ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରୂପଧରଙ୍କ ଯାତ୍ରା

ଏପରି ପ୍ରସ୍ତାବ ଅନ୍ୟମାନଙ୍କୁ ମଧ୍ୟ ଖୁବ୍ ଭଲ ଲାଗିଲା । ରୂପଧର ଉଠିବା ପୂର୍ବରୁ ସେମାନେ ସବୁ ଲାଗିପଡି ଥଳୀଟିକୁ ଖୋଲିବାକୁ ଚେଷ୍ଟା କଲେ । ଏଣେ ରୂପଧରଙ୍କର ନିଘୋଡ ନିଦ । ବହୁ ଚେଷ୍ଟା ପରେ ଥଳୀଟି ଖୋଲିଗଲା । ମୁହୂର୍ତ୍ତକ ମଧ୍ୟରେ ଭୟଙ୍କର ତୋଫାନ ଦେଖାଦେଲା । ନୌକାସବୁ ଛିନ୍ନଛତ୍ର ହୋଇ କିଏ କୁଆଡେ ଭାସିଲେ ତାହା ମଧ୍ୟ ଆଉ ଜାଣି ହେଲା ନାହିଁ । କିଛି ସମୟ ପରେ ଝଡତୋଫାନ୍ କମିଗଲା ସିନା; କିନ୍ତୁ ସମସ୍ତିଙ୍କର ଆନନ୍ଦ ଦୁଃଖରେ ପରିଣତ ହେଲା, ଯେତେବେଳେ ସେମାନେ ଦେଖିଲେ ଯେ ନୌକା ଗୁଡିକ ଆସି ପୁଣି ଚିତ୍ରାଶ୍ୱଙ୍କ ଦ୍ୱୀପରେ ଲାଗି ଯାଇଛି ।

ଏସବୁ ଘଟଣା ଦେଖି ରୂପଧରଙ୍କର ନିରାଶା ବର୍ଣ୍ଣନାତୀତ ହୋଇଗଲା । ସାମାନ୍ୟ ଟିକିଏ ଭୁଲ୍ ଯୋଗୁଁ ଆଜି ସେମାନଙ୍କୁ ଏପରି ଅବସ୍ଥା ଭୋଗିବାକୁ ପଡୁଛି । ନୌକାରୁ ଓହ୍ଲାଇ ଅନୁଚରମାନେ ସେଦିନର ରୋଷେଇ କାର୍ଯ୍ୟ ଆରମ୍ଭ କଲେ । କିନ୍ତୁ ନିଜର ଭୁଲ୍ଯୋଗୁଁ ଏପରି ହୋଇଥିବାରୁ ସେମାନେ ମୁହଁ ଟେକି ଚାହିଁ ପାରୁ ନଥାନ୍ତି । ରୂପଧର ମଧ୍ୟ ଆଉ ଥରେ କେଉଁ ମୁହଁରେ ବା ଚିତ୍ରାଶ୍ୱଙ୍କୁ ନିଜର ସହାୟତା ପାଇଁ ଅନୁରୋଧ କରିବେ? ଅବସ୍ଥା ସଂକଟଜନକ । ଯାହାହେଉ, ଦୁଇଜଣ ଅନୁଚରଙ୍କୁ ନେଇ ରୂପଧର ପୁଣି ଚିତ୍ରାଶ୍ୱଙ୍କ ପାଖକୁ ଗଲେ ।

ଚିତ୍ରାଶ୍ୱ ସେମାନଙ୍କୁ ଦେଖି ଅତି ଆଶ୍ଚର୍ଯ୍ୟ ହୋଇ କହିଲେ, “ନିଜ ଦେଶକୁ ନିରାପଦରେ ଫେରିବା ପାଇଁ ମୁଁ ତ ତୁମକୁ ସାହାଯ୍ୟ କରିଥିଲି । ତୁମେମାନେ ପୁଣି ଏଠାକୁ କିପରି ଫେରି ଆସିଲ?”

“ମହାରାଜ, ମୁଁ କିପରି ବା ବୁଝାଇବି? ହତାଶହୋଇ ପୁଣି ଆପଣଙ୍କ ସହାୟତା ପାଇବା ପାଇଁ ଆସିଛି । ଟିକିଏ ଭୂଲ୍ ଯୋଗୁଁ ଏତେ କଥା । ମୋର ଆଖିରେ ଟିକିଏ ନିଦ ଧରି ଆସିଲା; ଆଉ ମୋର ଏହି ମୂର୍ଖ ଅନୁଚରମାନେ ଭାବିଲେ ଆପଣ ଦେଇଥିବା ଥଳୀରେ ମୂଲ୍ୟବାନ୍ ଜିନିଷ କିଛି ଅଛି । ତେଣୁ ସେମାନେ ମୋତେ ନ ପଚାରି ଥଳୀଟି ଫିଟାଇ ଦେଲେ । ପରମୁହୂର୍ତ୍ତରେ ଭୟଙ୍କର ଝଡ ମଧ୍ୟରେ ନୌକାମାନେ କେଉଁ ଦିଗକୁ ଯାଉଛନ୍ତି କିଛି ବାରି ହେଲା ନାହିଁ । ଝଡ ଥମିବା ପରେ ଦେଖାଗଲା ଆମ ନୌକାମାନ ଆପଣଙ୍କ ରାଜ୍ୟର ତଟରେ ଲାଗିଛନ୍ତି; ଆଉ ଥରେ ମାତ୍ର ଆମକୁ ସାହାଯ୍ୟ କରନ୍ତୁ । ଆପଣଙ୍କର ଅଶେଷ ପୁଣ୍ୟ ହେବ ।”

ସବୁକଥା ଶୁଣି ଚିତ୍ରାଶ୍ୱ ଭାରି ଜୋର୍ରେ ରାଗିଯାଇ କହିଲେ, “ତମେମାନେ ପାପୀ ନହେଲେ ଏପରି କଦାପି ହୁଅନ୍ତା ନାହିଁ । ଶୀଘ୍ର ମୋର ଦ୍ୱୀପ ଛାଡି ତୁମେମାନେ ଏଠୁ ଚାଲିଯାଅ । ଦେବତାମାନେ ବୋଧହୁଏ ତୁମମାନଙ୍କୁ ମାରିବାକୁ ଚାହାଁନ୍ତି । ମୁଁ ଆଉ ତୁମକୁ ସାହାଯ୍ୟ କରିପାରିବି ନାହିଁ ।” ରୂପଧର ତାଙ୍କୁ ବହୁ ଭାବେ ଅନୁରୋଧ କଲେ, କିନ୍ତୁ ସବୁ କିଛି ଶେଷରେ ନିଷ୍ଫଳ ହେଲା ।

ନୌକାମାନଙ୍କୁ ସେଠାରୁ ଫେରାଇ ପୁଣି ସମୁଦ୍ରଯାତ୍ରା ଆରମ୍ଭ ହେଲା । କୌଣସି ପ୍ରକାରରେ ଅନୁକୂଳ ବାୟୁ ନଥିଲା । କାହାରି ମନରେ ଉତ୍ସାହ ନଥାଏ । ତେଣୁ ନୌକାଚାଳକମାନଙ୍କୁ ବଡ କଷ୍ଟରେ ନୌକା ବାହିବାକୁ ପଡୁଥାଏ । ପ୍ରାୟ ଛଅଦିନ ଧରି ସମୁଦ୍ରଯାତ୍ରା କରିବା ପରେ ସେମାନେ ଯାଇ ଏକ ବିଚିତ୍ର ଦେଶର ତଟରେ ପହଁଚିଲେ । ତାହା ହେଉଛି ଉତ୍ତରମେରୁ ଅଂଚଳର କୌଣସି ଏକ ଦେଶ । ସେଠାରେ ସୂର୍ଯ୍ୟାସ୍ତ ପରେ ପରେ ସୂର୍ଯ୍ୟୋଦୟ ହେଉଥାଏ । ଅର୍ଥାତ୍ ସେଠାରେ ସର୍ବଦା ଦିନ ଲାଗି ରହିଥାଏ ।

ନୌକାଗୁଡିକ ଯେଉଁଠାରେ ରହିଲେ, ସେଠାରୁ ଅଦୂରରେ ଦୁଇଟି ପର୍ବତ ମଝିରେ ସମୁଦ୍ର ଭିତରକୁ ପ୍ରବେଶ କରିଛି । ଦୁଇ ପର୍ବତ ମଝିରେ ଅପ୍ରଶସ୍ତ ସ୍ଥାନ । ସେଥିରେ ମାତ୍ର ଗୋଟିଏ ନୌକା ଭିତରକୁ ଯାଇ ପାରିବ । ଗୋଟିଏ ନୌକାରେ କିଛି ଅନୁଚର ଧରି ରୂପଧର ଭିତରକୁ ପ୍ରବେଶ କଲେ । ପାହାଡର ଅନ୍ୟ ପଟରେ ଥିବା ସମୁଦ୍ର ଗୋଟିଏ ବନ୍ଦର ପରି ଲାଗିଲା । ସମୁଦ୍ର ସେଠାରେ ଶାନ୍ତ ହୋଇ ବଡ ହ୍ରଦଟିଏ ପରି ହୋଇଛି । ରୁପଧର ପାହାଡ ଉପରକୁ ଯାଇ ଚତୁର୍ଦ୍ଦିଗକୁ ଚାହିଁ ଦେଖିଲେ, ସେଠାରେ କୌଣସି ମନୁଷ୍ୟ ବା ମନୁଷ୍ୟର ବାସ ଭୂମି ଦେଖାଯାଉ ନାହିଁ । ବହୁ ଦୂରରେ ଦେଖାଗଲା କିଛି ଧୂଆଁ ଉଠୁଛି । ସେ ଭାବିଲେ ସେଠାକୁ ଗଲେ ହୁଅନ୍ତା । ହୁଏତ ସେଠାକାର ରାଜା ତାଙ୍କୁ ସାହାଯ୍ୟ କରନ୍ତେ । ସେ ନିଜେ ନ ଯାଇ ତିନିଜଣ ସୈନ୍ୟଙ୍କୁ ସେଠାକୁ ପ୍ରଥମେ ପଠାଇଲେ । ସେ କହିଲେ, “ତୁମେମାନେ ଯାଇ ଦେଖ କି ପ୍ରକାରର ଲୋକେ ସେଠାରେ ବସବାସ କରୁଛନ୍ତି । ଆମେ ସେମାନଙ୍କ ଠାରୁ କୌଣସି ପ୍ରକାରର ସହାୟତା ପାଇବା ନା ନାହିଁ । ତୁମେମାନେ ଶୀଘ୍ର ଖବର ସଂଗ୍ରହ କରି ଫେରିଲେ ଆମେ ଯାହା କରିବାର କଥା କରିବୁ । କିନ୍ତୁ ବେଶି ଦୁଃସାହସ କରିବ ନାହିଁ । ନୂଆ ଜାଗା, ନୂଆ ମଣିଷ, ହୁଏତ ରାକ୍ଷସ ହୋଇଥିବେ । ସାବଧାନତାର ସହିତ ସବୁ କରିବ । ଆମେ ତୁମ ଅପେକ୍ଷାରେ ଏଠି ବସି ରହିଲୁ ।”

ତିନିଜଣ ସୈନିକ କିଛି ଦୂର ଯିବା ପରେ ଏକ ରାସ୍ତା ଓ ତା’ର ଦୁଇ ପାଖରେ ଘର ସବୁ ଦେଖିଲେ । ସେମାନେ ଆହୁରି ଆଗେଇଲେ । ଦେଖିଲେ ପୋଖରୀଟିଏ ଅଛି । ଜଣେ ସ୍ତ୍ରୀଲୋକ ସେଥିରୁ ପାଣି ନେଉଛି । ସେମାନେ ତାକୁ ପଚାରିଲେ ରାଜାଙ୍କ ଘର କେଉଁଠି? ଝିଅଟି ଦେଖାଇ ଦେଲା ।

ସେମାନେ ସେହି ଘରେ ପହଁଚି ଦେଖିଲେ ଜଣେ କୁତ୍ସିତ କଦାକାର ବୁଢୀ ସେଠାରେ ବସିଛି । ମନେ ହେଲା ଅସୁରୁଣୀ ବୁଢୀ, ସେ ଏମାନଙ୍କୁ ଦେଖି ତା’ର ସ୍ୱାମୀକୁ ଡାକି ଦେଲା । ସେ ଭୟଙ୍କର ରାକ୍ଷସ ଏମାନଙ୍କ ମଧ୍ୟରୁ ଜଣକୁ ଉଠାଇ ନେଇ ଛେଚି ମାରି ଦେଇ ତାକୁ ରୋଷେଇ ଘର ମଧ୍ୟକୁ ଫିଙ୍ଗି ଦେଲା । ଏସବୁ ଘଟଣା ଦେଖି ଅନ୍ୟ ଦୁଇଜଣ ପ୍ରାଣ ବିକଳରେ ଧାଇଁଲେ । ରାକ୍ଷସ କି ଛାଡିବା ଜୀବ ।  ଚିତ୍କାର କରି ସେ ଅନ୍ୟ ରାକ୍ଷସମାନଙ୍କୁ ଡାକିଲା । ସମସ୍ତେ ପାହାଡ ଉପରକୁ ଚଢି ଯାଇ ବଡ ବଡ ପଥର ବର୍ଷା କଲେ । ପଥର ମାଡରେ ଅଧିକାଂଶ ନୌକା ଓ ସୈନ୍ୟ ମରିଗଲେ । ରୂପଧର କୌଣସିମତେ ତାଙ୍କ ନୌକା ଚଳାଇ ସମୁଦ୍ର ମଧ୍ୟକୁ ଚାଲିଗଲେ । ତାଙ୍କ ନୌକା ଛଡା ଅନ୍ୟ ସମସ୍ତ ନୌକାରେ ଥିବା ସୈନ୍ୟମାନେ ମରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ