ସ୍ତ୍ରୀ କ’ଣ କଲା କୂଅରେ ପକାଇଥିବା ଗରା ସୁଦ୍ଧା ଦଉଡି ଛାଡି ଦେଇ ରାଗରେ ନିଆଁବାଣ ହୋଇ ଶାଶୁ ପାଖକୁ ଯାଇ କହିଲା, “ତୁମର କ’ଣ ହୋଇଛି? ତୁମ ବୁଦ୍ଧି କ’ଣ ସବୁ ଗୋବର ବନିଯାଇଛି? ଚାଳିଶ ବର୍ଷ ହୋଇଗଲାଣି ମୁଁ ତୁମର ବୋହୂ ହୋଇ ଆସିଲିଣି । ଆଜି ତମେ ପୁଅକୁ ଶିଖାଉଛ ଯେ ସେ ପୁଣି ବାହାହେବ? ବାହାହେବାକୁ ଚାହଁ ତ କର, ଯାହା ଇଚ୍ଛା କର । କିନ୍ତୁ ମୁଁ ଚୁପ୍ଚାପ୍ ସହ୍ୟ କରିଯିବା ବାଲା ନୁହେଁ । ମୋତେ କାଲ ବୋଲି ଭାବ ନାହିଁ । ଏଇ ଗାଁରୁ ମୁଖିଆ ଓ ଭଦ୍ରଲୋକଙ୍କୁ ଡାକିବି । ନଦୀ ସେପାରି ଗ୍ରାମରୁ ମଧ୍ୟ ଲୋକ ଡାକିବି । ତୁମର ଏସବୁ ବଦମାସ ପଣିଆ ଛଡାଇବି । ତମକୁ ରାସ୍ତାରେ ଏମିତି ପିଟାଇବି ଯେ ଆଉ ଦିନେ ଯେମିତି ଏପରି କଥା ମୁହଁରୁ ବାହାରିବ ନାହିଁ ।”
ବୁଢୀ ରାଗିଯାଇ କହିଲା, “ଏବେ ତୋର ଅସଲ ରୂପ ପ୍ରକାଶ ହେଉଛି । ତୁ ଏଠାରେ କିଏ କି? ମୋତେ ଘରୁ ବାହାରି ଯିବାକୁ କହୁଛୁ? ଏଘର ମୋ ସ୍ୱାମୀର ଥିଲା, ଏବେ ଏହା ମୋ ପୁଅର, କାଲି ଏଘର ମୋ ନାତିର ହେବ । ଏଇଠି ରହିବି, ଏଇଠି ମରିବି, ଆଉ ଦେଖିବି ତୁ ମୋର କ’ଣ କରିବୁ?” ଏତିକି କହି ସେ ବୁଢୀ ତା’ ଅଂଟାରେ କାନିବାନ୍ଧି ଲଢିବା ପାଇଁ ତିଆର୍ । ଜଣକ କଥା ଅନ୍ୟ ଜଣେ ବୁଝିପାରୁ ନାହିଁ । କିନ୍ତୁ ଜଣେ ଅନ୍ୟ ଜଣକୁ ଗାଳି ଦେଇ ଚାଲିଛି । ଚିତ୍କାର କରି ଚାଲିଛି । କିଛି ସମୟ ପରେ ସମସ୍ତେ ଗ୍ରାମ ମୁଖିଆ ପାଖରେ ନିଜ ନିଜର ଅଭିଯୋଗ ଜଣାଇବାକୁ ବାହାରକୁ ଆସିଲେ ।
ପିଣ୍ଡାରେ ଚୁପ୍ଚାପ୍ ବସିଥିବା ରାମ ସେମାନଙ୍କୁ ଦେଖି କହିଲା, “ବାଃ, ଆପଣମାନେ ବଡ ଭଲ ମଣିଷ! ଜଣେ ଅତିଥିକୁ ଏପରି ଆଦର କରିବା କଥା ମୁଁ କେବେ ଶୁଣିଛି ନା ଦେଖିଛି । ଅତିଥିକୁ ଭୋଜନ ପାଇଁ ଡାକିବାକୁ ଏତେ ଲୋକ ଏକାଠି ଆସିଗଲ? ଆପଣଙ୍କ ଗ୍ରାମର ନାମ କ’ଣ କହିଲେ? ମର୍ଯ୍ୟାଦାପୁର ନା! ଏହା ତ ଅତିଥି ସତ୍କାର ପାଇଁ ଯୋଗ୍ୟ ନାମ । ଆପଣମାନେ ଯେତେବେଳେ ଏକାଠି ସମସ୍ତେ ଆସିଛନ୍ତି, ଭୋଜନଟା ନିଶ୍ଚୟ ଅତି ଚମତ୍କାର ହୋଇଥିବ । କି ଯୋଗରେ ଆଜି ରାତି ପାହିଥିଲା ସତେ!” ଏହା କହି ଆନନ୍ଦରେ ସେ ଉଠି ପଡିଲା । ତାକୁ ଦେଖି ଘରର କର୍ତ୍ତା କହିଲେ, “ତୁ କିଏ ଆମ ଘରର ଭଲ ମନ୍ଦ ବିଷୟରେ କହିବାକୁ? ଏଠାରୁ ଶିଘ୍ର ପଳା । ଯାଉଛୁ ନା ନାହିଁ?”
ରାମ ତାଙ୍କ ଢଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଓ ତା’ର ମୁଣ୍ଡ ଘୁରାଇ ଦେଲା । ଏଣେ ପେଟରେ ଭୋକ, ଏଣେ ଏପରି ଅତିଥିସତ୍କାରସୂଚକ କଥା । କର୍ତ୍ତାଙ୍କର ନାଲି ଆଖି ଓ ହାତ ହଲା ଦେଖି ରାମ କ’ଣ ବୁଝିଲା ସେ ଜାଣେ । କିନ୍ତୁ ଗଣ୍ଠିଲିପତ୍ର ଉଠାଇ ତରବର ହୋଇ ସେଠାରୁ ସେ ପଳାଇଲା । ସେ ବିକଳରେ ଦୌଡୁଦୌଡୁ କହିଲା, “ବାପ୍ରେ, କି ଅନ୍ୟାୟ? ଥରେ ଖାଇବାକୁ ଦେବାକୁ ଦଶଟଙ୍କା? ଆଗ ପଇସା ପକା ବୋଲି କହୁଛନ୍ତି ଏବଂ ବଂଶ ତମାମ ଲୋକ ଉଠି ଆସିଛନ୍ତି? ଏତେ ପଇସା ଜାଣିଥିଲେ ମୋର ଭୋକ ଆପେ ଆପେ ମରିଯାଇଥା’ନ୍ତା । କାହାର ଗରଜ ପଡିଛି ଯେ ତୁମ ଘରେ ଏତେ ସମୟ ବସିଥା’ନ୍ତା?”
କଥା କ’ଣ କି ରାମପୁରର ରାମ ମଧ୍ୟ ନିଜେ କାଲା ।