ବନ୍ଧମୂଳଟା କୋରି ଗୋଟାଏ ଗୋଟାଏ ପୋଖରୀ କରି ପକେଇଲେଣି । ଆଉ ଏଣେ କ’ଣ ହେଲା କି, ଚାରିକୋଶ ତଳେ ରାମପୁର ମୁହାଣ ବାଟେ ପାଣି ବୁଲିଆସି ଗାଁ ମୂଳକୁ ଲାଗିଲାଣି । ଗାଁ ତଳ ଗହୀରଗୁଡାକ ସମୁଦ୍ରପରି ଜଳମୟ । ବନ୍ଧର ପାଣି ନ ଟପିଲେ ବି ତଳ ପାଣି ଆସି ଗାଁକୁ ଭସାଇ ନେବ । ପାଣିଟା ଯେମିତି ହୁ ହୁ କରି ବଢୁଛି – ଗାଁ ଭିତରେ ପାଣି ପଶିଲା ବୋଲି ଘରେ ଆଉ ରନ୍ଧାବଢା କ’ଣ ହେବ? ତିର୍ଲାଗୁଡାକ ଘରୁ ବାହାରିଆସି ଶଙ୍ଖ ହୁଳହୁଳି ପକାଉଛନ୍ତି । ଗୁଡାଏ ତିର୍ଲା କଅଁଳା ଛୁଆଙ୍କୁ କାଖେଇ ରଡି କରୁଛନ୍ତି । ଶଙ୍ଖ, ହୁଳହୁଳି, ହରିବୋଲ, କାନ୍ଦଣାରେ ପୁରା ଗାଁଟା ଉଛୁଳି ପଡୁଛି । ସୂର୍ଯ୍ୟ ଡୁବେ ଡୁବେ । ଗାଧୁଆ ତୁଠବାଟେ ଗାଁକୁ ପଶିଲା ପାଣି । ଦେଖୁ ଦେଖୁ ପାଂଚ ହାତ ଗହୀର ହୋଇଗଲା । ଏଣେ ଚଉଡାଟା ବି ବେଳକୁ ବେଳ ବଢିଯାଉଛି । ପିଚକାରି ମୁହଁରୁ ପାଣି ବାହାରିଲା ପରି ବେଗରେ ପାଣି ଗାଁକୁ ଧାଉଁଛି । “ହରିବୋଲ, ହରିବୋଲ – ଗଲା, ଗଲା” ଆଉ କିଛି କଥା ନାହିଁ । ଉଚ୍ଛୁଣି ସମୁଦ୍ରରେ ସମସ୍ତଙ୍କୁ ଜାକିଦେବ । ପାଣିସୁଅ ବନ୍ଦ ପାଇଁ ଶ’ କୁ ଶ’ ବୋଝ ମାଟି ପଡୁଛି; ମାତ୍ର ମୁଠାଏ ବି ରହୁ ନାହିଁ, ସୁଅ ସବୁ ଭସାଇ ନେଉଛି । ଏତେ ଯେ କାଣ୍ଡ – ଅନ୍ତାର ହେଲେ କାହିଁରେ କିଛି ବି ଚିନ୍ତା ନାହିଁ! ସକାଳୁ ଭିଜି ଭିଜି ଗାଁର ଚାରିପିଠି ବୁଲୁଛି । ଲୋକମାନଙ୍କ ବାଡିରୁ ଗଛମିଶା ମକା କାକୁଡି ଭାସିଆସୁଛି, ତାହା ସବୁ କେବଳ ଅଂଟାରେ ପୂରାଉଛି । ଯେତେବେଳେ ଗାଧୁଆତୁଠ କତିରେ ଭାରି ହୁରି ପଡିଲା, ସେତେବେଳେ ହସି ହସି କ’ଣ ହେଉଛି ବୋଲି ତା’ର ମଜା ଦେଖିବାପାଇଁ ସେ ଅନନ୍ତା ଧାଇଁଲା । ଦେଖିଲା ଯେ ଗାଁକୁ ଗୋଟାଏ ଭାରି ପାଣି ସୁଅ ଧାଇଁଛି । ଆଉ ପୁଣି ଶୁଣିଲା ଯେ ସେ ଗାଁ ଭାସିଯିବ । ତେଣୁ ସେ ଭଲକରି ଅନାଇ ଧାଇଁଲା ତା’ ଗାଁ ଭିତରକୁ । ବିନୋଦବିହାରୀ ଠାକୁର ସିଂହଦୁଆର କବାଟଟା ପାଂଚହାତ ଉଂଚା ଚାରିହାତ ଚଉଡା । ତାକୁ କାଢି ପକେଇ ମୁଣ୍ଡାଇ ଧାଇଁଛି । ଦାଣ୍ଡପାଖରେ ପାର୍ବତୀ ମା’ର ମେଲାରେ ଗୋଟାଏ ଢେଙ୍କି ପଡିଛି, ଅନନ୍ତାକୁ ତ ଏସବୁ ବେଶ୍ ଜଣା । ତେଣୁ ସେ ଢେଙ୍କି କାଢି କାଖେଇଲା । ମୁହାଣରେ କବାଟଟାକୁ ଆଡକରି ଠିଆ କରିଦେଇ ଢେଙ୍କିଟା ଠେକାଇ ଦେଲା । ଆଉ ପିଠିଭିଡିଦେଇ କବାଟଟାକୁ ପେଲି ଧଇଲା । ତାହା ବାଦ୍ ସେ ପାଟି କଲା, “ପକାଅ ମାଟି, ପକାଅ ମାଟି ।” କେବଳ ଡାକୁଛି, “ପକାଅ ମାଟି, ପକାଅ ମାଟି, ପକାଅ ମାଟି” । କବାଟ ଦୁଇ ପାଖରୁ ଶ’ ଶ’ ମାଟି ଝୁପ୍ଝୁପ୍ ପଡୁଛି, ଅନ୍ତାର ଛାତିଯାଏଁ ମାଟି ହେଲାଣି, ଡାକୁଛି, ଅନନ୍ତା ବେକ ପୋତି ଗଲାଣି, ହେଲେ ସେଥିକି ତାର ଆଦୌ ନଜର ନାହିଁ । ଯେତେବେଳେ ତା’ର ଓଠ କତିରେ ମାଟି ପଡିଲା – ସେ ଦୁଇଥର ଡାକିଦେଲା, “ହରିବୋଲ ଦିଅ, ମାଟି ପକାଅ । ହରିବୋଲ ଦିଅ, ମାଟି ପକାଅ ।” ତା’ପରେ ଆଉ ସେ ଅନ୍ତା ପାଟି ଶୁଭିଲା ନାହିଁ । ମାଟି ସେହିପରି ପଡୁଛି । ପାଣି ସୁଅଟା ହଠାତ୍ ବନ୍ଦ ହୋଇଗଲା । ତା’ପରେ ଲୋକମାନଙ୍କର ଭରସା ହେଲା, ତେଣୁ ସେମାନେ ଟିକିଏ ଶାନ୍ତିରେ ନିଶ୍ୱାସ ପକାଇଲେ । ସେତେବେଳେ ଯାଇ ସମସ୍ତେ ଖୋଜିଲେ ‘ଅନ୍ତା କାହିଁ?’ ଆଉ ଅନ୍ତା? ତା’ ମୁଣ୍ଡ ଉପରେ ଦି’ ହାତ ମାଟି । ଡାକ ପଡିଲା – “ଧନ୍ୟ ଧନ୍ୟ ରାଣ୍ଡୀପୁଅ ଅନ୍ତା!” ପିଲା, ବୁଢା, ମାଇକିନିଆ, ମର୍ଦ ଏମିତିକି ସେ ଗାଁର ହଜାର ହଜାର ଲୋକ ସମସ୍ତେ ହରିବୋଲ ଦେଉଛନ୍ତି, ସମସ୍ତେ କହୁଛନ୍ତି – “ଧନ୍ୟ ଧନ୍ୟ ରାଣ୍ଡୀପୁଅ ଅନ୍ତା!” ଦଇବ ଯୋଗେ କ’ଣ ହେଲାକି ବର୍ଷା ବନ୍ଦ! ନଈରୁ ଫୁଟେ ପାଣି ଖସି ପଡିଲାଣି । ଅନ୍ତା ମା’ ପିଣ୍ଡାରେ ବସିଥିଲା । ହୁରି ଆନନ୍ଦ ଶୁଣି ସେ କହିଲା, “କଣ ହେଲା ଦେଖେ । ମୋର ପୁଅଟା ବି କାହିଁ ଆସିଲା ନାହିଁ, ତାକୁ ମୁଁ ଯାଇ ଡାକି ଆଣେ ।” ତା’ପରେ ସେ ତା’ ସ୍ୱାମୀର ଠେଙ୍ଗାକୁ କାନ୍ଧରେ ପକାଇଲା । ଘର କୁଆଟଟା କିଳିଦେଇ ବାହାରିଲା । ଯେମିତି ଦାଣ୍ଡରେ ଯାଉଛି – ଶୁଣିଲା ଯେ ସମସ୍ତେ କହୁଛନ୍ତି, “ଧନ୍ୟ ଧନ୍ୟ ଅନ୍ତା!” ତା’ପରେ ସମସ୍ତେ ତା (ଅନ୍ତା ମା’) ଗୋଡତଳେ ପଡି କହୁଛନ୍ତି – “ଧନ୍ୟ ଧନ୍ୟ ତୋ ପୁଅ!” ସିଂହାଣୀ ସଳଖେ ସଳଖେ ତୁଠ କତିକି ଚାଲିଗଲା । ସବୁ ଶୁଣିଲା, ହେଲେ ସେ କାହାକୁ କିଛି ବି କହିଲା ନାହିଁ । ବନ୍ଧ ଚାରିପାଖ ସେ ବୁଲି ଦେଖିଲା । ବନ୍ଧ ମଝିକୁ ଅନେଇଛି, ଚାରିପାଖ ବୁଲୁଛି । ତୁଠ ମଝିକି ବି ତା’ର ନଜର ଅଛି; ନଈ ଆଡକୁ ପିଠି । ବନ୍ଧ ତଳେ ଯେ ଦଶହାତ ପାଣି ତାକୁ ତ ସେକଥା ଅଜଣା । ଯିମିତି ନଈ ଆଡକୁ ସେ ବୁଲି ଯାଇଛି, ଧପାସ୍ କରି ଗୋଟାଏ ଶବ୍ଦ ହେଲା । ହାଁ କ’ଣ ହେଲା, କହି ଲୋକମାନେ ଦି’ଟା ଚାରିଟା ମଶାଲ ଆଲୁଅ ନଈକୁ ଦେଖାଇଲେ । କୂଳଠାରୁ ପାଂଚହାତ ଦୂରରେ ପାଣି ଭିତରେ ଗୋଟାଏ ଗାତରେ ମେଂଚାଏ ଫେଣ ଭଉଁରୀଟିଏ ବୁଲୁଛି, ଦଶହାତ ତଳକୁ ଖଣ୍ଡିଏ ବାଉଁଶ ବାଡି ଭାସିଯାଉଛି ।
ଗାଳ୍ପିକ – ଫକୀରମୋହନ ସେନାପତି