ଏପରିକି କେତେକ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଭଳି ଗୁରୁତର ଦଣ୍ଡ ବି ମିଳିଥାଏ । ଦେଶର ସର୍ବୋଚ୍ଚ ନ୍ୟାୟାଳୟର ରାୟ ଉପରେ ଆଉ କାହାର ବି କିଛି ଅଧିକାର ନଥାଏ । କେବଳ ଦେଶର ରାଷ୍ଟ୍ରପତିଙ୍କର ହିଁ ଏହି ଦଣ୍ଡକୁ କୋହଳ କରିଦେବାର କ୍ଷମତା ରହିଥାଏ ।
ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନଙ୍କ ପାଖକୁ ଏହିଭଳି ଦଣ୍ଡରୁ ରକ୍ଷା ପାଇବା ପାଇଁ ଅନେକ କ୍ଷମା ପ୍ରାର୍ଥନାପତ୍ର ଆସୁଥାଏ । ତା’ସହିତ କୌଣସି ନା କୌଣସି ମହାନ୍ ବ୍ୟକ୍ତିଙ୍କର ସୁପାରିସ୍ ପତ୍ର ବି ଥାଏ । ରାଷ୍ଟ୍ରପତିଙ୍କ ମହଲରେ ସାଧାରଣତଃ ଛୋଟ ଛୋଟ ଦୋଷ ଲାଗି ଅତି ସହଜରେ କ୍ଷମା ମିଳି ଯାଉଥାଏ ମାତ୍ର, ବଡଦୋଷ ଲାଗି ବହୁତ ଚିନ୍ତାକରି ଦଣ୍ଡକୁ କୋହଳ ବା କାଏମ୍ ରଖାଯାଉଥାଏ ।
ଏକଦା ଆବ୍ରାହମ୍ ଲିଙ୍କନଙ୍କ ପାଖକୁ ଜଣେ ସୈନିକଙ୍କ ନିକଟରୁ ଚିଠିଖଣ୍ଡିଏ ଆସିଲା । ସେଥିରେ କୌଣସି ମାନ୍ୟଗଣ୍ୟ ଲୋକଙ୍କର ସୁପାରିସ୍ ପତ୍ର ନଥିଲା । ଏହି ଚିଠିଟି ପଢି ଲିଙ୍କନ୍ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ପଚାରିଲେ, “ସତରେ କ’ଣ ଏହି ସୈନିକଙ୍କର କୌଣସି ବଡଲୋକଙ୍କ ସହିତ କିଛି ବି ପରିଚୟ ନାହିଁ?”
ଏହା ଶୁଣି ସଚିବ ଉତ୍ତରରେ କହିଲେ, “ମୁଁ ବି ତ ଠିକ୍ ସେହି କଥା ହିଁ ଭାବୁଛି । ଯଦି ଏହାଙ୍କର କୋଉ ବଡଲୋକଙ୍କ ସହିତ ପରିଚୟ ଥାଆନ୍ତା, ତେବେ ତ ୟାଙ୍କ ଚିଠି ସହିତ ଚିଠି ଖଣ୍ଡିଏ ନିଶ୍ଚୟ ଥାଆନ୍ତା ।”
ଲିଙ୍କନ୍ ଏଥର ଭାବବିହ୍ୱଳ ହୋଇ କହିଲେ, “ତେବେ ମୋତେ ହିଁ ସେହି ସୈନିକର ପରିଚିତ ବ୍ୟକ୍ତି ବୋଲି ଧରାଯାଉ । ମୁଁ ନିଜେ ହିଁ ତାଙ୍କ ପାଇଁ ସୁପାରିସ୍ କରୁଛି ।” ଏହା କହି ସେ ସୈନିକର ଫାଇଲ୍ରେ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଲେଖି ଦେଲେ ।
ଏହି କଥା ଯେତେବେଳେ ସୈନିକ ଜାଣିଲେ ସେତେବେଳେ ସେ ବହୁତ ଖୁସିହୋଇ ଲିଙ୍କନଙ୍କର ବଦାନ୍ୟତା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଲେ । ଏ ଖବର ଯିଏ ବି ଶୁଣିଲା ରାଷ୍ଟ୍ରପତିଙ୍କୁ ସେ ଧନ୍ୟବାଦ ନ ଦେଇ ଆଉ ରହିପାରିଲା ନାହିଁ ।