୍ତି କଲା । ଲୋକେ ବି ଦେଖିଛନ୍ତି ପୋଖରୀ ଆଡି ବଣ ଉପରେ ଯେ ବାଇଡଙ୍କ ଲତା ମାଡିଛି ସେଥିରୁ ଦୁଇପୁଞ୍ଜା ଫଳ ଆଣି ଖପରକାତି ଖଣ୍ଡକରେ ଆଁଶୁ ସବୁ ଚାଂଚିଛି । ଟୁକୁଣାରେ ଅଧେ ଆଁଶୁ ମିଶାଇ ଦେଇ ଆଉ ଗୁଡାଏ ପତ୍ର ଖଣ୍ଡରେ ପୋଟଳା କରି ଅଂଟିରେ ଖୋଷିଥିଲା । ଅବଧାନେ ଯେମିତି ପଦାଆଡେ ଯାଇଛନ୍ତି ତାଙ୍କ ରନ୍ଧାଘରେ ଯେଉଁ ପାଣି କୁମ୍ଭେ ଥିଲା ସେଥିରେ ଅନ୍ତା ମିଶାଇ ଦେଇ ପକାଇ ଯାଇଛି । ଅବଧାନଙ୍କ ମନରେ ତ ଥିଲା ରାଗ । ତେଣୁ ସେ ତାଙ୍କବେତ ଧରି ଉଠିପଡିଲେ ଆଉ କହିଲେ, “ମୁଁ ଆଜି ସେ ରାଣ୍ଡୀପୁଅ ଅନନ୍ତାକୁ ଦେଖିବି ।” ତା’ପରେ ସେ ବାହାରିଲେ ଅନନ୍ତା ଦୁଆରକୁ । ଏଣେ ଗାଁଲୋକେ ସମସ୍ତେ ତାଙ୍କୁ ମନା କରୁଛନ୍ତି – ରାଗବେଳେ ମଣିଷର କାଣ୍ଡ ଜ୍ଞାନ ଆଦୌ ନ ଥାଏ । ମାତ୍ର ଅବଧାନେ ଖଣ୍ଡେ ବାଟରୁ ଡାକୁଛନ୍ତି, “ଲୋ ଦେବକୀ ଗଉଡୁଣୀ! ଲୋ ଦେବକୀ ଗଉଡୁଣୀ! ସେ ରାଣ୍ଡୀପୁଅ ଅନନ୍ତା ଅଳପାଇସିଆ କାହିଁ?” ସିଂହାଣୀ ସେତେବେଳକୁ ସବୁ କଥା ଶୁଣିଲେଣି । ତେଣୁ ସେ ତାଙ୍କ ପୁଅକୁ ଘର ଭିତରେ ଲୁଚାଇ ଦେଇ ଦାଣ୍ଡପିଣ୍ଡାରେ ବସିଥିଲେ । ଅବଧାନ କଥା ଯେମିତି ସେ ଦେବକୀ କାନରେ ପଡିଛି, ସେହିକ୍ଷଣି ସେ ତାଙ୍କ ଘରଭିତରୁ ବାହାର କଲେ ସେଇ ମଇଁଷିମୁଣା ଠେଙ୍ଗା । କୁହାଟଟାଏ ମାରି ସେ ଡାକିଦେଲେ, “ଆରେ ଅଳପାଇସିଆ! ମାହାନ୍ତି ଗୋଲାମ୍! ଡାକୁଣୀଖିଆ ନଈସୁଆ । ମୋ ଗିରସ୍ତ ଥିଲା ସାଇବ ଘର ଜମାଦାର – ମୁଁ ସିଂହାଣୀ – ମୋତେ ପୁଣି ତୁ କହିବୁ ଦେବକୀ ଗଉଡୁଣୀ? ଆଉ ମୋ ପୁଅକୁ କହିବୁ ଅଳପାଇସିଆ? କିରେ ତୋତେ କିସ ଲାଗିଲାଣି କି? ରହ ତ ମାହାନ୍ତି ଟୋକାକୁ ଦେଖେଁ ।” ସିଂହାଣୀ ମୁଣ୍ଡରେ ଲୁଗା ନାହିଁ – ଡେମ୍ଫେ ଡେମ୍ଫେ କେତେକେରା କଂଚା ପାକଲା ବାଳ ଫରଫର ହୋଇ ଉଡୁଛି ତା’ର । କାନ୍ଧରେ ଅଛି ତା’ର ପୁଣି ଠେଙ୍ଗା । ସେହି ବିକଟାଳ ରଡି ଶୁଣି ଅବଧାନଙ୍କର ତ ପିଳେହିପାଣି ହେଲାଣି । ସିଂହାଣୀର ଦେହବଳ ସେ ଅବଧାନଙ୍କୁ ଭଲରୂପେ ଜଣା । ଦିନେ କଣ ହେଲା କି, ସକାଳ ଓଳିଆ ସିଂହାଣୀ ଗାଁକୁ ନଈବନ୍ଧ ଉପରବାଟେ ଦହି ବିକି ଯାଉଛି । ଠିକ୍ ସେତିକିବେଳେ ବିନୋଦବିହାରୀ ମନ୍ଦିରର ମାରଣା ଷଣ୍ଢଟା ବିନ୍ଧିବାକୁ ତଡି ଆସିଲା । ସିଂହାଣୀ ଗୁମ୍ କରି ଛିଡାହୋଇଯାଇ ଧଇଲା ସେ ଷଣ୍ଢର ଶିଙ୍ଗ । ତା’ର ମୁଣ୍ଡ ଉପରେ  ପସରାରେ ତିନି ମାଠିଆ ଘୋଳ, ତାକୁ ଧରିବାକୁ ନାହିଁ । ଷଣ୍ଢ ଶିଙ୍ଗ ଧରି କଡେଇ କଡେଇ ବନ୍ଧଧାରକୁ ତାକୁ ସେ ଘେନିଗଲା । ଯେମିତି ପେଲିଦେଇ ଶିଙ୍ଗ ଛାଡି ଦେଇଛି, ସେମିତି ସେ ଷଣ୍ଢ ତ ପୁଟୁଳି ପରି ଗଡି ଗଡି ଯାଇ ସିଧା ନଈ ଭିତରେ ପଡିଲା । ସେହି ଦିନକରୁ ସେ ଷଣ୍ଢ ଛୋଟା, ମାରଣାପଣିଆ ବି ତା’ର ଛାଡିଗଲାଣି । ଏଟା ଅବଧାନଙ୍କ ଆଖି ଦେଖିବା କଥା । ତେଣୁ ଭୟରେ ଅବଧାନଙ୍କ ପଳାୟନ । ବାଘୁଣୀ ମୃଗକୁ ଗୋଡାଇଲେ ସେ ଯେମିତି ପଳାଏ, ଅବଧାନେ ବି ଠିକ୍ ସେହିପରି ପଡି ଉଠି ସେଠାରୁ ଧାଇଁଛନ୍ତି । ଏପରିକି ତାଙ୍କର ଆଣ୍ଠୁଗଣ୍ଠି ଛିଡି କ୍ଷତ ସ୍ଥାନରୁ ଝର ଝର ହୋଇ ରକ୍ତ ବହୁଛି । ସିଂହାଣୀ କାନ୍ଧରେ ଠେଙ୍ଗା, ଭାଲୁକୁଣୀ ପରି ଅବଧାନ ପଛରେ ଧପ୍ ଧପ୍ କରି ଧାଉଁଛନ୍ତି । ଧାଇଁବାବେଳେ ସେହି ବିଶାଳ ପେଟଟି ତାଙ୍କର ଖାଲି ଦଲ୍ ଦଲ୍ ଶୁଭୁଛି । ହାତରେ ସେ ପିତଳବାହି ବଳାଗୁଡାକ ପାଏ ବାଟ ଯାଏଁ ଝମ୍ ଝମ୍ ଶୁଭୁଛି । ସିଂହାଣୀର ସେହି ରଡିରେ ଗାଁଟା ସାରା ଖାଲି କମ୍ପିଯାଉଛି । ଅବଧାନେ ଗାଁ ମଝିରେ କେଉଁଠି ଅନ୍ଧାରରେ ମିଶିଗଲେ । ସିଂହାଣୀ ଡାକିଦେଲା, “ଆରେ କାଠଖିଆ ମାହାନ୍ତି ଗୋଲାମ! ମୋ ପୁଅକୁ କୁଆଡେ ଲୁଚାଇଛୁ ଆଣି ଦେ । ଜାଣିଥା, କାଲି ସକାଳେ ପିତଳବାହିରେ ତୋ ମୁଣ୍ଡ ମୁଁ ଚୂନା କରିବି ।” ହେଲେ ଅବଧାନଙ୍କୁ ତହିଁ ଆରଦିନ ସକାଳଠାରୁ କେହି କେବେ ସେ ଗାଁରେ ଆଉ ଦେଖି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ